Unknown

 

 

 

 

 

 

 

 

 

 

 

ଭସାମେଘ

ରାଜକିଶୋର ପଟ୍ଟନାୟକ

 

ସ୍ଵନାମଧନ୍ୟା

 

ଶ୍ରୀମତୀ ବସନ୍ତକୁମାରୀ ପଟ୍ଟନାୟକ

.......କରକମଳେଷୁ !

 

ଧୈର୍ଯ୍ୟ ଓ ସାଧନା ସିଦ୍ଧି ଆଣନ୍ତି ।

ସେମାନେ ଭୁଲରେ ବି ଠକନ୍ତି ନାହିଁ ।

 

ରାଜକିଶୋର

୨୦-୯-୫୯

 

ସବୁଦିନ ପରି ଦିନେ ସୁଲତା ଖୋଲା ଆକାଶ ଆଡ଼କୁ ଚାହିଁ ଭାବିଯାଉଥିଲା ପଛକଥା । ଖଣ୍ଡିଖଣ୍ଡିକା ମେଘ ଗୋଠଫେରନ୍ତା ହୋଇ ଭାସିଯାଉଛି ପୂର୍ବରୁ ପଶ୍ଚିମକୁ । ପବନ ଝିଲିଝିଲି ବୋହୁଛି । ପୂବେଇ ପବନ ନିଶ୍ଚେ ବରଷିବ । ଗାଁରେ ବରଷୁଥିଲା, ସହରରେ କ’ଣ ବରଷିବ ନାହିଁ-?-–ଭାବୁଥାଏ ଆଉ ଭାବି ନ ଭାବିଲା ପରି, ଦେଖି ନ ଦେଖିଲା ପରି ଚାହିଁଥାଏ ଆକାଶ ଆଡ଼କୁ-

 

ଆକାଶର ଆଉ ନେଳିଆ ରଙ୍ଗ ନାହିଁ । ଛପାଶାଢ଼ିପରି କଳା ଧଳା ରଙ୍ଗ ଏଠି ସେଠି ନେସି ହୋଇଯାଉଛି । ବଢ଼ିଲା ନଈର ଭସାଣିଆ ସୁଅ ପରି ସବୁ ଠେଲି ନେଇଯାଉଛି । ପୁରୁଣା ଦିନ, ପୁରୁଣା ସ୍ମୃତି ଗଡ଼ିଯାଇଛି ।

 

ଗାଁରେ ଥିଲାବେଳେ ସହରକୁ ଆସିବାକୁ କେତେ ପାଞ୍ଚ କୁପାଞ୍ଚ କରିଥିଲା । ଗାଁରେ ନାମ ନାହିଁ କି ଯଶ ନାହିଁ । ସୁଖ, ସନ୍ତୋଷ ଶାନ୍ତି କି ଆନନ୍ଦ ନାହିଁ । ଗଛ ଉପରକୁ ଚାହିଁଲାପରି ସେ ଚାହିଁ ରହିଲା ସହରଆଡ଼କୁ । ସହର ପାଖରେ ରେଲଗାଡ଼ି ରହେ । ଉଡ଼ାଜାହାଜ ଓହ୍ଲାଏ । ବୋଇତ ବଣିଜର ପେଣ୍ଠ ହୁଏ—ସବୁ ଭଲ ଜିନିଷର ମେଳା । ଦୂରର ପାହାଡ଼ ଶିଖର, ଦେଉଳର ପତାକା ପରି ତାକୁ ଦିଶୁଥିଲା ସହର । ସେଠିକ ଆସିବାକୁ ସେ ମନରେ, ଧ୍ୟାନରେ, ଇଚ୍ଛାରେ, କଳ୍ପନାରେ କେତେ ନିଶୁଣି ନ ବାନ୍ଧିଛି । ଛୋଟ ବଡ଼ ମୋଟାରୋଟା, ଯାହା ହେବ ସହରଟି ହେଉଛି ତା’ର ଲକ୍ଷ୍ୟ ।

 

ବାପ ଭାଇ ଥରେ ସିନା ଦେଖେଇ ନେଇଥିଲେ—ରଖେଇ ପାରି ନ ଥିଲେ । ଟିକିଏ ଦେଖେଇଦେଇ ମନ ଭିତରେ ଅଫୁରନ୍ତ ଝର ଫିଟେଇ ଦେଇଥିଲେ—ଗାଁ ପ୍ରତି ଘୃଣାର ଝର । ହିନିମାନିଆ ଜୀବନକୁ ଆହୁରି କୁତ୍ସିତ କଦର୍ଯ୍ୟ କରି, ଅଭିଶପ୍ତ ଜୀବନକୁ ଆହୁରି କାଙ୍ଗାଳିଆ କରି ତାକୁ ଫେରେଇ ଆଣିଥିଲେ । ସେହି ତା’ର ସ୍ଵପ୍ନର ସହର । କାମନାର ପୂରଣ ଯଦି ଜୀବନର ମୁକ୍ତି ହୁଏ । ତାହାହେଲେ ସେ ତା’ର ମୁକ୍ତି ।

 

ସୁଲତା ଶେଷରେ ସହର ଖୋଜି ପାଇଥିଲା । ବିଭାଘର ବେଳେ ସେ ଖାଲି ଭାବୁଥିଲା ସେଇ ଗୋଟିକ କଥା—ମଫସଲରେ ରହି ସେ କେମିତି ଅସୁବିଧାରେ ପଡ଼ିଯାଇଛି । ସବୁ ଦିନକୁ ତାରି ଗାଁ ରଖିଦେଇଛି କେଇଟି ଚିହ୍ନ—ନାକରେ ଯୋଡ଼ିଏ ଫୋଡ଼ ଆଉ ହାତ ଗୋଡ଼ରେ ମେଞ୍ଚାଏ ଚିତା ।

 

କ’ଣ ପା’ନ୍ତି ସେଥିରୁ କିଏ ଜାଣେ ? ସୁଲତା ତାଙ୍କରି ପରି ଜଣେ । ଇଚ୍ଛା ନ ଥାଇ ମନ ନ ଥାଇ ହୋଇଥିଲା । ଥରକୁ ଥର ନାକପୁଡ଼ାରେ ହାତ ମାରେ—ଇସ୍‌ ଯୋଡ଼ାଏ କଣା । ସେ କ’ଣ ବନ୍ଧା ହେବ ଖୁଣ୍ଟରେ ବଳଦଙ୍କ ପରି ? ମଝିରେ ଖାଲି ଯାହା ଫୋଡ଼ ହୋଇନାହିଁ । ସେ କଣା ଲୁଚିବ ନାହିଁ । ସବୁ ଦିନକୁ ସେ ହେବ ଗାଉଁଲି ।

 

ଆକାଶର ଭସାମେଘକୁ ଚାହିଁ ସୁଲତା ନାକପୁଡ଼ାରେ ହାତ ମାରୁଥିଲା—ନା ଏତକ ଆଉ ଲୁଚିବ ନାହିଁ । ଯେତେ ଯାହା କଲେ ବି ମନର ଦାଗର ଦେହ ଉପରର ସେହି ଦାଗ କେଇଟା ତାକୁ ହେଜେଇଦେଇ ଯାଉଥିବ—ସେ କେଉଁଠି ଥିଲା ଆଉ କୋଉଠିକ ଆସିଛି । ନାଁ ଥିଲା ଲତା–ତାକୁ ଗାଁର ଗୋଟିଏ ଭାଇ ବଦଳେଇଦେଇ ସୁଲତା କରି ଦେଇଥିଲେ । ସେଇଦିନରୁ ସେଇ ପାଠୁଆ ଭାଇଙ୍କର ନାଁ ଟିକୁ ସେ ଆଉ ଛାଡ଼ି ନାହିଁ । ସେତିକି ତା’ର ଯାହା ସହରମାନିଆ ଜିନିଷ-। ଆଉ ତ କିଛି ନାହିଁ ।

 

ସେଦିନ ପ୍ରଥମ ହୋଇ ସହରକୁ ଆସିଲାବେଳେ ସହରର ରାସ୍ତା ଦେଖି ସେ ଉଲୁସି ଉଠୁଥିଲା । ଧାଡ଼ି ଧାଡ଼ି କୋଠାପାଖରେ ଗାଁକୁ ମନେଇବା ଛପର ଘରଟିଏ ଦେଖିଲେ ସେ ଆଖି ବୁଜି ଦେଉଥିଲା । ସହର ପାଖରେ ଗାଁ କେମିତି ଦିଶେ ସେଇ ଘରକୁ ଦେଖି ସୁଲତା ମନେମନେ ତଉଲି ନେଉଥିଲା । ସେଦିନ ସେ ତା’ର ସ୍ଵାମୀକୁ ପଚାରିଥିଲା—ତମର କ’ଣ ଚିହ୍ନାଲୋକ ସହରରେ ନାହାନ୍ତି ?

 

ହସି ବ୍ରଜବାବୁ ରିକ୍‌ସାର ପରଦା ଭିତରେ ସୁଲତାକୁ ଚାହିଁଥିଲେ । ଦିଆଲି ଉଆଁସର ଆଲୁଅ ମେଳା ପରି ରାସ୍ତାର ପ୍ରତି ଖୁଣ୍ଟରେ ବିଜୁଳି—ଆଲୁଅ ଝୁଲୁଥିଲା । ଆଗରୁ ପଛରୁ କେଜାଣି କେତେ ଗାଡ଼ିମଟର ଏପାଖ ସେପାଖ ହୋଇ ବାହାରିଯାଉଥିଲେ । କାହାରି କାହାରି ଆଡ଼କୁ ଦୃଷ୍ଟି ନାହିଁ ।

 

ବ୍ରଜବାବୁଙ୍କ ଆଡ଼କୁ ଆଉଜିପଡ଼ି ସୁଲତା ନିଜର ଚଞ୍ଚଳ ମୁହଁ, ଉଛୁଳା ଦେହ, ବୁକୁଭରା ଉଚ୍ଛ୍ୱାସରେ ଲାଜରେ ନଇଁ ପଡ଼ୁଥିଲା । ଗାଁ ହୋଇଥିଲେ କେଜାଣି କେତେ ଲୋକ ତାକୁ ଦେଖି ପକାନ୍ତେ । ଲାଜରେ ତା’ର ମୁଣ୍ଡ କଟିଯାନ୍ତା । ଆଉ ସହରରେ କେହି ଜଣେ ସେହି ଡାହାଣିଆ ଚାହାଣୀରେ, ଓଲିଆ ମନରେ ଦେଖୁ ନାହିଁ ।

 

କିନ୍ତୁ ମନ ଭିତରେ ସୁଲତାର ଗୋଟିଏ ଅଭିମାନର ଝଡ଼ ବୋହିଯାଇଥିଲା । ଜୀବନ ଶୂନ୍ୟ—ସର୍ବଗ୍ରାସୀ ଲୋକ ସହରରେ ନାହିଁ । ଏଠି ମଣିଷଙ୍କର ଆଖି ଅଛି । ଆଖିରେ ତେଜ ନାହିଁ-। ମନ ଅଛି । ମନରେ ସେଇ ପୂର୍ଣ୍ଣତା ନାହିଁ । ସବୁ ଯେମିତି ବିଜୁଳି ଚମକପରି ଆସି ଚାଲିଯାଉଛି-। ଏକାଠି ଲୋକ ଅଛନ୍ତି ସିନା ତେବେ ଗାଁପରି କାହାର କାହା ସାଙ୍ଗରେ ମେଳା ମେଳା ନାହିଁ-

 

ସେଦିନ ଖରାବେଳେ ନିଜର ଭଡ଼ାଘର ଦୁଆର ଭିତରେ ଚିରସଙ୍ଗୀ ଆକାଶକୁ ଚାହିଁ ସୁଲତା ମନରେ ଭସାମେଘ ପରି ସେହି ସ୍ମୃତିର ମାଳା ଭାସିଯାଉଥିଲେ । ନିଜର ଦେହ ମଉଳିଯାଉଛି । ଦେହ ଉପରଦେଇ ଯୋଡ଼ିଏ ପିଲାକୋଳକୁ ଖସି ଆସିଛନ୍ତି ।

 

କେଡ଼େ ଚଞ୍ଚଳ ଦିନର ସୁଅ ଛୁଟିଛି । ରମୁ ଆଉ ବୁଲୁ ହେଇ କାଲିପରି ଆସି ଏଡ଼ୁରୁ ଏଡ଼େ ହେଲେଣି—

 

ସୁଲତା ଆଗରେ ଗୋଟିଏ ପ୍ରଶ୍ନ—ବାଟ କୁଆଡ଼େ ? ଶଗଡ଼ ଗୁଳାରେ ଛୋଟିଆ ସଂସାର ଚାଲିଛି । ପିଲାଯୋଡ଼ିକ ଶୋଇଛନ୍ତି । କଥା କହି ଜାଣିଲେଣି ସିନା । ପର ମନ ବୁଝି ନାହାନ୍ତି । ମନର ତାଡ଼ନା ଗୁଳାରେ ଚାଲିଲାବେଳେ ଚାଲୁଛି ସିନା । କେଁ କଟର ନ ହବ କେମିତି ? ଅଖ ଚକର ପରାଧୀନ କି ନୁହେଁ ବୁଝିବାକୁ ବେଳ କାହାର ଅଛି ? କିଏ କାହା ପାଇଁ ଧନ୍ଦି ହେଉଛି-? ସେତିକି ଯଦି ଖୋଲାଖୋଲି ଜାଣି ହୁଅନ୍ତା, ତେବେ ଏ ସଂସାରରେ ଅଧୀନ ପରାଧୀନ କଥା ଭାବି କେହି ତ ଧନ୍ଦି ହୁଅନ୍ତେ ନାହିଁ ।

 

ପାଞ୍ଚବର୍ଷର ପୁରୁଣା ବାହାଘର । ପାଞ୍ଚବର୍ଷ ହେଲା ସେ ନିପଟ ମଫସଲ ଛାଡ଼ି ଆସିଛି । ବାପ ଅଜା ସହରକୁ ଆସିଲାବେଳେ କେତେ ସଜଡ଼ା ସଜଡ଼ି ନ ହୁଅନ୍ତି ! ଭଡ଼ାପାଇଁ ରେଜା ପଇସା, ଭଲମନ୍ଦ ପାଇଁ ଅଲଗା ସାଇତା ଟଙ୍କା, ଚଳିବା ପାଇଁ ଖର୍ଚ୍ଚ ସବୁ ଯୋଗାଡ଼ ହେଲେ ସେମାନେ ଆସନ୍ତି । ଫେରିବାବେଳେ ଆଖି ଉପରେ ଫୁଟି ଉଠେ ଉତ୍ସାହ ।

 

ସୁଲତା ତାଙ୍କୁ ଘେରି ଠିଆ ହେଉଥିଲା । ତାଙ୍କ ପାଖରୁ ଜଳଛବି, ରଙ୍ଗରଙ୍ଗିଆ ଫିତା, ସହର ମିଠେଇ, ଛବିବହି ପାଇଲେ ସୁଲତା ଜଗଜ୍ଜିତାଙ୍କ ପରି କେଇଦିନ ଏପାଖ ସେପାଖ ହୁଏ ।

 

ସାଙ୍ଗସାଥୀଙ୍କୁ କହେ ସହର କଥା । ସେଠି ମିଠେଇ ଘର-ପ୍ରମାଣେ ଗଦା ହୋଇଛି । ଦୋକାନି ମୂଷାଙ୍କ ପାଇଁ ପଣେ କାହାଣେ ବିଲେଇ ପୋଷନ୍ତି । ସେଠି ବହି ଗଦା ହୋଇଛି ପାହାଡ଼ ପରି । ମଣିଷଗୁଡ଼ାକ ବି ଭାରି ବଡ଼ ବଡ଼ ।

 

ସମସ୍ତେ ସୁଲତା କଥା ବସି ଶୁଣନ୍ତେ । ସହରୀ ସୌଦାଗର ଆସିଥିଲା । ଧଳା ପିଙ୍କା ଖାଏ, ମାଣେ ଭୁଜା ଦେଲେ ଗୋଟିଏ ମିଳିବ । ଚା’ କରିବ ବୋଲି ଚୁଲି ଆଣିଛି ଯେ ସେଥିରେ କାଠ ଲାଗୁନାହିଁ । ଚୁଲି ଜଳେ ଗାଡ଼ି ଭିତରେ । ଆଉ ସେ ଚୁଲି ଜଳେ ଶିଖା ଉପରେ । ଦୀପ ଭଳି ଜାଗାରେ ଯେତେ ନିଆଁ ବାହାରେ ସେଥିରେ ଗୋଟିଏ କୁଟୁମ୍ବର ରୋଷେଇ ଆଖି ନହମାକେ ହୋଇଯିବ ।

 

—ସହରରେ ସବୁ ଅଛି । ଗାଁରେ କିଛି ନାହିଁ ।

 

ସହରରେ ଅଛନ୍ତି ତହୁଁ ବଳି ତହୁଁ ବଳି ବଡ଼ ମଣିଷ । ଏକେ ଆରକୁ ବଳିଆର । ଚାରିପାଖ ଗାଁଆଡ଼ୁ ସବୁ ଦରବ ଛାଣିଛାଙ୍କି ହୋଇ ବୋହିଯାଇଛି ।

 

ସୁଲତାର କୁଟୁମ୍ବୀ ଭାଇ ସହରରେ ପାଠ ପଢ଼ନ୍ତି । ଫେରିଲାବେଳେ ସୁଲତା ତାଙ୍କୁ ଚାହିଁରହେ । ଧିଅରେ ପତଳା କନାର ପୋଷାକ । ଭିତରେ ଚାଲୁଣିଆଗେଞ୍ଜି ଦିଶୁଥାଏ । ଗୋଟିଏ ଗୋଟିଏ ବୁଣିବାକୁ କେଜାଣି ଯୁଗେ ଲାଗୁଥିବ । ସହରରେ କୁଆଡ଼େ ବଡ଼ ଠୋଉ ସାନଯାଏ ସମସ୍ତେ ସେମିତି ପିନ୍ଧନ୍ତି । ସେ କହନ୍ତି ଯେ ସହରରେ ମାଟି ଉପରେ ଖରା ପଡ଼େ । ମୁଣ୍ଡ ଉପରେ ଛାଇ, ନ ଦେଖିଲେ ବୁଝିହେବ ନାହିଁ । ଗାଁ ତାଳଗଛଠାରୁ ଉଚ୍ଚ କୋଠାବାଡ଼ି ଭରି ରହିଛି । ସହରରେ ଘାସ ଗଛରେ ପାଣି ଦିଆହୁଏ । ବୁଦାକୁ କତୁରୀରେ ବାଳ କାଟିଲିପରି ଯତ୍ନ କରି କମଣ କାଟନ୍ତି । କୁକୁର କୁକୁଡ଼ାଙ୍କ ପାଇଁ ଡାକ୍ତର ଆଉ ଡାକ୍ତରଖାନା ଅଛି । ସେଠି ଅଛି ନନ୍ଦନକାନନ ।

 

ସୁଲତା ପଚାରେ—ତେବେ କ’ଣ ତମ ସହରରେ ଜନ୍ତୁଜୁନ୍ତା ଆମଠୋଉଁ ଭଲରେ ଅଛନ୍ତି ?

 

—ଏଥିରେ ମିଛ କ’ଣ ? ଆମ ପ୍ରିନ୍‌ସିପାଲଙ୍କ କୁକୁର ଘଷାମଜା ଖାଏ । ସାତ ଦିନରେ ଥରେ ଜୁଲାପ ଖାଏ । ସନ୍ଧ୍ୟାବେଳେ ବୁଲିବାକୁ ଯାଏ । ଘଡ଼ି ଦେଖି ଭାତ ଖାଏ । ଆଉ ତାର ଜୀବନବୀମା ହୋଇଛି । ମରିଗଲେ ପ୍ରିନସି୍‍ପାଲ ସାହେବ କାନ୍ଦିବେ ଆଉ ଟଙ୍କା ପାଇବେ ।

 

—ପ୍ରିନ୍‌ସିପାଲ କ’ଣ ? ବୀମା କ’ଣ ?

 

—ପଣ୍ଡିତରେ ସେ ବଡ଼ ପଣ୍ଡିତ, ଆଉ ଯେଉଁ ପଣ୍ଡିତ ବେଶି ଦରମା ପା’ନ୍ତି ତାଙ୍କୁ କହନ୍ତି ପ୍ରିନ୍‌ସିପାଲ । ତାଙ୍କର ମାନ ଯେମିତି ଥାନ ବି ସେମିତି । ତମେ ସବୁ କଣ ବୁଝିବ ସେ କଥା ?

 

—ସେ କ’ଣ ପଢ଼ିଛି ବହୁତ ? ଶହେ ଖଣ୍ଡ ବହି କଣ ପଡ଼ିଥିବ ?

 

—ମୁଁ ତ ଦି’ ଶହ ପଢ଼ିସାରିଲଣି । ସେ ଆମକୁ ପରା ପଢ଼ାନ୍ତି ।

 

—ତୁମକୁ ବି ? ସେ ତେବେ—

 

—ଆଲୋ ହୁଣ୍ଡି, ତମ ଗାଁର ଯେମିତି ଦୁଷ୍ଟାମୀ କରି ଦୁଷ୍ଟ ଅଛନ୍ତି—ହାଡ଼େ ହାଡ଼େ ଦୁଷ୍ଟ, ସେଠି ସେମିତି ପାଠୁଆ ଅଛନ୍ତି । ତାଙ୍କର କଥା କଥାକେ ପାଠ, ତାଙ୍କର ହସିବା, ଚାହିଁବା, ବସିବା, କାନ୍ଦିବା ସବୁଥିରେ ପାଠ । ସେଗୁଡ଼ାକ ପାଠ ହୁଣ୍ଡା । ତାଙ୍କର ବଳ ହେଲା ପାଠ । ସେଠି ପାଠ-ଗୁଣ୍ଡା, ଟଙ୍କା-ଗୁଣ୍ଡା ଆଦି ଜାତି ଜାତିକର ବଳୁଆ ଲୋକେ ଅଛନ୍ତି । ତାଙ୍କ ପାଖରେ ତମେ ଆମେ ଗାଁ ଲୋକେ ଅତି ନିକମା ।

 

ସୁଲତାର ଯୌବନଭରା ମନରେ କଳ୍ପନାର ମେଘ ନଇଁ ଆସୁଥିଲା । ଦୂରରେ ଅଛି ସହର । ସେଇଟା ବୁଦ୍ଧି ପରାକ୍ରମର ମୁଲକ । ବଳ ଓ ବୁଦ୍ଧି ନ ଥିଲେ ସେଠି କେହି ରହି ପାରିବ ନାହିଁ ।

 

—ରହିଲେ ହେବ ଚାକର ।

 

—ସେଠି ଚାକର ହେବା ଭଲ । ଗାଁର ଅଧିକାରୀ ହୋଇ କିଛି ଲାଭ ନାହିଁ ।

 

ସୁଲତା କେଜାଣି କେତେଥର ଅଳି ନ କରିଛି ତାକୁ ସହରକୁ ନେଇଯିବାକୁ । ସେଟା ଇନ୍ଦ୍ରଜାଲର ଦେଶ । ସେ କୁବେର-ପୁରୀ । ନାହିଁ ନଥିବା କଥା ସେଠି ହୁଏ । ଗୋଟିଏ ଗଛରେ ଚାରି ରକମର ଫୁଲ ଫୁଟେ ! ମଣିଷମାନେ ଦେବତା ପରି ଚାଲନ୍ତି ।

 

ଏବେ ତା’ରି ଗାଁକୁ ମଟର ଚାଲିଲାଣି । ରାସ୍ତା ବନ୍ଧାହେଲାଣି । ଟିଣ ଟାଇଲ ଘର ତିଆରି ହେବ ବୋଲି ସରକାର ଟଙ୍କା ଯାଚିଲେଣି । ଗାଁର ଚଷାପୁଅ କୋବି, ମଟର ଚାଷ କଲାଣି । ଏଇଥି ଭିତରେ ପାଞ୍ଚ ବର୍ଷ ଗଡ଼ି ଯାଇଛି ।

 

ଏଇ ପାଞ୍ଚ ବର୍ଷ ଭିତରେ ସୁଲତାର ଲକ୍ଷ୍ୟ ହେଉଛି ସେହି ସହର । ନିଜର ସ୍ଵାମୀଙ୍କୁ ସେ ସବୁପ୍ରକାରରେ ସେହି ଗୋଟିଏ ବାଟକୁ ଠେଲିଛି । ସୁଲତା ସହରକୁ ଆସିଥିଲା ସହରର ଗୋଟିଏ ସନ୍ଧ୍ୟାରେ । ସେ ସନ୍ଧ୍ୟାରେ ସେ ସହରର ପ୍ରଥମ ପରଶ—ପ୍ରଥମ ପରଶର କୌତୁହଳ ଓ ଉନ୍ମାଦନା ନେଇ ସେ ସହରକୁ ଆଉ ନିଜର ସ୍ଵାମୀକୁ ଦେଖିବାକୁ ଓ ବୁଝିବାକୁ ଚେଷ୍ଟା କରିଥିଲା ।

 

ବ୍ରଜବାବୁଙ୍କୁ ସେଦିନ ସେଇ ପ୍ରଥମ ସନ୍ଧ୍ୟାରେ ସେ କ୍ଷମା ଦେଇନାହିଁ । ସହରରେ ପ୍ରଥମ ସନ୍ଧ୍ୟା ସ୍ଵାମୀଙ୍କ ସାଙ୍ଗରେ । ସ୍ଵାମୀ ହିସାବରେ ତରୁଣୀ ଭାର୍ଯ୍ୟାର ଯେତିକି ସମ୍ମାନ ପାଇବା କଥା ସେତିକି ସେ ପାଇପାରି ନାହାନ୍ତି । ଭଲ ହୋଟେଲକୁ ଯାଇ ଆଖିବୁଜା ପଇସା ଖରଚ କରି, ମନକୁ ରୁଚିଲା ପରି ଜିଭକୁ ଲାଗିଲା ପରି ଖାଇବା ଦରବ ନ ପାଇଲେ ମନକୁ ଯେମିତି ଆଘାତ ଲାଗେ, ସେଦିନ ତା’ର ସ୍ଵାମୀଙ୍କ ବିଷୟରେ ସୁଲତାର ସେଇ ଧାରଣା ଆସିଥିଲା ।

 

ସାଙ୍ଗରେ ଆଣି, ପାଖରେ ରଖି ଯେବେ ସେ ମନକୁ ରଞ୍ଜି ରଞ୍ଜାଇ, କରି କରାଇ ନ ପାରବେ, ଦେଇ ଦିଆଇ ନ ପାରିବେ—ତାହାହେଲେ—

 

—କ’ଣ କଥା ପଡ଼ିବାରୁ ସେ ସେକଥା ଆଉ ଅଧିକ ଭାବିପାରିଲି ନାହିଁ । ଭାବିଥିଲେ ନିଜ ମନରୁ ଖୋଜିଲା ଉତ୍ତର ପାଇଯାଇଥାନ୍ତା ।

 

ମଣିଷର ଏମିତି ଅବସ୍ଥା ଆସେ—ସେତେବେଳେ ସେ ପରର ମନଲାଖି କଥା କହିପାରେ ନାହିଁ କି ତା’ର ମନରୁଚା କଥା ସେ ଶୁଣେ ନାହିଁ । ସେ ଚାହେଁ ବଞ୍ଚିରହିବାକୁ—ଆଉ ବଞ୍ଚିବାକୁ ହେଲେ ଅନେକ କାମ କରିବାକୁ ହୁଏ । ସେଥିରୁ ପ୍ରଧାନ କାମ ହେଉଛି, ଯାହା କଥାରେ ସମ୍ଭବ, ଜୀବନରେ ସମ୍ଭବ, ସେତିକି କାମରେ ନ ଲଗାଇବା । ଆଉ ମିଛ କହି, ନିଜକୁ ଭଣ୍ଡି ବସି ରହିବା । ଯେ ଯେତେ ବେଶି ମିଛ କହିପାରେ, ଯେ ଯେତିକି ମନର ଭାବନା ଲୁଚାଇପାରେ, ଛଳନା ଦେଖାଇ ଯେ ଯେତେ ଅପରକୁ ଭୁଲେଇପାରେ, ସେ ସେତିକି ଆଦରର ଲୋକ ହୁଏ ।

 

ଏଇଟା ହେଉଛି ସବୁ ଯୁଗର ସଭ୍ୟତା—ଛପର କୁଡ଼ିଆ ଭାଙ୍ଗି ଯେଉଁଠି କୋଠା ତିଆରି ହୁଏ, ଅପରର ପରିଶ୍ରମକୁ ବିକି ଯେଉଁଠି ଧନୀ ଆଉ ଚତୁର ଲୋକେ ମହୁ କାଢ଼ିବାକୁ ମହୁଫେଣା ଭାଙ୍ଗନ୍ତି, ସେଠି ପ୍ରଧାନ କାମ ହେଲା ଠକାମୀ, ମିଛ, ଜାଲ ଓ ଜୁଆଚୋରି ।

 

ସହରରେ ପାଦ ଦେଇ ସୁଲତା ଶୁଣିଥିଲା ନିଜର ସ୍ଵାମୀଙ୍କ ମୁହଁରୁ ଯେ ତାଙ୍କୁ ବହୁତ ଲୋକେ ଚିହ୍ନନ୍ତି । ଏଇଟା କଣ ସତ ! ଅନ୍ଧାର ହୋଇଥିବାରୁ ଦେଖି ପାରୁନାହାନ୍ତି ବୋଲି ଚିହ୍ନି ପାରୁନାହାନ୍ତି ।

 

ତା’ର ମନରେ ମନକଥା ଲୁଚାଇବାକୁ ଆଗ୍ରହ ଆସିଥିଲା । ଖୋଲି କହିଲେ ଚିରଦିନକୁ ଗୋଟିଏ କ୍ଷତ ରହିବ । ମିଛ କହିଲେ ପଛେ ଗଛରେ ଫୁଲ ଫୁଟିବ, ଭବିଷ୍ୟତ୍‌ ସୁଖରେ କଟିବ । ସହରକୁ ଆସି ସେ ସହର-ସଭ୍ୟତାର ପହିଲି ପାହାଚରେ ମିଛ ଶୁଣିଲା ଆଉ ମିଛ କହିଲା ।

 

ତା’ର ମନେପଡ଼ୁଥାଏ—ସେ ଖୋଜୁଛି କଣ ସହରରୁ—ଆନନ୍ଦ, ସୁଖ,ସମ୍ଭୋଗ, ବିଳାସ ? ହଁ ତ ସେତିକି ତାର ଆକାଙ୍‌କ୍ଷା ।

 

ବାପଘର ଗାଁରେ ଯେଉଁ ସ୍ୱାମୀଙ୍କୁ ସେ ଆକାଶ ପରି ଉଚ୍ଚ ଭାବୁଥିଲା ତାଙ୍କୁ ସେଦିନ ସେ ସହରର ମାପକାଠିରେ ମାପିବାକୁ ଆରମ୍ଭ କଲା । ସହର ତା ସ୍ଵାମୀଙ୍କୁ ଗୋଟିଏ ଛୋଟ ମଣିଷରେ ହିସାବ କରେ, ଏଇଟା ହେଲା ତାର ଆଉ ଗୋଟିଏ ପିତା ଅନୁଭୂତି ।

 

ଅନେକ ସମୟରେ ମଣିଷ ଖୋଜୁଥିବା ଦରବକୁ ପାଇଗଲେ ମନଭିତରୁ ତା’ର ପାଇବା ନ ପାଇବାର ଆଶା, ଆଶଙ୍କା, ଆବେଗ, ଉନ୍ମାଦନା ଲିଭିଯାଇ ଆସେ କ୍ଳାନ୍ତି, ଅବସାଦ ଓ ବିରକ୍ତି । ବିଭାଘର ପରେ ବ୍ରଜ ବାବୁ ନିଜକୁ ଭାରଗ୍ରସ୍ତ ଓ ଦୁର୍ବଳ ବୋଲି ଭାବୁଥିଲେ । ସ୍ତ୍ରୀ ପାଇବା ପରେ ସେ ବିଭିନ୍ନ ପ୍ରକାରର ସୁଖଦୁଃଖ ଭୋଗି ସୁଲତାକୁ ନୂଆ ପ୍ରକାରରେ ଦେଖୁଥିଲେ ।

 

ସଂସାରର ଦୁଃଖର ଔଷଧ ସ୍ତ୍ରୀ ବୋଲି ଲୋକେ କୁହନ୍ତି । କିନ୍ତୁ ଜୀବନଯାତ୍ରାର ତାଡନା, ସଂସାରର ବୋଝକୁ ସୁଲତା କମାଇ ପାରୁ ନାହିଁ ।

 

ଯେ ଯେତେ ପ୍ରକାରର ଉପଚାର କରୁନା କାହିଁକି ଜୀବନ-ସଂଗ୍ରାମର କ୍ଷତ କେଭେ ନିଭେଇ ଦେଇ ପାରି ନାହିଁ । ଆଉ ତାହା ସଙ୍ଗରେ ଅନ୍ୟକୁ ପୋଷିବା, ଚଳାଇବା କାମଗୁଡ଼କୁ ମିଶାଇଦେଲେ ସେହି ଅପର ଲୋକଟି ଯେଡ଼େ ବଡ଼ ଯେତେ ସୁନ୍ଦର ବା ଯେ କେହି ହେଉ ନା କାହିଁକି ସେଇ ତ ଦୁଃଖର କାରଣ—ଦୁଃଖର ଉପକରଣ ।

 

ସୁଲତା କ’ଣ ତାଙ୍କର ଦୁଃଖର କାରଣ ହୋଇପାରେ ? ମନଟା କିନ୍ତୁ ଭିତରେ ଥାଇ ନାହିଁ କରୁଥିଲା—ଏଇଟା ହେଉଛି ବ୍ରଜବାବୁଙ୍କ ଦୁଃଖ । ମନର ଦ୍ଵିଧା, ବିଚାରର ସଂଶୟ ସବୁ ଦୁଃଖ ଭିତରେ ବଡ଼ ଦୁଃଖ ।

 

ସୁଲତା ଯେତେବେଳ ବ୍ରଜବାବୁଙ୍କୁ ସୁଖ ଦେଇଛି ବୋଲି ଗର୍ବରେ ଫାଟି ପଡୁଥିଲା, ସେତେବେଳେ ସେ ଭାବୁଥିଲେ ନିଜର ମାସିଆରି ଦରମା ଆଉ ଭବିଷ୍ୟର ସଞ୍ଚୟ କଥା । ନିଜ ଦରମାରୁ କାଣିଚାଏ କରି ସମ୍ପାଦିଲାବେଳେ ସୁଲତା ପାଇଁ ସଜାଡ଼ି ରଖୁଥିଲେ ନିଜର ସ୍ନେହର ଲଗାଣ ସୁଧ ।

 

ଦିହେଁ ବସି ଏକାଠି ଏହି ହିସାବ ଯୋଡ଼ନ୍ତି–ଘରଭଡ଼ା, ଲୁଗାପଟା, ଭାତଡାଲି ଆଉ ଔଷଧପତର ଖର୍ଚ୍ଚ । ବିଭାଘର ଦୟାରୁ ଲୁଗାପଟା ସମସ୍ୟା ଏବେଯାଏ ଉତ୍କଟ ହୋଇନାହିଁ । ମନରେ ଆସେ କଳ୍ପନାର ଅଦମ୍ୟ ସାହସ । ସଂସାର ଜିଣିବାକୁ କଳ୍ପନା ଦେହରେ ଶକ୍ତି ନ ଦେଲେ ବି ଛାତିରେ ଆଣିଦିଏ ଅକଳନ ସାମର୍ଥ୍ୟ ।

 

ଅସୀମ ସ୍ନେହରେ ସୁଲତାର ଊଣା ବୟସ ଅଳପ ଅନୁଭୂତିକୁ ପ୍ରଖର କରିବାକୁ ବ୍ରଜବାବୁ ବୁଝାଇ ବସନ୍ତି ସହରର ନିଷ୍ଠୁରତା କଥା । ଏଠି ଚାଳଲଗା ପଡ଼ୋଶୀ ତମର ରହିବା ନ ରହିବାର ଖବର ରଖେ ନାହିଁ । ତମର ଭୋକଉପାସର ମଲାଜୀଇଁଲା ଖବର ରଖେ ନାହିଁ । ତମକୁ ଦେଖି ସେ ମୁହଁରେ ଯେଉଁ ହସ ଫୁଟାଏ, ସେଥିରେ ଆଗ୍ରହ କି ଆନ୍ତରିକତା ନ ଥାଏ । ଏଠି ଖାଲି ଆକାଶ ପୃଥିବୀ ହେଉଛନ୍ତି ନିଜର । ଆଉ କେହି ନୁହନ୍ତି । ସେମାନଙ୍କୁ ଯେ ଆଶ୍ରୟ କରେ ସେହି କେବଳ ସୁଖୀ ।’’

 

ସୁଲତାର ସ୍ଵପ୍ନରେ ବାଧା ଆସେ । ସହର ଉପଭୋଗର କେନ୍ଦ୍ର । ସେଠି ନିଷ୍ଠୁରତାର ଖୋଲା ଛବି ତାର ମନରେ ବୁକୁଭରା ଉନ୍ମାଦନା କି ଆଶଙ୍କା ଆଣିପାରେ ନାହିଁ । ତା’ର କଳ୍ପନାର ସହର ଯଦି ସତରେ ଏତେ ନିଷ୍ଠୁର ତେବେ ସେହି ସହରକୁ ଫୁଲଫଳ, ସୁଖସମୃଦ୍ଧିରେ ରଙ୍ଗେଇବାକୁ କାହିଁକି ଏତେ ଲୋକ ପ୍ରାଣପାତ କରି କୁର୍ମ ପାଲଟିଯାଉଛନ୍ତି ? ନା ପାରୁ ନାହାନ୍ତି, ହାରିଯାଉଛନ୍ତି ବୋଲି ସେ ସଂସାରକୁ, ସହରକୁ ନିଷ୍ଠୁରତାର ଚିତ୍ରରୂପେ ଦେଖୁଛନ୍ତି—ଏଇଥିପାଇଁ କ’ଣ ତାହାହେଲେ ଏତେ ଆୟୋଜନ ?

 

ନୁହେଁ ତ । ସବୁଦିନେ ଭାବିଆସିଛି ଯେ ତା’ର ସବୁ ଦୁଃଖ, ସବୁ କଳ୍ପନା, ସବୁ ଆକାଙ୍‌କ୍ଷା ପୂରଣ କରିବେ ସେ ସ୍ୱାମୀ । ସେତକ କରି ନ ପାରିଲେ ତାଙ୍କ ପ୍ରତି ବିରୂପ ହେବା କଥା ।

 

ମଣିଷ ଏମିତି ନିଜର ଭୁଲପାଇଁ ପରକୁ ଦୋଷ ଦିଏ । ଖରାପ ଲୋକ ନିଜର ମାପକାଠିରେ ପରକୁ ତଉଲି ତାହାରି ଉପରେ ନିଜର ଅବିଚାରର ନିର୍ମମତା, ନିଜ ଦୋଷର ଅନୁତାପ ଆଣି ଅଜାଡ଼ିଦିଏ । ଧନୀ ଦୋଷ ଦିଏ ସଂସାରର ଦରିଦ୍ରଙ୍କୁ ସେମାନେ ଲୁଟି ନେଉଛନ୍ତି ବୋଲି ବୁଦ୍ଧିମାନ୍‌ଲୋକ ହାରିଗଲା ବେଳେ ଦୋଷ ଦିଏ ସଂସାରର ଠକମାନଙ୍କୁ । ସୁଲତା ସେମିତି ଦୋଷ ଦେଉଥିଲା ତା’ର ସ୍ଵାମୀକ—ସେଇ ତାକୁ ଭଲରୁ ଆଣି ଖରାପରେ ଥୋଇଲେ । ସେ ନିର୍ଦ୍ଦୋଷ ।

 

ମନର ଭାବ ଲୁଚାଇ ସୁଲତା ତା’ର ଚିନ୍ତାକ୍ଳିଷ୍ଟ ସ୍ଵାମୀଙ୍କୁ ବୁଝାଏ—କେତେ ଭାବୁଛ ? ଚାରିଆଡ଼େ ଦେଖ–ଲୋକେ ବଢିଯାଉଛନ୍ତି । ସାନ ବଡ଼ ହେଉଛି । ଗଛ ବଢ଼ୁଛି । ଆମ ସାଙ୍ଗସାଥୀ ବଡ଼ ହୋଇଗଲେଣି । ମନଦେଇ କାମ କର । ଅବସ୍ଥା ନିଶ୍ଚେ ବଦଳିବ । ଭାବି ବସିଲେ, ନିଜ କପାଳକୁ ନିନ୍ଦି ବସିଲେ ଦିନ ସରିବ ନାହିଁ, ମୂଲ ଉଠିବ ନାହିଁ ।

 

—ଏବେ କାହିଁକି, ବାହାହେବାର ବହୁତ ଦିନ ଆଗରୁ ଖଟୁଛି ତ । ଯେତିକି କାମ କରିବା କଥା ତହିଁରୁ ବହୁତ ଅଧିକ ସିନା ଖଟିଲି । ଚାକିରିରେ ବର୍ଷ ଶେଷକୁ ମିଳେ ଗୋଟିଏ ସାଟ–ଫିକେଟ । ସେଥିରେ ଲେଖାଥାଏ ଆମର ବର୍ଷକର କିରାନି ଜୀବନର ଦୁଇଧାଡ଼ି—କିଏ ଲେଖିଥିବ ମୁଁ ଖଟେ ଗଧପରି । ଆଉ କିଏ ଲେଖିଥିବ ଯେ ମୋର ବୁଝିବା ଶକ୍ତି ନାହିଁ । ଆଉ କିଏ ବା କହିବ ମୁଁ ଭାରି ଛୁଟିରଙ୍କୁଣା ।

ସହାନୁଭୂତି ଦେଖାଇବାର ପେଖନା ଭିତରେ ସୁଲତା ମନେ ମନେ କହେ—ଦୂରରେ ଥିଲାବେଳେ ବହୁତ ଦିନରେ ଦିନେ ଦେଖାହେଲେ ମିଳୁଥିଲା, କେତେ ଭଲ ସମ୍ବାଦ । ଏବେ ସବୁବେଳେ ଦେଖାହେଲେ ବି ଦିନେ ହେଲେ ଭଲ ଖବର ନାହିଁ । ଭଲ ଦଉଡ଼ିରେ ଏବେ ଗୁନ୍ଥି ହେଇଛି । କଥାର ବଡ଼ କଥା ହେଲା ଅଫିସ କାମ—ସେ କଣ କଲେ, କିଏ କଣ କହିଲା, କାହାକୁ କିଏ କେମିତି ସାବାଡ଼ କରିଛି—ଏଇ ଖବର ।

ସୁଲତା କହିଲା—ଛାଡ଼ ମ । କଣ ମିଳିବ ସେଥିରୁ ? ସୂର୍ଯ୍ୟ ଉଇଁଲେ ତ ତମର ଗୋଟିଏ ଚିନ୍ତା । ହେଇଟି ଆଠଟା ନ’ଟା ଦଶଟା ବାଜିଲା—ଟାଉନବସ୍‌ ଚାଲିଯିବ । ଅଫିସ ଡେରି ହୋଇଯିବ । ସତେ ଯେମିତି ସକାଳ ପହରରୁ ଦପ୍ତରଖାନା ତମକୁ ଡାକୁଛି । ଏମିତି ମଣିଷ ହେବାଠୋଉଁ ମୂଷା ହେବା ଭଲ । ତମ ଅଫିସରେ ମଣିଷ ଯେମିତି ଅଛନ୍ତି ମୂଷା ବି ସେମିତି ଅଛନ୍ତି-। ମୂଷା ତ ଭାବେ ନାହିଁ । ଖାଲି ମଣିଷ ଭାବେ ଦିନରାତି ଚବିଶ ଘଣ୍ଟା ।

କଳା ମସିଆ ଫାଇଲର ଲେଖା ସତେ ଯେପରି ବ୍ରଜବାବୁଙ୍କ ମନ ଭିତରେ ଖପତଇଛି-। ସୁଲତାର କଥା, ହସ, ଚାହାଣୀ ଆଉ ରୂପ ସେଥିରେ ଟିକିଏ ପେଲିପେଲି ଜାଗା କରିବାକୁ ଯେମିତି ହାତ ଯୋଡ଼ି ଦରିଦ୍ର ପରି ଛିଡ଼ାହୋଇଛି ।

 

—ବୁଝିଲ ସୁଲତା ! ଜାଣିଛ ନା ଆଜି କାମ କଲାବେଳେ ତୁମ କଥା ଭାବୁଥିଲି—ଲେଖା ଭୁଲ୍‍ ହୋଇଗଲା ଯେ ବହୁତ ଗାଳି ଖାଇଲି । ଗାଳି ଖାଇଲାବେଳେ ମୁଁ ସେସବୁ କଥା ନ ଶୁଣି ତମରି କଥା ଠିଆହୋଇ ଭାବୁଥାଏ । ସତେ ମୋ ଜଣାଗଲା ନାହିଁ ।

 

—ସତେ ? ସୁଲତାର ସ୍ଵରରେ ବ୍ୟଙ୍ଗ ।

 

ସୁଲତାକୁ ନିଜ ପାଖକୁ ଆଦରରେ ଟାଣି ନେଇ ବ୍ରଜବାବୁ କହିଲେ—ମୁଁ ପରା ଜାଣିଲି, ତମେ ଥିବାଯାକେ ମୋର ଦୁଃଖ ହେବ ନାହିଁ । ଯେତେ ଯାହା କରିବେ କରନ୍ତୁ । ଯାହା କହିବେ କହନ୍ତୁ ।

 

—ତୁମେ କଣ କହିଲ ?

 

—କିଛି କହିଲି ନାହିଁ, ମନକୁ ବାଧିଥିଲେ ସିନା ପଦେ କହିଥାନ୍ତି ? ବଡ଼ବାବୁ ଭାବୁଥିବେ ମୁଁ ଏବେ ଭାରି ସହି ଶିଖିଲିଣି । ଭାବନ୍ତୁ—ମତେ ବାଧିଲେ ସିନା ମୋର ସହିବା ଶକ୍ତିର ପରଖ ହେବ ।

 

—କାହିଁକି କହିଦେଲ ନାହିଁ, ମୋ ନାଁ ।

 

—ହେ, ବଡ଼ବାକୁ କ’ଣ ଥଟ୍ଟା ? ସେ ଯଦି ଦି’ପଦ କହି-ଦିଅନ୍ତେ ତେବେ ମୋର ମୁଣ୍ଡ ଖରାପ ହୋଇଯାନ୍ତା ।

 

ସୁଲତା ଦୀର୍ଘ ନିଶ୍ଵାସ ପକାଇ ଭାବିଥିଲା—ଏହି ସ୍ଵାମୀ ସଂସାରର ବଡ଼ ଜିନିଷ ପାଖରେ କେତେ ଛୋଟ ! ତାଙ୍କର ସୋହାଗ ବିଲେଇକୁ ଗେଲ କଲାପରି । ସ୍ଵାମୀଙ୍କର ମନରେ ବୋଧେ ସୁଲତା ହେଉଛି ଗୋଟିଏ ନର୍ସ । ତା’ର ଅମୃତବୋଳା ହାତ, ମନକିଣା କଥା ସତେ ଯେମିତି ତାଙ୍କ ଉପରୁ ସରୁ ମସିଆ ଦାଗ ଲିଭେଇ ଦେବ । ସୁଲତା ପାଇଁ ସେ ନୁହନ୍ତି—ତାଙ୍କ ପାଇଁ ସୁଲତା ।

 

—ମନେ ରଖିଥିବ ସୁଲତା, ଗରିବ ଜୀବନରେ ସ୍ତ୍ରୀର ମୂଲ ବହୁତ । ଧନୀ ପରାକ୍ରମୀଙ୍କ ସମାଜରେ ସ୍ତ୍ରୀ ହେଉଛି ଗୋଟିଏ ଖେଲଣା । ଆମପାଇଁ ତମେ ହେଉଛ ସର୍ବସ୍ୱ । ତୁମେ ନ ଥିଲେ ଦେହ ପଙ୍ଗୁ ହୋଇଯିବ ।

 

—ତେବେ କ’ଣ ମୋର କାମ ହେଲା ଖାଲି ବୋଝ ବୋହିବା ? ମୁଁ ସିନା ଆସିଛି ତୁମର ଆଶ୍ରାରେ ଝୁଲିରହିବା ପାଇଁ । ତମେ କ’ଣ ଓଲଟା କଥା କହିଲଣି । ହଉ କୁହ ପଛକେ ସେଇ ମୋର ଭଲ ।

 

ସୁଲତା କହିଲାବେଳେ ଭାବୁଥିଲା—ଆଚ୍ଛା କଥା । ଠାକୁରେ ମଣିଷକୁ ବଳ ଯୌବନ, ରୂପ ବୁଦ୍ଧି ସବୁ ଆଣି ଅଜାଡ଼ି ଦେଇଗଲେ କ’ଣ ପାଇଁ ? ଭୋକିଲା ମନ, ଭୋକିଲା ଦେହ ଯେମିତି ନୀତି କି ସ୍ଵାସ୍ଥ୍ୟରକ୍ଷାର ନିୟମ ମାନେ ନାହିଁ, ସେମିତି ଆକାଙ୍‌କ୍ଷା ଖିଆଲର ବଳ ସାଙ୍ଗରେ ଯୁଝିବାକୁ ବିବେକ ଅସମର୍ଥ ।

 

ଟୁଆଁଟୁଇଁ ହୋଇ ବସିଲାବେଳେ ଜଣେ ଜଣକୁ ଅକାତରରେ ଦେହର ଉଷୁମ, ମନର ପ୍ରଖରତା ଦିଆନିଆ କଲାବେଳେ ମନ ବସି ବସି ତଉଲୁଥାଏ କ’ଣ ପାଇଲ, କ’ଣ ଖୋଜିଥିଲ ? ଖୋଜିଲା ଜିନିଷ ପାଇଲ ନାହିଁ । ଦୂରରେ ଥାଇ ଯେମିତିକା ଲୋକଙ୍କୁ ପଦେ କଥାରେ ଶବ୍ଦହୀନ କରି ବସେଇଦେଇଥାନ୍ତି ସେପରି ଲୋକର ପାଖରେ ରହିଗଲେ ତୁମେ ନିଜେ ନୀରବ ହୋଇଯିବ-। ନିଜର ଅବସ୍ଥା ବଦଳାଇବାକୁ ଜୀବନର ଏଇ ବନ୍ଧା ବାଟରେ ଉପାୟ ନାହିଁ । ବାହାଘର ହେଲା ଅମୁହାଁ ଗାଳି—ସେଠି ଗଛର ଫୁଲ ନ ପାଇ କାଗଜର ଫୁଲ ପାଇବ ।

 

ସୁଲତାର ମନ ଖିଟିଖିଟା ଧରେ । ସେ ଚାହେଁ ଆଗକୁ । ସେଠି ଆଗରେ ବ୍ରଜବାବୁ, ଆଉ କିଛି ନାହିଁ । ସେଇ ହେଉଛି ଜୀବନ—ଜୀବନର ସତ, ମିଛ, ଜୀବନର ସୁଆଦ । ଏ ଜୀବନରେ ଆଉ ସାର୍ଥକତା କ’ଣ ଅଛି ?

 

କିରାନି ଜୀବନରେ ସବୁଦିନେ ଅଭିଯୋଗ—ସେ ସଂସାରର ତଳିଆ ଜୀବ । ସେଥିପାଇଁ ବିପ୍ଳବର ନିଆଁ କିରାନି ଛାତିରେ ସବୁବେଳେ କୁହୁଳୁଥାଏ । ସେଇ କୁହୁଳାରୁ କେବେ ନିଆଁର ଝଲକ ଫିଟେ ନାହିଁ । ଦାରିଦ୍ର୍ୟର ବୋଝ ଚାପିଦିଏ ଛାତି ଭିତରର ଗର୍ବ ଅହଙ୍କାରକୁ ।

 

ଦପ୍ତରଖାନାରେ ଗୋଟିଏ ମେଣ୍ଟ ହୋଇଛି—କିରାନି ଜୀବନରେ କିଛି ନାହଁ ବୋଲି ସେ କହୁଛି ତା’ର ବିରୁଦ୍ଧରେ । ବ୍ରଜବାବୁ ସୁଲତାକୁ ଆସି ଖବର ଦେଲେ ।

 

—କାହାର କ’ଣ ସନ୍ଦେହ ଥିଲା । କି ଯେ ତମେ ଆନ୍ଦୋଳନ କରୁଛ ?

 

—ଆରେ ସେ ତ ସାହାବ ଥିଲାବେଳେ ଆମୁକୁ ଏକାବେଳକେ ଚକମା କରି ଦେଇଥିଲେ । ଏବେ ସାହାବ ଗଲେଣି । ସମସ୍ତେ ଯାଇ ମଥାନରେ ବସିଗଲେଣି ।

 

—ସେଇଥିପାଇଁ କଣ ତମେ ସବୁ ପାଟି କରୁଛ ?

 

—କିରାନି କିଏ ନୁହେଁ ? ଆମେ ଲେଖୁ । ଆମଠୋଉଁ ଆରମ୍ଭ କରି ମନ୍ତ୍ରୀଯାଏ ସମସ୍ତେ ତ ଲେଖୁଛନ୍ତି । ସମସ୍ତେ କିରାନି । ସମସ୍ତେ ସମାନ । ଉପରେ ଥିବା ଲୋକର ଗୋଡ଼ ତଳବାଲାର ମୁଣ୍ଡ ଉପରେ ଅଛି । ସେ ସିନା ଗୋଇଠା ଦେଉଛି । ଆମେ ତ ତାଙ୍କୁ ଟେକି ରଖିଛୁ ମୁଣ୍ଡ ଉପରେ । ଏତେ କରି ପଦେ କହିବା, ଖଣ୍ଡେ ମାଗିବା କ’ଣ ଏତେ ଅପରାଧ । ତମକୁ କେମିତି ଲାଗୁଛି ?

 

—ଆମେ କ’ଣ କହିବୁ ଏସବୁ ବଡ଼ ବଡ଼ କଥାରେ ? ତମେ ଠିକ୍‌ କଲେ ଆମ ବୁକୁ ଯେମିତି ଫୁଲିଉଠେ, ତମେ ହୁଡ଼ିଲେ ବି ଠିକ୍‌ ସେମିତି ଆମେ ଗର୍ବ କରୁ ! ଆନ୍ଦୋଳନ ନ କରିବ କାହଁକି ? କେତେ ଛୋଟ ଛୋଟ କଥା ନେଇ କ’ଣ ନ ହଉଛି ?

 

—ସତରେ ତୁମେ ଭାରି ସୁନ୍ଦର ! କୃତଜ୍ଞ ଆଖିରେ ସୁଲତା ଆଡ଼େ ଚାହିଁ କହିଲେ—କେତେ ଭଲ କଥାଟାଏ କହିଲ ।

 

ସୁଲତ ଆଖି ତଳକୁ କଲା । ସେ ଦେଖୁଥିଲା ବ୍ରଜବାବୁଙ୍କ ମୁହଁ ଉପରେ ଚାକରର ଛବି–ହତଭାଗାର ରଙ୍ଗ । ଭାବୁଥିଲା ଯେ ତା’ର ଜୀବନ ବ୍ୟର୍ଥ ହୋଇଛି—ନିଜେ ଚାକର ନ ହୋଇ ସେ ଚାକରର ହାତ ଧରିଛି । ତାଙ୍କୁ ବଡ଼ ବୋଲି ଟିକେ ନ ଧଇଲେ ବି ବହୁମୁଖ ହୋଇ ତାଙ୍କୁ ସେଇ କଥା କହୁଛି । ଏ ହେଉଛି ଜୀବନର ବିଡ଼ମ୍ବନା—ଏତକ କେହି ବୁଝନ୍ତି ନାହିଁ ।

 

ମଣିଷ ସବୁବେଳେ ନିଜକୁ ନିଜଠାରୁ ବଡ଼ ବୋଲି ଛବି ଆଙ୍କୁଥାଏ । ସେମିତି କରୁଥିବାଯାକେ ସେ ସଂସାରର ବାଟରେ ଆଗେଇ ଯାଉଥାଏ ସିନା । ଯେଉଁଦିନୁ ସେ ନିଜକୁ ନିଜ ସଙ୍ଗରେ ସମାନ କରେ, ନିଜର ଅବସ୍ଥାରେ ସନ୍ତୁଷ୍ଟ ରହେ, ଉପରକୁ ନ ଚାହିଁ ତଳକୁ ଆଖି ପକାଏ, ଉପରର ଗୋଇଠାକୁ ଖାତର ନ କରି ତା’ର ଳେ ଥିବା ଲୋକଙ୍କ ଉପରେ ନିଜର ପରାକ୍ରମ ଦେଖାଏ, ସେଦିନ ମଣିଷରୁ ପଶୁ ପାଲଟିଯାଏ, ତା’ର ସ୍ତର ଖସିଆସେ ।

 

ସୁଲତାର ଜୀବନରେ ସେ ଅବସ୍ଥା ଆସି ପହଞ୍ଚିଲାଣି । ପୁରୁଷ ପଚାଶ ପାଖରେ ପହଞ୍ଚିଲେ ତଳକୁ ଖସିବାକୁ ଆରମ୍ଭ କରେ । କିନ୍ତୁ ସ୍ତ୍ରୀ ଖସେ ପଚିଶ ବର୍ଷରେ । ଅପର ସାଙ୍ଗରେ ବାନ୍ଧି ନ ହେବା ଯାଏ ସେ ବଢ଼ୁଥାଏ । ବନ୍ଧନ ତାର ମୃତ୍ୟୁ, ବନ୍ଧନ ତା’ର ଅଭିଶାପ ସେହି ଅଭିଶାପ ସୁଲତା ବରି ନେଇଥିଲା । ଜାଣି ନ ଥିଲା ଯେ ବନ୍ଧନ ଭିତରେ ଆତ୍ମାର, ମନର, ଅହଙ୍କାରର, ଭବିଷ୍ୟତର କି ମଣିଷର, ପଶୁର, ବିଶ୍ଵାସର, ଜ୍ଞାନର କି ବୁଦ୍ଧିର କାହାରି ମୁକ୍ତି ନାହିଁ ।

 

ମନର କଳ୍ପନା, ହୃଦୟର ଭାବ ଯେତେଦିନ ଯାଏ ତୁଣ୍ଡର କଥାରେ, ହାତର କଲମରେ ବାନ୍ଧି ହୋଇନାହିଁ, ସେତିକି ଦିନ ସେମାନଙ୍କର ବଳ ଅଛି, ସୌନ୍ଦର୍ଯ୍ୟ ଅଛି, ବଢ଼ିବାର ଶକ୍ତି ଅଛି । ଯେଉଁଦିନ ସେ ନିଜକୁ ପ୍ରକାଶ କରିଦିଏ, ଅରୂପରୁ ରୂପର ଆଶ୍ରୟ ନିଏ, ସେହିଦିନୁ ଅରୂପର ମୃତ୍ୟୁ-। ତେଣିକି ରୂପ ଠିକ ମଣିଷପରି ନୂଆରୁ ପୁରୁଣା ହୁଏ । ପିଲାରୁ ବୁଢ଼ା ହୁଏ—ଜନ୍ମ ହୋଇଥିବାରୁ ଦିନେ ପୋଛି ହୋଇଯାଏ । ସୁଲତା ମରିଯାଇଛି । ଯେଉଁ ସୁଲତା ଏବେ ଘରର ଘରଣୀ ହୋଇ କିରାଣି ବ୍ରଜବାବୁଙ୍କର ହୃଦୟ-ହାରଣୀ ହୋଇ ଠିଆହୋଇଛି, ସେ ସୁଲତା ହେଉଛି ଅରୂପର ରୂପାନ୍ତର । ତା’ର ଜୀବନଯାତ୍ରା ନୂଆ ପରିବେଶ ଭିତିରେ ଆସି ପହଞ୍ଚିଛି । ଅତୀତର ସ୍ଵପ୍ନ ଏବେ ନିରର୍ଥକ । ଭବିଷ୍ୟତର କଳ୍ପନା ସେମିତି ମୂଲ୍ୟହୀନ । ଜୀବନର ପୁଞ୍ଜି ହେଉଛି କେଇଟି ଦୀର୍ଘ ନିଃଶ୍ଵାସ—ଯାହା ଯାଇଛି, ଯାହା ଆସିବ ନାହିଁ, ସେ ସମସ୍ତର ଗୋଟିଏ ରୂପ—ଗୋଟିଏ ଛବି ।

 

ଏଇ ଜୀବନ ସାଙ୍ଗରେ ତାଳ ପକାଇ ବ୍ରଜବାବୁଙ୍କର ଜୀବନର ରୂପରେଖ ମିଶୁ ନ ଥିଲା-। ସେ ବୁଝିପାରୁ ନ ଥିଲେ । କିନ୍ତୁ ସୁଲତା ବୁଝୁଥିଲା ସଂସାର କି ଜିନିଷ । ସ୍ତ୍ରୀଲୋକ ଯେତେ ସହଜରେ ସଂସାରକୁ ଚିହ୍ନିପାରେ, ଯେତେ ଶୀଘ୍ର ସଂସାରର ରୂପରେଖକୁ ଅନୁଭବକୁ ଆଣିପାରେ, ପୁରୁଷ ପକ୍ଷରେ ସେତକ ସମ୍ଭବ ହୁଏ ନାହିଁ । କିନ୍ତୁ ସ୍ତ୍ରୀ ସବୁ ବୁଝି ମଧ୍ୟ ବାକ୍ୟହୀନ । ତା’ର ବଚନ ହେଲା ନିଜର ଚାହାଣୀ—ସେଥିରେ ସେ କହିଦିଏ ସଂସାରର ଅସଲ କଥା ।

 

ସେଥିପାଇଁ କୁମାରୀ ଜୀବନରେ ଦାର୍ଶନିକ ହେବା ଯେତିକି କଷ୍ଟ, ସଂସାରୀ ଜୀବନରେ କଳ୍ପନାମୟୀ ହେବା ସେତିକି ଦୁରୂହ । ମନଫୁଲାଣିଆ ଗୀତ ସଂସାର ପସନ୍ଦ କରେ ନହିଁ । ସେଥିପାଇଁ ସୁଲତା ପରି କୌଣସି ସ୍ତ୍ରୀ କେବେହେଲେ ଉଛୁଳା ମନର ପ୍ରାଣ ଖୋଲା ହସ ହସି ନାହିଁ । ସେ ସମ୍ବାଦ କେବେହେଲେ ସଂସାରର ଇତିହାସରେ ଲେଖା ହୋଇନାହିଁ । ସେଥିରେ ଲେଖାଯାଏ ଘଟଣାର ଚିତ୍ର । ମନର, ଆଶା ଆଶଙ୍କାର, ଦୁଡ଼ୁଗୁଡ଼ୁ ଛାତିର ନିଶ୍ୱାସ-ପ୍ରଶ୍ୱାସ ଲେଖାଯାଇପାରେ ନାହିଁ । ପ୍ରେତର ଇତିହାସ, ଅଶରୀର ଜୀବନୀ ଯେମିତି ବୁଝି ହୁଏନାହିଁ, ସେମିତି ବିଧ୍ୱସ୍ତ ମନର କରୁଣ କାହାଣୀ ଜୀବନ୍ତ ରୂପ ପାଇ କେବେହେଲେ ଠିଆ ହୁଏ ନାହିଁ । ପାଖରେ ଥିବା ଲୋକ ଦେଖେ ଶୁଖିଲା ମୁହଁ, ଓଦା ଆଖି, ଶୁଖିଲା ଓଠ । କିନ୍ତୁ ସେଥିରୁ ସେ ଅଟକଳ ନେଇପାରେ ନାହିଁ ।

 

ସଂସାର ଏଡ଼େ ଖରାପ ଯେ ଖୋଲାଖୋଲି କଥା କହିବା ସେଠି କେବେହେଲେ ପସନ୍ଦ ହୁଏ ନାହିଁ । ବଢ଼େଇକରି କଥା କହିଲେ ସଂସାର ତାକୁ ମିଛୁଆ ଓ ଗର୍ବୀ ବୋଲି କ ଫୋପାଡ଼ି ଦିଏ-। ଊଣାକରି କହିଲେ ଶଠ ଓ ପ୍ରବଞ୍ଚକ ବୋଲି ସେମିତି ଠେଲିଦିଏ । ଏଣୁ ପ୍ରକୃତ କଥା କହିବା କେବଳ ଇତର ଲୋକ ପକ୍ଷରେ ସମ୍ଭବ । ଭିତରର ନାରଖାର ଛବିକୁ ସୃଷ୍ଟି, କମନୀୟ କରି ଦେହର ସୁଠାମ ସୌନ୍ଦର୍ଯ୍ୟରେ ଢାଙ୍କି ସଂସାରରେ ଛାଡ଼ିଦିଏ । ମଣିଷ ସେମିତି ତା’ର ମନର ଅଭାବ ଅଭିଯୋଗକୁ ମିଠା କଥା, ମିଠା ହସ ଭିତରେ ଭାଙ୍ଗିଦେଇ ଚଳପ୍ରଚଳ ହୁଏ ।

 

ପ୍ରଥମ ଦିନର ମାଦକତା ଏବେ ସୁଲତା ଜୀବନରେ ବିଗତ କଥା । ଏବେ ଯେତେ ଘଷିମାଜି ହୋଇ ସେ ଆସିଲେ ବି ସେଇ ପ୍ରଥମ ମାଦକତାର ଉଚ୍ଛ୍ୱାସ, ଉତ୍ସାହର ତରଙ୍ଗ ଆଉ ଉଠୁ ନ ଥିଲା । ସୁଲତା ବ୍ରଜବାବୁଙ୍କ ପାଖରେ ପରୀକ୍ଷା ଦେବା ପିଲାର ପଢ଼ା ବହି ପରି—ବାରମ୍ବାର ପଢ଼ା ହୋଇଛି । ବହିର ବିଭିନ୍ନ କୋଣରେ କେତେ କଠିନ ପ୍ରଶ୍ନ ଉତ୍ତରପାଇଁ ଅପେକ୍ଷା କରି ରହିଯାଇଛି । ବହିଟିକୁ ନିଜର ବହି ପରି ପଢ଼ିଲାବେଳେ ଛାତ୍ର ଯେମିତି ବହିର ଚାରିଆଡ଼ ପେନ୍‌ସିଲ କଲମରେ ଲେଖି ଲେଖି ବହିକୁ ନିଜର କରିଥାଏ, ବ୍ରଜବାବୁ ସେହିପରି ସୁଲତାକୁ ନିଜର ପଢ଼ା ବହି କରିଛନ୍ତି ସିନା—କିନ୍ତୁ କିଣିଲାବେଳର ନୂଆ ବହିର ଆଗ୍ରହ ସରିଯାଇଛି ।

 

ସୁଲତା ଆସିଲାବେଳେ ଥିଏରଟର ପରଦା ଉଠିଲା ପରି ଗୋଟିଏ ବିଚିତ୍ର ଦୃଶ୍ୟର ସୂଚନା ନେଇ ଆସିଥିଲା—କଣ ବାହାରିବ, କ’ଣ ଦେଖାଯିବ ସେ କଥା ବ୍ରଜବାବୁ କହିପାରୁ ନ ଥିଲେ । ଏବେ ସୁଲାତା ଆସିଲେ ସେ କ’ଣ କହିବ, କ’ଣ କରିବ ଜଣାଅଛି ।

 

ସୁଲତାର ରୋଷେଇ—ଯେମିତି ବ୍ରଜବାବୁ ନ ଖାଇ ବି କହିପାରବେ, ସେମିତି ସୁଲତାର ବ୍ୟବହାରି ସେ ନିଜେ ଠିକ୍‌ କହିଦେବେ ।

 

ବ୍ରଜବାବୁ କହିଲେ—ଯାଏଁ । ଆଜି ସଭାରୁ ଫେରିଲେ ସବୁ କଥା କହିବି ।

 

ହସି ସୁଲତା କହିଥିଲା—ଭଲ କରି ବୁଝିଆସିବ ଆମେ କେଇଦିନ ଏମିତି ପଡ଼ିଥିବା । କେଇଦିନ ଏମିତି ଟଙ୍କାପଇସାର ଜାଲ ଭିତରେ, ଅଳ୍ପ ଧନର ଅଭାବ ଭିତରେ ବାନ୍ଧି ହୋଇଥିବା । ମନର ଆଶା କ’ଣ ଆଉ ଆମ ଜୀବନରେ ରୂପ ପାଇବ ନାହିଁ ? ରୋଗବଇରାଗକୁ ଚିକିତ୍ସା କ’ଣ ସବୁ ଦିନେ ଉପାସ, ଅଧିଆ ଓ ଓଷା ନ ହେଲେ ଟୁଣୁକାଟୁଣୁକି—ନାହିରେ ସୋରିଷ ତେଲ, ପାଦରେ ରସୁଣ ତେଲ, କପାଳରେ ନଡ଼ିଆ ଗୋଟମା, ନଇଲେ ଲବଙ୍ଗଘୋରା—କହି ପୁଣି ହସିଲା ।

 

ଗମ୍ଭୀର ହୋଇ ଭାବି ଭାବି ସ୍ନେହବୋଳା ସ୍ଵରରେ କହିଲେ—କ’ଣ କରିବା ! ଦୁନିଆରେ ଆମଠାରୁ ହୀନଲୋକ ବି ଅଛନ୍ତି । ଗୋଡ଼ ଭାଙ୍ଗିଗଲେ ବାସି ଗୋବର ପଟି ବାନ୍ଧି ଗୋଡ଼କୁ ଠିକଣା କରୁ କରୁ ତାକୁ ସଢ଼ା ଗୋଡ଼ କାଟିବାକୁ ହୁଏ । ଆଖିରୁ ପରଳ କାଢ଼ିବାକୁ ନହୁରୁଣୀ ଲଗାନ୍ତି, ପିଳେଇ ଭଲ କରିବାକୁ ଚିଆଁ ମାଡ଼ନ୍ତି । ତାଙ୍କ ପାଖରେ ବି ତ ଚିକିତ୍ସା ସ୍ଵପ୍ନ ।

 

ତେବେ ଆମଠାରୁ ବଳି ଦୁଃଖୀ ଏତେ ଅଛନ୍ତି ପୃଥିବୀରେ । କହିଲି ବୋଲି ଭୁଲ ହୋଇଗଲା । ସୁଲତା ଦୀର୍ଘଶ୍ଵାସ ପକାଇଲେ ।

 

ହେଇ ଶୁଣ ଏବେ ଥରେ ଦୁର୍ଭିକ୍ଷ ବିଷୟରେ ଫାଇଲ ପଡ଼ିଥିଲା ମୋ ହାତରେ । ମୁଁ ଲେଖିଲି ଯେ ଖାଇବା ବିନା ଲୋକେ କଷ୍ଟ ପାଉଥିଲେ । ଏବେ ମରିବେ । ଭାବୁଥିଲି ବଡ଼ବାବୁ କହିବେ—ବଢ଼ିଆ ହେଇଚି । ରୋଗର ନିଦାନ ଯେମିତି ଅଛି ଫଇସଲା ବି ସେମିତି ଅଛି !

 

କ’ଣ ହେଲା ?

 

—କ’ଣ ଆଉ ହବ ? ମତେ ସେ ଡାକି ଧମକିଆ ସ୍ଵରରେ ପଚାରିଲେ, ଲୋକ ଯେ ନ ଖାଇ ମରିବେ ୟାର ପ୍ରମାଣ କାହିଁ ? ସେଇଠୁ ସେ ଲେଖିଲେ ଯେ ମରୁଡ଼ି କଥା ସତ । ତେବେ କାଳ ପଡ଼ିବ କି ନାହିଁ ସେ କଥା ଫସଲ ଅମଳ ହେଲାପରେ ଜଣାପଡ଼ିବ । ସେ ବି ଖୁସି । ସେଇଠୁ–

 

ସେଇଠୁ କ’ଣ ହେଲା ?

 

—ହବ ଆଉ କ’ଣ ! ତାଙ୍କ ଉପରର ବାବୁ ତାଙ୍କୁ ଡାକି ଧମକେଇଲେ । ରୋଗର ନିଦାନ କ’ଣ ବହି କାଢ଼ି ଦେଖ । ସେଠି ଦୁର୍ଭିକ୍ଷ ମରୁଡ଼ି ବୋଲି କିଛି ଜିନିଷ ନାହିଁ । ଲୋକେ ଯେମିତି ଖା’ନ୍ତି ନାହିଁ, ସେମିତି ପଢ଼ନ୍ତି ନାହିଁ । ନ ଖାଇଲେ ସେ ହୁଏ ଭୋକିଲା । ନ ପଢ଼ିଲେ ସେ ହୁଏ ମୂର୍ଖ । ମୂର୍ଖ ମରେ ନାହିଁ । ଭୋକିଲା ବି ମରେ ନାହିଁ । ମଣିଷ ମରେ ଖାଲି ରୋଗରେ । ସହର ଭିତରେ ସେ ମଟରରେ ଆସିଲାବେଳେ ଦେଖିଛନ୍ତି । ଦୋଳମୁଣ୍ଡେଇ ବଜ୍ରକବାଟି ରାସ୍ତାର ଦୁଇପାଖରେ ଭଲ ଧାନ ହେଇଚି । ପନିଅର ଫସଲ ଭଲ ହେଇଛି । ରାଜ୍ୟର ଚାରିଆଡ଼େ ସେମିତି ଊଣା ଅଧିକ ହୋଇଥିବ ! ଅଚିହ୍ନା ଲୋକକୁ କୁକୁର ଭୁକିଲାପରି ମଣିଷଙ୍କର ଜ୍ଞାନ ଊଣା ବୋଲି ସେମାନେ ବୃଥା ଭୟରେ ପାଟି କରୁଛନ୍ତି । ସେଇଠୁ ସେ ଲେଖିଦେଲେ ମରୁଡ଼ିର ଆଶଙ୍କା ଅଛି । ସମୟ ଦେଖି ପ୍ରତିକାର ହେବ । ଫାଇଲ ଗଲା ମନ୍ତ୍ରୀଙ୍କ ପାଖକୁ ।

 

—ମନ୍ତ୍ରୀ କ’ଣ କଲେ ?

 

—ଯେ ଯେତେ ଉଚ୍ଚ ସେ ସେମିତି ବେକୁବ୍‍ । ମନ୍ତ୍ରୀ କହିଲେ ଯେ ମରୁଡ଼ି ପଡ଼ିବ ଆଉ ସେଥିରେ ଲୋକେ ମରିବେ, ଏଇ କଥା କେହି ତାଙ୍କ ଦୃଷ୍ଟିକୁ ଆଣିନାହିଁ । ଖାଲି ନିଜର ପ୍ରାଧାନ୍ୟ ବଢ଼ାଇବାକୁ ଦପ୍ତରଖାନାରେ ମେଣ୍ଟ ବାନ୍ଧି ଅମଲା ଦଳ ଏଇସବୁ ଆନ୍ଦୋଳନ ମତଉଛନ୍ତି ! ଫାଇଲ ସେଇଠି ରହିଲା । ମରୁଡ଼ି କୁଆଡ଼େ ନାହିଁ, ମଣିଷ ମରିବା ଅସମ୍ଭବ ।

 

—ଏଇଆ ସବୁ ଲେଖିବ ବୋଲି ଦିନ୍‌ ସକାଳୁ ତମେ ଘୋଡ଼ାରେ ଚଢ଼ିଲାପରି ହେଉଥାଅ ପରା ?

 

—ସେତକ ତମେମାନେ ବୁଝିପାରିବ ନାହିଁ । ଫାଇଲରେ ଲେଖାହେଉଛି ବୋଲି ତ କିଛି କାମ ହୋଇପାରୁଛି । ନ ହେଲେ ଏତେବଡ଼ ଦେଶ, ଏତେ କଥା, କେମିତି କିଏ ଜାଣନ୍ତା ?

 

—ହଉ, ହଉ, ଯାଅ । ଆଜି ତ ତମ ଫାଇଲ-ଚାଷୀଙ୍କର ସଭା । ଚାଷୀ ମଜୁରିଆ ଏକଜୁଟ ହେଉଛନ୍ତି—ଇଏ ତ ସବୁଠୁ ବଳି ଭଲ ଖବର ।

 

ବ୍ରଜବାବୁ ଗଲାବେଳେ ବହୁତ ପାଞ୍ଚ କଲେ ଯେ ସେଦିନ ସେ ସଭାରେ ସୁଲତା କହିବା ପ୍ରକାରେ କିରାନିର ଦୁଃଖ କଥା ଶୁଣାଇବେ । କିରାନି ଖାଲି ଦପ୍ତର ଆଉ ଫାଇଲ ଛଡ଼ା ଆଉ ସମସ୍ତଙ୍କ ପାଖରେ ଅଦରକାରୀ । ନିଜର ସ୍ତ୍ରୀ କିରିନକୁ ସୁଖ ପାଉନାହିଁ । ଅନ୍ୟ କିରାନି ତାକୁ କିରାନି ବୋଲି ଗାଳି ଦଉଛି । ସେଇ ସୁଲତା ଯେଉଁଦିନ ଆସିଥିଲା ତାଙ୍କ ପାଖକୁ ସେ ଦିନ ତାଙ୍କର କେତେ ଉତ୍କଣ୍ଠା ! ଅଫିସର ବଡ଼ ହାକିମ ଯେଉଁଦିନ ତା’ଙ୍କୁ ପଠାଇଥିଲେ, ସେ ଦିନ କେଡ଼େ ଉତ୍କଣ୍ଠା ! ସୁଲତାର ପାଦଶବ୍ଦ ଏତେଦିନ ପାରହୋଇ ମନରେ ଏବେ ବି ଝଙ୍କାର ଦିଏ । ସୁଲତାର ସେ ଦିନ ଅଭିଯୋଗ ନ ଥିଲା—ଥିଲା ଅନୁରୋଧ—ମୁଁ ତମ ସାଙ୍ଗରେ ଯିବି ।

 

ସେଇ ସୁଲତା, ଆଜି ତାଙ୍କୁ କହୁଛି ଯେ ଏ ଜୀବନ ବୃଥା । ସେଇ ସୁଲତା କହୁଛି ତାଙ୍କୁ ବାହାରକୁ ଯିବାପାଇଁ ।

 

ସୁଲତା ଏକୁଟିଆ ବସି ଭାବୁଥିଲା—ଠିକ୍‌ଏମିତି ସଭା ସମିତି ଚାଲିଥିବ । ଦରିଦ୍ରର ଆଶା ଆଶଙ୍କା ଭିତରେ ଭରା ଡଙ୍ଗାପରି ଆଲୁଅ ଅନ୍ଧାର ପକ୍ଷ ଖରା କାକର ବୋହି ବାର ମାସ, ଛ’ ଋତୁ ସାଙ୍ଗରେ ଧରି ବର୍ଷ ପରେ ବର୍ଷ ଚାଲିଯାଉଥିବ । ନିରୁପାୟ ହୋଇ ଦୁଃଖୀ ଦରିଦ୍ର ସବୁଦିନେ ଏମିତି ନୂଆ ଭାଷାରେ ତାଙ୍କର ଦୁଃଖ କାହାଣୀ ଗାଉଥିବେ । ସବୁଦିନେ ଅଭାଗା ଉପରକୁ ଚାହିଁ ଠାକୁରଙ୍କୁ ସମ୍ପୁଥିବ । ପହରିକିଆ ବିଲୁଆ ଡାକ ପରି ସେମାନେ ଦୁଃଖ କହି ସଂସାରର ଲୋକଙ୍କୁ ବିଲୁଆ ରାତିର ଅଟକଳ ଦେଲାପରି ଦୁଃଖୀଲୋକେ ସମ୍ପଦର ଅଟକଳ ଶୁଣାଉଥିବେ । ଅଭାଗା ଦଳ ସବୁଦିନ ତାଙ୍କର ଭାଗ୍ୟ ଅନୁସରି ନିଜର ଖାଲଢ଼ିପ ରାସ୍ତାରେ ଟଳିଟଳି ଯାଉଥିବେ ।

 

ଅଭାଗିନୀ ଜୀବନରେ କହିବାର ବାଟ ନାହିଁ । ତା’ର ଆଖି ଆଗରେ ଭାସି ଯାଉଥିଲା ବାପଘରର ଛୋଟିଆ ଗାଁଟି । ସେଇଠି ସେ ଥିଲା ବଡ଼ । ସେଠୁ ସେ ନିଜେ ଧାଇଁ ଆସିଥିଲା ସହରର ବୁକୁ ଉପରକୁ । ସେଠି ସେ ବଡ଼ରୁ—ଛୋଟ ହୋଇଛି । ଦୀନରୁ ହୀନ ହୋଇଛି ।

 

ତା’ର ସହାନୁଭୂତି ଆସିଲା ବ୍ରଜବାବୁଙ୍କ ଉପରେ । ସେ ବିଚାର ଯେତେ ଯାହା ପାରୁଛନ୍ତି କରି ଯାଉଛନ୍ତି । ଯେତେ ଯାହା କଲେ ବି ମାଣ ପୂରିବ ନାହିଁ । ସେଥିଭିତରେ ଦେହ ନଇଁଯିବ, ଚମ ଝୁଲିପଡ଼ିବ । କିନ୍ତୁ ଅବସ୍ଥା ବଦଳିବ ନାହିଁ ।

 

ସେତେବେଳେ ତାକୁ ବି କେହି ଚାହିଁବେ ନାହିଁ । ନିଜକୁ ନିଜେ ଦେଖି ସେ ହୁଏତ ଖାଲି ତନ୍ମୟ ହୋଇ ଚାହିଁ ରହିବ—ଏଇ ହେଉଛି ସୁଲତା । ସୁଲତା ତା’ର ଦେହ ଉପରେ ନିଜର ହାତରେ ବର୍ଷ ବର୍ଷକ ଛବି ଆଙ୍କିଛି । ସଂସାରର ପ୍ରୌଢ଼ ଓ ବୟସ୍କଙ୍କର ଛବି ।

 

ନିଜପ୍ରତି ତା’ର ସହାନୁଭୂତି ଆସୁଥିଲା । ସଂସାରରେ ରହି ନିଜ କଥା ବୁଝିବାର ସୁବିଧା ନ ପାଇଲେ ବଞ୍ଚିବାର ଆଉ କି ଅର୍ଥ ! ଜୀବନଟା କ’ଣ କେବଳ ପରପାଇଁ—ନା ନିଜପାଇଁ ?

 

ତା’ ମନରେ ସେ ଦିନ ଭାବନାର ଦୋଳି ଝୁଲୁଥିଲା—ଜୀବନ ବୃଥା ହୋଇଛି । ସହରର ସ୍ଵପ୍ନ ମାଟିରେ ମିଶିଯାଇଛି । ସହରର ବିଜୁଳିଆଲୁଅ ପାଖରେ ଗାଁର କିରାସିନି ଆଲୁଅ, ତେଲର କଣମାଛି ଏକାବେଳକେ ଅବାନ୍ତର । ନା, ସେ ଗାଁକୁ ଫେରିଯିବ । ସେଇ ମାଟିଧୂଳିର କାଦୁଅପଙ୍କର ମାଛିମଶାଙ୍କର ନନ୍ଦନକାନନକୁ ସେ ମିଛଟାରେ ହୁଡ଼ୁଛି ।

 

ଦୁଆରେ ଡାକ ଶୁଣି ସୁଲତା ଚମକି ପଡ଼ିଲା । ତୁହାଇ ତୁହାଇ ଡାକ—ବ୍ରଜବାବୁ, ବ୍ରଜବାବୁ, ହୋ ବ୍ରଜବାବୁ । ସୁଲତା ଭାବିଲା, ଏଇ ସଞ୍ଜପହରର ଅସମୟରେ ବ୍ରଜବାବୁ ନ ଥିବାବେଳେ କିଏ ?

 

—ଆରେ କବାଟ ଖୋଲି । କ’ଣ କରୁଛ କି ବ୍ରଜବାବୁ ?

 

ଆଉ ଜଣକର ପାଟି ଶୁଭିଲା । ସେ କହୁଛନ୍ତି ଛାଡ଼, ବ୍ରଜବାବୁ ଯିବେ ନାହିଁ । ସୁଲତା ଦେବୀ ମନାକରି ଦେଇଛନ୍ତି ।

 

—ବଡ଼ ମଧୁର ଶୁଭିଲା ସୁଲତାକୁ । ତା’ର ରୁମମୂଳ ମନର ଆନନ୍ଦ ସାଙ୍ଗରେ ସହଯୋଗ କରି ଠିଆ ହେଲେ ଦେହ ଉପରେ । ସେଇ କଥା କେଇପଦ ଭିତରେ ଯେପରି କେତେ ଆଶା, କେତେ ଭିକ୍ଷା, କେତେ ସଙ୍କୋଚ ଏକାଠି ହୋଇ ରହିଯାଇଥିଲା—ଏଇ ମଣିଷଙ୍କର ହାଉଯାଉ ସହର ଭିତରର ଗଳି ରାସ୍ତା ପରି ।

 

ସୁଲତା ଦୁଆର ପାଖକୁ ଆସି ଧୀର ଗଳାରେ କହିଲା—ନାହାନ୍ତି ।

 

ପୁଣି ସେହି ଡାକ—ସତେ ଯେମିତି ଗୋଟାଏ ଜୀବନ୍ତ ଉତ୍ତର ଦରକାର ପଡ଼ିଛି । ବ୍ରଜବାବୁ ଯଦି ଘରେ ନାହାନ୍ତି, ତେବେ ଆଉ ଯେ ଥିବ ସେ ଜବାବ ଦେଉ । ସୁଲତା ଭାବି ଭାବି କହିଲା—ସେ ଚାଲିଗଲେଣି ।

 

—କିଏ ତୁମେ ?

 

ଘର ଭିତରେ ସୁଲତାର ଓଠ ଉପରେ ହସ ଫୁଟିଉଠିଲା । ମୁହଁ ଝାଉଁଳିଗଲା ଲାଜରେ । କାଠ କବାଟ ଆରପାଖ ଏକୁଟିଆ କୋଠରୀ ଭିତରେ ସୁଲତା ନିଜ, ପାଖରେ ନିଜେ ଯେପରି ଚିହ୍ନା ପଡ଼ିଯାଇଛି । କେମିତି ସେ କହିବ—ସୁଲତା କିଏ ? ସେମାନେ କ’ଣ ଜାଣନ୍ତି ନାହିଁ ଯେ ପୁଣି ପଚାରୁଛନ୍ତି । ସେ ଆସିଲେ କ’ଣ ଭାବିବେ ? ସୁଲତା ତୁନି ରହିଲା ।

 

ପୁଣି ବାହାରେ କଥାଭାଷା—ଆରେ ବ୍ରଜବାବୁ ଖେଳୁଛନ୍ତି ଆମ ସାଙ୍ଗରେ । ଘର ଭିତରେ ରହି ଖେଳୁଛନ୍ତି—ଯିବେ ନାହିଁ ବୋଲି । କବାଟ ନ ଖୋଲିଲେ ଚଳିବ ନାହିଁ ।

 

ଏମିତି ଠେଲାପେଲା—ପରସ୍ପର ପରିଚୟ ପାଇଁ । ସୁଲତା—ବ୍ରଜବାବୁ କିରାନିଙ୍କର ନୂଆ ସ୍ତ୍ରୀ । ଆଉ ସେମାନେ ତାଙ୍କର କିରାନି ଜୀବନର ପୁରୁଣା ବନ୍ଧୁ । ଏମିତି ଛନ୍ଦାଛନ୍ଦିରେ ଦୁନିଆ ଲାଗିଛି । ସେଥିରେ ଖାଲି ନିମିତ୍ତ ହୁଅନ୍ତି ଗୋଟିଏ ଲୋକ, ଗୋଟିଏ ସହର, ଗୋଟିଏ ଅନୁଷ୍ଠାନ ବା ସେମିତିକା କିଛି ଜିନିଷ ।

 

ସେମାନେ ସୁଲତା ସଙ୍ଗରେ ପରିଚୟ କରିବାକୁ ଏତେ ଉତ୍ସାହ ଦେଖାଉଥିଲେ । ଏଇଟା ତରୁଣୀ ଜୀବନର ଗୋଟିଏ ମାହେନ୍ଦ୍ର ଯୋଗ—ଦୁଆରେ ହାତ ମାରୁଛି । ସକାଳର ସିନ୍ଦୂରା ଫାଟି କହିଲା ପରି ନିଦ ଅଳସ ଭାଙ୍ଗିବାକୁ ଡାକୁଛି ।

 

ଯେଉଁ ତରୁଣୀ ଜୀବନରେ ଭଲପାଇବାର ଏହି ମାହେନ୍ଦ୍ର, ଯୋଗ ଆସିନାହିଁ, ଯେଉଁ ମାନଙ୍କର ଜୀବନରେ ଭଲପାଇବାର, ଧୂପଦୀପ ନୈବେଦ୍ୟ ନେଇ କେହି ଠିଆହୋଇ ନାହିଁ, ସେମାନେ ତ ଅସମ୍ପୂର୍ଣ୍ଣ ।

 

ପାନ ନ ଖାଉଥିବା, ତେଲ ନ ଲଗାଉଥିବା, ବିଳାସବ୍ୟସନଠାରୁ ଦୂରରେ ଥିବା ଲୋକ ଯେମିତି ଚାହିଁଦେଲେ ବୁଝାପଡ଼ନ୍ତି, ଠିକ୍‌ ସେମିତି ଭଲପାଇବାର ଅଧିକାରିଣୀ ହୋଇ ନ ଥିବା ନାରୀ ବାରି ହୋଇ ପଡ଼ନ୍ତି ।

 

ଫୁଲଟି ପରି ସୁଲତା ଚନ୍ଦ୍ର ସୂର୍ଯ୍ୟଙ୍କୁ ଚାହିଁ ଛିଡ଼ା ହୋଇଥିଲା । ସେମାନେ ଆସି ତା ଦେହରେ ସୁରଭି ଖେଳାଇବେ । ତା’ର ଦେହ ଉପରେ ରଙ୍ଗର ଢେଉ ଛାଇଦେବେ । ସେ କାହାରି ନ କାହାରି କୋଳରେ ଢଳି ପଡ଼ିବ । ଲୋକେ କହିବେ ସ୍ଵାମୀର କୋଳ ହେଉଛ ସ୍ଵର୍ଗ ।

 

ପ୍ରତ୍ୟେକ ବିବାହିତ ଜୀବନରେ ଏଇ ଗୋଟିକ ହେଉଛି ନିଷ୍ଠୁର ସମସ୍ୟା । ସ୍ଵାମୀ ଭାବୁଥାଏ ସ୍ତ୍ରୀକୁ—ତା’ର ସ୍ଵର୍ଗର ଦେବୀ ରୂପରେ । ୟାକୁ କିଏ କହନ୍ତି ମାୟା । ମାୟାର ଅବସାନ ମୁକ୍ତି—ମାୟାର ବିନାଶ ହେଉଛି ମଣିଷର ମୃତ୍ୟୁ ।

 

ନିତିଦିନିଆ ଦେହଘଷା ଜୀବନ ଭିତରେ ଏକା ଲୁଗା, ଏକା ଥାଳ, ଏକା ଘର, ଗୋଟିଏ ସହର, ଗୋଟିଏ ମଣିଷ ଦିନେ ନା ଦିନେ ମନରେ ଆଣି ପ୍ରଶ୍ନ ଉଠାନ୍ତି—ଏଇ କ’ଣ ଜୀବନ ? ଏଇ କ’ଣ ଜୀବନର ସୁବାସ ?

 

ମନ ଭିତରେ ପରିଚିତକୁ ଭୁଲି ଅପରିଚିତକୁ ଧରିବା-ପାଇଁ ଗୋଟିଏ ବୁକୁଥରା ଉଚ୍ଛ୍ୱାସ ଦେଖାଦିଏ । ଦେଖାଶୁଣା ସଂସାର ଭାଙ୍ଗିପଡ଼େ । ମଣିଷ ନିଜର ବୁଦ୍ଧି ବିରୁଦ୍ଧରେ, ବିବେକ ବିରୁଦ୍ଧରେ ଖୋଜିବୁଲେ ନୂଆ ଜିନିଷ । ପୁରୁଣା ପ୍ରତି ବିଦ୍ରୋହୀ ହୋଇଉଠେ । ସେତେବେଳେ ମନର ଆଦର୍ଶ ହେଉଛି ବ୍ୟଭିଚାର, ଅନୀତି, ପାପ । ସେତେବେଳେ ସେହି ଅପକର୍ମ ହେଉଛି ସଂସାରର ସୁରଭି, ଜୀବନର ସୁଗନ୍ଧ । ସେଇ ହେଉଛି ଭଲପାଇବାର ମାହେନ୍ଦ୍ର ଯୋଗ ।

 

ପୁରୁଣାକୁ ଭୁଲି, ନିଜକୁ ଭୁଲି ନୂଆରେ ମନ ଲଗାଇବା, ପରପ୍ରତି ଧ୍ୟାନଦେବା ମଣିଷର ଉନ୍ନତିର ପ୍ରଥମ ପାହାଚ । ମନରୁ କଳୁଷ ଖସିପଡ଼େ । ମନ ହାଲୁକା ହୋଇଯାଏ । ସେଇଟା ମନର ପୁନର୍ଜନ୍ମ । ସେତିକିବେଳେ ଆସେ ଦ୍ଵନ୍ଦ—ଅନ୍ତଯୁଦ୍ଧ । ସେତିକିବେଳେ ହୁଏ ଜଣକର ଆଉ ଜଣକ ବିରୁଦ୍ଧରେ ଅବିଚାରର ଅଭିଯୋଗ । ଭଲ ପାଇବା ବିରୁଦ୍ଧରେ ଅଭିଯୋଗ ।

 

ମଣିଷର ମନକୁ ବିଚାର କରିବାପାଇଁ କାହାରି କ୍ଷମତା ନ ଥାଏ । ମନକୁ କଳିବା ପାଇଁ ମଣିଷ, ଅତୀତର ମାପକାଠିରେ ଭବିଷ୍ୟତକୁ ମାପେ । ଅତୀତ ଯେମିତି ଭ୍ରମପୂର୍ଣ୍ଣ, ଭବିଷ୍ୟତ ସେହିପରି ପ୍ରମାଦପୂର୍ଣ୍ଣ ।

 

ସୁଲତା ଯେଉଁଦିନ ବ୍ରଜବାବୁଙ୍କୁ ଆଶ୍ରୟ କରି ତାଙ୍କ ପ୍ରତି ପ୍ରେମ ଓ ପ୍ରୀତିର ଭେଳାରେ ଭାସି ଆସିଥିଲା, ସେଇ ଦିନର ମନକୁ ଆଜିର ଅପରିଚିତ ଡାକ, ଅପରିଚିତ ପୁରୁଷର କଣ୍ଠସ୍ଵର ପୋକଝିଣା ଦଉଡ଼ିପରି ଛିଣ୍ଡେଇ ଦେଇଛି । ସେଇ ଡାକ ମନଭିତରେ ଅତୃପ୍ତି, ଅସନ୍ତୋଷର ଲହଡ଼ି ଉଠାଇଛି ।

 

ଅନ୍ୟର ବ୍ୟାକୁଳ ଉତ୍ସାହ, ଆନ୍ତରିକ ଆକୁଳତା ସୁଲତା ମନରେ ଗୋଟିଏ ନାରୀସୁଲଭ କୌତୂହଳ ତା’ର ଦରିଦ୍ର କୁଡ଼ିଆ ଭିତରେ ଝଡ଼ ପରି ବୁହାଇ ଆଣିଥିଲା । ବ୍ୟର୍ଥ ପ୍ରାଣର ଡାକ ମଲା-କାଠର ଦୁଆର ଉପରେ ସତେ ଯେପରି ହାତମାରି କହିଯାଉଥିଲା—ରାଣୀ, ଦୁଆର ଖୋଲ-। ସୁଲତାର ହାତ ଥରିଉଠିଲା । ସତେ ଯେପରି ହାତ ଶୋଇ ପଡ଼ୁଥିଲା । ଧୀରେ ଧୀରେ ଜୀବନ ପାଇ ଉଠୁଛି । ବନ୍ଦ ଜାଉଁଳି କବାଟ ମଝିରେ ବାଧା ଦେଇ ଠିଆହୋଇଛି ।

 

ମଣିଷ ଯଦି ଖାଲି ଏଇ ଗୋଟିଏ ବାଧାକୁ ସ୍ଵୀକାର କରିପାରନ୍ତା, ତେବେ ତାହାର ଅନେକ ସମସ୍ୟା ସମାଧାନ ହୋଇଯାନ୍ତା । ପାଟି ବନ୍ଦକରି ରହିଲେ, ଆଖିକାନ ବନ୍ଦକରି ଚଳିପାରିଲେ, ମନଭିତରୁ କୌତୂହଳ ଲିଭାଇ ଦେଇପାରିଲେ ମଣିଷ ଜୀବନରେ କୌଣସି ସମସ୍ୟା ରହନ୍ତା ନାହିଁ । କିନ୍ତୁ ଜୀବନର ଝର ଶୁଖିଯା’ନ୍ତା । ବିପଦ ନଥିଲେ ଜୀବନ ହୁଅନ୍ତା ମୂଲ୍ୟହୀନ—ଦିଗନ୍ତବିସ୍ତାରୀ ମରୁଭୂମି ।

 

ଦୁନିଆର ବାଟ—ବିପଦ ନ ଥିଲେ, ଆଶଙ୍କା ନ ଥିଲେ କେବେହେଲେ ରୁଚିକର ହୁଅନ୍ତା ନାହିଁ । ମନ ବଢ଼ିପାରନ୍ତା ନାହିଁ । ଇତିହାସ ଶୁଖିଲା ଦିଶନ୍ତା ।

 

ପ୍ରତ୍ୟେକ ନାରୀ ଏତେ କମନୀୟ ଆଉ ଏଡ଼େ ସୁଷମାଭରା—କାରଣ, ନାରୀ ଯେତେ ବିପଦଆପଦ ଭିତରକୁ ଯାଇ ଆଶା ଆଶଙ୍କାର ମାଳା ଗୁନ୍ଥିପାରେ, ପୁରୁଷ ସେତେ ପାରେ ନାହିଁ । ସ୍ୱାଧୀନଚେତା ପୁରୁଷ ତା’ର କର୍ମମୟ ଜୀବନରେ ଯେତେ ବିପଦ ବରଣ କରିପାରେ ପରାଧୀନା ନାରୀ ତା’ର ବହୁ ଗୁଣ ବରି ନେଇପାରେ । ଅଞ୍ଜୁଳିଭରା ଲାଭ ଏକାଠି ପକାଇଦେବା ପୁରୁଷ ଜୀବନରେ ସମ୍ଭବ ନୁହେଁ । କେବଳ ନାରୀ ଜୀବନରେ ସମ୍ଭବ ।

 

ସେଥିପାଇଁ ନାରୀ ହେଉଛି ତ୍ୟାଗର ପ୍ରତିମୂର୍ତ୍ତି । ଭୋଗପାଇଁ, ସାମୟିକ ଉତ୍ସାହ ପାଇଁ ସେ ଦେହରେ ମନରେ ଯେଡ଼େ ବିପ୍ଳବଭରା କଥା, କାମ ଓ ଚିନ୍ତା ସହଜରେ ଆଣିପାରେ, ତା’ର ପ୍ରତ୍ୟେକ ଘଟଣା ଗୋଟିଏ ଗୋଟିଏ ବିପ୍ଳବ ।

 

 

ସୃଷ୍ଟିର ଏତେ ବୈଚିତ୍ର୍ୟ ଯେ ବିପ୍ଳବ ଭିତରେ ନାରୀ ସୁନ୍ଦର । ଦୋଷ ଦୁର୍ବଳତା ଭିତରେ ସେଇ କମନୀୟ ।

 

ସୁଲତା ଦୁଆର ଫିଟାଇଲ—ଭିତରକୁ ଆସିବା ଲୋକ ହୋଇଥିଲେ ଆସିବେ । ବାହାରେ ରହିବା ଲୋକ ହୋଇଥିଲେ ବାହାରେ ରହିଯିବେ । ଯାହାର ଯେତିକି ଦାବୀ ସେ ତହିଁରୁ ଅଧିକ ଖୋଜିବ ନାହିଁ କି ମାଗିବ ନାହିଁ ।

 

ଆଖିପିଛୁଳାକେ ସୁଲତାକୁ ଦିଶିଗଲା ଯେପରି ସେମାନେ ବ୍ରଜବାବୁ ନାହାନ୍ତି ବୋଲି ଜାଣି ମଧ୍ୟ ଆସିଛନ୍ତି । ୟା’ଠାରୁ ସ୍ପଷ୍ଟ ଇଙ୍ଗିତ ଆଉ କଣ ଅଛି ? ନାରୀର କୌତୂହଳର ଉତ୍ତର ସେଇଠି ରହିଛି ।

 

ସେଇଠି ଲୋଡ଼ାହୁଏ ଶୀଘ୍ର-ସିଦ୍ଧାନ୍ତ । ଛଇଳା ଛଟକୀ ସହଜରେ ଚଞ୍ଚଳ ସେତକ ସ୍ଥିର କରିନିଏ—କଥା ପଦକରେ, ଗୋଟିଏ ଚାହାଣୀରେ ସେ ଯେଉଁ ଦାଗ ବସେଇ ଦିଏ, ସେତକ ବହୁତ କଥା, ବହୁତ କାମରେ ବି ହୋଇପାରେ ନାହିଁ ।

 

ଭଲପାଇବାର ମାପକାଠି ହେଉଛି ଏଇ ପ୍ରଥମ ଦେଖା । ସୁଲତା ସେଇ ସଙ୍କେତ ପାଇଥିଲା ସ୍ଵାମୀଙ୍କର ବନ୍ଧୁଦୁଇଟିଙ୍କ ପାଖରୁ ପ୍ରକାଶ ଓ ପ୍ରମୋଦ । ପ୍ରକାଶ ହେଉଛନ୍ତି ମୁଖ୍ୟ, ଆଉ ପ୍ରମୋଦ ହେଉଛିନ୍ତି ଗୌଣ ।

 

—ଆମ୍ଭକୁ ଚିହ୍ନିବ ନାହିଁ କି ? ଆମେ ପରା ତୁମବାବୁଙ୍କ ଅଫିସରେ ଏକାଠି କାମ କରୁ-। ଆମେ ପରା ଗୋଠର ସାଥୀ । ସେ କାହାନ୍ତି ?

 

—କାହାନ୍ତି ସେ ? ଏଇ କଥା ପଚାରିବାକୁ ଏତେ ଚେଷ୍ଟା । ସୁଲତା ମୁହଁ ତଳକୁ କଲା । କଥାଗୁଡ଼ାକ ରଣଝଣ ହୋଇ ନିଜର ହାତର ଚୁଡ଼ି ସାଙ୍ଗରେ ତାଳଦେଇ ବାଜୁଥିଲା କାନରେ ଓ ମନରେ । ଥଟ୍ଟା ପହଳିର ଲୋକଦେଖାଣିଆ ମଉଜ ଭିତରେ ମଣିଷ ଜୀବନରେ ମନ ଚହଲା ସମସ୍ୟା ଦେଖାଯାଏ । ହସି ସୁଲତା କହିଲା—ନାହାନ୍ତି ସେ ।

 

—କେତେବେଳେ ଆସିବେ ? କୁଆଡ଼େ ଗଲେ ?

 

କାହାରିକୁ ନ ଶୁଭିଲା ପରି ଅତି ଧୀରେ କହିଲା—ସଭାକୁ ଯାଇଛନ୍ତି । କହିଲାବେଳେ ଆଖି ଉପରର କଳା ଭ୍ରୁଲତା ଥରିଯାଇଥିଲା ।

 

ପ୍ରକାଶବାବୁ କହିଲେ—ମୁଁ କ’ଣ କହୁଥିଲି ତୁମକୁ ? ସେ ନ ଥିବେ ପରା ।

 

ସେଇ ମାମୁଲି କଥା ଭିତରେ ସୁଲତାର ମନ ଉଲୁସି ଉଠିଥିଲା । ସେ ଯେପରି ହଠାତ୍‌ କିଛି ଗୋଟିଏ ଜିନିଷ ପାଇଯାଇଛି । ମୁଣ୍ଡ ଉପରକୁ ଓଢ଼ଣା ଟାଣିନେଲା । ଆଖି ଉପରେ ଭାସିଉଠିଲା ଦୂରପ୍ରସାରୀ ସ୍ଵପ୍ନ—ଏମିତି ଯୋଗରେ ଦେଖା ।

 

ସେଇ ଦେଖା ଭିତରେ ସୁଲତାକୁ ସଫଳତାର ଛବି ଦିଶି ଯାଉଥିଲା । ସେ, ବ୍ରଜବାବୁଙ୍କଠାରେ ଯାହା ପାଇ ନାହିଁ ସେଠି ସେ ଯେମିତି ସବୁ ପାଇଯାଇଛି । ତା’ର ମନରେ କିଏ ଯେମିତି କହୁଥିଲା—ଆସିଛନ୍ତି ତ, ବସନ୍ତୁ ଯିବେ ।

 

ସୁଲତାର ମନକଥାର ପ୍ରତିଧ୍ୱନି ଦେଲାପରି ପ୍ରକାଶବାବୁ କାନ୍ଥକୁ ଆଉଜି ଠିଆହେଲେ । ସୁଲତା କବାଟକୁ ଧରି ଟିକିଏ ଢଳିପଡ଼ିଥାଏ । ତା’ର ନଇଁ ପଡ଼ିଥିବା ମୁହଁରେ ମାଦକତା । ତା’ର ସେଇ ସରମରଞ୍ଜା ଆଖିରେ ସ୍ଵପ୍ନ । ସେଇ ନୀରବ ଚାହାଣୀ ଭିତରେ ସୁଲତା ପ୍ରକାଶବାବୁଙ୍କୁ ବହୁଦିନର ପରିଚିତର ପରିଚୟ ଜଣାଇ ଦେଇଥଲା ।

 

—ଯିବା ପରା ?

 

ପ୍ରକାଶବାବୁ କହିଲେ—ମତେ ଭାରି ଅବଶ ଲାଗୁଛି । ମୁଁ ଭାବୁଛି କୋଉଠି କପେ ଚା’ ଆଉ ଖଣ୍ଡେ ପାନ ଖାଇ ଘରକୁ ଯିବି । ଏ ସଭାକୁ ଯାଇ ଧନ୍ଦି ହବାରେ କିଛି ଲାଭ ନାହିଁ । ଆଜି ଯେ ବହି ପଢ଼ି ବିପ୍ଳବୀ ହେବ ବୋଲି ସ୍ଵପ୍ନ ଦେଖୁଥିବ, ସେ କାଲି ଆସି ଆମର ପଙ୍ଗପାଳ ଦଳ ଭିତରେ ବୁଲୁଥିବ ।

 

ସୁଲତା ମୁହଁ ଟେକି ଚାହିଁଲା । ସତେ ତ, ସେଇ ଏକା ମଣିଷ ଦରକାରରେ ଲାଗିଲେ ମୂଲ୍ୟବାନ୍‌ ହୁଏ । ଦରକାରରେ ନ ଲାଗିଲେ ମୂଲ୍ୟହୀନ ହୋଇଯାଏ ।

 

ବ୍ରଜବାବୁ ନିଜକୁ , ମୂଲ୍ୟହୀନ ବୋଲି ସ୍ଥିରଧାରଣା କରିଥିବାରୁ ଆଗ ଧାଇଁଯାଇଛନ୍ତି ସଭାକୁ ।

 

ପ୍ରମୋଦବାବୁ ଡାକିଲେ ଯିବା ପାଇଁ । ପ୍ରକାଶବାବୁ ସୁଲତା ଆଡ଼େ ଚାହିଁଲେ—ସେଇ ମୁହଁରେ ବିଦାୟର ଭାଷା ନାହିଁ । ସେ ପଚାରିଲେ—ଆଚ୍ଛା ତମେ କହିଲ, ସମସ୍ତେ କ’ଣ ସମାନ ? ସମସ୍ତେ କ’ଣ ସଭାକୁ, ଯିବେ ?

 

ସୁଲତାର ମୁହଁରେ ହସର ଛାଇ ବୁଲିଗଲା । ଓଠ ଥରି ଉଠିଲା କଥା ପଦେ କହିବାକୁ । ସେ ଦିନ ସନ୍ଧ୍ୟାର ମ୍ଳାନ ଆଲୁଅରେ ଡାକଘର ଚିଠି ମୋହର ପରି ସୁଲତା ମନରେ ପ୍ରକାଶବାବୁ ଲେଖି ହୋଇଗଲେ । ତା’ର ମନରେ ତାଙ୍କର କଥା କେଇ ପଦ—କପେ ଚା’, ଖଣ୍ଡେ ପାନ ଆଶା ଆଶଙ୍କାର ରାଗିଣୀରେ ବାଜିଉଠିଲା ।

 

ସୁଲତା ଭିତରକୁ ଯିବା ପାଇଁ ଭାବିଲା । ପ୍ରକାଶବାବୁ ଦୁଃଖ-ମିଶା ସ୍ଵରରେ କହିଲେ—ଆମେ ଆଗ ଚାଲିଯାଉ, ତୁମେ କବାଟ ଦେବ । ଏଠି ଚୋର ବହୁତ ।

 

ସୁଲତା ପୁଣି ଠିଆ ହୋଇଗଲା । ତା’ର ରୁଦ୍ଧ ଭାବନା ତୁଣ୍ଡ ଫିଟି ବାହାରିଆସିଲା—ଚା’ କରିବି ପରା ?

 

ପ୍ରକାଶବାବୁ ବଡ଼ ଆଗ୍ରହରେ ବଡ଼ କୃତଜ୍ଞତା ଦେଖାଇ କହିଲେ—ବହୁତ ଦୟା ତମର-। ମୁଁ ଭାରି ଚା’ ଖୋର । ଏଣେ ପଡ଼ି ଆମ ଘରଣୀଙ୍କ ହାତରେ । ସେ କହନ୍ତି, ଚା’ ବେଶି ଖାଇଲେ ମନରୁ ସ୍ନେହ ସୋହଗ ଊଣା ହୋଇଯାଏ ।

 

ଓଠରେ ହସ ଖେଳାଇ ସୁଲତା ଚାହିଁ ରହିଲା ପ୍ରକାଶବାବୁଙ୍କ ଆଡ଼େ । କଥା କେଇ ପଦରେ ସେ କହିଗଲେ ନିଜର ଜୀବନର ଦୁଃଖ । ସେଠି ପ୍ରକାଶବାବୁଙ୍କର ସ୍ଥାନ ଅଛି ।

 

ଘରେ କେହି ନାହିଁ । କଣ କରିବ ନ କରିବ ଭାବିବାର ସାମର୍ଥ୍ୟ ନାହିଁ । ସୁଲତା ଭିତରକୁ, ପାଦ ପକାଇଲା । ତାର ମୁହଁ ରଙ୍ଗ ପଡ଼ି ଯାଉଥାଏ । ଶାଢ଼ି ପଣତ ଲମ୍ବା ହୋଇଯାନ୍ତା କି–ଲୁଚିଯାନ୍ତା ତା’ର ପାଦଦୁଇଟି । ଅଧା ମଇଳା ଲୁଗାର ଧଡ଼ି ଆଢ଼ୁଆଳରେ ଓଢ଼ଣା ଦିଆ ମୁହଁ ଦିଶି ନ ଦିଶିଲାପରି ସୁଲତାର ପାଦ ଦୁଇଟି ଲାଜରେ ଯେପରି ସଢ଼ିଯାଉଥିଲା । ରଙ୍ଗମଞ୍ଚ ଉପରେ ନାୟକ ନାୟିକା ଚାଲିଗଲାବେଳେ ଦେଖଣାହାରୀର ଆଖି ଯେମିତି ସେଠି ଲାଖିରହେ, ସେମିତି ଚାରୋଟି ଆଖି ରହି ଯାଇଥିଲା ସୁଲତା ଉପରେ ।

 

ଏ ହେଉଛି ସଂସାରର ଅଭିନୟ । ଏଇ ଅଭିନୟ ହେଉଛି ଦୁଃଖଦୁର୍ଦ୍ଦିନଭରା ସଂସାରର ମହକ । ଏମିତି ଯେଉଁମାନଙ୍କ ସଙ୍ଗରେ ଅବେଳରେ ଅକସ୍ମାତ୍‌ ଦେଖାହୁଏ, ସେଇମାନଙ୍କ ସ୍ମୃତି ଜୀବନରେ ଅଲିଭା ରହେ । ସେମାନଙ୍କର କଥା, ଚାହାଣୀ ଓ କାମ ଆପଣାଛାଏଁ ରଙ୍ଗ ବୋଳିଦିଏ-। ସେମାନେ ଅଭ୍ୟାଗତ ।

 

ସେଇ ଅଭ୍ୟାଗତର ରୂପ ନେଇ ପ୍ରକାଶବାବୁ ଆସିଥିଲେ । ତାଙ୍କର କଥା କେଇପଦ ସୁଲତାକୁ ଚଞ୍ଚଳ କରୁଥାଏ । ସେଇ ଚପଳତା । ଦିନେ ସୁଲତାକୁ ଆଣି ଅନୁତାପର ହରିକାଠରେ ବସାଇ ଦେବ ।

 

ସୁଲତା ଚାଲିଲା ରୋଷେଇଘର ପିଣ୍ଡାଆଡ଼େ । ପ୍ରମୋଦ ପ୍ରକାଶକୁ କହିଲା—ବେଶ୍‌ ଲୋକ ତୁମେ । ଆସିଲ ତ ଆସିଲ । ଘରେ ରହିବାକୁ ଚିଟା ଲାଗିଲା । ଆଉ ଏଣେ ତୁମକୁ ଖୁସି କରିବା ପାଇଁ ଆଉ ଜଣେ ଲୋକ ନିଆଁ ପାଖରେ ବସିବ, ହାତ ଆଙ୍ଗୁଠିକୁ ଚୂନ ଖଇରରେ ପଚାଇବ । ତମର ଓଠ ଲାଲ ହେବ । ତମର ପାଟିକୁ ଉଷୁମ ଚା’ ଭଲ ଲାଗିବ । ଆହା ସେ ଏବେ କ’ଣ ଦୋଷ କଲେ ଯେ ତାଙ୍କୁ ହଠାତ୍‌ ଏହି ଦଣ୍ଡ—

 

ସୁଲତା ତାଙ୍କ ଆଡ଼କୁ ପିଠିକରି ଚୁଲୀରେ କାଠ ପକାଇଲା ବେଳେ ଓଠ କାମୁଡ଼ି ଭାବୁଥିଲା—ଏଇ ପୁରୁଷ ଜାତି କୋଉ କଥା ବୁଝନ୍ତି ନାହିଁ । ଅନ୍ୟ ପାଇଁ କାମ କଲେ ଭଲ ଲାଗେ କି ଖରାପ ଲାଗେ ଏକଥା ସେମାନ ବୁଢ଼ା ହେବାଯାଏ ବୁଝନ୍ତି ନାହିଁ । ଯେତିକି ଯାହା ବୁଝିଥାନ୍ତି ପିଲା ହେଇଥିଲା ବେଳେ—ସେତେବେଳେ ସେମାନେ ନିଜର ବୋଝକୁ ପର ଉପରେ ଭଲ ଲଦି ଦେଇ ପାରନ୍ତି । ଏବେ ତାଙ୍କରି କଥା ଶୁଣ.....

ବେଶି ଚିହ୍ନା ଥିଲେ ସିନା ପଦେ କହିଥାନ୍ତି । ଏମାନେ ଜାଣନ୍ତି ନାହିଁ ସ୍ତ୍ରୀଲୋକଙ୍କ ମନ । ଯେଉଁ ଲୋକ ଦାବୀ ଜଣାଇ ନ ପାରେ ତାହାର ଅନ୍ୟ ଯେଉଁଠି ସ୍ଥାନ ଥାଉ ପଛକେ—

ଗୁଣୁଗୁଣୁ ହୋଇ କହିଲା—ଏମାନେ କଲମ ଚଷିବା ଲୋକ । କଣ ବୁଝିବେ ସଂସାର କଥା ?

ସେତେବେଳେ ପ୍ରକାଶ ଆପଣା ମନକୁ ହସିହସି ହସ ଭିତରେ କଥାକୁ ଅଧେ ବାହାର କରି—ଯେତେ ଭଲ ମଣିଷ ଦେଖ ତାଙ୍କର ଗୋଟାଏ ଗୁଣ ହେଲା, କିଛି ଟିକିଏ କାମପାଇଁ ବରାଦ କଲେ, ପାଟିରୁ କଥା ନ ସରୁଣୁ ଲାଗିଯିବେ ପିମ୍ପୁଡ଼ିପରି । ସେଇଥିପାଇଁ ପରା ଆମ ବ୍ରଜବାବୁ କେତେ ତାରିଫ ନ କରନ୍ତି ? ତାଙ୍କ କଥା ଶୁଣିଲେ ଲୋଭ ହୁଏ ।

ଚୁଲୀ ଭିତର ପାଉଁଶରେ କିରାସିନି ନିଆଁ ଧରିଥିଲା—ହୁତୁ-ହୁତୁ ନିଆଁ । ସେ ନିଆଁରେ ଭାତ ସିଝିବ ନାହିଁ, ପାଣି ଫୁଟିବ ନାହିଁ ସତ । ଅରମାବଣ କି ଲୋକଗହଳି ସହର ପୋଡ଼ି ଦେଇପାରିବ ।

ସୁଲତାର ମୁହଁ ଉପରେ ନିଆଁର ଛବି ପଡ଼ି ଗୋଲାପୀ ଦିଶୁଥିଲା । ଚୁଲୀର ମୁହଁ ଆଉ ଝିଙ୍କା ଭିତରଦେଇ ସେ ଦେଖୁଥିଲା ଭିତରର ସେହି ନିଆଁକୁ । ଜଣେ ଜଣଙ୍କର ସାକ୍ଷୀ । ଉଭୟେ ଲାଲ । ଅସାବଧାନ ହେଲେ ଉଭୟେ କ୍ଷତି କରିପାରିବେ ।

 

ପ୍ରମୋଦ କହୁଥିଲା—ଏଠିକ ମୁଁ କେବେ ଆସି ନ ଥିଲି । ଯେତେବେଳେ ବ୍ରଜବାବୁ ମେସ୍‌ ଛାଡ଼ିଲେ, ସେତେବେଳେ ତାଙ୍କର ସବୁଠୁ କମ୍‌ ଜିନିଷ ଥିଲା । ମେସ୍‌ର ବଖୁରିଏ ଘର ଭିତରେ ତିନି ଚାରିଜଣ ଠେଲାଠେଲି । ଦିହର ବାସନା, ଝାଳଗନ୍ଧ, ମଇଳା ଲୁଗାର ଖୁସବି ଏତକ ତ ହେବା ସମସ୍ତଙ୍କର ବଡ଼ ଜିନିଷ । ସେଇ ବ୍ରଜବାବୁ ଏବେ କେତେ ଜିନିଷ ଆଣିଲେଣି ।

 

—ମୁଁ ତ ଭାବୁଥିଲି ସେଇ କଥା । ସତେ, ଦେଖିଲେ ମନ୍ଦ ହୁଅନ୍ତା ନାହିଁ ।

 

ଆଗପଛ ହୋଇ ସୁଲତାର ଶୋଇବା ଘରେ ପଶିଗଲେ । ସେଇ ଘର ବଖରାକ ହେଉଛି ଦୁହଁଙ୍କର ଲକ୍ଷ୍ୟ ।

 

ଆଡ଼ ଚାହାଣୀରେ ପ୍ରକାଶ ଦେଖୁଥିଲେ ବିଛଣା ଲଗାହୋଇଛି । ତକିଆଖୋଳ ଉପରେ ମୁଣ୍ଡର ତେଲ, ସିନ୍ଦୂର ଦାଗ ଆଙ୍କି ହୋଇଛି । ପ୍ରକାଶବାବୁ ହାତ ମାରିଦେଲେ ପ୍ରମୋଦର ଅଲକ୍ଷ୍ୟରେ । ସେତେବେଳେ ପ୍ରମୋଦ ଦେଖୁଥିଲେ ସୁଲତାର ଫଟୋକୁ । ବ୍ରଜବାବୁଙ୍କ ହାତରେ ହାତ ଛନ୍ଦି ମୁହଁ ତଳକୁ କରି ସୁଲତା ଛିଡ଼ା ହୋଇଛି । ବ୍ରଜବାବୁଙ୍କ ମୁହଁରେ କେଜାଣି କେତେ ଗର୍ବ ।

 

ସୁଲତା ଦେଖୁଥାଏ ଅଧୈର୍ଯ୍ୟ ହୋଇ—କ’ଣ କରୁଛନ୍ତି ସେମାନେ । କେଡ଼େ ଲାଜ କଥା । ସେ ଘରକୁ ଦି’ ଜଣ ମରଦ ପଶିଗଲେଣି । ଘର ସଜଡ଼ା ହୋଇନାହିଁ । ଯଦି ସେ ଭାବିଥାନ୍ତା ଯେ ଏମାନେ ଏମିତି ଅଚାନକ ସେ ଘରକୁ ପଶିଯିବେ, ତେବେ ସେ କଣ ସତରେ ଦୁଆର ଖୋଲିଥାନ୍ତା ।

 

ଇସ୍‌ । ପ୍ରକାଶବାବୁ ଆଉଁସିଲେଣି ତା’ର ବ୍ଲାଉଜକୁ । ସେ ଆଉ ବସି ପାରିଲା ନାହିଁ ଚୁଲୀ ପାଖରେ ।

 

ଦୁଆର ସେପାଖୁ ଦେଖିଲା ତନ୍ମୟ ହୋଇ ପ୍ରମୋଦବାବୁ ଛିଡ଼ା ହୋଇଛନ୍ତି ସୁଲତାର ଛବି ଆଗରେ । ପ୍ରକାଶବାବୁ ସେମିତି ମନ ଦେଇ ସୁଲତା ଲୁଗାପଟା ଦେଖୁଛନ୍ତି । ସୁଲତାର ଦେହ ଚଞ୍ଚଳ ହୋଇଉଠିଲା । ସେ ସେମାନଙ୍କୁ ଜଣାଇ ଦେବାକୁ ହାତଚୁଡ଼ି ହଲାଇଲା ।

 

ଦୁହେଁ ଚମକି ପଡ଼ିଲେ ।

 

ଥରିଲା । ଥରିଲା । ଗଳାରେ ପ୍ରକାଶ କହିଲେ—ଆମେ ଚୋର ନୋହୁଁ ଯେ ତମ ଜିନିଷ ଆମେ ନେଇଯିବାକୁ ଆସିଛୁ । ଆମେ ଆସିଛୁ ପୁଲିସ୍‌ ହୋଇ—ତମେ ସବୁ କେତେ ଭାଙ୍ଗ ଲୁଚେଇଛି ତଦାରଖ କରିବାକୁ ।

 

ସୁଲତା ଟିକିଏ ସଙ୍କୁଚିତ ହୋଇଗଲା—କେତେ କେତେ କଥା କହିଯାଉଛନ୍ତି । କଥା ନୁହେଁ ଯେ ଅସଲ ଅସଲ କଥାସବୁ ।

 

ବିବ୍ରତ ହୋଇ ସୁଲତା କହିଲା—ଆସୁ ନାହନ୍ତି ପଦାକୁ ବସିବେ । ଘରଟା ଅଳିଆ ହୋଇଚି ।

 

ପ୍ରକାଶ କହିଲେ—ଆମ ଘରଠୁ ତ ଲକ୍ଷେଗୁଣେ ଭଲ । ଏମିତି ଘର ଖୋଜିଲେ ମିଳିବ ନାହିଁ । ମୋ ମୁଣ୍ଡଟା ଭାରି ଲାଗୁଥିଲା । ମୁଁ ଟିକିଏ ବିଶ୍ରାମ କରିବି ବୋଲି କହୁଥିଲି ପରା । କହି ଲଥକରି ଶୋଇପଡ଼ିଲେ । ସୁଲତାର ବିଛଣା ଉପରେ । ସେଇ ଶୋଇବାର ଭଙ୍ଗୀ କହିବାର କଥାଠାରୁ ଆହୁରି ମୁଖର । ପ୍ରକାଶବାବୁ ଯେପରି କଳ୍ପନାରେ ଦେଖି ଯାଉଥଲେ ସୁଲତାକୁ—ସୁଲତାର ସ୍ପର୍ଶ ।

 

ସବୁ ମାୟା ତୁଟେଇହୁଏ ଖାଲି ଏଇ ଗୋଟିକୁ ଛାଡ଼ି । କୌଣସି ସ୍ତ୍ରୀପ୍ରତି ମନର ଆକର୍ଷଣ ଦେଖେଇପାରିଲେ ସେ ଆକର୍ଷଣର ପ୍ରତିକାର ନାହିଁ । ସ୍ତ୍ରୀର ମନ ଘଟଣାଚକ୍ରର ସମସ୍ତ ବାଧାବିଘ୍ନ ଭାଙ୍ଗି ନିଜର ଜ୍ଞାତ ମନର ସବୁ ଶିଙ୍କୁଳି ଛିଣ୍ଡେଇ ସେଥିରେ ଝଙ୍କାର ଦିଏ । ସଙ୍କୋଚ ହେଉଛି ସ୍ତ୍ରୀ ମନର ଉତ୍ସାହର ଅନ୍ୟ ରୂପ । ଯେଉଁଠି ସେ ମନ ଭିତରେ ଆଗ୍ରହୀ, ସେଇଠି ତା’ର ସଙ୍କୋଚ ।

 

ନାରୀର ମନ ତା’ର ମୁହଁର ଲାଜସରମ ଭିତରେ ଦେଖାଦିଏ । ତା’ର ଗୋଲ ଗୋଲ ଆଖି କହି ଦେଇଥିଲା ଯେ ପ୍ରକାଶବାବୁ ତା’ର ମନକୁ କିଣି ନେଇଛନ୍ତି—କାଉଁରୀ କାଠି ଛୁଆଇଁ ।

 

—ଚାଲ ପ୍ରକାଶବାବୁ, ବାହାରକୁ ଚାଲ । ସେ ପରା ଠିଆହୋଇ ରହିଲେଣି ।

 

—ମତେ ବି କଣ ଉଠିବାକୁ ପଡ଼ିବ ? ମୋର ତ ମନ ହେଉଛି ପହରେ ଅଧେ ଶୋଇପଡ଼ନ୍ତି ।

 

—ହଉ ଉଠ । ଘରୁ ତେବେ ଆସିଲ କାହିଁକି ?

 

—ଚା’ ହେଉଛି ହେବା ଯାଏ ଆମେ ରହିଲୁ ଏଠି ।

 

ପ୍ରମୋଦ ଚାହିଁଲା ସୁଲତା ଆଡ଼େ । —କ’ଣ କରୁଛ ସୁଲତା ଦେବୀ ଶୀଘ୍ର ଚା’ କର ।

 

ସୁଲତା ବାଧ୍ୟ ହୋଇ ଫେରିଲା ଚୁଲୀ ପାଖକୁ । ମନେ ମନେ ଭାବୁଥିଲା—ଯାଇଛନ୍ତି ମିଟିଂକୁ । ଏଣେ ମିଟିଂ ବସିଲାଣି ଘରେ ।

 

ବେକ ଭାଙ୍ଗି ସୁଲତା ବସିବସି ଚା’ ଛାଣିଲାବେଳେ ମନ ଭିତରେ ପ୍ରକାଶବାବୁ ଚାରିଆଡ଼ ଖେଦି ରହିଯାଇଥିଲେ—ନିଜର ସ୍ଵାମୀ ଆଉ ପ୍ରକାଶବାବୁ ଦୁହିଁଙ୍କର ବୁଝିବାର କେତେ ଫରକ । ଜଣକୁ ନିମନ୍ତ୍ରଣ । ଆଉ ଜଣକପାଇଁ କିଛି ନାହିଁ । ଅଡକା, ଅପଚରା ଯିଏ ଆସିଛି ତାହାରି କଥାରେ ମନ ଟୁଣୁକୁଛି ।

 

—ହଁ, ଆସ, ପ୍ରକାଶବାବୁ । ତମର ମୁଣ୍ଡବିନ୍ଧା ଔଷଧ ସୁଲତାଦେବୀ କରି ସାରିଲେଣି ।

 

ସୁଲତା ଚମକି ପଡ଼ିଲା—ନିଜର ମନକଥା ଶୁଣି । ଚାହିଁ ଦେଖିଲା ପ୍ରମୋଦବାବୁଙ୍କର ମୁହଁରେ ସନ୍ଦେହ କି ପ୍ରବଞ୍ଛନାର ରେଖା ନାହିଁ । ତୁଣ୍ଡର ଥଟ୍ଟାଳିଆ କଥା ଭିତରେ ସେ ସେତିକି କଥା କହି ଯାଇଛନ୍ତି । ସେଥିରେ ଆଉ କିଛି ନାହିଁ ।

 

ପ୍ରକାଶ ଅଳସ ଭାଙ୍ଗିଲାପରି ଘରଭିତରୁ ଆସିଲାବେଳେ କହିଲା—ଏତେ ଶୀଘ୍ର ଚା’ ହୋଇଗଲା ? ଆଉ ସବୁଯାକ ଗପ ପ୍ରମୋଦବାବୁ କରିନେଲେ—ହଉ କରନ୍ତୁ । ଗରିବ ଲୋକ ଗଦି ଲଗା ଶେଯ ପାଇବାରୁ ଶୋଇଗଲା । ମୁଁ ପରା ସପନ ଦେଖୁଥିଲି ।

 

—କି ସପନ ? କ’ଣ ଶୋଉ ଶୋଉ ଆସେ ?

 

—ତମେ କଣ ବୁଝିବ ପ୍ରମୋଦବାବୁ ? ତମେ ସ୍ୱପ୍ନ ଦେଖିପାରିବ ନାହିଁ । ଯାହାର ମନ ଅଛି, ସେହି କେବଳ ସ୍ଵପ୍ନ ଦେଖିପାରେ । ଯାହାର ମନରେ ଯେତେ ଛଇ, ତାହାର ସ୍ଵପ୍ନ ସେତେ ସୁନ୍ଦର । କହିଲାବେଳେ ପ୍ରକାଶବାବୁଙ୍କର ଆଖି ଥିଲା ସୁଲତାର ଆଖି ଉପରେ । ଆଖିର କଥା ଆଖି ବୁଝିଛି ।

 

ମୁହଁରୁ ହସ ଲୁଚାଇ ଆଖିକଣରେ ପ୍ରମୋଦବାବୁଙ୍କୁ ଚାହିଁ ସୁଲତା ଚା’ କପ୍‌ଟା ଥୋଇ ଦେଉ ଦେଉ ପ୍ରକାଶବାକୁ ଉଠାଇ ନେଲେ ନିଜ ହାତ ଉପରକୁ । ସୁଲତାନ ହାତପାପୁଲି ତାଙ୍କ ହାତରେ ଏ ହାତରୁ ସେ ହାତ ହେଉ ହେଉ ଲାଗି ଯାଇଥିଲା । ଅଳ୍ପ ହସି ସେ ଚାହିଁଥିଲେ ସୁଲତାର ନଇଁଯାଇଥିବା ଆଖିଆଡ଼କୁ—ଏଇଟା ହେଉଛି ଆତ୍ମୀୟତାର ଅଭିଯାନ—ଆତ୍ମୀୟତା ଝଡ ପରି ମାଡ଼ି ଆସିଛି । ଅଚିହ୍ନା ଲୋକ ଅନୁମତି ନେଇ ଘରଭିତରକୁ ଆସିଥିଲା । ବିଛଣା ଛୁଇଁଛି, ଦେହ ବି ଛୁଇଁଛି ।

 

ଦେହ ଚମକି ପଡ଼ିଥିଲା । ସେଇଟା ହେଉଛି ମନର ସଂସ୍କାର । ମଣିଷତିଆରି ସଂସାର ଭିତରେ ଯୁବତୀର ଦେହ ଉପରେ କେତୋଟି ମଣିଷ-ଗଢ଼ା କଇଦା କଟକଣା ଅଛି । ସେଥିରୁ ଗୋଟିଏ ହେଉଛି–ଅଧିକାର ନ ଥିବା ଦେହ ଉପରେ ହାତ ଛୁଆଁଇବା ସବୁଠାରୁ ବଳି ବଡ଼ ଅପରାଧ । ସେ ଅପରାଧ ଆଇନଗଢ଼ା ଅପରାଧ ପରି କେବେ କାହିଁକି ଗଢ଼ା ହୋଇଥିଲା—ସେ ପ୍ରଶ୍ନର ଉତ୍ତର କେହି ଦିଏ ନାହିଁ କି ପାଏ ନାହିଁ । ଯିଏ ସେ ବିଷୟରେ ଭାବେ କି ଆଲୋଚନା କରେ, ସେହି ବାଧାବନ୍ଧନର ବିଚାର କରିବ ସେ ମନରେ । ତାକୁ କୁହାଯାଏ ଖରାପ ଲୋକ । ସେଥିପାଇଁ କେହି ଡାକି ଫୁକାରି ସେ ବିଷୟ ରେ ଅଲୋଚନା କରନ୍ତି ନାହିଁ । ସବୁପ୍ରକାରର ଅପରାଧ ପରି ଜଣା ନ ପଡ଼ିବାଯାଏ ସମସ୍ତେ ଅପରାଧକୁ ଲୁଚେଇ ଦିଅନ୍ତି ମନଭିତରେ ।

 

ମୁହଁ ଉପରେ ମିଛ ତା’ର ଘୋଡ଼ଣୀ ଲଗାଇଦିଏ । ସେ ଘୋଡ଼ଣୀର ପୋଷାକ ହେଲା ହସ—ଦୁନିଆ ସିଧାସଳଖ ବାଟରେ ଚାଲିଛି । କୌଣସି ପ୍ରକାରର ଅନ୍ୟାୟ ଅନୀତ ନାହିଁ—ଏକଥା ଦେଖାଇବାର ପ୍ରଧାନ ଉପାୟ ହେଉଛି—ଅଚଞ୍ଚଳ ଅପଲକ ଚାହାଣୀ ଆଉ ବେପରୁଆ ହସ ଓ କଥା ।

 

ମଣିଷ ସମାଜରେ ଅସୁମାରି ଅପରାଧ ଏମିତି ମଣିଷ ତାର ବ୍ୟବହାରରେ ଲିଭେଇ ଦେଇଛି । ସେ ସମ୍ବାଦ ବାହାରେ ପ୍ରକାଶ ପାଇନାହିଁ । ସୁଲତା ସେତେବେଳେ ସେପରି ତା’ର ମନର ବିରୋଧକୁ ଲୁଚେଇ ଦେଇଥିଲା । ପ୍ରମୋଦ ପାଖରୁ ନିଶ୍ଚିୟ—ପ୍ରକାଶ ପାଖରୁ ମଧ୍ୟ ।

 

ପ୍ରକାଶ ମୁହଁରେ ସେହି ହସର କ୍ଷୀଣରେଖା ଲୁଚିଯାଇଥିଲା ସନ୍ଦେହର ମେଘରେ ।

 

ସତେ କଣ ସୁଲତା, ପ୍ରକାଶକୁ ଧରା ପକାଇଦେଲା ନା ନିଜେ ଧରା ପଡ଼ିଯାଇଛି ପ୍ରକାଶ ପାଖରେ ? ପରିଚୟରୁ ଆତ୍ମୀୟତା ହେଲା ନା ଶତ୍ରୁତା ହେଲା ? ଆଖି ଆଖିରେ ମିଶିଥିଲା–ଦୁହେଁ ନିଜକୁ ଭାବୁଥିଲେ ଦେଷୀ ବୋଲି । ଦୁହେଁ ଦୁହଁଙ୍କ ପାଖରେ ଚିହ୍ନା ପଡ଼ି ଯାଇଥିଲେ-। କିନ୍ତୁ ସେତକ ଘୋଡ଼େଇ ଦେବାକୁ ଦିହେ ଯାକ ତତ୍ପର ।

 

ଅଭିନୟର ଶେଷରେ ଅଭିନେତା ଯେତେବେଳେ କ୍ଳାନ୍ତହୋଇ ଫେରିଯାଏ, ସେତେବେଳେ ଦର୍ଶକ ମୁହଁରେ ଅଭିନୟର ଶେଷ ରାଗିଣୀ, ଶେଷକଥା ଓ ଶେଷ ଚିତ୍ର ଝଙ୍କାର ଦେଉଥାଏ । ଦର୍ଶକ ବାହାରିଯାଏ ଦୁଆର ଭିତରଦେଇ । ଅଭିନେତା ବାହାରିଯାଏ ରଙ୍ଗମଞ୍ଚର ଆରପାଖେ । ଦୁହେଁ ଦୁହିଁଙ୍କୁ କହିଯାନ୍ତି—ବିଦାୟ । —ମନେରଖିଥିବ ।

 

ଅଭିନୟର ଭଙ୍ଗୀରେ ପ୍ରକାଶ କହିଲା—ଚାଲିଲୁ ଆମେ ଏଥର । ମନେ ରହିଲା ତମ ପାନ ଦି’ଖଣ୍ଡି, ଭାରି ସରସ । କେମିତ ଭାଙ୍ଗୁଛ କି ସେ ପାନ—ଏଡ଼େ ମିଠା ଲାଗୁଛି । ପ୍ରମୋଦ କହିଲା—କେଡ଼େ ମାଇଚିଆ କଥାଗୁଡ଼ାକ ଶିଖିଛି ପ୍ରକାଶବାବୁ ? ତମକୁ ମାଇପେ ମୋଟେ ସୁଖ ପାଉ ନ ଥିବେ ।

 

—ପାଇବେ କିମିତି ? ଏଇ ମାଇଚିଆ କଥା ଶୁଣି ଆମ ଘରଣୀ ଆମ ଉପରେ ସେମିତି ଚିଡ଼ନ୍ତି ତୁମେ କଣ ଜାଣନାହିଁ ? ମୁଁ ବି ଚିଡ଼େ ତାଙ୍କ ଉପରେ—ହେଲେ କ’ଣ ହେବ, ଚୁଟିରେ ଚୁଟି ଗଣ୍ଠା ହୋଇଛି ।

 

ସୁଲତା ମୁହଁରେ ଉତ୍ତେଜନାର ତୀବ୍ର ଝଲକ ଖେଳିଯାଉଥାଏ । କହିବାକୁ କେତେ କଥା ଅଛି—କହି ହେଉ ନାହିଁ । କଥାର ପ୍ରଖରତା ନିଆଁଠାରୁ ବଳି ତ୍ରୀବ । ମନର ଭାବକୁ ଭାଷା ଦେଇ ନ ପାରିଲେ ଶିରାପ୍ରଶିରାରେ ରକ୍ତ ଗରମ ହୋଇଉଠେ ।

 

ସୁଲତା ମୁହଁ ଫେରେଇନେଲା । ଆଜି ସେ ପରସ୍ତ୍ରୀ । ସ୍ଵାମୀ ଘରେ ନାହାନ୍ତି । ସେ ଶୁଣି ବୁଝି କହିବାର ଶକ୍ତି ଥାଇ ମଧ୍ୟ ମୂକ ।

 

ପ୍ରକାଶ ଚାହିଁଲେ ସୁଲତା ଆଡ଼େ—ଆଖିରେ ଭିକ୍ଷାର କାକୁତି । ସେଥିରେ ଭିକ୍ଷାର୍ଥୀର ମିନତି ଲାଲସାର ରଙ୍ଗ ଦେଇ ଇନ୍ଦ୍ରଜାଲ ଖେଳେଇ ଦେଇଛି ତାଙ୍କର ମୁହଁ ଉପରେ ।

 

ସୁଲତା ଅପାଙ୍ଗରେ ଚାହିଁଦେଲା ଦୁହିଙ୍କୁ ଥରେ ଥରେ । ପ୍ରମୋଦ ମୁହଁରେ ଭିକ୍ଷାର ଚିହ୍ନ ନାହିଁ କି ଆକର୍ଷଣର ଛଟା ନାହିଁ । ପ୍ରକାଶ ଆଖିରେ ଯେତିକି ଆକର୍ଷଣ ସେତିକି ନ୍ୟୁନତା । ତାକୁ ଭଲ ଲାଗିଲା ପ୍ରକାଶର ମୁହଁଟି । ସେଠି ଦାବି ଜାହିର କରିବାର ଇଚ୍ଛା ଅଛି । ସୁଲତାପାଇଁ ଲାଳସା ଅଛି । ପରିଚୟକୁ ପ୍ରୀତିରେ ପରିଣତ କରିବା ପାଇଁ ଉତ୍ସାହ ଅଛି ।

 

ସୁଲତାର ମନ ସେଥିରେ ଝଙ୍କାର ଦେଇଥିଲା—ବହୁତ ଦିନକୁ ଦେଖା । ତା’ର ରସହୀନ ଜୀବନରେ ପୁଣି ଗୋଟାଏ ନୂଆ ଅନୁଭୂତି । ଉତ୍ସାହୀ ମନ ନୂଆ ପରିସ୍ଥିତିରେ ନୂଆଲୋକଙ୍କ ମେଳରେ ଯେଉଁ ଆନନ୍ଦ ପାଏ, ସୁଲତା ସେତିକି ଅନୁଭବ କରିଥିଲା ।

 

ଫେରିଯାଉଥବା, ଲୋକ ଦୁଇଟିଙ୍କୁ ସୁଲତା ଅପଲକ ଚାହାଣୀରେ ଚାହିଁ ରହିଥିଲା । ଦୀର୍ଘନିଶ୍ଵାସ ପକାଇ କବାଟ ବନ୍ଦ କଳାବେଳେ ସେହି ଗୁଣୁଗୁଣୁ ହୋଇ ନିଜକୁ ପଚାରିଥିଲା–ଇଏ-। କ’ଣ ଆରମ୍ଭ ନ ଶେଷ ?

 

ପ୍ରକାଶ ଚାଲିଗଲାବେଳେ ଅନ୍ୟମନସ୍କ ହୋଇ ବାରମ୍ବାର ମନ ଫେରାଇଥିଲା ସୁଲତା ଆଡ଼େ । ପଛକୁ ବୁଲି ଦେଖିଥିଲା—ସୁଲତା ଘରର ଦୁଆର ବୁଜା ହୋଇଛି । ତା’ର ଆତୁର ମନ ସେମିତି ଦାର୍ଘଶ୍ଵାସ ପକାଇ ନିଜର ଦୁଃଖର ବୋଝ କମେଇଥିଲା ।

 

ଦିନର ଆଲୁଅ ଲିଭିଆସୁଛି । ଆକାଶର ତାରା କ୍ଷୀଣ ଆଲୋକ ଦେଇ ମନେପକାଇ ଦେଉଥିଲେ—ଯାହା ଥିଲା ସବୁ ଚାଲିଯାଉଛି ।

 

ନିଜର ଶୋଇବାଘରର ସ୍ଵାମୀ ସ୍ତ୍ରୀଙ୍କର ଫଟୋଟିକୁ ନୁଆଣିଆ ଘରର ଅନ୍ଧାର ଭିତରେ ସୁଲତା ନିରେଖି ଚାହିଁଥିଲା ।

 

ତନ୍ନୟ ମନରେ ସେ ପିଲା ଦୁଇଟିଙ୍କ କଥା ଭାବିଥିଲା—ସେ ଦୁଇଟି ତାଙ୍କର । ଏଇ ପିଲା ଦୁଇଟି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଅଛିଣ୍ଡା ଶିଙ୍କୁଳି । ଏଇ ବନ୍ଧନ ଭିତରେ ଦୁଇଜଣ ଦେଖାଦେଲେ–ସେତ କିଶୋରୀ ବା ତରୁଣୀ ନୁହେଁ । ସେ ନାରୀ—ସେ ମାଆ ।

 

ସଂସାରର ସୁଖ ଐଶ୍ୱର୍ଯ୍ୟ ଯେପରି ବିଦ୍ୟା, ବୁଦ୍ଧି, ଜ୍ଞାନ ଓ ସୌନ୍ଦର୍ଯ୍ୟ କୌଣସି କଥାକୁ ଲକ୍ଷ୍ୟ ନ ରଖି ଅଜାଡ଼ି ହୋଇପଡ଼େ ଅବା ଉଭେଇଯାଏ, ସେହିପରି, ମନର ମନପ୍ରତି ଆକର୍ଷଣ ସାଂସାରିକ ଅବସ୍ଥାର କୌଣସି ଦିଗକୁ ଦୃଷ୍ଟି ଦିଏ ନାହିଁ । ସେଇ ଡାକ ଆସି ଦୁଆରେ ପହଞ୍ଚିଛି ।

 

ପିଲା ଦୁଇଟି ଶୋଇଥିଲେ ଅନ୍ୟ ବଖରାଟିରେ । ସେମାନେ ଆଗରୁ ଉଠିଥିଲେ ହୁଏତ ସୁଲତା ଅନ୍ୟପ୍ରକାର ବ୍ୟବହାର ଦେଖାଇଥାନ୍ତା । ସେମାନେ ଜାଗ୍ରତ ଥିଲେ ଘଟଣାର ସ୍ରୋତ ଅନ୍ୟ ଦିଗରେ ବୋହିଥାନ୍ତା । ପ୍ରମୋଦ ଓ ପ୍ରକାଶ ଗଲାବେଳେ ସେମାନଙ୍କର ପରିଚୟ କରି ଯାଇଥାନ୍ତେ–କିଛି ହୋଇନାହିଁ ।

 

ସୁଲତା ଯାଇ ପିଲା ଦୁଇଟିଙ୍କୁ ଉଠାଇଲା ନିଜର ଅବସର ଖେଳି କଟାଇବାପାଇଁ ।

 

ସେମାନଙ୍କର ପ୍ରତିବାଦ ଓ କାନ୍ଦଣା ଭିତରେ ସୁଲତା ବ୍ୟସ୍ତ ହୋଇପଡ଼ିଥିଲା—କେତେ ଜଞ୍ଜାଳ । ଯିଏ ତାକୁ ଖୋଜିଛି ସିଏ ଯେପରି ନିଷ୍ଫଳ ହୋଇଛି, ସେମିତି ସୁଲତା ଯାହାକୁ ଖୋଜିଛି ସେମାନେ ବି ଅସାର ।

 

ଦୀପ ଲଗାଇ ସୁଲତା ରମୁ ଓ ବୁଲୁ ଦୁହିଁଙ୍କୁ ଛାଡ଼ି ଅଲଗା ହୋଇଗଲା । ସେମାନେ କାନ୍ଦିବାରେ ଲାଗିଲେ—କାନ୍ଦୁଥାନ୍ତୁ ।

 

କାନ୍ଥକୁ ଆଉଜି ସେଇ ପିଲାଦୁଇଟିଙ୍କର ଗୋଳମାଳ ଭିତରେ ସୁଲତା ସେହି ଘଟଣାଗୁଡ଼ିକ ଥରେ ମନରେ ଏ ପାଖ ସେ ପାଖ କରିଗଲା । ପ୍ରକାଶବାବୁଙ୍କ ଜୀବନ ପୂର୍ଣ୍ଣ ନୁହେଁ କି ସଫଳ ନୁହେଁ । ଠିକ୍ ସୁଲତାର ଜୀବନ ପରି ତାଙ୍କର ଚାରିଆଡ଼େ ମନର ଅଭାବ ଓ ଅନଟନ କୋତରା ଲୁଗା ପରି ଲାଗି ରହିଛି । ସେଥିରେ ସେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି ।

 

ଏବେଯାଏ ସେ ଦୁହିଁଙ୍କୁ ସେ ଚିହ୍ନି ନ ଥିଲା । ସେଇଟା ବି ଗୋଟିଏ ଆଶ୍ଚର୍ଯ୍ୟ ।

 

ସୁଲତା ମନରେ ସେହି ସନ୍ଦେହ ବହୁତ ପ୍ରକାରରେ ଦେଖା ଦେଉଥିଲା । ଏକା ଅଫିସରେ କାମ କରନ୍ତି । କାହିଁ, କେବେ ତ ବ୍ରଜବାବୁ ତାଙ୍କ କଥା କହି ନାହାନ୍ତି ସୁଲତା ଆଗରେ । ସେମାନେ କ’ଣ ତାଙ୍କର ଅନ୍ତରଙ୍ଗ ନୁହନ୍ତି ? ତେବେ କଣ ସେମାନେ ଖାଲି ଛଳନ କରୁଥିଲେ ଯେ ବହୁଦିନର ବନ୍ଧୁ ବୋଲି ।

 

ତା’ର ଆଖିରୁ ସେଇ ଆସକ୍ତି କଟିଗଲା । ବଦଳରେ ଆସିଲା ଭୟ ଆଉ ପ୍ରକାଶବାବୁଙ୍କ ପ୍ରତି ଘୃଣା । କିଛି ନ ବୁଝି ନ ବିଚାରି ସେ ଏମିତିଭାବରେ ତାଙ୍କୁ ଘରଭିତରକୁ ଆଣିବା ଠିକ୍ ହେଲା ନାହିଁ । ସେମାନେ ତ ନିଶ୍ଚୟ ଭାବିଥିବେ ଅନେକ ଖରାପ କଥା ସୁଲତା ବିଷୟରେ । ଅପରିଚିତ ଲୋକଙ୍କୁ ବି ସୁଲତା ଅନ୍ତରଙ୍ଗର ବ୍ୟବହାର ଦେଖାଇପାରେ ।

 

ସେତେବେଳେ ତା’ର କାନପାଖରେ ପିଲା ଦୁଇଟିଙ୍କର ଗୋଳମାଳ ପହଞ୍ଚିପାରୁ ନ ଥିଲା । ସେତେବେଳେ ସେ ସ୍ତବଧ ।

 

—ମା, ମା ।

 

ସୁଲତାର ବିହ୍ଵଳତା ଖସିପଡ଼ିଲା । ସେ କ’ଣ ଗୁଡ଼ାଏ ଭାବୁଛି । ସେ ତ ଅସହାୟ ନୁହେଁ, ନିରାଶ୍ରୟ ନୁହେଁ । ତା’ର ସମସ୍ତେ ଅଛନ୍ତି—ରମୁ, ବୁଲୁ ଶୋଇଥିଲେ ସିନା—ଥିଲେ ତ ।

 

ସୁଲତା ଆଗେଇଗଲା ପିଲା ଦୁଇଟିଙ୍କ ପାଖକୁ—ଶୋଇ ଶୋଇ ଏତେବେଳକୁ କାନ୍ଦଣା ଆରମ୍ଭ କଲି । କିରେ ରମୁ, କାନ୍ଦୁଛୁ କାହିଁକି ?

 

ରମୁ ଆଉରି ଜୋରରେ କାନ୍ଦିଲା । ଏତେବେଳଯାଏ ମା ଆସିଲା ନାହିଁ କାହିଁକି ? ସୁଲତା ଉପରେ ଅଭିମାନ ।

 

ରମୁର କୋହ ବୁଲୁର କାନ୍ଦଣାକୁ ଊଣା କରିଦେଲା ।

 

—କିରେ କାନ୍ଦୁଛୁ କାହିଁକି ? ଦୁହେଁ ଆଉରି ଜୋରରେ କାନ୍ଦିବାକୁ ଆରମ୍ଭ କଲେ । ହୁଏତ କିଛି କାରଣ ନହିଁ । ଶୋଇ ପଡ଼ିଥିଲେ ବୋଲି ଧିଅର ଅଳସ ଭାଙ୍ଗିବାକୁ ବୋଧହୁଏ କାନ୍ଦୁଥିଲେ ।

 

ସେମାନଙ୍କ ପଛରେ ଲାଗି ସୁଲତା ସବୁ ଭୁଲିଗଲା । ତା’ର ଛୋଟିଆ ଘରକରଣ ଆରମ୍ଭ କରିଦେଲା ପିଲା ଦୁଇଟିଙ୍କୁ ଧରି । ସେଇଠି ତା’ର କଳ୍ପନା-ବିଳାସୀ ନାରୀଜୀବନର ଗୋଟିଏ ଅଧ୍ୟାୟ ।

 

ବ୍ରଜବାବୁ ଆସିବା ପର୍ଯ୍ୟନ୍ତ ସୁଲତା ତାଙ୍କ ବିଷୟରେ ଭାବି ନଥିଲା । ସାଧାରଣ ଲୋକର ଅନୁଭବରେ ଏହି ଘଟଣାର ସମାବେଶ ଏକାବେଳକେ ଅବାସ୍ତବ । କିନ୍ତୁ ଏଇଟା ଜୀବନରେ ସମ୍ଭବ । ସବୁବେଳେ ସମ୍ଭବ । ନ ହେବା କଥା । ଘଟିଲେ ଜୀବନରେ ବୈଚିତ୍ର୍ୟ ଆସେ-। ଏଇ ବୈଚିତ୍ର୍ୟ ମୂଳଦୁଆ କରି ମଣିଷ ଗଢ଼ି ଉଠେ । ବୁକୁଥରା, ମନଥରା ପରିବର୍ତ୍ତନ ନ ଆସିଲେ ମଣିଷର ମନ ଶୁଖିଯାଏ ।

 

ବ୍ରଜବାବୁ ଫେରିଲେ । ତାଙ୍କର ପରିଚିତ ଡାକ ଦୁଆର ଶିକୁଳିରେ ଆସି ସୁଲତାକୁ ଚମକାଇ ଦେଲା । ସେଇ ସୁଲତାର ପରିବର୍ତ୍ତନ ଆସିଛି । ବ୍ରଜବାବୁଙ୍କ ପାଖକୁ ଚାଲିଯିବାକୁ—ଦୁଆର ଫିଟାଇ ତାଙ୍କୁ ଘରଭିତରକୁ ଆଣିବାକୁ ସେ ସଙ୍କୋଚ ଅନୁଭବ କଲା । ଅପରିଚିତ ପ୍ରମୋଦ ଓ ପ୍ରକାଶବାକୁ ଡାକିଲାବେଳେ ତା’ ମନରେ ଯେତିକି ଶୀହରଣ ଅସିଥିଲା ତହିଁରୁ ଅଧିକ ଆଶଙ୍କା ଓ ସଙ୍କୋଚ ସୁଲତାକୁ ବିବ୍ରତ କରିପକାଇଲା । ମନ ତାର କହୁଥାଏ ବ୍ରଜବାବୁ ହେଲେ ନ ଥାନ୍ତେ, ବ୍ରଜବାକୁ ଆସି ନ ଥାନ୍ତେ—

 

ଏଇଟା ହେଉଛି ମନର ପାପ । ମନ ଯେଉଁଠି ନିଜକୁ ଦୋଷୀବୋଲି ମନେକରେ ସେଠି ତା’ର ପ୍ରତିକାର ନାହିଁ । ନିଜର ଅସାବଧାନତାରେ ନିଶ୍ୱାସ ନେଲାବେଳେ ପାଟି ଭିତରକୁ ପୋକ, ମଶା ପଶିଗଲେ ଚେତନ ଦେହ ଯେମିତି ତାକୁ ଠେଲି ବାହାର କରିବାକୁ ପ୍ରାଣପଣେ ଚେଷ୍ଟା କରେ, ସେମିତି ଅସାବଧାନତାରେ ମନଭିତରକୁ ପାପ ଦୁର୍ନୀତି ପଶିଗଲେ ଚେତନ ମନ ତାକୁ ଢାଙ୍କି ଲୁଚାଇଦେବାକୁ ସବୁ ପ୍ରକାରରେ ଚେଷ୍ଟା କରେ । ଏତିକି ହେଉଛି ଦେହ ଓ ମନର ବିଶେଷତ୍ଵ ।

 

ବାରମ୍ବାର ଡାକ, ବ୍ରଜବାବୁଙ୍କ ବ୍ୟବହାରରେ ଉତ୍କଣ୍ଠା । ଘରକୁ ସେ ଫେରିଆସିଛନ୍ତି । ପିଲାଙ୍କର ପାଟିଗୋଳ ନାହିଁ ସେ ଶୋଇଲେଣି । ସୁଲତାକୁ ସେ କେତେ କଥା କହିବେ । ସେଦିନ ସଭାରେ ବ୍ରଜବାବୁ ସମସ୍ତଙ୍କୁ ତନ୍ମୟ କରି କିରାନିଜୀବନର ଦୁଃଖର ପ୍ରାଣସ୍ପର୍ଶୀ ଅଙ୍କି ଦେଇଛନ୍ତି । ସୁଲତା ସେଠିକି ଯାଇ ନଥିଲା ସୁଲତା ନ ଜାଣିଲେ ତାଙ୍କର କାମ ଯେପରି ଅସମ୍ପୂର୍ଣ୍ଣ ରହିବ ।

 

ସୁଲତା ସେତେବେଳେ ନିଜର ସମସ୍ତ ଉପସ୍ଥିତ ବୁଦ୍ଧି ଓ ପ୍ରଖର ବୁଦ୍ଧି ଖେଳାଇ ଭାବିଯାଉଥିଲା—ବ୍ରଜବାବୁଙ୍କୁ ସେ କେଉଁ କଥା କେତେଦୂର ଗୋପନ ରଖି ପ୍ରକାଶ କଲେ ତା’ର ଜୀବନ ପରିପୂର୍ଣ୍ଣ ହେବ । ସତକଥା ଜୀବନରେ ପରିପୂର୍ଣ୍ଣତା ଆଶେ ନାହିଁ । ଜୀବନର ପୂର୍ଣ୍ଣତାକୁ କ୍ଷତବିକ୍ଷତ କରି ଦିଏ । ମଣିଷର ମନ, ମଣିଷଗଢ଼ା ସଂସାର, ମଣିଷର ଆଶା ଆଶଙ୍କା ଓ ଭବିଷ୍ୟତ ମିଛ ମାୟାରେ ଗଢ଼ା ଜୀବନକୁ ପରିପୂର୍ଣ୍ଣ କରିବାକୁ ହେଲେ ସେଇ ମିଛର ବହୁତ ପ୍ରୟୋଜନ । ସତକଥା ବଡ଼ ଦାରୁଣ । ଜୀବନର ପୂର୍ଣ୍ଣତା, ପୂର୍ଣ୍ଣ ଜୀବନର ସୁଖ ଖାଲି ମିଛ କଥାରେ ହିଁ ତିଷ୍ଠି ପାରେ ।

 

ମଣିଷ ନିଜ ପାଖରେ ସତ କହିପାରେ । କିନ୍ତୁ ଅନ୍ୟକୁ ସତକଥା କହିଲେ, ମନକଥା ଖୋଲି କହିଲେ, ଲୁଚାଇବା କଥା ପ୍ରକାଶ କଲେ, ପ୍ରକାଶ କରିବା କଥା ଗୋପନ ରଖିଲେ ପାଦେ ପାଦେ ଖାଲି । ବିପଦ । ସେ ବିପଦରୁ ମୁକ୍ତି ନାହିଁ ।

 

ପରିବାରର ବନ୍ଧନ ଭିତରେ, ଦାମ୍ପତ୍ୟର ଶିଙ୍କୁଳ ଭିତରେ ସତକଥାର ସ୍ଥାନ ନାହିଁ । ମଣିଷର ମଣିଷ ସାଙ୍ଗରେ ବନ୍ଧୁତା ବଡ଼ ଅବାସ୍ତବ । ମନର ମନ ସାଙ୍ଗରେ ବନ୍ଧୁତା ହୋଇପାରେ ନା । ଦେହର ଦେହ ସାଙ୍ଗରେ ଷୋଳପଣୀ ସଖ୍ୟ ହେବା ଅସମ୍ଭବ । ସେତକ କେବଳ ସମ୍ଭବ କରିହୁଏ ମିଛ, ଛଳନା ଓ ପେଖନା ଦ୍ଵାରା । ସଂସାରୀ ଜୀବନର ସବୁପ୍ରକାର କାମ୍ୟ ଓ ଶ୍ରେୟ କଳ୍ପନା-ବିଳାସ ଭିତରେ—ଏତିକି ହେଉଛି ସୃଷ୍ଟିର ପ୍ରହସନ । ମିଛକୁ ସତ ବୋଲି ବୁଝିବାକୁ ସଂସାର ଗଢ଼ା ହୋଇଛି । ସଂସାରକୁ ଚଳାଇବାକୁ ଗଢ଼ା ହୋଇଛି ମିଛ । ମିଛକୁ ଛାଡ଼ିଦେଲେ ସଂସାରରେ ରହିବା ଏକାବେଳକେ ବିଡ଼ମ୍ବନା ।

 

ସୁଲତାର ନାରୀସୁଲଭ ମନ ପୁଣିଥରେ ଚେଇଁ ଉଠିଲା । ନା, ବ୍ରଜବାବୁଙ୍କୁ ସବୁକଥା କହି ଅବବେକୀ ହେବା ଅନୁଚିତ । ହସ ହସ ମୁହଁରେ ଦୁଆର ଖୋଲି ମଧୁର ସ୍ଵରରେ ପଚାରିଲା ବହୁତ ସଭା କଲ ଆଜି ? ପିଲା ଦୁହିଁଙ୍କୁ ଶୋଇଲା ବେଳେ ଦେଖିଯାଇଥିଲା । ସେମାନେ ପୁଣି ଶୋଇପଡ଼ିଲେଣି । ତାଙ୍କ କଥା ବି ମନେପଡ଼ିଲା ନାହିଁ ।

 

ଚଞ୍ଚଳ ହୋଇ ଘରଭିତରକୁ ପଶି ଆସିଲବେଳେ ବ୍ରଜବାବୁ କହିଲେ—ସଂସାରର ଜଞ୍ଜାଳ ସମସ୍ତଙ୍କୁ ପାସୋରାଇ ଦିଏ । ସଭା କେଜାଣି କେତେବେଳଯାଏ ଚାଲିଥାନ୍ତା । ଖାଲି ଘଡ଼ି ଦେଖି ସମସ୍ତେ ବ୍ୟସ୍ତ ହେବାରୁ ଅଧାଚଉଠାରେ ବନ୍ଦ ହୋଇଗଲା ବୋଲି ଜାଣ ।

 

—କଣ ମିଳିଲା ସେଠି ? ବହୁତ ଲୋକ ବହୁତ କଥା କହିଲେ । କଥାରେ କିଛି କାମ ହେଲା କି ? କିଏ ସବୁ ଆସିଥିଲେ ?

 

—ଆରେ ହିଁ ପ୍ରମୋଦ, ପ୍ରକାଶ ମୋତେ ଖୋଜି ଯାଇଥିଲେ ନ ? ପ୍ରମୋଦ କହୁଥିଲା ଆମ ଘର ଦେଖିଯାଇଛନ୍ତି ବୋଲି । ପାଟିର ଛେପ ଢୋକି ସୁଲତା ନିଜକୁ ଦୃଢ଼ କରି କହିଲା ଆସିଥିଲେ । ଯେ କବାଟ ଭାଙ୍ଗି ପକାଇଥାନ୍ତେ ବନ୍ଧୁଙ୍କୁ କାଢ଼ି ନେବାକୁ । ତମର ସେମାନେ ଭାରି ବନ୍ଧୁନା ?

 

—ବନ୍ଧୁ ? ହଁ ସମସ୍ତେ ତ ବନ୍ଧୁ । ଧନୀ ଲୋକର ସିନା ବନ୍ଧୁତା ବହୁତ, ବେଶୀ ଦରକାର । ତମ ଆମପାଇଁ ବନ୍ଧୁ । ଲୋକେ ଅଭିଶାପ ।

 

ହାତ ପାଖର କିରାସିନି ଆଲୁଅର ଅସ୍ପଷ୍ଟ ଆଲୁଅରେ ସୁଲତାର ମୁହଁ କୁଞ୍ଚେଇଯାଇଥିଆ–ମନକଥା କହିହେବ ନାହଁ । ସତ କଥା ହେବ ତା’ର ସଂସାରର ଶତ୍ରୁ । ସେମାନେ ଆସିଥିଲେ ବୋଲି କହିଦେଇଛନ୍ତି । ସେଇ ସତ କଥାଟି କହି ନିର୍ଦ୍ଦୋଷ ସୁଲତା ଉପରେ ବହୁଦୂର ପ୍ରସାରୀ ଗୁରୁଦାୟିତ୍ଵ ଲଦି ଦେଇଛନ୍ତି ।

 

—ହଉ ଚାଲ । ଶୀଘ୍ର କାମ ସାର ।

 

ବଜ୍ରବାବୁଙ୍କ ପଛେ ପଛେ ସୁଲତା ଟିକିଏ ଅଧିକ ସରାଗ ଓ ସୋହାଗର ଛଳନା କରି କହିଲା–ବାହାରେ ଖୋଲା ପବନରେ ଏତିକି ବେଳ ରହି ଏବେ ଏଇ ଘର ଭିତରେ ରୁଦ୍ଧ ହେଲାପରି ଲାଗୁଥିବ । ତା’ରି କଥାରେ ସହାନୁଭୂତିର ରାଗିଣୀ । ବ୍ରଜବାବୁଙ୍କର ସେଇ ଦୁଃଖ କେହି ଦୂର କରିପାରିବେ ନାହିଁ–ସେ ନିଜେ ବି ପାରିବେ ନାହିଁ ।

 

—କ’ଣ କରିବା ? ଅପନ୍ତରା ହେଲେ, ବି ଏଇଟି ଆମର ଘର । ଆମେ ଦିହେଁ ମିଶି ଏଇଟିକୁ ଆମର ନନ୍ଦନକାନନ କରିଥାଇଁ । ରମୁ ଆଉ ବୁଲୁ ଏଇ ଅପନ୍ତରା ଭିତରୁ କଣ ଦିନେ ପଦ୍ମଫୁଲ ପରି ଫୁଟି ଉଠିବେ ନାହିଁ ? ଆମେ ଯାହା ଭୋଗିଗଲେ ସେମାନେ କ’ଣ ତହିଁ ରୁ ବହୁତ ଉପରକୁ ଯିବେ ନାହିଁ ? ସେତିକି ତ ଆମର ସୁଖ ଆଉ କଳ୍ପନ ।

 

ଛୋଟ ସଂସାରର ଅଭାବ ଭିତରେ ଏଇ ନୀତିକଥା ମନକୁ ସନ୍ତୋଷ ଦିଏ ନାହିଁ—ବିରକ୍ତ କରେ । ନୀତିକଥା ଧନୀ ପ୍ରଭାବଶାଳୀ ଲୋକଙ୍କୁ ଯେତେ ଆନନ୍ଦ ଦିଏ, ଅସମର୍ଥ ଓ ଦରିଦ୍ରକୁ ସେତିକି କଷ୍ଟ ଦିଏ । ନୀତିକଥାକୁ ହତିଆରି କରି ବୁଦ୍ଧିମାନ୍ ପ୍ରତାପୀ ଲୋକେ ସଂସାରକୁ ଚଳାନ୍ତି ନିଜେ ନିଜର ସୁଖ ସୁବିଧାପାଇଁ । ଯେଉଁ କଥା କହିପାରନ୍ତି ନାହିଁ, ଯେଉଁ ଯେଉଁ କାମ କରିପାରନ୍ତି ନାହିଁ ସେତକ ପର ଉପରେ ଲଦିଦେଇ ସେମାନେ ନିଶ୍ଚିନ୍ତ ହେଇଯାନ୍ତି । ଖାଲି ସେଇ ଦରିଦ୍ରଙ୍କ ପାଇଁ ସବୁପ୍ରକାରର ଆଶାଭରା ନୀତିକଥା ଗଢ଼ା ହୋଇଛି ଆଉ ଥୁଆ ହୋଇଛି ।

 

ବ୍ରଜବାବୁ କହିଲେ—ଆହା ସେମାନେ ତାହାହେଲେ ଆସିଥିଲେ ନା ?

 

—ଟିକିଏ ବସି କପେ ଚା’ ମାଗି ଖାଇ ଚାଲିଗଲେ । ସେମାନ କିଏ ?

 

—ଆମ ଅଫିସର ସମସ୍ତଙ୍କର ଥଟ୍ଟା ହେଉଛି ପ୍ରମୋଦ । ସେ ସିଧାସଳଖ କଥାକୁ ବି ଠଉରେଇପାରେ ନାହିଁ । ଆଉ ପ୍ରକାଶ ହେଉଛି ଭାରି ବୁଦ୍ଧିଆ । ଏଇ ହୁଣ୍ଡା ସିଆଣିଆ ଦି’ଜଣ ଭାରି ମିତ୍ର, ଦେଖିବ ନାହିଁ ଦିନେ ପ୍ରକାଶ ନାଁ କରିବ । ସେମାନେ ରହିଲେ କେତେ ବେଳ ?

 

—ତମେ ତ ନ ଥିଲ । ସେମାନେ ବା ଆଉ କାହା ସାଙ୍ଗରେ ଗପସପ କରନ୍ତେ ? କାହିଁ ତମେ ତ କେବେ କହିନାହଁ, ତମର ଏଡ଼େ ବଡ଼ ସାଙ୍ଗ ଥିଲେ ବୋଲି ?

 

—କହି ନାହିଁ ? କ’ଣ ବା କହନ୍ତି ! କି ବନ୍ଧୁ ଅବା ସେମାନେ । ଏକାଠି ବସି କଲମ ପେଷୁ । ଏକାଠି ମେସ୍‌ରେ ଥିଲୁ । ଏକାଠି ଅବା ବଜାର କରୁ । କାମରୁ ତ ବନ୍ଧୁତା । ସେ ଯେମିତି ସମସ୍ତେ ସେମିତ । ନିଜ ଦୁଃଖରେ ନିଜେ ଧନ୍ଦି ହେଉଛୁ । ଆଉ ଆମର ବେଳ କାହିଁ ? ସେତେବେଳେ ସିନା ମୋର ନିଜର କେହି ନ ଥିଲେ । ବହୁତ ବେଳ ବଳି ପଡୁଥିଲା । ସମୟ କଟାଇବା ପାଇଁ ବନ୍ଧୁ ଖୋଜୁଥିଲି । ଏବେ ତ ମୁଣ୍ଡ ଉପରେ ସଂସାର ବୋଝ । ତର କାହିଁ ? ତମେ ସିନା ଛାଇତଳେ ବସିଛ ଯେ–

 

ହଁ, ନ ହେବ କାହିଁକି ? ଚୂଲୀର ରଡ଼ରେ ବହୁତ ଛାଇ ହୁଏ । ବେଶି କାଠ କଣିବାକୁ ପଇସା ଥିଲେ ଦିନଯାକ ଛାଇ ମିଳୁଥାନ୍ତା । ତମେ ସିନା ପଙ୍ଖାତଳେ ବସି ଦି’ଗାର ଗାରେ କଲମରେ ରାମ୍ପିଦେଇ କହି ବୁଲିବ ସଂସାରର ବୋଝ କଥା ।

 

—ଛାଡ଼ ଛାଡ଼ । ଏଡ଼େ ସୁନ୍ଦର ସଂଧ୍ୟା । କଳି କରି କାହିଁକି କଟାଇବା ? ତମେ କଣ ଜାଣନାହିଁ ଯେ ଘରକୁ ଫେରିଆସିଲେ ମନ ଟିକିଏ ଆଶ୍ର । ଖୋଜେ । ତମ ଛଡ଼ା ଆଉ ମୋର କିଏ ଅଛି ?

 

—ଥାଉ ଥାଉ । ତମର ଏତେ ଆଦର ଯେ ଘରକୁ ଆସିଲେ ଶାନ୍ତି ଖୋଜ । ସେଇ ଶାନ୍ତି ତୁମକୁ ମିଳିବ ମୁଁ ଯଦି କଛି ନ କହେ,–ମୁଁ କହିଲେ ହେଲା କଳି । ହଉ—

 

—ଆରେ ସବୁ କଥାରେ ରାଗ, ଖୁମାଣ ! ତମେ ସଭା କଥା ନ ଶୁଣି ନିଜ କଥା କହିବସିଲଣି ।

 

—ଯୋଉ ସଭା— ! ତମର ବନ୍ଧୁମାନେ ନ ଯାଇ ଏଣେ ବୁଲି ଆସିଥିଲେ—

 

—ସେ ଯେମିତି ବୁଝିଲା । ସେମାନେ ନିଜକୁ ଭାବନ୍ତିଭାରି ଗୁଣୀଲୋକ ବୋଲି । ଗୁଣୀ ମୁହନ୍ତି—ତାଠଉଁ ବେଶୀ । କେଇଟା ବି ଅଫିସ କାମ ନେଇ ଘରେ କଲମ ପୋଷୁଥିଲେ ।

 

—ସତରେ ଏତେ ଗୁଣ ତାଙ୍କର ? ଭାରି ଘରମୁହାଁ ହୋଇଥବେ ତ ?

 

—ଘରମୁହାଁ ? ଯୋଉ ପ୍ରକାଶ ଆସିଥଲା ସେ କ’ଣ କମ୍ ପାହୁ ? ସମସ୍ତେ କାମ କଲାବେଳେ ସେ ବୁଲୁଥିବ । ଆଉ କେହି କିଛି ନ କଲାବେଳେ ସେ ବସି ଟେବୁଲ ଉପରେ ନଇଁ ପଡ଼ିଥିବ— କଣ ନା ଖଟୁଛି । ଘର କଥା ସେ କୁଆଡ଼େ ମୋଟେ ଭାବେ ନାହିଁ । ତା ଭାରିଯା ଭାରି ରାହା ବାଳୀ ।

 

ଓଠ କଣରେ ହସଚାପି ସୁଲତା ନିର୍ମାୟା ସ୍ଵରରେ ପଚାରିଲା—ବଡ଼ ହନ୍ତସନ୍ତ ହେଉଥିବ ଲୋକଟା ? ଘରେ ଏତେ କନ୍ଦଳ ।

 

—ହବ ନାହଁ ? ସେ କୁଆଡ଼େ ବଡ଼ ଲୋକ ଘର ଝିଅ—ଅସୁନ୍ଦର ବୋଲି ପ୍ରକାଶ ହାତ ଧରିଛି । ଯେ ଯେତେ ଅସୁନ୍ଦର ସେ ସେତିକି ପ୍ରତାପୀ । ପ୍ରତାପ ଦେଖାଇବ କାହା ଉପରେ—ନିଜ ବର ।

 

—ଆହା, କେଡ଼େ ଖରାପ ଲୋକଟାଏ ସିଏ ।

 

Unknown

—ପ୍ରକାଶ କିଛି କମ୍ ନୁହେଁ । ଏଡ଼େ ହୁସିଆର ଲୋକ । ଭାରିଯା ରାଗ କମେଇ ଦେବାକୁ ତରବର ହେଇ ପାଞ୍ଚ ବାଲଟି ପାଣି କାଢ଼ିଦେବ । ବାସନ ପିଛୁଳେଇବ । ଚୂଲୀ ମୁଣ୍ଡରେ ଲାଗିଯିବ ।

 

—ଆଉ ସେ ବଜବଜ ହେଉଥିବ । ଏବେ ସେ ଯାଇ ବହୁତ ଦୂରରେ ଅଛି । ସେଇଥିପାଇଁ ଏତେଦିନ ହେଲା ଆମକୁ ଅନୁଗ୍ରହ କରି ନ ଥିଲା । ବେଶି ଗୋଳମାଳ ହେଲେ ଗୋଟାଏ ପିଲାକୁ ବଜାର ବୁଲେଇବା ବାହାନାରେ ନେଇଯାଇ କରାନି କ୍ଳବ୍‌ରେ ବସି ତାସ ଖେଳେ-। —କହି ହସିଲେ ।

 

—ହସିଲ କାହିଁକି ?

 

—ତା’ର ପାହୁକଥା । ତିନିଟା ପିଲା । ବଡ଼ଟି ପାଠ ପଢ଼ିବ । ସାନଟି ଜଞ୍ଜାଳ କରିବ । ପ୍ରକାଶ ଧରିଲା ମଝିଟିକୁ । ସାନଟା ଭେଁ ଭେଁ ହେଉଥାଏ ଘରେ । ମା ଆଉ କଳି କରିବ କେତେ ? କଳୋହୀକୁ ଗୋଟାଏ ଜଞ୍ଜାଳ ଧରେଇ ଦେଇ ସେ ନିଜେ ଛୁଟି ।

 

—ଓ ସେମିତ ବୋଧେ ପଳେଇ ଆସିଲେ ଘରୁ ।

 

—ଏଥିରେ ଆଉ ମିଛ ଅଛି ନା ? ହେଲେ ଏମିତିକିଆ ଲୋକ ସାଙ୍ଗରେ ସିଏ ହେଲେ ବି ଭଲରେ ଚଳନ୍ତା । ଜଗିରଖି କାରବାର ହେଲେ—

 

ସୁଲତା ଶୁଣିଯାଉଥାଏ । ମନ ନ ଲୁଚେଇଲେ, ଚିତ୍ତଚୋରା ନ ହେଲେ କେହି କଣ କେବେ ଭଲରେ ରହିଲାଣି ? ଯାହାକୁ ସଂସାର କହେ ଖରାପ କଥା, ସେଇ କଥାକୁ ସେ କାମରେ କରେ ସେଇ ନିଏ ବାହାଦୁରୀ । ସୁଲତା ମନ ଥାଏ ଘୋଡ଼ାଇପକାଇବାକୁ । କହିଲା—ମତେ ଏମିତି ରୋକଠୋକ୍ ଲୋକ ଭାରି ଭଲ ଲାଗନ୍ତି । ମନ ଯାହା, କାମ ସେୟା । ଆପଣା ଲୋକ ଙ୍କ ସାଙ୍ଗରେ ଛନ୍ଦକପଟ କଅଣ ?

 

—ନା, ନା, କପଟ କରିବାକୁ ମୁଁ କହୁନାହିଁ । ତେବେ କୋଉଟା କେତେବେଳେ ରୁଚିବ, ଏଇ ବିଚାର ତ ରହିବ । ଦରକାର ।

 

ଗେହ୍ଳେଇ ହୋଇ ସୁଲତା ପଚାରିଲା—ତମେ ତ ଭାରି ଚିଡ଼ୁଥିବା ମୋ ଉପରେ—ମୁଁ ତମକୁ ମୁହେଁ ମୁହେଁ ସଫାକଥା କହିଦିଏ ବୋଲି ।

 

—ତମେ ? କାହିଁ କେବେ ତ କିଛି କଥା କହିନାହଁ । କେବେ ତ ସେମିତି, ମନକୁ ବାଧିଲାପରି କରିନାହିଁ । ତମକୁ ପରା ପ୍ରକାଶର ସ୍ତ୍ରୀ ବାଛିଥିଲା ।

 

—ସତେ ? ଆଉ ଏବେଯାଏ ଦିନେ ତ ସେମାନେ ଆସିନାହାନ୍ତି ।

 

—ପ୍ରକାଶ ବଦଳି ହୋଇଯାଇଥିଲା । ସେଇଥିପାଇଁ ସେ ଆସିନାହିଁ । ଏଥିଭିତରେ ସେ ଭାରି ଚିଡ଼ୋଳ ହେଲାଣି । ଆଠମାସ ହେଲାଣି ପୁଣି ସେମାନେ ଫେରିଲେଣି । ଆଉ ତ ଖୋଜ । ଲୋଡ଼ା ନାହଁ । ତାଙ୍କ ଘରକରଣା ତାଙ୍କ, ବଳେଇବଣି ।

 

—ତମେ କଣ ଯାଅ ନାହିଁ ତେଣେ ?

 

—ନା, ପ୍ରକାଶ ତ ବହୁତ ପିଲାବେଳୁ ବିଭା ହୋଇଥିଲା । କା ପୁଅକୁ ପରା ହେଲାଣି ଚଉଦ । ତେବେ ବି ପ୍ରକାଶ ସ୍ତ୍ରୀ କଣ କଥା ବାଗେଇ କରି କହେ କି ? ଯୋଉଦିନ ମୋ ସାଙ୍ଗରେ ପ୍ରଥମଦେଖା, ସେଇଦିନ ମତେ କହୁଛି ପ୍ରକାଶକୁ ଦେଖାଇ—ୟେ ପରା କହୁଥଲେ ତମେ କୁଆଡ଼େ ବୁଦ୍ଧିଆ ନୁହଁ ।

 

ପ୍ରକାଶବାକୁ ବୁଲେଇ କହିଲେ—ଶୁଣ, ଆମ ପାରିଜାତ ଦେଈ ଭାରି ବୁଦ୍ଧିମତୀ । ସେ ମତେ କହନ୍ତି ଓଲା ବୋଲି । ତାଙ୍କ ଆଖିରେ ଦୁନିଆଯାକ ସମସ୍ତେ ବୋକା, ଓଲା, ହୁଣ୍ଡା ନଇଲେ ଗଧ ।

 

ସାଙ୍ଗେ ସାଙ୍ଗେ ଚିଡ଼ିଉଠି ପାରିଜାତ କହିଲେ—ହଁ, ସବୁ ବେହିଆଙ୍କର ବାରବାଟି ଚାଷ-। ଏଣେ ଆମ ପ୍ରକାଶ ଟିକିଏ ଟିକିଏ ହସୁଥାନ୍ତି । ମୋର ସେତେବେଳକୁ ରାଗ ତଳୁକୁ ଉଠିଲାଣି-

 

—ପ୍ରକାଶବାବୁ କଣ କଲେ ?

 

—ସେ ପରା ଭାରି ଚାଲାଖ । ମତେ କହିଲା—ହେଇ ଦେଖନ୍ତୁ ମୁଁ ଆପଣଙ୍କୁ ସାଙ୍ଗରେ କଥା ହେଲି ବୋଲି ଆମ ଘରଣୀ ରାଗିଯାଇ କଳି ଲଗେଇଲେଣି । ଖାଲି ଲୋକଦେଖାଣିଆ କଳି କହି ହସିଲେ—

 

—ସେଇଠୁ ?

 

—ଉଠିଲ । ଝଙ୍କାର । ଖାଲି ଏମିତି ଗୁଡ଼ାଏ ହସି ଜାଣିଛ ? ସେମିତି ହସି ପ୍ରକାଶବ ।ବୁ କହିଲେ–ବ୍ରଜବାବୁ ପରା ଆମକୁ ଆଦର୍ଶ-ଯୁଗଳ ବୋଲି ଅଫିସଯାକ ହୁରି କରନ୍ତି । ଆଉ ନ ହସି କ’ଣ କରିବେ । ହଉ ତାଙ୍କୁ କପେ ଚା’ ଦିଅ । ସେ ତମର ବହୁତ ଚାଟୁ କରନ୍ତି ।

 

ରାଗରେ ଗରଗର ହୋଇ ପାରିଜାତ ଉଠିଲେ । ମୁହଁରେ ତମତମ । ଦିଶୁ ନ ଥିଲା ସିନା । ତେବେ ସେ ଦିନର ଚାଲି ମୋର ମନେ ଅଛି । ପ୍ରକାଶ ବଦଳରେ ଦୁଆର ପାଇଲା ଗୋଇଠା—ଧମଧମ ଚାଲି । ଚା’ ଆଣି ଆସିଲାବେଳକୁ—

 

ହଁ, କ’ଣ ହେଲ ?

 

—ସେ ତ ମଜା କଥା । ଆସିଛି କପେ ଚା’ । ପ୍ରକାଶ ହସି କହିଲେ—ମୋର ପେଟ ବଥା ଅଛି ବୋଲି ସେ ପରା ମୋତେ ଏକାବେଳକେ ପଥିରେ ରଖିଛନ୍ତି । ସେ ନିଜେ ପିଅନ୍ତି ତିନିଥର । ସେ ସିନା ସହରିଆ ଝିଅ । ତାଙ୍କ ଦେହ କିଛି ହେବନାହଁ । ମୋର ତ ହେଲ ମଫସଲିଆ ପେଟ । ମୁଁ ପାର କରିବି କେତେକେ ?

 

—କ’ଣ ହେଲା ? ସେମାନଙ୍କର ତ ଭାରି ମଜାରେ ଚାଲିଥିବ ।

 

—ଚାଲିବ ନାହିଁ ? ପ୍ରକାଶ ଦୋଷ ଦେଖେଇ ଦେବାରୁ ପାରାଜିତ କହିଲା—କେମିତି ଦେବି ? କ’ଣ ବାସନ ଅଛି ଚା’ ଦେବାପାଇଁ ? କପରେ ନ ଆଣି ଗିଲାସରେ ଆଣିଲେ, ଆଣୁ ଆଣୁ କହିବ ଥଣ୍ଡା ହେଇଗଲା, ନଇଲେ କହିବ, ଓଠ ପୋଡ଼ିଗଲା । ମୁଁ ଏବେ ବୃଥାଟାରେ ଏତେ ଗାଳି ଖାଇବି କାହିଁକି ?

 

ପ୍ରକାଶ କହିଲେ—ସତରେ ପଡ଼ା, ଦେଖୁନା କେମିତି କଣ୍ଟା ହୋଇଗଲେଣି । ମୋ ଗାଳି କିଛି ସହଜ କଥା ନୁହେଁ ।

 

ଠାକରା ଗାଲ ଆଉ ଦାନ୍ତୁରା ମୁହଁ ଭିତରୁ ପାରିଜାତ ଗୋଟିଏ ହସ କାଢ଼ିଲେ । ମୁଁ ଭାବୁଥାଏ—ଏମାନଙ୍କୁ ଧନ୍ୟ କହିବା । ଏକେ କରାନି । ତହିଁରେ ପୁଣି ଏମିତିକା ଗୋଟିଏ ବେକରେ ଝୁଲୁଛି ।

 

—ମୁଁ ତ ଜାଣି ନ ଥିଲି ତାଙ୍କ ଭତର କଥା । ଓଲଟା ବୁଝି ପ୍ରକାଶବାବୁଙ୍କୁ ଆଉ ପାରିଜାତ ଦେଈଙ୍କୁ ଭଲରେ ଅଛନ୍ତି ବୋଲି ପ୍ରଶଂସା କଲି ।

 

ସୁଲତା ହସି କହିଲା—ପଦେ କଥାରୁ ତ ବୁଝିଥାନ୍ତ । ଏତିକି ବୁଝିପାରିଲ ନାହିଁ ।

 

—ମୁଁ ଏବେ ଜାଣନ୍ତି କେମିତି ? ଶୁଣିଥିଲି ସିନା ପ୍ରକାଶ ଭାରି ପାହୁ । ତେବେ ସେ ଘରେ ମାଇପ ସାଙ୍ଗରେ ଝଟାପଟା ହୋଇ ହସି ହସି ମୋତେ ବୁଝାଇଦେଲା ସେ ତାଙ୍କର ଭାରି ଭଲ ପଡ଼େ । ମୁଁ ତ ସେଇକଥା କହିଲି । କେତେଥର ତାଙ୍କ କଳି ମୁଁ ଭାଙ୍ଗିଛି । ପାରିଜାତ ଦେବୀଙ୍କ କଥାରେ ସବୁ ଦୋଷ ପ୍ରକାଶବାବୁଙ୍କ ଉପରେ ଲଦି ଦେଲେ ଦିହେଁ ଖୁସି ।

 

ସୁଲତା ମନରେ କୌତୁହଳ ତେଜି ଉଠଲା—ଦିନେ ଯା’ନ୍ତେ । ତାଙ୍କୁ ଦେଖିବାକୁ ମୋର ଭାରି ଇଚ୍ଛା ହେଉଛି । ଭଲ ଖେଳ ଲଗେଇଛନ୍ତି ।

 

—ସେମାନେ ଆସିବେ ଯେ ।

 

—ଏଠିକି ? କାହିଁ ଆସିନାହାନ୍ତି ତ ?

 

—ଆମେ ପସନ୍ଦ ପଡ଼ିଲୁ ନାହିଁ । କହିଲି ପରା ସେ ବଡ଼ଘରର ଝିଅ ।

 

—ହେଲେ କଣ ହେଲା, ଆମରି ପରି ଜଣେ ଲୋକର ହାତ ଧରିଛି ତ ।

 

—ସେ କଥା ପରା ସବୁ କଳିର ମୂଳ ।

 

—ପ୍ରକାଶବାବୁ ତେବେ ଚଳୁଛନ୍ତି କେମିତି ? ଦେଖିଲେ ତ ବୁଝି ହୁଏନାହିଁ ଯେ ସେ ଏତେ ଅସୁବିଧାରେ ଥିବେ ବୋଲି ।

 

—ବଣ ଜଙ୍ଗଲରେ ପରା ମଣିଷ ବାଘ ଭାଲୁଙ୍କ ପାଟି ପାଖରେ ଥାଇ ସବୁଠୁ ବେଶୀ ହସେ । ଅଧିକ ଗୀତ ଗାଏ । ବିପଦ ଯେଉଁଠି ବେଶୀ, ଆନନ୍ଦ ସେଠି ସେତେ ଅଧିକ । ପ୍ରକାଶ ତ ମଉଜରେ ଅଛି । ସ୍ତ୍ରୀର ଉତ୍ପାତ ଯେତିକି, ତା’ର ଫୂର୍ତ୍ତି ସେତିକି ।

 

—ଗପୁଥିଲେ ରାତି ପାହିଯିବ । ନିଦ ଲାଗିଲାଣି କହି ସୁଲତା ହାଇ ମାରିଲା ।

 

—ମତେ ଆଜି ମୋଟେ ନିଦ ଲାଗୁନାହିଁ । ସଭାରୁ ଫେରି ଭାରି ଭଲ ଲାଗୁଛି ।

 

ସେଦିନ ବ୍ରଜବାବୁଙ୍କ ଆଗ୍ରହ ସୁଲତା ପାଖରେ ଅତି ଅଦରକାରୀ । ସେ ସଭା କଥା ମୋଟେ ଶୁଣିବାକୁ ଚାହେଁ ନାହିଁ । ବ୍ରଜବାବୁ ଟିକିଏ ଆଘାତ ପାଇ ଚୁପ୍ ରହିଲେ । ସୁଲତା ମନେ ମନେ ରୁଷିଲା—ଏଡ଼େ ଅମଣିଷ ଯେ ପରର ମନ ବୁଝବାର ଶକ୍ତି ନାହିଁ । ମଣିଷ ହୋଇ ମଣିଷର ମନ ବୁଝି ନ ପାରିଲେ ତାକୁ ଏବେ କ’ଣ କହିବ ? ଦିହେଁ ଚୁପ୍ ହୋଇ ଶୋଇ ରହିଲେ । ସୁଲତା ଶୋଇ ଶୋଇ ଭାବିଥିଲା ପ୍ରକାଶ ଓ ପାରିଜାତଙ୍କ ସଂସାର । ଦୁଃଖ ଭିତରେ ସୁଖ ଏମିତି ଛନ୍ଦି ହୋଇ ରହିଥାଏ । ଯେତିକି ଭାବିଲା, ତା’ର ଶ୍ରଦ୍ଧା ସେତିକି ବଢ଼ିଲା । ପୁଣି ଥରେ ଦେଖାହେଲେ ସେ ତାଙ୍କୁ ମନ ଖୋଲି—ହୃଦ ଖୋଲି କହିବ । ସେ କ’ଣ ଆସିବେ ?

 

ନିଜର ଚିନ୍ତାଠାରୁ ବଳି ତନ୍ମୟତା ଆଉ କିଛି ନାହିଁ । ମନର ଆଗ୍ରହ ଦେହର ଆଗ୍ରହରେ ରୂପ ପାଏ । ଅନ୍ୟପ୍ରତି ସହାନୁଭୂତି ଦେଖାଇଲେ ମନ ଓ ଦେହ ଉଭୟ ଗଡ଼ିଯା’ନ୍ତି ସେହି ଆଡ଼କୁ । ଭଲ ପାଇବାର ମୂଳ ନିଦାନ ହେଲା—ସହାନୁଭୁତି । ବ୍ରଜବାବୁ ଯାହା ପାଇ ନ ଥିଲେ, ପ୍ରକାଶବାବୁ ସେତକ ବିନା ଚେଷ୍ଟାରେ ପାଇଯାଇଥିଲେ । ରାତି ପାହିଲାବେଳକୁ ପୁଣି ସେହି ଜଣାଶୁଣା ସଂସାର ଆସି ତା’ର ଖେଳ ଦେଖାଇଲା—ରମୁ, ବୁଲୁ ଆଉ ତାଙ୍କର ବାପା । ବଜ୍ରବାବୁ ଛୋଟ ହୋଇଯାଇଛନ୍ତି ସୁଲତାର ଆଖି ଆଗରେ । ସେ ଆନନ୍ଦରେ ଅଛନ୍ତି । ସେମିତି ରହିବାର କିଛି କାରଣ ନାହିଁ । ପ୍ରକାଶବାବୁ ଦୁଃଖରେ ଅଛନ୍ତି । ସେମିତି ଦୁଃଖ ପାଇବାର କିଛି କାରଣ ନାହିଁ ।

 

ସଂସାରର ଚକରେ ମଣିଷ ଛନ୍ଦିହୋଇ ବୁଲିଲାବେଳେ ଯେଉଁଟିକକ ମନପ୍ରାଣ ଦେଇ ଖୋଜିଥାଏ, ସେତିକି ହେଉଛି ତାର ସ୍ୱର୍ଗର—ତାର ନନ୍ଦନକାନନ । ସଂସାରର ସବୁ ଦୁଃଖର ଔଷଧ ହେଉଛି ପ୍ରିୟଲୋକର ପ୍ରୀତି । ସେତିକି କାଢ଼ିନେଲେ ଜୀବନ ତୁଚ୍ଛ । ଦୁଃଖ ମର୍ମନ୍ତୁଦ । ସୁଲତାର ଦୁଃଖ—ସେ ଦିନର ଦୁଃଖ ହେଉଛି ସେ ଅଜଣା ଅଶୁଣା ଅନିଶ୍ଚିତ ଲୋକର ଆକର୍ଷଣର ଦୁଃଖ ।

 

ସେଦିନ ସକାଳେ ଦାନ୍ତ ଘଷିଲାବେଳେ, ଗାଧୋଇବାବେଳେ ଚୂଲି ପାଖରେ ବସି ସିଝିଲାବେଳେ ସୁଲତାର ବିହ୍ୱଳ ଆଖିଆଗରେ ପ୍ରକାଶବବୁଙ୍କର ସେହି ମଧୁର ପରିଚୟ, କୌଶଳୀ ଅଭିନୟ ବାରମ୍ବାର ଆସି ସୁଲତାକୁ ଆଘାତ କରୁଥିଲା । ସତେ ଯେପରି ତାକୁ କହୁଥିଲା—ସୁଲତା ମୋ ପରି ଅଭାଗା ପାଇଁ ତୁମର ହାତ, ତୁମରି କଥା ମୃତସଞ୍ଜିବନୀ ପରି କାମ କରିବ ।

 

ସତେ କ’ଣ ମୋତେ ଦେଖି, ମୋତେ ଭଲପାଇ ସେ ନିଜକୁ ଖୁସି କରିପାରିବେ ?

 

ପାପଚିନ୍ତା ସବୁବେଳେ ଉନ୍ମାଦନା ଆଣେ । ଥରେ ମନରେ ସେଇ ଚିନ୍ତା ପଶିଗଲେ ମନ ଧୂନ୍ଦାଳି ହୁଏ । ଖରାପ କଥାର ମୋହ, ବଡ଼ ନିଷ୍ଠୁର । ପଶିଗଲେ ବାହାରେ ନାହିଁ । ବାହାର କରି ନ ପାରିଲେ ସେ ମନକୁ ଠେଲେ ବାଟରୁ ଅବାଟକୁ । ମନ ଭିତରେ ସେଇ ଗୋଟିକ ଆଶଙ୍କା-। ଗୋଟିଏ ପ୍ରଶ୍ନ—ଆଜି ସେ କଣ ଆସିବେ ନାହିଁ ?

 

ବ୍ରଜବାକୁ ଚାଲିଗଲା ପରେ ସୁଲତା ପ୍ରକାଶବାବୁଙ୍କ ବିଷୟରେ ଏ ପାଖ ସେପାଖ କରି ବହୁତ କଥା ଭାବିଛି । ମନରେ ଅଶେଷ ପ୍ରତିକ୍ରିୟା । ସେ ଦିନ ସେ ମନର ମଣିଷକୁ ଯେମିତ ଖୋଜି ପାଇଛି ।

 

ମନର ମଣିଷ ଏଇ ଜିନିଷ । ଦୋଷଗୁଣର ବାଛବିଚାର ନ କରି ଯାହାକୁ ମନ ଖୋଜେ ସେଇ ହେଉଛି ମନର ମଣିଷ—ପରସ୍ପର ସଂସ୍କୃତି ସ୍ଵଭାବର ପ୍ରତିଚ୍ଛବି ।

 

ସେଦିନ ସୁଲତା-କୁମାରୀର କଳ୍ପନାବେଶରେ ପ୍ରକାଶବାବୁଙ୍କ କଥା ଭାବିଥିଲା । ତାଙ୍କୁ ନିଜ ସ୍ଵାମୀଙ୍କ ସହିତ ତୁଳିଥିଲା ମନ ଭିତରେ । ସ୍ଵାମୀଙ୍କର ସବୁ ପ୍ରୀତି, ସହଯୋଗ, କରୁଣା ଓ ସହାନୁଭୂତି କର୍ତ୍ତବ୍ୟ ଓ ନିଷ୍ଠା ପାସୋର ଯାଇଥିଲା । ସେ ସବୁ କରିଛନ୍ତି—ସାଧ୍ୟମତେ ସବୁ କରିବେ । କିନ୍ତୁ ସେ ତା’ର ମନର ମଣିଷ ନୁହନ୍ତି ।

 

ଲୋକ ଅନ୍ୟର ମନଲାଖୀ ହେବାପାଇଁ ବହୁତ ସାଧ୍ୟସାଧନା କରିପାରେ । ସେ ସେଥିପାଇଁ ପ୍ରିୟ ହୋଇପାରେ । କିନ୍ତୁ ମନର ମଣିଷ ହୁଏ ନାହିଁ । ମନର ମଣିଷ କିଛି ନ କରି ସବୁ ଅପ୍ରିୟତା ଭିତରେ ମନକୁ ଟାଣି ନେଇପାରେ—ଦୂରଦୂରାନ୍ତର ଡାକପରି ତାର ମୂର୍ଚ୍ଛନା ସବୁବେଳେ ବାଜୁଥାଏ ।

 

ଥରକୁ ଥର ସୁଲତା ଖୋଜୁଥାଏ ପ୍ରକାଶବାବୁଙ୍କୁ—ସେ କ’ଣ ଆଉ ଆସିବେ ନାହିଁ । ଆଉ ଥରେ କଣ ବନ୍ଦ ଦୁଆର ଖୋଲିବାକୁ କବାଟରେ ହାତ ମାରିବେ ନାହିଁ । ସେ କ’ଣ ଦୁଆର ଖୋଲା ରଖିବ ସେ ଆସିବେ ବୋଲି ? —ନା, ନା । ସେ ଡାକନ୍ତୁ । ତାଙ୍କର ହୃଦୟର ପ୍ରଖରତା କବାଟରେ ଆଘାତ କରିବାରେ ବାରି ହୋଇପଡ଼ୁ ।

 

ପୁଣି ମନ କହେ ଅଫିସରୁ ଛୁଟି ନାହିଁ । ଗୋଲାମୀର ବନ୍ଧନ ଭିତରେ ଖିଆଲର ସ୍ଥାନ ନାହିଁ । ମନକୁ ବାନ୍ଧିବାର ସ୍ଵାଧୀନ ଉପାୟ ହେଉଛି—ଦାସତ୍ଵ । ନିଜର ସ୍ଵାଧୀନତାକୁ ବାନ୍ଧି ଦେଲାପରେ ତେଣିକି ପିଞ୍ଜରାର ପକ୍ଷୀପରି ମନ କାନ୍ଦୁଥାଏ । ସେଇ ମନର କାନ୍ଦଣା ରହିଯାଏ ମରଣ ପର୍ଯ୍ୟନ୍ତ ।

 

ପ୍ରକାଶବାବୁଙ୍କ ବିଷୟରେ ସୁଲତା ସବୁକଥା ମନେପକାଇଲା । ତାକୁ ଜଣାଯାଉଥାଏ ଯେପରି ଦୁର୍ଦ୍ଦାନ୍ତ ରୂପ ନେଇ ପାରିଜାତ ତାଙ୍କୁ କାବୁ କରି ପକାଇଛି । ସେ ସେଥିରେ ଛାଟିପିଟି ହୋଇ ମୁକ୍ତି ଖୋଜୁଛନ୍ତି । ସେ ମୁକ୍ତିର ବାଟ ତାଙ୍କୁ ସୁଲତା ଦେବ । ତାଙ୍କର ସବୁ ଦାଗ ସୁଲତା ଲିଭେଇଦେବ ନିଜର ହୃଦୟର ଦରଦ ଦେଇ ।

 

ସେଇ ସ୍ୱାମୀଙ୍କର ବନ୍ଧୁ।—ତାଙ୍କୁ ବିଭା ହୋଇଥିଲେ କେଡ଼େ ଭଲ ନ ହୋଇଥାନ୍ତା ।

 

ସେଇ ଟିକକ ପ୍ରଭେଦ ଜୀବନର ସୁଆଦକୁ ପିତା କରିଦିଏ । ହଠାତ୍ ମନକୁ କାଙ୍ଗାଳ କରିଦିଏ । ନ ଥୁବା ଜିନିଷ ଥରେ ଅନୁଭୂତିକୁ ଆସିଗଲେ ମନକୁ ସବୁ ଭୁଲିଯାଇ ସେତକପାଇଁ ହାଇଁପାଇଁ ହୁଏ ।

 

ଏମିତ ଉଦ୍‌ଭଟ କଳ୍ପନା ବଡ଼ ନିଷ୍ଠୁର । ଏଇ କଳ୍ପନାର ମୋହ ମଣିଷର ଚେତାକୁ କାଢ଼ିନିଏ । ସୁଲତା ଜୀବନରେ ସେଦିନ ପ୍ରଥମଥର ପାଇଁ ସେହି ଅନୁଭୂତି ଦେଖାଦେଇଥିଲା । ସେ ପ୍ରକାଶ ବାବୁଙ୍କୁ ବାରମ୍ବାର ମନ ଭିତରେ ଡାକି ଅଣୁଥିଲା ।

 

ରମୁ ଉଠି କାନ୍ଦିବାକୁ ଆରମ୍ଭ କଲା । ସୁଲତା ନିଜର ଚିନ୍ତାରେ ବାଧା ପାଇବାରୁ ବିରକ୍ତ ହେଲା ରମୁ ଉପରେ । ସୁଲତା ର ତୋଡ଼ ପାଇ ରମୁ ଚିତ୍କାର କରିବାକୁ ଆରମ୍ଭ କଲା । ଟିକକରେ ବୁଲିବି କି ଜଞ୍ଜାଳ ! ଏ ନିଆଁ ଲଗା ପିଲା ଦି’ ଟା ମଣିଷକୁ ଟିକିଏ । ବସେଇ ଦେବେ ନାହିଁ । କ’ଣ ବା ଏମାନେ ଆଣି ଅଜାଡ଼ି ପକାଇବେ ?

 

ଦୁଇଟି ପିଲାଙ୍କ କାନ୍ଦଣା ଭିତରେ ସୁଲତାର ମନର କାନ୍ଦ ଲୁଚିଯାଇଥିଲା । ନିଜର ପିଲା ନିଜର ମନ ବିରୁଦ୍ଧରେ ଯେପରି ପ୍ରତିରୋଧ ଚଳାଇଛନ୍ତି । ତାଙ୍କର କାନ୍ଦଣା ସତେ ଯେପରି କହୁଛି ମା, ଫେରିଆ । ସେଇଟା ତୋର ବାଟ ନୁହେଁ ଅବାଟ ।

 

ସୁଲତା ଚିଡ଼ି ଉଠିଲା ମନଭିତରେ । ନିଜର କଳ୍ପନା ବାଧା ପାଉଛି । ତେବେ ବି ମାଡ଼ଗାଳି ଦେଇ ସେ ମୁକ୍ତି ପାଇବାକୁ ଚେଷ୍ଟା କଲା । ମୁକ୍ତି ନାହିଁ । ମନରୁ ପୋଛି ହୋଇଗଲା ପ୍ରକାଶବାବୁ । ସେ ବାହାରର ଲୋକ । ପୁଣି ବାହାରକୁ ଚାଲିଗଲେ ।

 

ପଡ଼ୋଶୀର ସୁନ୍ଦର କୋଠାବାଡ଼ି ମନକୁ ଯେତେ ଟାଣିଲେ ବି ନିଜର ହୋଇପାରେ ନା-। ଆତୁରିଆ ମନର କୌଣସି ଉପଚାର କରିପାରେ ନାହିଁ, ସିମିତି ପ୍ରକାଶବାକୁ ଖାଲି ପ୍ରଲୋଭନ ଦେଖାଇ, ମନରେ ବିଫଳ ସ୍ମୁତି ଜଗାଇ ବାହାରିଲେ । ସୁଲତା ଜାଣିଲା ଯେ ତା’ର ଜୀବନ ବୃଥା ହୋଇଛି । ଥରେ ଏଇ ବ୍ୟର୍ଥତା ମନ ଆଗକୁ ଆସିଗଲେ ମନ ଭିତରେ ରହିଥାଏ ବହୁତ ଦିନ-

 

ସେଇ ବ୍ରଜବାବୁଙ୍କ ସଂସାରର ଯତ୍ନ କରିବାରେ ସୁଲତା ବାକି ବେଳ କଟାଇଲା । ବ୍ରଜବାବୁ ଫେରିଲେ । ତାଙ୍କୁ ଦେଖି ସୁଲତା ତା’ର ସବୁ ବ୍ୟର୍ଥତା ଆଣି ଅଜାଡ଼ି ଦେଲା ତାଙ୍କ ଉପରେ । ସେଇ ତା’ର ସବୁ ଅସୁବିଧାର କାରଣ । ତାଙ୍କରି ପିଲା ସୁଲତାର ସୁଖସ୍ଵପ୍ନ ଭାଙ୍ଗି ଦେଇଛି । ସେଇ ବ୍ରଜବାବୁ ସୁଲତାର ଭବିଷ୍ୟତକୁ କୁତ୍ସିତ କରି ଦେଇଛନ୍ତି । ସୁଲତାର ସ୍ଥାନ ଆଉ କାହାରି ପାଖରେ ନାହିଁ ।

 

ଏଇ ତେବେ କଣ ଜୀବନ ? ମଣିଷ ସିନା ନିଜକୁ ଆଉରି ଭଲରୁ ଭଲ କରିବାକୁ ଦିନପରେ ଦିନ ଲାଗିପଡ଼େ । ଖରାପକୁ ଅମଳ କରିବାକୁ ସେ ଚେଷ୍ଟା କରିବ କାହିଁକି । ସୁଖର ଆଶା କାଟିଗଲେ ଜୀବନ ଏକାବେଳକେ ଶୂନ୍ୟ ଲାଗେ । ପ୍ରକାଶବାବୁ ଶୂନ୍ୟ କରିଦେଇ ଚାଲିଯାଇଛନ୍ତି । ସେହି ଶୂନ୍ୟତା ତା ନିଜର ସ୍ଵାମୀ ପୂରଣ କରିନାହାନ୍ତି—କାରଣ ସେ ମନର ମଣିଷ ନୁହନ୍ତି । ଯଦି କେବେ ଥିଲେ—ବହୁତ ଦିନ ତଳେ । ପୁରୁଣା କଥାର କିଛି ମୂଲ୍ୟ ନାହିଁ ।

 

ପୁରୁଣା କଥା ଜୀବନର ଆକାଶରେ ଇନ୍ଦ୍ରଧନୁ ଆଣିପାରେ ନାହିଁ । ମନକୁ କେବେହେଲେ ସତେଜ ପ୍ରଫୁଲ୍ଲ କରିପାରେ ନାହିଁ । ତାରି ସ୍ପୁର୍ତ୍ତି ଖାଲି ଚେତେଇ ଦିଏ ଓ ହଜେଇଦିଏ ଯେ ଅତୀତରେ ଯେଉଁ ଟିକକ ସୁଖ ମିଳିଥିଲା ସେତିକି, ଆଉ ମିଳିବାର ଆଶା ନାହିଁ ।

 

—ମୁଁ ପାରିବି ନାହିଁ । ଏତେ ବଡ଼ କୁଟୁମ୍ବଙ୍କୁ ଦିନରାତି ହେପାଜତ୍‌ କରି ପାରିବି ନାହିଁ । ଖରାବେଳେ ଗୋଟିକଯାକ ଏଇଦୁଇଟିଙ୍କୁ ବୁଝେଇ ମୁଁ ଆକ୍ରାନ୍ତ ହୋଇପଡ଼ିଛି ।

 

—କଣ କଲେ କି ସେମାନେ ? କରେ ରମୁ ?

 

—ବହୁତ ଅକଲ ତମର ? ରମୁ ତୁମକୁ କହିବ । ତମର ଯେତିକି ତା’ର ସେତିକି । ସୁଲତାର କଥାଗୁଡ଼ିକ ନିଜର ବ୍ୟର୍ଥ ତାରେ ଅତି ଶ୍ରୁତିକଠୋର ହୋଇଯାଇଥିଲା ।

 

ନରମିଯାଇ ବ୍ରଜବାବୁ କହିଲେ—ସଂସାରର ବନ୍ଧନ ହେଉଛି ଜଞ୍ଜାଳ । ଜଞ୍ଜାଳରେ ଲାଭ ନାହିଁ । କ’ଣ କରିବି କୁହତ ।

 

—ତମେ ଜାଣିଥିବ । ମୁଁ ତ ଜଞ୍ଜାଳ ଖୋଜି ନ ଥିଲି । ଏତେ ମୁଁ ଧନ୍ଦି ହୋଇପାରିବି ନାହିଁ ।

 

—ଆଉ କଣ ଛୁଟି ନେଇଥାନ୍ତି ? ଚାକିରୀ ନ କଲେ ଖାଇବ କ’ଣ ?

 

ମନର ଅଶାନ୍ତିଠାରୁ ପେଟର ଭୋକ ବଡ଼ ନୁହେଁ । ଦୁଆରେ ପ୍ରକାଶବାବୁଙ୍କ ପାଟି ଶୁଭିଲା—ଆମେ ଆସିଗଲୁ । ଆମେ ପ୍ରକାଶ ।

 

ସୁଲତା ନିଜର ଦେହ ଉପରର ଲୁଗାକୁ ସଜାଡ଼ିଦେଇ କହିଲା—ହେଇ ଆସିଲେଣି । ସେ ବି ଜଞ୍ଜାଳ କରିବେ ।

 

ବ୍ରଜବାକୁ ନିରୁତ୍ସାହ ଗଳାରେ । କବି କହିଲେ—ଆଜି ବଡ଼ ଅପୂର୍ବ । ଏତେ ଦିନେକେ ।

 

—ଚାଲିଆସିଲି ପରା । ଅଫିସ ପରେ ପରେ । ଆମ ସୁଲତା ଦେବୀ ଏଡ଼େ ବଢ଼ିଆ ଚା’ କରନ୍ତି ଯେ ମୁଁ କହିଲି କପେ ଖାଇ ଦେଇଯାଏ । ପାରିଜାତ ତା’ର ଜଗୁଥାଉ ଘର ଭିତରେ ବସି । ଟିକିଏ ସଅଳ ବରାଦ କରିଦିଅ ।

 

ସୁଲତାର କଠୋର ବଚନ ଲେଉଟାଇ ଦେବାକୁ ବ୍ରଜବାବୁ ପ୍ରକାଶବାବୁଙ୍କୁ କହିଲେ—ଛି, ଏତେ ବର୍ଷ ପରେ ବି ତମର ସ୍ତ୍ରୀକୁ କହିବା ଉଚିତ ନୁହେଁ—ନଈମଝିରେ ନାଉରି ସାଙ୍ଗରେ କଳି କରିବା ଯାହା, ଇଏ ବି ସେୟା ।

 

ହସି ପ୍ରକାଶ କହିଲେ—କଳି ଯଦି କରିବ, ନିନ୍ଦା ଯଦି ଗାଇବ କ’ଣ ଡଙ୍ଗାରେ ଚଢ଼ିବା ଆଗରୁ ? ମୁଁ ସେମିତି ବୋକା ନୁହେଁ । ଘର କଲି ଘରଣୀଙ୍କ ପାଇଁ, ସେଇ ଘରକୁ ଆମ ଘରଣୀ ବିଷ କରି ଦେଇଛନ୍ତି । ତାଙ୍କୁ ଲୁଚେବାକୁ ଯାଇ ପାଇଖାନାରେ ଟିକିଏ । ବସିଗଲେ ମଧୁର ଡାକ ଆରମ୍ଭ ହେଲା—କ’ଣ ଏତେ ଉଛୁର । ଆମଆସିଆ ଧରିଛି କି ? ଏଥୁରେ କ’ଣ କରିବ କୁହ ?

 

—ୟେ’ତ ତମର ଭାଗ୍ୟ ।

 

ଆଢ଼ୁଆଳରେ ଥାଇ ସୁଲତା ଗାରୁଗାରୁ ହେଉଥାଏ । ଭାରି ଚିହ୍ନରା ଲୋକ ନା ଉପଦେଶ ଦେଉଛନ୍ତ ବନ୍ଧୁଙ୍କୁ, ଏଣେ ନିଜକୁ ବୁଦ୍ଧି ଅଣ୍ଟୁ ନାହିଁ ।

 

ପ୍ରକାଶ କହିଲା ଦୀର୍ଘ ନିଶ୍ୱାସ ପକାଇ—କିଏ ଯଦି ମୋ ଭାଗ୍ୟ ନେଇଯାନ୍ତା ମୁଁ ଟିକିଏ ନିଶ୍ୱାସ ମାରନ୍ତି । ବେଣିଗୁଡ଼ାଏ ସୌଭାଗ୍ୟ ହୋଇଗଲେ, ଘରଣୀଙ୍କ ଯତ୍ନ ଅତିରିକ୍ତ ହୋଇଗଲେ ସଂସାରଟା ବିଷ ହୋଇଯାଏ । ଗୁଇନ୍ଦା ପୋଲିସ ପରି ଦିନରାତି ପଛେ ପଛେ ଧାଇଁଲେ ମନରେ ଆସେ—ତମେ ଗୋଟିଏ ଚୋର ।

 

—କାହିଁକି ଆଜି ବଡ଼ ବିରକ୍ତ କି ? ଘରେ କଣ କଳି ଲାଗିଛି ?

 

—ନା, ନା, ମତେ ତାକୁ ଦେଖିଲେ ସବୁବେଳେ ମନେ ହେଉଛି ଯେମିତି ଆମେ କୋଉ ଜନ୍ମରୁ କେଜାଣି ଏମିତି କେଞ୍ଚା କେଞ୍ଚି ହେଉଥିଲୁ । ମୁଁ ତ ଜାଣି ନ ଥିଲି ଯେ ସ୍ତ୍ରୀ ଏମିତି ବାନ୍ଧି ଦେଇପାରେ । ନିଜେ ବନ୍ଧାହୋଇ କଣ ବୁଝି ନ ଥିବ ଯେ ।

 

ବ୍ରଜବାବୁ ଚାହିଁ ରହିଲେ ପ୍ରକାଶ ମୁହଁକୁ । ଏତିକି କଥା ସେ ଯେବେ ସୁଲତାକୁ କହିଥାନ୍ତେ ତେବେ ଝଡ଼ି ଗତିରେ ସୁଲତାର ଆକ୍ରମଣ ଆରମ୍ଭ ହୋଇଥାନ୍ତା । ସୁଲତାର ଦୃଷ୍ଟି ଆକର୍ଷଣ କରିବାକୁ ଦି’ ପାଦ ଆଗକୁ ଘୁଞ୍ଚିଯାଇ ପ୍ରକାଶବାବୁ କହିଲେ—ପଦେ କଥା ନାହିଁ ? ପରର ଭଲ ମନ୍ଦରେ ପାଟି ଫିଟୁ ନାହିଁ । ସତେ ବ୍ରଜବାବୁ ତମେ ଭାରି ସୁଖୀ, ଭାରି ଭାଗ୍ୟବାନ୍ ।

 

ବ୍ରଜବାବୁଙ୍କ ବୁକୁ ଫୁଲିଉଠିଲା ଗର୍ବରେ । ସେ ଦରିଦ୍ର ହେଲେ ମଧ୍ୟ ଧନୀ । ତାଙ୍କର କିଛି ନାହିଁ—ଅଛି ଖାଲି ସୁଲତା । ସେଇ ତାଙ୍କର ପ୍ରୀତିର ଉତ୍ସ—ଆଉ ଅହଙ୍କାର ଜିନିଷ ।

 

—ସେ କ’ଣ କଥା କହନ୍ତି ନାହିଁ ? ଲାଜର ଆଢ଼ୁଆଳରେ ସେମିତି କଣ ସବୁଦିନେ ଲୁଚିଥିବେ ? ଆହେ ଭଗବାନଙ୍କର ଶୁଭ ଆଶୀର୍ବାଦକ କାହିଁକି ବୃଥା କରିଦେଉଛ ? ଗଳାର ମଧୁରତା, ବୁଦ୍ଧିର ସରଳତା ଏମିତି ଲୁଚେଇ ରଖିଲେ ମାଟିତଳର ସୁନାଖଣି ପରି ସବୁ ହୋଇଯିବ ମାଟି । ସୁଲତା ଦେବୀଙ୍କୁ ସେ ଥରେ ଚିହ୍ନିବ, ସେ କଣ କେବେ ତାଙ୍କୁ ଭୁଲିପାରିବ ? ଆମର ଦରିଦ୍ରର ସଂସାରରେ ଏମିତିକା ଘରଣୀ ହେଉଛନ୍ତି ଭାଗ୍ୟବାନ ପ୍ରତି ଈଶ୍ଵରଙ୍କର ଆଶୀର୍ବାଦ ।

 

ସୁଲତାର ବୁକୁ ଫୁଲି ଉଠୁଥିଲା ଗର୍ବରେ । ଯେଉଁ ଭାବନାର ଝିଅକୁ ରାମୁ ଆଉ ବୁଲୁ ପାସୋରାଇ ଦେଇଥିଲେ ସେତକ ପ୍ରକାଶବାବୁ ପୁଣି ଯୋଡ଼ି ଦେଇଛନ୍ତି । ଛିଣ୍ଡିଯାଇଥିବା ଫୁଲର ହାର ପୁଣି ଗଣ୍ଠି ପଡ଼ିଛି । ସେଥିରେ ଅନ୍ତରାୟ ହେଉଛନ୍ତି ନିଜର ସ୍ଵାମୀ ।

 

ଏକୁଟିଆ ବସି ବସି ନିରିମାଖୀ କଳ୍ପନାଗୁଡ଼ିକୁ ଆଉଁସିଲାବେଳେ ବ୍ରଜବାବୁଙ୍କ ପିଲା ଦୁଇଟି ଯେମିତି ବିଘ୍ନ, ଆଣି ପହଞ୍ଚେଇଥିଲେ, ସେଇ କଳ୍ପନାର ଫୁଲକୁ ହାତରେ ଧରିବାକୁ ଗଲାବେଳେ ପୁଣି ବ୍ରଜବାବୁ ଠିଆ ହୋଇ ବାଧା ଦଉଛନ୍ତି ।

 

ଯାହା ତା’ର କରିବାକୁ ଇଚ୍ଛା, କରିପାରିବ ନାହିଁ, ଯାହା ତା’ର କହିବାର ଇଚ୍ଛା, କହିପାରିବ ନାହିଁ, କାରଣ ସେ ସ୍ତ୍ରୀ—ସେ ବିଭା ହୋଇଛି ।

 

—କଣ ଡେରି ହେବ ? ଯିବା । ଆଜି ଖରାପ ଯୋଗରେ ସକାଳୁ ପାରିଜାତିଙ୍କର ସୁନ୍ଦର ମୁହଁକୁ ଚାହିଁ ଆଖି ଖୋଲିଥିଲି । ଦେଖିବା କେଉଁଠି ସୁବିଧା ହେଉଛି !

 

ବଜ୍ରବାବୁ ଚଞ୍ଚଳ ହୋଇ କହିଲେ—ନାହିଁ ନାହିଁ, ସେ ଟିକିଏ ବିରକ୍ତ ଅଛନ୍ତି ପରା । ମତେ ଶାସନ କରୁଥିଲେ—ସେତିକିବେଳେ ତୁମେ ଠିଆ ହୋଇଛ ।

 

ବଡ଼ ପାଟିରେ ହସି ପ୍ରକାଶ ବାବୁ ଆଉ ପାଦେ ସୁଲତାଙ୍କ ଆଡ଼କୁ ଘୁଞ୍ଚାଯାଇ ମୁଖଭଙ୍ଗୀ କରି କହିଲେ—ଦେଖେଁ କେମିତିକା ହାକିମ, କଡ଼ା ନା ମିଠା—ନାହିଁ ମିଠା ତ । ସେ କଣ ଶାସନ କରିବେ ? ତାଙ୍କର ତ ତୁଣ୍ଡ ଫିଟେ ନାହିଁ । ମୁହଁ ଉଠେ ନାହିଁ । ଠିଆ ହେଲେ ଚାଲିପାରନ୍ତି ନାହିଁ । ସେ ତ ଅପାରଗ । ଗସ୍ତ କରି ନ ପାରିଲେ, କଳି କଲାପରେ ଚିଲେଇ ନ ପାରିଲେ ସେ କି ହାକିମ-? ହୋ ବାବୁ, ଥରେ ଚାଲ ଆମ ମାଷ୍ଟ୍ରିଆଣୀଙ୍କ ପାଖକୁ । ତମୁକୁ ଘରେ ଏମିତି ତାଲିମ କରିଦେବେ ଯେ ତମର ଗଳା ଖୋଲିଯିବ । ଦେହରେ ଆସିବ ଭୀମର ବଳ । ମୋ’ ପରି ତମେ ପବନ ବେଗରେ ଘରୁ ଛୁଟି ବାହାରିବ ।

 

ସୁଲତା ହସି ଉଠିଲା । ହସ ସମ୍ଭାଳିବା ପୂର୍ବରୁ ପ୍ରକାଶବାବୁ କହିଲେ—ଏମିତି ଦୁନିଆଯାକ ଲୋକହସା ହେଲି । ତମେ କାହିଁକି ସେଥିରୁ ବାଦ୍‍ ପଡ଼ିବ ? —ହସ । ମଣିଷ ଅପରର ଦୁଃଖ ଦେଖିଲେ ଯେପରି ହସିପାରେ ସେପରି ହସ ଆଉ କେଉଁଥିରେ ପାଏ କି ?

 

ବ୍ରଜବାବୁ ପ୍ରକାଶବାବୁଙ୍କର କଥା ଶୁଣି, ପବନ ବେଗରେ ଛୁଟିବା କଥା ମନେପକାଇ ପୁଣି ଥରେ ହସିଲେ ।

 

—ବାଃ, ତମର ବି ଆଉ ଥରେ ? ତମେ ତ ଭଲ ବନ୍ଧୁ ! ଏଡ଼େ ଦୁର୍ଗତିରେ ଥାଇ ମଧ୍ୟ ମତେ କିଛି ବା ନାହିଁ । ଘରଣୀଙ୍କ ମନହଣା କଥା ଯେ ସହିଛି, ସେ ଦୁନଆର ହସକୁ ଖାତିର କରେ ନାହିଁ ।

 

ସୁଲତା ଚାଲିଲା ରୋଷେଇ ଘରଆଡ଼େ । ତା’ର ଓଠରେ ହସ । ଗଲାବେଳେ ବ୍ରଜବାବୁଙ୍କ ଅଲକ୍ଷ୍ୟରେ ପ୍ରକାଶବାବୁଙ୍କୁ କହି ଦେଇ ଯାଇଥିଲା—ସେ ସବୁ ବୁଝିଛି ।

 

ବସି ବସି ଚା’ ଖାଇଲାବେଳେ ପ୍ରକାଶବାବୁ ସୁଲତାକୁ ପାନର ବରାଦ କଲେ । ଅଳ୍ପଚୂନ ଦେବ । ଖଇର ଧାପେ । ମଝିଲା ଗୁଆ । ଟିକିଏ ପିପରମେଣ୍ଟ । ସୁଲତାର ହାତରେ ଗୁଆକାତି ବନ୍ଦ ହୋଇଗଲା । ପିପରମେଣ୍ଟ ନାହିଁ । ତାକୁ ଅପଦସ୍ତ କଲେ ବ୍ରଜବାବୁ—ଟିକିଏ ବି ଅକଲ ନାହିଁ-। ଇଏ ପୁଣି କରିବେ ଘର । କାନ୍ଥମାନେ ଯଦି ଘର କରୁଥାନ୍ତେ ତାହାହେଲେ ଆଉ ଥିଲା କଣ-?

 

ସୁଲତାର ହାତ ବନ୍ଦ ହେବାରୁ ପ୍ରକାଶବାକୁ ଡାକି କହିଲେ–କିହୋ, କ’ଣ ଗୁଆ ନାହିଁ କି-? ନ ଥିବ ତ । ଆଜିପରା ପାରିଜାତ ମୁହଁ ଚାହିଁ ଉଠିଥିଲି । ଥାଉ ଥାଉ ।

 

ବ୍ରଜବାକୁ ଆଗେଇଗଲେ ସୁଲତା ପାଖକୁ । ସୁଲତା ପିପରମେଣ୍ଟ୍‌ ନାହିଁ ବୋଲି କହିଲା ବେଳେ ପ୍ରକାଶବାବୁ ତାଙ୍କରି କଥା ଉପରେ କହିଲେ—ହଉ ସେମିତି ଦେଇଦିଅ । ଏଥିରେ ଏବେ ଏତେ ଲୁଚାଛପା କାହିଁକି ?

 

ସୁଲତାର ମୁହଁ ଝଟକି ଉଠୁଥିଲା । ସଫଳତାର ଓ ପରିପୂର୍ଣ୍ଣତାର ଆନନ୍ଦରେ—ଦୁହିଁଙ୍କ ଭିତରେ ବ୍ୟବଧାନ ମିଳେଇ ଯାଇଛି । ଏଇଠୁ ଗୋଟିଏ ଅଧ୍ୟାୟ ଆରମ୍ଭ ।

 

ବାଧା ହଟିଛି । ସଙ୍କୋଚ କଟିଯାଇଛି । ବାସନା ବୋତଲ ପରି ଧୀରେ ଧୀରେ ସୁଲତା ଫିଟି ବାହାରିଲା । ପ୍ରକାଶବାବୁଙ୍କୁ କହିଲା—ଠିଆହେଲେ ଯେ । ଏଇଟା କଣ ଆପଣଙ୍କ ଘର ନୁହଁ-?

 

—ହଁ ତ, ଖାଲି ମୋରି ଘରଟି ଛାଡ଼ି ଦୁନିଆର ସବୁ ଘର ମୋର । ନିଜ ଘରେ ପରା ରହିପାରେ ନାହିଁ ।

 

—ଖାଉଛନ୍ତି କୋଉଠି ? ଶୋଉଛନ୍ତି କୋଉଠି ?

 

—ଓ, ଏଇକଥା ! ଦୁନିଆର ବାସ୍ତୁରାଙ୍କୁ ଦେଖିଛ ? ମାଗି ବୁଲନ୍ତି । ପର ଓଳିରେ ଖାନ୍ତି-। ପୁଣି ତ ଶୁଅନ୍ତି ସରକାରୀ ଘରେ । ରେଳଷ୍ଟେସନର ବେଞ୍ଚରେ, ନଇଲେ କାହା ପିଣ୍ଡାରେ । ମୁଁ ତ ଘର ଭଡ଼ା ନେଇଛି । ସେଇଠି ଯାଇ ଶୁଏ । ଚାଉଳ ଡାଲି କିଣୁଛି । ଘରେ ଖାଏ । ସେଇଟା ହୋଟେଲ ନୁହେଁ । ଘର ବି ନୁହେଁ । ଆଉ ରହୁଛି ବା କେତେବେଳ । ସବୁଯାକ ତ ଅଫିସ ଟାଣି ନେଉଛି ।

 

ମୋର ଏ ବି ତ ଘର—କହି ତଳେ ବସିପଡ଼ିଲେ ।

 

ସୁଲତା ସେତେବେଳେ ଶଂକିଯାଇ ଭାବୁଥିବେ—କେତେ ଶୀଘ୍ର ଇଏ ଆଗେଇ ଆସୁଛନ୍ତି । କ’ଣ ୟାଙ୍କ ମନରେ ଅଛି କେଜାଣି । ବ୍ରଜବାବୁ କଣ ଭାବୁଥିବେ କେଜାଣି ।

 

ଦଣ୍ଡ କବାଟ ଭିତରୁ ପାଟି ଶୁଭିଲା ।—ବାଃ, ଏଠି ପ୍ରକାଶ ଆସି ଜୁଟିଲେଣି । ଆଉ ମୁଁ ଖୋଜୁଛି ତେଣେ—କହି କହି ରମାନାଥବାରୁ ଭିତରକୁ ଆସିଲେ । ରମାନାଥବାବୁ ଅପରିଚିତ ନୁହନ୍ତି । ସୁଲତାର ସମ୍ପର୍କୀୟ ଲୋକ । ମଝିରେ କେଇ ବର୍ଷ ଭୁଲି ଯାଇଥିଲେ ସୁଲତାକୁ ।

 

ଅଭିମାନରେ ସୁଲତା ଉଠିଗଲା ଘର ଭିତରକୁ । ରମାନାଥବାବୁ ଯେମିତି ନ ଦେଖନ୍ତୁ ଯେ ସୁଲତା ସେଠି ପ୍ରକାଶବାବୁଙ୍କ ସାଙ୍ଗରେ ଏକାଠି ବସିଥିଲା ।

 

—କଥା କଣ କି ପ୍ରକାଶବାବୁ, ତମେ ଠିକ୍ ଅଫିସ ଛାଡ଼ିଲାବେଳକୁ ମୁଁ ଯାଇ ପହଞ୍ଚିଲି । ମୋର ଡେରି ହୋଇଗଲା ବାଟରେ । ତୁମେ ଚାଲି ଆସିଲଣି । ସେଇଠୁ ମନେପଡ଼ିଲା ଅନେକଦିନ ହେଲା ଏଠିକି ଆସି ନାହିଁ । ମୁଁ ବ୍ରଜବାବୁଙ୍କ ସାଙ୍ଗରେ ଟିକିଏ ହୋଇଯାଏ ।

 

ବ୍ରଜବାବୁ ଚିହ୍ନି ନଥିଲେ ରମାନଥବାବୁଙ୍କୁ । ସେ ଚାହିଁ ରହିଲେ । ଏଇ ଆତ୍ମୀୟତାର ସୂଚନା ଦେଖି ପ୍ରକାଶ ମଧ୍ୟ ବୁଝିପାରିଲେ ନାହିଁ ।

 

ହସି ରମାନାଥବାରୁ କହିଲେ—ଏ ସଂସାରରେ ମଣିଷ କେବଳ ମଣିଷ ପରିଚୟ ଖୋଜେ । ଆପଣ ଚିହ୍ନି ନାହାନ୍ତି ବୋଧହୁଏ । ଆପଣଙ୍କ ସ୍ତ୍ରୀ ଚିହ୍ନିବେ ।

 

ସୁଲତା କେବେ ରମାନାଥବାବୁଙ୍କ କଥା କହି ନ ଥିଲା ବ୍ରଜବାବୁଙ୍କୁ । ସେ ତ ଦୂର ସମ୍ପର୍କର ଲୋକ । ତାଙ୍କୁ ବନ୍ଧୁ ତଳେ ହିସାବ କରିହେବ ଆଉ ବି ଛାଡ଼ିଦେଇ ହେବ ।

 

—ସୁଲଭା ଟିକିଏ ଆମକୁ ପରିଚୟ କରେଇ ଦେ । ସୁଲତା ଘର ଭିତରେ ଥରେ ଲୁଗା ସଜାଡ଼ିନେଲା—ବହୁତ ଦିନ ପରେ ଦେଖା । ସେ ତ ଜାଣେ ନାହିଁ ଏବେ ରମାନାଥ ବାବୁଙ୍କର ସମସ୍ତ ଖବର ।

 

ପ୍ରକାଶ ହସି କହିଲେ—ଆହେ ଘର ଭିତରେ ରହିଗଲ ଯେ । ତମର ବନ୍ଧୁ, ଲୋକ—ତମର ବର ଚିହ୍ନି ପାରୁ ନାହାନ୍ତି ତାଙ୍କୁ । ସେ ଚିହ୍ନିଛନ୍ତି ସମସ୍ତଙ୍କୁ ।

 

ସୁଲତା ଦୁଆରବନ୍ଧକୁ ଆଗେଇ ଆସି ଓଳଗି ହେଲା—ଏଇ ରମାନାଥ ଭାଇ । ରମାନାଥବାବୁ ବଡ଼ ଖୁସି ହୋଇ ଆଶାର୍ବାଦ କଲେ ।

 

ରମୁ, ବୁଲୁ ଖେଳୁଥାନ୍ତି । ସୁଲତା ତେଣେ ଚାହିଁବାରୁ ବ୍ରଜବାବୁ ଡାକିଲେ—ରମୁ ଏଣେ ଆ । ମାମୁଁ ଆସିଛନ୍ତି । ରମୁ ମୁହଁ ଟେକି ଚାହିଁଲା ।

 

ରମାନାଥ ଚମକି ପଡ଼ିଲା । ସୁଲତା ତେବେ ଭୁଲିନାହିଁ । ପୁଅର ନାଁ ରମାନାଥ ଦେଇଛି-। ପିଲାଦିନେ ଡାକୁଥିଲା ରମୁଭାଇ ବୋଲି । ଏବେ ରମୁ ତା’ରି ପୁଅ ।

 

ହଠାତ୍‌ ତାଙ୍କ ମନରେ ବହୁତ ଦିନର ବହୁତ କଥା ଝଟକିଉଠିଲା । ସୁଲତା ମଇଳା ପଡ଼ିଆସିଲାଣି । ସେତେବେଳେ ସେ ବିନା କାରଣରେ କଥା କହୁଥିଲା । ଏବେ କାରଣ ଥାଇ ବି କଥା କହୁନାହିଁ । ତା’ର ରମୁଭାଇ ଏକାବେଳକେ ପାସୋର ଯାଇଛି ।

 

ସେ କଥା କହିବାର ବାଟ ନାହିଁ । ସୁଲତାର ବିଭାଘର ବେଳେ ରମାନାଥ ସେମାନଙ୍କର ଖବର ରଖିନ ହିଁ । ବିଭାଘର ଆଗରୁ ବି ସେ ଦୂରେଇଗଲାଣି । ତେବେ ସୁଲତାକୁ ରମାନାଥ କେତେ ଭଲ କରି ଚିହ୍ନେ, ସେଇଟା ଗୋଟିଏ ଅତୀତର କଥା ।

 

ସୁଲତା ଓ ରମାନାଥ ଦୁହିଁଙ୍କ ମନରେ ସେହି ଅତୀତର ଦୁଃସ୍ଵପ୍ନ ଖେଳିଯାଉଥିଲା । ଯାହା ଯାଇଛି ତା’ର ପୁନରାବୃତ୍ତି ନ ହେଉ ।

 

ଚାଲିଯାଉଥିଲା କୈଶୋରର ପ୍ରଥମ କୌତୂହଳ ଦୁହିଙ୍କର ଦୁହିଙ୍କ ଉପରେ । ସେ ଦିହେଁ ଗଢ଼ିଥିଲେ ତାଙ୍କର ଛୋଟିଆ ସଂସାର । ରମାନାଥ ଥିଲା ଗୁରୁ । ସୁଲତା ଥିଲା ଭକ୍ତ ।

 

ସୁଲତା ତାଙ୍କରିଠାରୁ ଶିଖିଥିଲା, ଜାଣିଥିଲା ସହର ବିଷୟରେ । ତାଙ୍କରି ସାଙ୍ଗରେ ପୁଣି ଦେଖା ଅସମୟରେ । ସୁଲତାକୁ ସୁଖ ଲାଗିଲା ନାହିଁ ।

 

ହସି ରମାନାଥ ବାବୁ କହିଲେ—ଯାହାହେଉ ଅନେକ ଦିନ ପରେ ପୁଣି ସୁଲତାକୁ ଦେଖିଲି । ତା’ର ପିଲା ଦୁଇଟିଙ୍କୁ ବି । ଏଇ ଭିତରେ କେତେବର୍ଷ ଚାଲିଗଲାଣି । ଆଲୋ ସୁଲତାକୁ କେଇବର୍ଷ ହେଲା ?

 

ଗମ୍ଭୀର ଅଭିମାନରେ ସୁଲତା କହିଲା—କେଜାଣି । କେତେ ଦିନ ହେଲାଣି ତମର କିଛି ସେତେକର ଶବ୍ଦ ନାହିଁ । ଆମେ ସବୁ ଅଛି କି ଗଲୁଣି ସେତକର ଖବର କିଏ କେବେ ରଖିଲା ଯେ–

 

ପ୍ରକାଶ ବାବୁ ହସି କହିଲେ—ଏଇ କଥାକୁ ଛଳ । ତମେ ପିଇଲୋକ ବୋଲି ବୁଝି ନାହିଁ-। ଏ ସଂସାରରେ କିଏ କାହାର ଖବର ରଖେ ? ଯାହାର ଯୋଉଠି କାମ ଅଛି, ଖବର ରଖିଲେ ତ ବର୍ଷକୁ ଛ’ଖଣ୍ଡ ଲଫାପା ଖର୍ଚ୍ଚ । ବନ୍ଧୁ ଯେତେବେଳେ, ଭାର ବେଭାର ଅଛି, ନ ରଖିଲେ କ’ଣ ହେଲା ? ସଙ୍ଖୋଳି ଆସିଛନ୍ତି ତ । ପ୍ରକାଶକୁ ଭଲ ଲାଗୁ ନ ଥିଲା ରମାନାଥର ସେ ଦିନର ସେଠିକି ଆସିବା ।

 

ସୁଲତାର ଦେହରେ କିଏ ଯେପରି ଛୁରୀ ଚଳେଇଦେଲା । ତା’ର ପ୍ରିୟ ରମାନାଥ ଭାଇଙ୍କୁ ଏଇ ବିଦ୍ରୂପ । ତାଙ୍କର ମୁହଁ ଶୁଖିଯାଉଛି ।

 

ଗଳା ସଫା କରି ସୁଲତା କହିଲା—ସବୁ ଦୋଷ ପରା ଆମ ଘରର । ଭାରି ତରବରରେ ବାହାଘର ହେଲା ବୋଲି ସମସ୍ତଙ୍କୁ ଖୋଜିଲୋଡ଼ି ପାରିଲେ ନାହିଁ । ସେହିଦିନୁ କେମିତି ଛିଣ୍ଡାଛିଣ୍ଡି ହୋଇଗଲା । ଆମେ ବି କେବେ ପଚାରିଗଲୁ ଯେ—

 

ବ୍ରଜବାକୁ କହିଲେ—ମୁଁ ତ ଜମା ଜାଣେ ନାହିଁ ତାଙ୍କ କଥା ।

ଲଜ୍ଜିତ ସ୍ୱରରେ ରମାନାଥ ପଚାରିଲେ—ସୁଲତା କ’ଣ କହିନାହିଁ କେବେ ମୋ କଥା ?

ସୁଲତା ଚମକି ପଡ଼ିଲା । ରମାନାଥ ଭାଇ ଯେମିତି ପୁରୁଣାଦିନର ପୁରୁଣା କଥାଗୁଡ଼ିକ ଠେଲିଦେଉଛନ୍ତି ଉପରକୁ । କ’ଣ ବୋଲି ସୁଲତା କହିଥାନ୍ତା—କହିଥିଲେ କ’ଣ ଭଲ ହୋଇଥାନ୍ତା-?

ସୁଲତାକୁ ଚୁପ୍‍ ରହିବା ଦେଖି ରମାନାଥ ବାବୁ କହିଲେ—ତୋ ନାଁ କିଏ ଦେଲା ସୁଲତା–ମୁଁ ନୁହେଁ ? ତୋତେ ଲତାରୁ ସୁଲତା ମୁଁ ପରା କରିଥିଲି । ତତେ ଗାଉଁଲିରୁ କିଏ କାଢ଼ି ଆଣିଲା, କେବେ କହିନାହୁଁ ୟାଙ୍କୁ ?

ସୁଲତାର ମୁହଁ ଉପରେ ଆଶଙ୍କା ଉଦବେଗ ଖେଳି ଯାଉଥାଏ । ଇସ୍, ମୋଟେ ହିତାହିତ ଜ୍ଞାନ ନାହିଁ । ପଛକଥା କହି ହୁଏ ନାହିଁ । ପଛକଥାକୁ ଖୋଳିତାଡ଼ି ଖେଳେଇବା ବୃଥା ମନସ୍ତାପ । ୟେ’ ତ କହୁ କହୁ କ’ଣ କହିବି କେଜାଣି ।

ସୁଲତା ହଠାତ୍ ଏଇ ଗୋଳମାଳ ଘୁଞ୍ଚାଇଦେବାକୁ କହିଲା—ହଉ ଥାଉ ସେ ଗାଁ କଥା । କେବେ ଆସିଲେ ? କୋଉଠି ଅଛନ୍ତି ?

—କୋଉଠି ଆଉ ଥିବି ? ସରକାରୀ ଚାକିରିଆ ନିଜ ଯାଗାରୁ ବାହାରିଲେ ହୋଟେଲରେ ରହେ । ପଢ଼ିଲାବେଳେ ଆଶା ରଖିଥିଲି ଚାକିରୀ କରିବାକୁ । ଚାକିରୀ ମିଳୁଛି ଆଉ ତାକୁ କରୁଛି ।

 

—ଭଲରେ ଥିବେ ତ ? ବଡ଼ ଚାକିରୀ ।

 

ପ୍ରକାଶ ମଝିରେ ପଶି କହିଲା—ବଡ଼ ଗଛର ବଡ଼ ତାଳପରି ବଡ଼ ଚାକିରୀରେ ବଡ଼ ଗୋଲାମୀ । ଯିଏ କରେ ସିଏ ବୁଝେ ଆମ ଛୋଟ ଚାକିରିଆଙ୍କର ଶହେ ଗୁଣେ ଭଲ । ଡର କମ୍ । ଦାୟିତ୍ଵ ଉଣା । କାମ ବି ଅଳପ । ଖାଲି ପୋଷାକ ଯାହା ମଇଳା । ଆଉ ବଡ଼ ଚାକିରିଆଙ୍କର ପୋଷାକ ଯେମିତି ଚକ୍‌ଚକ୍, ଡର ସେମିତି ବେଶି । ଦାୟିତ୍ଵ ବେଶି । ଆଉ କାମ କରି ଜାଣିଥିଲେ ସିଏ ବି ବେଶି । ସେମାନେ ଭଲରେ କୁଆଡ଼ୁ ରହିବେ ?

 

ରମାନାଥ କିଛି କହିପାରିଲେ ନାହିଁ । ଆସିଥିଲେ ଚାକିରୀ ବିଷୟରେ ବୁଝିବାକୁ । ଆସିବା ଆଗରୁ ତଲାସ ନେଇ କିଏ କୋଉଠି କ’ଣ କରୁଛନ୍ତି—ସେଇ ଖବର ନେଇଥିଲେ । ସେ ସେଦିନ ସେଥିପାଇଁ ଆସିଥିଲେ ସୁଲତାକୁ ଖୋଜିବାକୁ—ପିଲାଦିନର ସୁଲତା—ଗାଁର ସୁଲତା ।

 

ସୁଲତା ଭଲରେ ଅଛି । ବା’ର ଲୋକଙ୍କ ଭିତରେ ହାଟ ବସାଇ ସହରକୁ ଚାଲିଛି । ସେ କହିବାକୁ ପହଞ୍ଚୁଥିଲେ—ସୁଲତା ସହର ଖୋଜୁଥିଲୁ ପାଇଲୁ । ପରାଖିଥିବୁ ସହର କି ଜିନିଷ । ସୁଲତା ଆଡ଼କୁ ଚାହିଁ ମୁହଁ ଫେରାଇନେଲେ । ସୁଲତାର ଆଖି ମଳିନ ଦିଶୁଥିଲା । ବହୁତ ପ୍ରକାରର ଭାବନା ଆଖିପତା ଉପରଦେଇ ଏ ପାଖ ସେ ପାଖ ହେଉଥିଲା !

 

ସମସ୍ତେ ଚୁପ୍‍ଚାପ୍ । ରମାନାଥ ଚାହିଁଲେ ସମସ୍ତଙ୍କ ମୁହଁକୁ । ସମସ୍ତେ ଯେମିତି କହୁଛନ୍ତି–ଏଇ ରମାନାଥ ଜଣକ କିଏ ? ପାଖରେ ଥୁଆ ହୋଇଥିବା ଖାଲି ଚା’ କପ୍‌ଚାହିଁ ରମାନାଥ ଭାବିଲା—ଏଇ ଚା’ କପ୍‍ ହେଉଛି ସଂସାର—ଯୋଉ କପ୍‌ ଖାଲି ହୋଇଗଲା ସେ ହେଲା ଅଦରକାରୀ ।

 

ପଚାରିଲା—କ’ଣ ସମସ୍ତେ ତୁନି ରହିଲି ଯେ ! ମୁଁ ତ ଜାଣି ନ ଥିଲି—ଆସିଗଲା । ଗଳାର ସ୍ଵରରେ ଆହତ ଅଭିମାନ । ସୁଲତା କିଛି କହିଲା ନାହିଁ ।

 

ମେଲା ଦୁଆର ଆଡ଼କୁ ଚାହିଁ ରମାନାଥ ଉଠିଲେ । ସୁଲତା ଚମକିପଡ଼ି କହିଲା—ଉଠିଲେ କ’ଣ ? ଏଠି ରହିବେ ।

 

—ଏଠି ? ହୋଟେଲବାଲା ଗାଳି ଦେବ । ସେ କ’ଣ ଛାଡ଼ିବ ତା’ର ଗରାଖକୁ ?

 

—ଛାଡ଼ ନ ଛାଡ଼ ଏମିତି ପର ପରି କ’ଣ କଥା କହୁଛନ୍ତି । ଆମେ ଗରିବ ହେଲେ ବି ମଣିଷ ତ ।

 

ପ୍ରକାଶ ତା’ରି ବକ୍ତୃତା ଛାଡ଼ୁ ନ ଥାଏ—ଗରିବଙ୍କର ଗଉଁ ସବୁଠୁ ବେଶି । ଦେଖିନାହୁଁ, ଶଗଡ଼ର ବଳଦ, ଗାଡ଼ଟଣା ଘୋଡ଼ା ଆଉ ମଣିଷଟଣା ରିକସା—କାହାର ଗଉଁ କମ୍‌ କହିଲ । ଯାହାର ଯେତେ ଦୁଃଖ ଦୈନ୍ୟ, ତା’ର ମନ ଭିତରେ ଅହଙ୍କାର, ଗୁମାନ ସେତେ ବେଶି । ବଡ଼ଲୋକ ଗରିବକୁ ସିନା ଖୁସାମତ୍‌ କରିବେ ।

 

ବ୍ରଜବାବୁ ହସି ଉଠିଲେ । କାନ୍ଧରେ ହାତ ମାରି ପ୍ରକାଶଙ୍କୁ କହିଲେ—ଏଡ଼େ ବଢ଼ିଆ କଥାଗୁଡ଼ାକ କ’ଣ ଏଠି କହୁଛ ନା ସବୁବେଳେ କହୁଥାଅ ?

 

—ଏଠି ! ଏଠିକି ଆସିବା କାଲି ଆଜି ହେଇ ଦି’ଥର ହେଲା । କାଲି ତ ତୁଣ୍ଡ ଖୋଲିନାହିଁ ବାବୁ ନ ଥିଲେ ବୋଲି । ଆଜି ଦିନକରେ କ’ଣ ଅଭ୍ୟାସ କଲାପରି କହି ଯାଉଛି ? ନା, ନା । ଏମିତି କହୁଛି କେଜାଣି କେତେ ପିଲା ଦିନରୁ । କହୁଛି ଆଉ କହୁଥିବି । ଭାରି ମଜା ଲାଗୁଛି କି ଶୁଣିବାକୁ ।

 

ରମାନାଥ ବାବୁ କହିଲେ—ମତେ ତ ଭଲ ଲାଗୁଛି । ଯେତେ ଖାଣ୍ଟି କଥା ସବୁଗୁଡ଼ିକ ନିମ୍ବ ପିତା ପରି । ପାଟିରେ ବାଜିଲେ ଗୁଣ ବାହାରିବ । ଆଉ ଯୋଉଗୁଡ଼ିକ ବାର ଚାଉଳିଆ କଥା । ସେଥିରେ ଭିତର ପ୍ରକାରେ, ବାହାର ପ୍ରକାରେ । ସେ କଥାଗୁଡ଼ାକ ମଣିଷ ଭାବିଚନ୍ତି ରଖିଥାଏ । ବେଳକାଳ ବୁଝି କୁହେ । ତାଙ୍କର ଉନ୍ନତି ହେବ ଯେ ।

 

—ଉନ୍ନତି ? ଆମେ ହେଲୁ କିରାନି ଗଛ । ଚାକୁଣ୍ଡା ଗଛ ବଢ଼ିଲାପରି ଆମେ ବଢ଼ୁ । ପବନ ଆମୁକୁ ଶୁଆଇଦିଏ । ଆମ ଛାଇରେ କେହି ବସନ୍ତି ନାହିଁ । ଆମ ଫଳ କେହି ଛୁଅନ୍ତି ନାହିଁ । ଆମ ଫୁଲରେ ବାସ ନାହିଁ । ଆମର ରୂପ ନାହିଁ । କିରାନି ମରିବାଯାକେ କିରାନି ହୋଇ ରହେ । ଆଉ କି ଉନ୍ନତି ହେବ ?

 

ବ୍ରଜବାବୁ କହିଲେ—ତେବେ ପ୍ରକାଶବାକୁ ସମସ୍ତଙ୍କର ପ୍ରିୟ । କାମ କରନ୍ତି ଅଳପ । ତେବେ ବି ବାହାଦୁରୀ ତାଙ୍କର ବେଶି ।

 

—କ’ଣ ? ଅଳପ କାମ ପ୍ରକାଶ ଭଳି ଲୋକ କଲା ? ତମେ କଣ କହୁଛ, ଅଳପ ଟଙ୍କାରେ ମରିବାଯାକେ ଖଟିବାକୁ ? ମତେ ମୋଟେ ଭଲଲାଗେ ନାହିଁ । ମୋର ତ ଯୋଡ଼ିଏ ସମ୍ବଳ । ଗୋଟିଏ କିରାନି ଚାକିରୀ । ଆଉ ଗୋଟିଏ ପାରିଜାତ ସ୍ତ୍ରୀ । ଦିହେଁ ମନେ କରନ୍ତି—ମୁଁ ଗୋଟିଏ ଅଲାଣ୍ଡୁ । ଏଇ ଦି’ ନାଆରେ ଗୋଡ଼ ଦେଇ ଚାଲୁଛି ତ । ଭାବୁଛି ଛାଡ଼ିଦେବି ଦୁହିଁଙ୍କୁ । ଯାହା ହେବ ହେଉ ।

 

ରମାନାଥ ବାବୁଙ୍କ କାନ ଟିକିଏ ଟେକି ହୋଇଗଲା—କ’ଣ କହୁଥିଲା । ଦି’ଦିନ ହେଲା ଆସିଛି । କଥା ତ କହୁଛି କେଜାଣି କେତେ ଯୁଗର ଚିହ୍ନାଲୋକ ପରି । ପୁଣି ସୁଲତାର ଭାଇ ଆଗରେ । ମନକୁ ରୋକି କହିଲେ—ସ୍ତ୍ରୀ କ’ଣ କଲେ ?

 

—ଆମ ସ୍ତ୍ରୀ ? ଆପଣଙ୍କର ଏଇ ସୁଲତା ଦେବୀ ଯେତିକି ଭଲ, ସେ ସେତିକି ଖରାପ । ଏଠି ବସିଗଲେ ଉଠିବାକୁ ଇଚ୍ଛା ହେଉ ନାହିଁ । ଆଉ ସେଠି ଖାଲି ପହଞ୍ଚିଗଲେ ଭିତରକୁ ଯିବାକୁ ଇଚ୍ଛା ହେବ ନାହିଁ । କାମୁଡ଼ା କୁକୁର ଗର୍ଜି ଉଠିବ—ଯା, ଯା ।

 

ରମାନାଥ ବାବୁ ଚାହିଁଲେ ସୁଲତା ଆଡ଼େ—ଆଖିରେ କୌତୁହଳ । —ବେଶ୍‌ ମଜାରେ ଅଛି ସୁଲତା ! ଘର କରି ପର ସାଙ୍ଗରେ ଆତ୍ମୀୟତା ଭୋଜି ଖାଇଲାପରି ତୃପ୍ତି ଦିଏ । ଏମିତି ପ୍ରକାଶ ପରି ଲୋକ ମନେଇବାକୁ ମିଳିଲେ ଆଉ କଥା କ’ଣ ? ଆଖିରେ ତାଙ୍କର ସନ୍ଦେହ—ବିରକ୍ତି । ଦୁହିଁଙ୍କ ଉପରେ—ସୁଲତା ! ଓ ବ୍ରଜବାବୁ । ପ୍ରକାଶ ପ୍ରଶ୍ରୟ ପାଇଛି । ସେ ଯେମିତିକା ଲୋକ ସେମିତିକା କାମ କରୁଛି ।

 

ସୁଲତା ଆଖି ଫେରାଇ ନେଲା । —ତା’ର କହିବାର କଥା କିଛି ନାହିଁ । ପ୍ରକାଶବାବୁ ଦିନକରେ, ଘଣ୍ଟାକରେ ଆସି ବହୁବର୍ଷର ଆତ୍ମୀୟତା କରି ପକାଉଛନ୍ତି । ସେ ନିର୍ଦ୍ଦୋଷ ।

 

କଥା ବୃଥାରେ ଅତିରିକ୍ତ ହୋଇପଡ଼ୁଛି । ସୁଲତା ଉଠିଗଲା ଘର ଭିତରକୁ । ରମୁକୁ କହିଲା—ମାମୁଁଙ୍କୁ ଡାକି ଆଣେ । ଟିକିଏ ଦୁଃଖସୁଖ ହେବା ।

 

ପ୍ରକାଶ ଚାହିଁ ରହିଲା ରମାନାଥ ଆଡ଼େ—ପାସୋରି ଯାଇଥିବା ଲୋକ ହେଉଛି ବଡ଼ । ଯିଏ ଚିହ୍ନେ, ଜାଣେ, ଭୁଲିଯାଇଥିଲା—ସେଇ ପାଉଛି ଆଦର । ଆଉ ଯିଏ ଚିହ୍ନିବାକୁ, ଜାଣିବାକୁ, ଆଉ ମନେ ରଖିବାକୁ ଅଫିସ ଲେଉଟା ଖାଲି ପେଟରେ ବୁକୁ ଭରା ଉଚ୍ଛ୍ୱାସ ନେଇ ଧାଇଁ ଆସିଛି, ସେ କେହି ନୁହେଁ ।

 

ଦୀର୍ଘ ନିଶ୍ୱାସ ପକାଇ ପ୍ରକାଶ କହିଲା—ଇଏ କ’ଣ ଭଲକଥା ହେଲା ସୁଲତା ଦେବୀ-? ବ୍ରଜବାବୁଙ୍କୁ ଡାକିଲ ନାହିଁ । ମୋ କଥା ତ ଛାଡ଼ । ଡାକିନେଲ ରମାନାଥ ବାବୁଙ୍କୁ । ସେ ବଡ଼ ମଣିଷ—ହାକିମ ଲୋକ । ସେଥିପାଇଁ ପରା ମୁଁ ଏ କିରାନୀ ସଭାସମିତି ମୋଟେ ଭଲପାଏ ନାହିଁ-। ତଳିଆ ଜୀବ ସବୁବେଳେ ଉପରର ଲୋକଙ୍କୁ, ବଡ଼ ମଣିଷକୁ ପାଇବାକୁ, ଧରିବାକୁ ଆଉ ରଖିବାକୁ ଖୋଜି ବୁଲୁଛି । ଇଏ ହେଉଛି ଆମ କିରାନୀ ଜୀବନ ।

 

ରମାନାଥ ବାବୁଙ୍କୁ ସେଇ ବୈଠକ ଏକାବେଳକେ ପିତା ଲାଗୁଥିଲା । ବାଧ୍ୟରେ ସେ ବସି ରହିଥିଲେ । ସୁଲତାର ଡାକରା ସାଙ୍ଗେ ସାଙ୍ଗେ ଉଠିଲେ ଘର ଭିତରକୁ—ସେ ଏମାନଙ୍କ ପରି ନୁହନ୍ତି । ଖାଲି ବସିଥିଲେ ଭଦ୍ରତା ଖାତିରରେ ।

 

ଅନ୍ଧାର ଆଲୁଅମିଶା ଘର ଭିତରକୁ ଗଲାବେଳେ ପ୍ରକାଶ କହିଲା—ମଶା କାମୁଡ଼ିବେ । ମୁହଁ ସଞ୍ଜବେଳ । ଏଇ ବାହାରେ ବସ । ଦୁଃଖ ସୁଖ ହୁଅ । ଆମେ ଯାଉଛୁ । ବ୍ରଜବାବୁ ଅଛନ୍ତି ।

 

ଉତ୍ତର ନ ଦେଇ ରମାନାଥ କହିଲେ ସୁଲତାକୁ ଶୁଭିଲାପରି—କେଡ଼େ ଅଭଦ୍ର ଲୋକ । କେମିତି କଥା କହୁଛି ? ଦୁହିଙ୍କ ଭିତରେ ବ୍ୟବଧାନ ଅତି ଅଳ୍ପ । ବହୁବର୍ଷ ପରେ ଏତେ ନିକଟରେ ସୁଲତାକୁ ଦେଖି ନ ଥିଲେ । ସୁଲତାର ଦେହର ବାସ, ମୁଣ୍ଡ ଉପରର ତେଲର ଖୁସ୍‍ବି ରମାନାଥ ବାବୁଙ୍କୁ ବହୁତ କଥା ମନେପକାଇ ଦେଇଥିଲା । ସୁଲତା ମୁହଁ ତଳକୁ କରି ଠିଆ ହୋଇଛି ।

 

କିଛି ନ ଭାବିଲା ପରି ସେଇ ଆତ୍ମୀୟତାର ଚଢ଼ା ସ୍ୱରରେ ପ୍ରକାଶ କହିଲେ—ଆଉ କ’ଣ କରିବା ? ସେମାନେ ତ ଦୁଃଖସୁଖ ହେଲେଣି । ଆମର ଚାଲ ବାହାରେ ବୁଲିବା । ଯେତେ ଦିନଯାଏ ଏଇ ମାଟି, ଏଇ ଆକାଶ ରହିଛି, ସେତେ ନଯାଏ ଭାବନା ନାହିଁ । ମଣିଷ ମଣିଷକୁ ଫୋପାଡ଼ି ଦେଲେ, ଦୂର କରିଦେଲେ, ପର କରି ମୁହଁ ଛିଞ୍ଚାଡ଼ିଲେ, ପାଦରେ ଆଡ଼େଇ ବାହାର କରିଦେଲେ କିଛି ଯାଏଆସେ ନାହିଁ ।

 

ଅସୀମ ଦରଦଭରା ହାତରେ ବ୍ରଜବାବୁଙ୍କୁ ହଲାଇଦେଇ ପ୍ରକାଶ କହିଲା—ଆସ ଆମ ଘରକୁ ଯିବା । ଆଜି ଦେଖି ଆସିବା ଆମ ପାରିଜାତକୁ । ତାଙ୍କର କଣ ଅଦଳବଦଳ ହୋଇଚି ଦେଖି ଆସିବ । ସେଇ ତମପାଇଁ ଝିଅ ବାଛିଥିଲେ । ତାଙ୍କ କଥା ପଚାରିବେ ଯେ କହି ଆସିବ ।

 

ନରମ ସ୍ଵରରେ ସୁଲତା କହିଲା—କି ଲୋକଟାଏ ? ପାଟିରେ ବାଡ଼ବତା ନାହିଁ । ଏମିତିକା ପଲେ ଲୋକ ୟାଙ୍କର ହେଲେ ବନ୍ଧୁ ।

 

ରମାନାଥ ହସିଲେ ସୁଲତାର କଥା ଶୁଣି । ସୁଲତା ସେତକ ନ କହିଥିଲେ ଭଲ ହୋଇଥାନ୍ତା ।

 

ଏତକ ହେଉଛି ସ୍ତ୍ରୀର ସ୍ଵତନ୍ତ୍ର ସ୍ଵଭାବ । ଯେଉଁ ଲୋକପାଖରେ ଠିଆ ହୁଏ, ସେ ଲୋକର ମନ ନେଇ କଥା କହିପାରେ । ପରକୁ ଆପଣାର କରିପାରେ । ଆପଣାର ଲୋକଙ୍କୁ ପର କରିପାରେ । ୟାର ଅନ୍ୟ ନାମ—ନାରୀର ମୋହିନୀ । ପାରିଜାତ ଯାହା ସୁଲତା ସେଇଆ । ଖାଲି ଦୁହିଁଙ୍କ ହାତରେ ଅଲଗା ଅଲଗା ହତିଆର । ନରମ କଥା କହି ଯେମିତି ମନ ନେଇହୁଏ, ରୂଢ଼ କଥା କହି ସେମିତି ବି ପରକୁ ନିଜର କରିହୁଏ ।

 

ଦୁହେଁ ଏକାବେଳକେ ଅଲଗା ଅଲଗା କାରଣରୁ ଦୀର୍ଘନିଶ୍ଵାସ ପକାଇଥିଲେ । ରମାନାଥ ଭାବୁଥିଲେ—ଏଇ ହେଉଛି ସୁଲତା ! ଆଜିର ସୁଲତା । ସୁଲତା ଭାବୁଥିଲା—ଏଇ ହେଉଛି ତା’ର ଜୀବନର ବିଡ଼ମ୍ବନା । ଯାହା ଖୋଜିଛି, କିଛି ପାଇନାହିଁ । ଅଲୋଡ଼ା, ଅଖୋଜା ଜିନିଷ ପୁଳାଏ ଧରିଛି ।

 

ପ୍ରକାଶ ଠିଆ ହେଲେ—ଆସ । ଆମେ ଚାଲିଲୁ ସୁଲତା ଦେବୀ । ଅଳ୍ପ ସମୟରେ ଫେରିଆସିବେ ବ୍ରଜବାବୁ । ଜଳଖିଆ ଖାଇ ନାହାନ୍ତି, ଭୁଲିବ ନାହିଁ । ପୁଣି ଆଉ କେବେ ଦେଖା ।

 

ରମାନାଥବାବୁ ଘରଭିତରୁ କହିଲେ—ହଉ ତେବେ ନମସ୍କାର । କାଲି ଅଫିସରେ ଦେଖାହେବ । ମୋ କଥା ଭୁଲିବେ ନାହିଁ । ମୁଁ ବି ଯାଇପାରେ ଆପଣଙ୍କ ଘରକୁ ।

 

ବିରକ୍ତିଭରା ସ୍ଵରରେ ଜବାବ ଆସିଲା—କିଛି ଦରକାର ନାହିଁ । ଆପଣଙ୍କ କାମ ହୋଇଯିବ ।

 

ବାହାରକୁ ବାହାରିଆସି ରମାନାଥବାରୁ କହିଲେ—ନମସ୍କାର ।

 

ଏରୁଣ୍ଡିବନ୍ଧ ପାରହୋଇ ଚାରିଖୋଜ ନ ଯାଉଣୁ ପ୍ରକାଶ ପଚାରିଲେ—ଏମିତିକା ଭାଇ କୋଉଠି ଥିଲେ ? ଅଫିସରେ ଯେମିତି ଛେଳି ଭଳିଆ ହୁଅନ୍ତି, ଘରେ ଠିକ୍ ସେମିତି ବାଘ ଭଳିଆ । ଏଇ ହାକିମଗୁଡ଼ାକ ବଡ଼ ସ୍ଵାର୍ଥପର । ତାଙ୍କୁ ଯେତିକି ଦୂରଦୂର ମାରମାର କରିବ, ସେମାନେ ସେତିକି ବାଟରେ ରହିବେ—

 

—କ’ଣ କହୁଚ ? ଶୁଣିବେ ଯେ ।

 

—ମୁଁ କ’ଣ ଡ଼ରିଛି ? ଆମେ କିରାନି ହେଲେ ବି ଚୁଟି ଆମ ହାତରେ । ଖାଲି ତମର ସ୍ତ୍ରୀଙ୍କି ଯାହା ଡର ସିନା । ସେ କାଳେ ମୁହଁ ଓହଳେଇବେ । ନ ହେଲେ ମୁଁ ଦେଇଥାନ୍ତି ସେଇଠି ମରମ କଥା କହି—ଘର ଭିତରେ ଆଉ ଘର ବାହାରେ କେମିତି ଅତିଥି ଅଭ୍ୟାଗତିକୁ ଚର୍ଚ୍ଚା କରିବାକୁ ହୁଏ । ଦିନେ ନାହିଁ କାଳେ ନାହିଁ, ଏବେ ଆସିଲେ ଯେ ଏକାବେଳକେ ହେଇଗଲେ ଭାଇ-

 

—ଛାଡ଼ । ମଣିଷ ତ ସେମିତି । ଅକାଳରେ ପଡ଼ିଲେ ଗୋଡ଼ ଧରି ପକେଇବେ । ଆଉ ଖସିଗଲେ ଦେଖ ତାଙ୍କ ପ୍ରତାପ । ଠିକ୍‌ ମାଇକିନିଆଙ୍କ ପରି ।

 

ବ୍ରଜବାବୁ ମୁଣ୍ଡ ହଲେଇଲେ—ଠିକ୍‌ ନୁହେଁ । ତାଙ୍କ ସୁଲତା, ପ୍ରକାଶଙ୍କର ପାରିଜାତ କେହି ତ ସେମିତି ନୁହନ୍ତି । ହସି କହିଲେ—ମାଇପେ ସେମିତି ନୁହନ୍ତି ।

 

ତମେ ତମରି ଘରୁ ଦେଖି କହୁଛ ପରା ? ସେଇ ତ ହେଲେ ମଣିଷରେ ମଣିଷ । ତାଙ୍କପରି ଲୋକ କୋଉଠୁ ବେଶି ପାଇବ ?

 

ବ୍ରଜବାବୁଙ୍କ ବୁକୁ ଫୁଲିଉଠିଲା ଗର୍ବରେ । ସେ ନିଜକୁ ଭାରି ତାରିଫ କଲେ ମନେ ମନେ–ସତରେ ସୁଲତା ପରି ଲୋକ କୋଉଠି ହେଲେ ମିଳିବେ ନାହିଁ । ବିଚରା ପାରିଜାତ ହେଲେ ସେମିତି ଜଣେ ହୋଇଥାନ୍ତା ?

 

ବ୍ରଜବାବୁଙ୍କ କଥାର ପ୍ରତିଧ୍ୱନି ପରି ପ୍ରକାଶ କହିଲେ—ମୁଁ ପରାଭାବେ ନିଜକୁ ବଡ଼ ଅଭାଗା ବୋଲି । ମତେ ଦହଗଞ୍ଜ କରି ଏଇ ପାରିଜାତ ଖାଇଲା । ଆରେ ବାବୁ ଭଲପାଇବା ମାନେ କଣ ? ପୁଲିସ୍ ପରା ଧମକଚମକ , ଅଳିଓଜର, ରୁଷାଭୂଷା ପୁଳାଏ ଧରି ଦିନରାତି ଘେରି ବୁଲିବା । ମଣିଷ ଟିକିଏ ନିଶ୍ଵାସ ମାରିପାରିବ ନାହିଁ । ଏମିତି ନିବୁଜ କରି ବାନ୍ଧିଲେ କାହାକୁ ଅବା ଭଲ ଲାଗିବ । ଗଛପତ୍ର ବି ଖୋଜନ୍ତି ଟିକିଏ ସ୍ଵାଧୀନତା—ଛାଡ଼୍‍ । ଏ ଜୀବନରେ ଆଉ କ’ଣ ମୁକ୍ତି ଅଛି ?

 

—ସେ କଣ ଆଦ୍ୟରୁ ସେମିତି ଥିଲେ ? ବ୍ରଜବାକୁ ଶଙ୍କିତ ଗଳାରେ ପଚାରିଲେ । କେବେ ସେ ପଚାରି ନ ଥିଲେ ଏଇସବୁ ଘରୋଇ କଥା, ।

 

ଆଦ୍ୟରୁ ନୁହେଁ । ପ୍ରଥମ କେଇବର୍ଷ ଖାଲି ଯାହା ଶ୍ରଦ୍ଧା, ଗେହ୍ଲା ପର୍ବ ଚାଲିଥିଲା । ତେଣିକି ତ ଆସିଲା ଯୁଦ୍ଧପର୍ବ । ଚାଲିଛ—,–ଜଣେ ମରିବାଯାଏ ଚାଲିଥିବ ।

 

—ଛି, ସେମିତି କ’ଣ କହନ୍ତି ?

 

—ଆଉ କ’ଣ କହିବି । ଅତି ଗୁଡ଼ାଏ ହୋଇଗଲେ ଭଲ ଜିନିଷ ବି ଜଞ୍ଜାଳ ହୋଇଯାଏ-। ଏଥିକି ଏବେ ବଳ କଣ ? ମଣିଷ ଏତିକି ହେଲେ ବୁଝୁଥାନ୍ତା । ସେତକ କେହି ତ ବୁଝନାହିଁ ଯେ ଯୋଉ ପିଲା କାଖ ହେଲା ସେ ତ ସବୁବେଳେ ଲଦିହୋଇ ରହିବାକୁ ଖୋଜିଲା । ନିଜେ ମା’ହୋଇ ତ ଚିଡ଼ିବ ! ଆଉ ପରମଣିଷ କେତେ ବରଦାସ୍ତ କରିବ ?

 

ବ୍ରଜବାବୁ ମନେପକାଇଲେ ସୁଲତା କଥା—ଆସିଲାବେଳେ ପିଲାଦୁଇଟି ଝଗଡ଼ି କାନ୍ଦୁଥିଲେ । ଠିକ୍ ତ ସ୍ନେହର ଅତ୍ୟାଚାର ବଡ଼ ନିଷ୍ଠୁର । ଅତ୍ୟାଚାରୀର ଅତ୍ୟାଚାର ପ୍ରତି ମନ ଓ ଦେହ ବିରୋଧ କରେ । କିନ୍ତୁ ସ୍ନେହର ଅତ୍ୟାଚାର ମନରେ ସିନା ସକ୍ରୀୟ ବରୋଧ ଆଣେ ନାହିଁ । କିନ୍ତୁ ସେଥିରେ ମନ ସେପରି ସନ୍ତୁଳି ହୁଏ—ବଡ଼ କଷ୍ଟ । ଜୀବନଟା ବିଷ ହୋଇଯାଏ !

 

ଚାଲିଚାଲି ଗଲାବେଳେ ସେହି ଗୋଟିଏ ଆଲୋଚନା । ଏଣେ ସୁଲତା ଠିକ୍ ସେ କଥା କହୁଥାଏ—ସତରେ ଭାଇ ମୋ ଜୀବନ ବଡ଼ ହତାଶିଆ ହୋଇଗଲାଣି । ମତେ ତମେ ମାରିଦେଲ ନାହିଁ କାହିଁକି ?

 

ମୁଣ୍ଡ ଆଉଁସି ରମାନାଥ କହିଲେ—ସେମିତି ଭାବିବୁ ନାହିଁ ସୁଲତା । ମଣିଷ ଖାଲି ମଣିଷକୁ ନିନ୍ଦା କରେ । ବୃଥା ଅହଙ୍କାର, ବୃଥା ଆଶା ମଣିଷକୁ ଯାହା କଷ୍ଟଦିଏ ।

 

—କଣ କହିଲ ? ଅହଙ୍କାର କଲି ? ବୃଥା ଆଶା ମନରେ ପୋଷିଛି—କି ଅହଙ୍କାର । ଦେଖେଇବାକୁ ତ କିଛି ନାହିଁ । କି ଆଶା ଆଉ ରଖିଛି । ଦିନରାତି ଭଙ୍ଗା ଚକପରି ଧୁଡ଼ୁ ଧୁଡ଼ୁ ହେଉଥିବ । ସେଥିରେ ବସିବାକୁ ତ ସଜ ଲାଗିବ ନାହିଁ—ହଉ ଛାଡ଼ । କାହା ଦୁଃଖ କିଏ ବୁଝିବ ?

 

—କି ଦୁଃଖ କହିଲୁ । କଣ ତମର ଭଲ ପଡ଼ୁନାହିଁ ? ସେମିତି ଲୋକ ତ ଜଣାପଡ଼ୁ ନାହାନ୍ତି ।

 

—ଭଲ ? ଭଲ ପଡ଼ୁଛି ତ । ସେଇଟା ତାଙ୍କର ମୋ ସାଙ୍ଗରେ କି ମୋର ତାଙ୍କ ସାଙ୍ଗରେ ସେତକ କଣ ତମେ ବୁଝିନା ?

 

—ଯାହାର ବୁଦ୍ଧି ବେଶି, ସେଇ ଚଳେଇନିଏ ଆର ଜଣକୁ । ତୁ ସେମିତି ଚଳେଇନେବୁ-। ନିଜକୁ ସମ୍ପିଲେ କାଟିଲେ ଖାଲି ଯାହା ଲୋକହସା ହେବୁ ସିନା !

 

—ଯେତିକି ହେଲି ସେତିକିରେ ତ ଲୋକହସ ହୋଇଛି । ପଦେ ଭଲ କଥା ନାହିଁ । ସବୁବେଳେ ଅଫିସ କଥା । ଶୁଣି ଶୁଣି ଚିଟା ଲାଗିଲାଣି । ମୋର ମନ ହୁଏ କେମିତି ଏ ଧୂଆଁଳିଆ ଘର ଭିତରୁ ଖସି ପଲେଇବି ।

 

—ପଳେଇବୁ ? କୁଆଡ଼େ ଯିବୁ ? ଯୁଆଡ଼େ ଗଲେ ବି ତୋରି ମନ ତୋ ପଛେ ପଛେ ଧାଇଁଥିବ । ଯେତେ ଭଲଜାଗାକୁ ଯିବୁ ଯା, ମନ ଭିତରର ଅଶାନ୍ତି ତତେ ସେମିତି ଦହଗଞ୍ଜ କରୁଥିବ ।

 

କରୁଣ ସ୍ଵରରେ ସୁଲତା ପଚାରିଲା—କୁଆଡ଼େ ହେଲେ କଣ ଯାଇପାରିବି ନାହିଁ ? ମୋର କ’ଣ ଆଉ ଛୁଟି ନାହିଁ ?

 

ସହାନୁଭୂତି ମିଶା ସ୍ଵରରେ ରମାନାଥ କହିଲେ—ଛି, ସୁଲତା ନିଜର ଭାଗ୍ୟକୁ ନିନ୍ଦିବୁ ନାହିଁ । କପାଳ ତ ବଦଳିବ ନାହିଁ । କାହାରି ବଦଳି ନାହିଁ । ଯାହା ଖୋଜୁଛୁ ପାଇବୁ ନାହିଁ । ଯିଏ ଯାହା ନ ପାଏ ତାରି ନାଁ ହେଉଛି କଳ୍ପନା । କଳ୍ପନା ହେଉଛି ଖୋଜିବାର ଅନ୍ୟ ନାଁ । ଦୂରରେ ଥିବା ଜିନିଷ ସୁନ୍ଦର । ଯେ ହାତ ପାଖରେ ମିଳେ, ସେଇ ଅସଜ ଲାଗେ ।

 

—ଏମିତି ଭଣ୍ଡି ଦଉଛ ନା । ସୁଲତାର ଆଖି ଓ କଣ୍ଠସ୍ଵର ଓଦା ହୋଇଆସିଲା । ସୁଲତାକୁ ସେ ବୁଝିଲେ ନାହିଁ ।

 

—ଏମିତ କ’ଣ ହେଉଛୁ ସୁଲତା ? ମୁଁ ତ ଜାଣି ନ ଥିଲି ତୁ ଏଡ଼େ ଦୁଃଖୀ ବୋଲି ।

 

—ଜାଣି ନା ? ସତରେ କ’ଣ ତମେ ମତେ ଭଲପାଅ ନାହିଁ ? ଭଲ ପାଉଥିଲେ କ’ଣ ବୁଝି ନ ଥାନ୍ତ ? କାହିଁକି ବୁଝିବ ? ତମେ ତ ଦୂରେଇଗଲ ଆପଣାଛାଏଁ । ମୁଁ ତ କେବେ ଭାବି ନ ଥିଲି ।

 

—ଦୂରେଇଗଲି ? ମିଛ । ମଣିଷ ମଣିଷଠାରୁ ଯେତେ ଦୂରରେ କି ନିକଟରେ ରହିଲେ ବି ମନ ତା’ର କେବେହେଲେ ଅଲଗା ହୁଏ ନାହିଁ । ଦୂରରେ ଥିବା ଲୋକ ସବୁଦିନେ ନିକଟରେ ଥାଏ ।

 

—ଏମିତି କହିବ ବୋଲି ଭାବି ଆସିଥିଲି ନା ? ସୁଲତାର ଭିତର ବେଦନା ବାରମ୍ବାର ତାକୁ ବିବ୍ରତ କରୁଥିଲା । ଜୀବନର ବ୍ୟର୍ଥତା ମଣିଷକୁ ଲେଟେଇଦିଏ ମାଟି ଉପରେ । ନିଜର ବିଚାରଶକ୍ତି ଚାଲିଯାଏ । ବ୍ୟର୍ଥ ମଣିଷ ସବୁ ଭୁଲ କରେ । ସେଇ ହେଉଛି ରୋଗୀ—ରୋଗରେ ପଡ଼ି ଆଉ ଭଲମନ୍ଦ ବୁଝିପାରେ ନାହିଁ ।

 

ବହୁତ ଦିନର ବ୍ୟବଧାନ ପରେ ରମାନାଥ ପାଖରେ ସୁଲତା ମନ ଲୁଟେଇ ଦେଇଥିଲା-। ରମାନାଥ ଆସିଥିଲା ଏମିତି ଦେଖିବାପାଇଁ ସୁଲତାକୁ । ସେ ଜାଣେ ସୁଲତାର ମନ ଅପୂର୍ଣ୍ଣ ଥିବ । ସୁଲତା ସେଇ ଅସମ୍ପୂର୍ଣ୍ଣତାକୁ ସହି ସମ୍ଭାଳି ଯାଇଥିବ । କିନ୍ତୁ ସେ ଏବେ ଏକାବେଳକେ ଦଦରା ହୋଇଯାଇଛି—ଦୁର୍ବଳ ଦେହ ରୋଗର ଶିକାର ହେଲାପରି । ଦୁର୍ବଳ ମନ ନେଇ ସେ ସବୁ ଜିନିଷ ସବୁଠାରେ ଖୋଜୁଛି ।

 

ଏଇ ବ୍ୟର୍ଥତା ପ୍ରଥମେ ମଣିଷକୁ ହୁଗୁଳା କରିଦିଏ । ତାପରେ ହୁଗୁଳା ମଥାନ ପରି ଖସିପଡ଼େ ଭୂଇଁ ଉପରେ । ତା’ପରେ ଆଉ ତା’ର ଅସ୍ତିତ୍ଵ ନ ଥାଏ ।

 

ଆଲୁଅ ଜଳି ନାହିଁ । ଘର ଭିତର ଅନ୍ଧାର । ଚିମିଣି ଆସି ଉଡ଼ିଲାଣି ଘର ଭିତରେ । ସୁଲତାର ମନ ଭିତର ଅନ୍ଧାର । ଅନ୍ଧାର ଭିତରେ ଜୁଳୁଜୁଳିଆ ପୋକର ଆଲୁଅ ଟିକକ ଖୁସି ଲାଗିଲାପରି ସୁଲତା ଖୋଜୁଥିଲା ରମାନାଥର—ପୁରୁଣା ରମାନାଥ ଭାଇର ପରିଚିତ ସେଇ ସ୍ନେହ-। ପୁରୁଣା ସୋହାଗ—ପାସୋରା ପ୍ରୀତି ।

 

ସେ ସ୍ନେହକାଙ୍ଗାଳ ହୋଇଯାଇଛି । କାଙ୍ଗାଳ ପରରି ଲୋଭ ବଢ଼ିଯାଇଛି । ସେଇ ଟିକକରେ ସେ ସବୁ ଭୁଲିଯାଇଛି—ରମୁ, ବୁଲୁ, ବ୍ରଜବାବୁ ଆଉ ପ୍ରକାଶବାବୁ ସମସ୍ତଙ୍କୁ ।

 

କେହି ତା’ର ନୁହନ୍ତି । ସେମାନେ ସମସ୍ତେ ପରଦେଶୀ । ଆସିଛନ୍ତି ଚାଲିଯିବେ । ସେମାନେ ତା’ର ମନର ମଣିଷ ନୁହନ୍ତି । ସେମାନଙ୍କୁ ଆଦରି ସୁଲତା ଅଗତ୍ୟା ରହିଛି । ମନ ଭିତରେ ତା’ର ବାଲିର ଝଡ଼—ତତଲା ବାଲି ।

 

ସୁଲତାର ଦୈନ୍ୟ ରମାନାଥ ବାବୁଙ୍କୁ ସେମିତି ଦୂରରେ ରଖିଥିଲା । ଦୀନଦରିଦ୍ର ଲୋକଠାରୁ ଦୂରରେ ରହିବା ମଙ୍ଗଳ । ଦୀନଦରିଦ୍ରର ବଳ ବହୁତ ବେଶି । ପାଇଲେ ଧରେ । ଧରିଲେ ଛାଡ଼ିପାରେ ନାହିଁ । ତା’ର ସର୍ବଗ୍ରାସୀ ଆକାଙ୍‍କ୍ଷା ତାକୁ ବଡ଼ ବିଷମ ଅବସ୍ଥାରେ ରଖେ ।

 

—କଣ କହିବ ନାହିଁ ? ଆଜି ଦେଖା—ଏତେଦିନ ପରେ ଦେଖା । ତେବେ ଆସିଥିଲ କଅଣ ପାଇଁ ? ଯାଅ, ଚାଲିଯାଅ । ମୁଁ ତ ମଣିଷକୁ ଖୋଜୁ ନାହିଁ । ମଣିଷର ମନକୁ ଖୋଜୁଛି । ତମକୁ ଖୋଜୁନାହିଁ—ଖୋଜଛି କି ?

 

—ମତେ କାହିଁକି ଖୋଜିବୁ ? ତେବେ ଏମିତି କଣ ?

 

ସୁଲତାର ଆଖିରୁ ଦୁଇଧାର ଲୁହ ଗଡ଼ି ଯାଉଥିଲା । ସେ ସେମିତି ଉଚ୍ଛ୍ଵସିତ ହୋଇ କହିଲା—ତମେ ବି ସେଇ ମଣିଷ । ତମେ କୋଉ ଭଲ ହେବ ? ମୋର ଆଜି କିଛି ନାହିଁ । ସେଥିପାଇଁ ତମେ ବାରବାର ପଚାରୁଛ—ମୋର କି ଦୁଃଖ !

 

ରାଗୁଛୁ କି ?

 

—ସେ କ୍ରୋଧରେ କି ମୂଲ୍ୟ ? ଏସବୁ ଖବର କାହିଁକି ନଉଛ ? ବାହାରେ ଯାଇ କହିବ-। ମନେ ରଖିଥାଅ ଯଦି ଦୁଃଖୀର ଦୁଃଖ ଦୂର କରି ନ ପାରିବ, ତେବେ ତାକୁ ଅଶ୍ଵାସନା ଦେବ ନାହିଁ-। ଯଦି କାହାରି ମନର ଅଶାନ୍ତି କମେଇ ନ ପାରିବ, ଭୋକବେଳେ ଆହାର ନ ଦେଇପାରିବ, ବିପଦରେ ସାହାଯ୍ୟ ଦେଇ ନ ପାରିବ, ତେବେ ସେଇ ମଣିଷର ଦୁଃଖଦୈନ୍ୟର ଖବର ବୁଝିବ ନାହିଁ ।

 

ରମାନାଥବାରୁ ଉତ୍କଣ୍ଠିତ ହୋଇପଡ଼ିଲେ, ସୁଲତାର ମନର ଅବସ୍ଥା ଦେଖି । ଘଟଣାଟା ଅପ୍ରିୟ ହେଲାଣି । ସୁଲତା ଅତି ଅସଙ୍ଗତ କଥା କହୁଛି । ଏକାବେଳକେ ଭୁଲିଯାଉଛି ନିଜକୁ ।

 

—ନିଜକୁ ଭୁଲିଗଲେ ଭାରି ଅସୁବିଧାରେ ପଡ଼ିବୁ ସୁଲତା । କେତେବେଳ ହେଲାଣି, ସେମାନେ ଆସିଲେ କଅଣ କହିବେ ?

 

—କହିବେ ? କ’ଣ କହିବେ ?

 

ରମାନାଥ ଚୁପ୍ ରହିଲେ—ଆସି ନ ଥିଲେ ଭଲ ହୋଇଥାନ୍ତା । ବ୍ରଜବାବୁ ଥିଲେ ଭଲ ହୋଇଥାନ୍ତା ।

 

ବୁଲୁ କାନ୍ଦି ଉଠିଲା—ପଡ଼ିଯାଇଛି । ସୁଲତାର ଚେତନା ଭାଙ୍ଗିଲା । ଆରେ ହେଲା କ’ଣ-? ସୁଲତା ଧାଇଁ ଆସିଲା ବୁଲୁକୁ ଉଠାଇନେବାକୁ । ପାଟିରେ ରକ୍ତ । ଓଠ ଖଣ୍ଡିଆ ହୋଇଯାଇଛି । ମା, ମା, ଡାକ । ସୁଲତା ଉଠେଇନେଲା କୋଳକୁ । —ଆଲୁଅଟା ଜଳେଇ ପାରିଲି ନାହିଁ । ହେଇ, ସେଇଠି ଅଛି । ଆଲୁଅରେ ଦିଆସିଲି ଲାଗିଛି । ଟିକିଏ ଜାଳିଦେବ—କେତେ ରକ୍ତ ! ରମୁ ପକେଇଦେଲା ପରା !

 

ରମାନାଥ ସେଠି ବସି ଲଣ୍ଠନ ଜଳାଇଲେ । ବିଜୁଳି ଆଲୁଅରେ ଚଳି ତାଙ୍କର ଅଭ୍ୟାସ ଭାଙ୍ଗିଯାଇଥିଲା । ପୁରୁଣା ଲଣ୍ଠନ ତାଙ୍କୁ ମନେ ପକେଇଦେଲା ଯେ ସେ ଫେରିଆସିଛନ୍ତି ଅତୀତକୁ ଯେଉଁ ସୁଲତାକୁ ଭୁଲିଯାଇଥିଲେ ସେଇ ସୁଲତା ଫେରିଆସିଛି । ସେ ଖାଲି ତାକୁ ପୁଣି ଥରେ ପୁରୁଣା ମନ ନେଇ ଗ୍ରହଣ କରି ପାରୁନାହାନ୍ତି । ଏଥିଭିତରେ ଚାଲିଯାଇଛି ସାତ ବର୍ଷ । ସାତ ବର୍ଷର ପରିବର୍ତ୍ତନ ସୁଲତାକୁ ପୁରୁଣା କରିଦେଇଛି । ସୁଲତାକୁ ତାଙ୍କ ମନରୁ ପୋଛି ବାହାର କରିଦେଇଛି ।

 

ରମୁକୁ ପାଖକୁ ନେଇ ସେ ଦୀର୍ଘନିଶ୍ଵାସ ପକାଇଲେ—ଏ ହେଉଛି ସଂସାର । ସୁଲତା ତାଙ୍କର ସ୍ମୃତିକୁ ଧରି ରଖିଥିଲା ଏତେ ବର୍ଷ । ସେ ସୁଲତାଠାରୁ ଏତେ ଦୂରକୁ ଚାଲିଯାଇଛନ୍ତି ନିଜେ-

 

ଔଷଧ ଲଗାଇଲାବେଳେ ସୁଲତା କହୁଥାଏ—ଭଲ ହେଲା । ଆଜି ଆସିଲ । ମନେ ରଖିଥିବ, ତମେ ଆସିଲା ଦିନ ବୁଲୁର ଓଠ ଖଣ୍ଡିଆ ହୋଇଛି । ଯଦି ତମର କେବେ ମନେପଡ଼େ, ମନକୁ ମନ କାଇଲି ହେବ ଯେ କହିବା କଥା ମଣିଷ ରଖେ ନାହିଁ । ତମେ ବଡ଼ ନିଷ୍ଠୁର । ଆସିଥିଲ–ଫେରାଇ ଦେଉନାହିଁ ସିନା । ତମେ ମୋର କେହି ନୁହଁ ।

 

ରମାନାଥବାବୁ ସେଇ କିରାସିନି ଆଲୁଅର ମ୍ଳାନ ଜ୍ୟୋତିରେ ସୁଲତାକୁ ନିରିଖି ନିରିଖି ଦେଖୁଥିଲେ । ସୁଲତା ସେଥିରେ କହିଦେଉଥିଲା—ଏଇ ଏତକ ହେଉଛି ତା’ର ଏତିକି ଦିନର ପୁଞ୍ଜି-। ଖୋଜିଥିଲା—ପାଇନାହିଁ । କାହାର ଜୀବନ ପୂର୍ଣ୍ଣତାରେ ଗଢ଼ା । କାହାର ଜୀବନ ସେମିତି ଶୂନ୍ୟତାରେ ଗଢ଼ା । ପୂର୍ଣ୍ଣ ହେଉ ବା ଶୂନ୍ୟ ହେଉ, ବୟସ ଆଗେଇ ଚାଲିଲେ କିଛି ନା କିଛି ବଢ଼ିଯାଏ—କାହାର ଶୂନ୍ୟତା ଆଉ କାହାର ପୂର୍ଣ୍ଣତା ।

 

ସୁଲତା ବୁଲୁକୁ କୋଳରେ ଧରି ବୁଝାଇଲାବେଳେ ରମାନାଥ ବାବୁ ରମୁକୁ ସେମିତି ବସାଇଥିଲେ—ଦିହିଙ୍କ କୋଳରେ ଦୁଇଟି ପିଲା । ସୁଲତା ପଚାରିଲା—ତୋର ଆଜି କପାଳ ଭଲରେ ରମୁ ! ମାମୁଙ୍କ କୋଳରେ ବସିଛୁ । ନହେଲେ ଆଜି ତତେ ଦେଇଥାନ୍ତି ପାନେ ।

 

ରମୁ କାନ୍ଦି ଉଠିଲା । ଦୋଷ କଲେ, ଦୋଷ କରି ଧରାପଡ଼ିଲେ ବଡ଼ ଛୋଟ ସବୁ ମଣିଷ ହଠାତ୍ ପ୍ରତିବାଦ କରିଉଠନ୍ତି—ମୋର ଦୋଷ ନାହିଁ । ନିଜର ଦୋଷ ସ୍ୱୀକାର କରିବାକୁ କେହି ଚାହାନ୍ତି ନାହିଁ ।

 

—ଥାଉ, ଥାଉ । ଯାହା ହେବାର ତ ହୋଇଛି । କେହି କଣ ଜାଣିଶୁଣି ଦୋଷ କରେ ? ଶାସ୍ତି ଦେଲେ କ’ଣ ଦୋଷ କିଛି ଊଣା ହୋଇଯିବ ? ପିଲାଟା—

 

ରମୁ ଆଉରି ଜୋରରେ କାନ୍ଦିଲା । ତା’ର ଅଧିକାର ଅଛି—ସେ ପିଲା । ପିଲା ବୋଲି ସେ କେତେକ ବିଶେଷ ସୁବିଧା ପାଇବ । ପାଉନାହିଁ କାହିଁକି ?

 

କୋଳକୁ ଆଉଜେଇ ନେଇ ରମାନାଥବାବୁ କହିଲେ—ଠେଲିଦେଲୁ ଭାଇକୁ । ଦେଖିଲୁ କେତେ ରକ୍ତ । ଛୋଟ ପିଲାଟା । —ଏମିତି ଆଦର କଲେ ସେ ଆଉ କଣ ଭଲ ହେବ ? ଦୋଷୀକୁ ଦଣ୍ଡ ଦେବା ଦରକାର । ଖାଲି ତାରି ନାଁ ରମୁ ଦେଇଛି ବୋଲି ତାକୁ ସବୁ ମାଫ୍, —

 

ରମୁକୁ ଅଶେଷ ସ୍ନେହରେ ଧରି ରମାନାଥବାବୁ କହିଲେ—ଯା, ଖେଳ୍, ଆଉ ଭାଇକୁ ମାରିବୁ ନାହିଁ । ଆଜି ତୁ କେତେ ମାଡ଼ ଖାଇଥାନ୍ତୁ । ମୁଁ ମାଆକୁ କହିଦେଉଛି—ରମୁର କିଛି ଦୋଷ ନାହିଁ ।

 

—ବୁଝିଲୁ ସୁଲତା, ମଣିଷ ନିଜକଥା ଭାବିଲେ, ପରକୁ ଗାଳି ଦେବ ନାହିଁ । ଯିଏ ଯାହା ନ କରିବା କଥା ସେଇଟା ହେଉଛି ଭୁଲ ।

 

ସୁଲତା ହସିଲା । ବହୁଦିନର ବହୁତ କଥା, ରମାନାଥ କହୁଛନ୍ତି—ଭୁଲର କ୍ଷମା ନାହିଁ । କାହାରି ଭୁଲ ତ କେହି ନିଜେ ନେଇ—ଯିବାକୁ ନାରାଜ ।

 

ସୁଲତା ବୁଲୁକୁ ଆଉଁସୁ ଆଉଁସୁ ପଚାରିଲା—ଆଜି କି ରୋଷେଇ ହେବ ? ତୁମେ ଅଛ କୋଉଠି ?

 

ଲଜ୍ଜିତ ସ୍ଵରରେ ରମାନାଥ କହିଲେ—ଏମିତି ତ ଓହ୍ନେଇ ଯାଇଥିଲି ଠା’କରେ । ଗାଡ଼ିବେଳକୁ ଅଫିସ ହୋଇଯାଇଥିଲା । ଆସି ପାରିଲି ନାହିଁ ଏଠିକି ।

 

ରୋଷ ଦେଖାଇ ସୁଲତା କହିଲା—ତମ ମନରେ ତ ଆମେ ପର । ପର ଆପଣ ଯାହା ଭାବ, ଅକାଳେ ସକାଳେ ହେଉ ପଛକେ ଆସିଛ ଯେ, ସେଇ ଢେର । ବହୁତ ଦିନରୁ ମନରେ ପାଞ୍ଚଥିଲା ଯେ ତମ ସାଙ୍ଗରେ ବସି ଦି’ପଦ ଦୁଃଖସୁଖ ହେବାପାଇଁ । ଆଜି ସେତକ ହେଇଗଲା । କିଛି ଗୋଟାଏ ଜିନିଷ ଖାଇବାକୁ କି ଦେଖିବାକୁ ମନରେ ବହୁତ ଦିନରୁ ବାଞ୍ଛାଥିଲେ ଯେତେବେଳେ ସେଇ ଜିନିଷ ଆସି ପହଞ୍ଚିଯାଏ—ସେତିକିବେଳେ ଯାହା ଭଲ ଲାଗେ ସେଇ ଟିକିକ । ତା’ପରେ ସେ ପୁରୁଣା ହୋଇଗଲା ।

 

ରହି ରହି ଭାବି ଭାବି ରମାନାଥ କହିଲେ—ଯାହା କହିବୁ କହ । କେହି ତ କାହାରିକୁ କଥା କହି ବୁଝେଇ ପାରିବ ନାହିଁ । ମନ କଲେ ତ ସବୁ କଥା କରିପାରିବ ନାହିଁ । ଏ ସଂସାରର ହୁନ୍ଦର ବଡ଼ ବେଶି । ନ ହେଲା କଥା କରାଏ । ହେବା କଥାକୁ ଭାଙ୍ଗିଦିଏ । ଏଠି ସତ ହେଉଛି—ଏଇ ମାଟି, ଏଇ ଆକାଶ । ପ୍ରତିଦିନ ସେଇ ପୁରୁଣା ଜିନିଷ ନୂଆ ପୁରୁଣା ହେଉଥାଏ ।

 

—ବୁଝିଲ ଭାଇ, ମନର କଳପଣାକୁ କେବେ କଥାରେ କଟାଇ ପାରିବ ନାହିଁ । ଦେଖି ଜାଣୁଥିବ—ତମମାନଙ୍କୁ ଆମେ କେମିତି ଗଣ୍ଠିଧନ କରି ରଖିଛୁ—ରମୁ ବସିଛି ନା କୋଳରେ ?

 

—ସବୁ ବୁଝିଛି ସୁଲତା । ସବୁଦିନେ ଭାବେ ତ । ଭାବିଲେ ଅବା ଲାଭ କଣ ?

 

—ଚିଠି ଖଣ୍ଡେ ମିଳୁ ନ ଥିଲା ? ମିଳିବ ବା କାହିଁକି ? ଭାବିଲେ ତ ଲେଖିହୁଏ ନାହିଁ । ନ ଲେଖି ଭଲ କରିଛ । ଚିଠି ଆସିନାହିଁ ବୋଲି ମୁଁ ତ ଭାବିଛି ଆଉ ତମେ ଭାବିଛି । ଆଜି ନ ଆସିଥିଲେ ସେମିତି ଭାବୁଥାନ୍ତ—ତମେ ଆଉ ମୁଁ । ଛାଡ଼ । ଅତୀତ କଥାକୁ ଶୋଚନା କରି କି ଲାଭ-!

 

କେଉଁଥିରେ ତୋର ଦୁଃଖ ସୁଲତା ? କଅଣ ହୋଇଥିଲେ ତୁ ଆଜି ସୁଖରେ ଥାନ୍ତୁ ?

 

—ମୁଁ ମୁଁ ? ଆଉ ସେ କଥା କହି ଲାଭ ନାହିଁ । ଏବେ ଭାବୁଛି ମନରେ ଆଶା ରଖି ନିରାଶ ହେବା ଆଗରୁ ଯେବେ ମୋରି ଜୀବନ ମଉଳିଯାଇଥାନ୍ତା ତେବେ ଅବା ମୁଁ ସୁଖୀ ବୋଲାନ୍ତି-। ମିଠା ପାଟିରେ ପିତା ଲାଗିବା ଆଗରୁ ଆହାର ସରିଗଲେ ସିନା ସେ ହେଲା ଭୋଜନ-। ବିଛଣା ଧରୁ ଧରୁ ନିଦ ଲାଗିଲେ ସିନା ସେ ହେଲା ଶୟନ । ମନର ଆଶାକୁ ଅଚେତ ନିଦରେ ଦେଖିପାରିଲେ ମେଣ୍ଟାଇ ପାରିଲେ ତାକୁ ସିନା କହନ୍ତି ଭଲ ସ୍ଵପ୍ନ । ଯେବେ ଏସବୁ ନ ଘଟୁଛି ତେବେ ଖାଲି ସେଇ କଥା ଭାବି ଆଉଟପାଉଟୁ ହେଲେ ଖାଲି ଯାହା ମନସ୍ତାପ ।

 

ରମାନାଥ ବିଚଳିତ ହୋଇ ପଡ଼ିଲେ—ସୁଲତାର ଏତେ ଅଭିଯୋଗ ! କହିଲେ—ସବୁ କଣ ଆଜି ଝାଡ଼ିଝୁଡ଼ି ଦେବୁ କି ସୁଲତା ? ଇଏ କଣ କଳାହାଣ୍ଡିଆ ମେଘ ମୂଷଳଧାରାରେ ବରଷିଲା ପରି ଚାଲିଛି ତ । ଏତେ କଥା ମନରେ ସାଇତିଥିଲୁ କେମିତି ?

 

ହସି ସୁଲତା କହିଲା—ଖରା ହେଲେ ତଳୁ ପାଣି ଉଠେ । ବେଶି ପାଣି ଶୋଷିଲେ ଧଳା ମେଘ କଳା ହୋଇଯାଏ । ବେଶି ହୋଇଗଲେ ସେ ଗାଳିପକାଏ । ମନର ଅବଶୋଷ ସେମିତି କେତେଦିନରୁ କେତେ ଘଟଣାରେ କେତେ ଅଭିଶାପ ମନ ଭିତରେ ସେମିତି ଜମେଇ ଦେଇଥିଲା । ଆଜି ତମେ ସେ ଫୁଆର ଖୋଲି ଦେଇଛି । ଦିଅ, ଖୋଲିଦିଅ—ମନ ହାଲୁକା ହୋଇଯାଉ । ଦେହ ହାଲୁକା ନ ହେଲେ ନିଦ ଆସେ ନାହିଁ । କେତେଦିନ ସାଇତିବି ?

 

ସହାନୁଭୂତି ମିଶା ସ୍ଵରରେ ରମାନାଥ କହିଲେ—ଆଜି ବୋଧହୁଏ କଷ୍ଟ ପାରିବ ନାହିଁ । ତୁ ଯାହା କହୁଛୁ ସେଥିରେ ମୋର ପ୍ରତିବାଦ କରିବାର କିଛି ନାହିଁ । ଖାଲି ମୁଁ କ’ଣ ତୋର ସବୁ ଦୁଃଖକଷ୍ଟ ମୂଳ ?

 

—ନା, ନା ! କେବେ ନୁହଁ, ତମେ କାହିଁକି ହେବ ? ମଣିଷ ଝୁଣ୍ଟିଲେ ତ ରାସ୍ତାକୁ ଗାଳି ଦିଏ । ଯାହାକୁ ପାଖରେ ପାଏ ତାକୁ ଶାସ୍ତି ଦିଏ । ତମେ ମୋର ସେମିତି ନିଜ ଲୋକ ବୋଲି ତମକୁ ସିନା ଏତକ କହିପାରୁଛି । ମୋ କପାଳ ତମେ ମତେ ଦେଇନାହଁ । ମୁଁ ଆଣିଥିଲି । ନିଜେ ଭୁଞ୍ଜିଛି ।

 

ରମାନାଥ ତୁନି ରହିଲେ । ତାଙ୍କର ଆଖିରେ ମେଘ ଉଇଁ ଆସୁଥିଲା । ସୁଲତା ମନର ନିରୋଳ କଥା ତାଙ୍କ ଛାତି ଥରେଇ ଦେଉଥିଲା । କେହି ବୁକୁଥରା କଥା ଶୁଣିବାକୁ ଚାହାନ୍ତି ନାହିଁ । ସେ ଖାଲି ମନେ ମନେ ଠାକୁରଙ୍କୁ ଡାକୁଥିଲେ—କେମିତି ହେଲେ ବ୍ରଜବାବୁ ଫେରିଆସନ୍ତୁ । ଦି’ଜଣରୁ ତିନି ଜଣ ହୋଇଗଲେ ସବୁ ଗୋଳମାଳରୁ ଛୁଟି ।

 

ଦୀର୍ଘ ନିଶ୍ୱାସ ପକାଇ ସୁଲତା କହିଲା—ଆଜି ଏ ଗୋଟିଏ ମାହେନ୍ଦ୍ର ଯୋଗ । ଆମେ ଏତେ ଦିନ ପରେ ଯେ ଯାହାର ମନ କଥା କହିପକାଇବୁ ବୋଲି ଦେଖି ଠାକୁରେ କେମିତି ସମସ୍ତଙ୍କୁ ଭୁଲେଇ ନେଇଗଲେ । ସେ ଆସି ନ ଥିଲେ ଇଏ ରହିଥାନ୍ତେ । ମନକଥା ମନରେ ସଢ଼ୁଥାନ୍ତା । ସେମିତି ବାମ୍ପୁଆଣି ହେଉଥାନ୍ତି ।

 

—ଆସିଯିବେ ଯେ । ଆସୁଥିବେ ପରା ।

 

—ମୁଁ ଜାଣେ ତମେ ତାଙ୍କୁ ଖୋଜୁଛ । ପହିଲେ ଖୋଜୁ ନ ଥିଲ । ଏବେ ତାଙ୍କୁ ଖୋଜୁଛି-। ତମକୁ ଭୟ ଲାଗୁଛି । ସୁଲତା ମନରେ କିଛି ମଳିଧୂଳି ନାହିଁ ବୋଲି । ତମ ମନ ନିର୍ମଳ ନୁହେଁ । ଭାବୁଛ କି କିଛି ନେଇଯିବି । ନେବି ନାହିଁ । ନିର୍ମଳ ଜିନିଷ ସମସ୍ତେ ଖୋଜନ୍ତି । ମଇଳା କେଭେ କାହାରି ପ୍ରିୟ ନୁହେଁ ।

 

—କ’ଣ ଏମିତି ନିର୍ମଳ ହେଲି ନାହିଁ ।

 

ହସି ହସି ସୁଲତା କହିଲା—ଗୋଳିଆ ପାଣିପରି ଦେଖିବାକୁ ସୁନ୍ଦର ନୁହେଁ, ଘେନିବାକୁ ରୁଚିକର ନୁହେଁ । ଶୋଷି ଲୋକର ଚିତ୍ତ ବି ବାରିବ । ବୁଝିପାରୁଥିବ ଏଥର । ରହିବି ନା ଏଠି ?

 

ଥଙ୍ଗ ଥଙ୍ଗ ହୋଇ ରମାନାଥ କହିଲେ—ହଁ ଯେ, ବିଛଣା ରହିଯାଇଛି ।

 

—ହଉ ତେବେ ଯାଅ । ଏଇଠି ଖାଇଦେଇ ଯିବ । ମନେ ପକାଇବ ସୁଲତା ଥିଲା ବୋଲି ଥରେ ହେଲେ ରାନ୍ଧି ଖୁଆଇଛି । ଏଠି ତୁମପରି ଲୋକ ଚଳିବେ କେମିତି ?

 

କିରୋସିନି ଆଲୁଅ କାଚରେ ଧୂଆଁ ପକାଇଦେଇଥିଲା । ଯେତିକି ଆଲୁଅ ଦେଉଥିଲା, ସେତକ ବି ଉଣା ପଡ଼ିଆସିଲାଣି । ସୁଲତା କହିଲା—ଚାହଁ ସେ ଲଣ୍ଠଣକୁ । ସେଇ ହେଉଛି ମୋର ଜୀବନ । ବିଜୁଳି ଆଲୁଅ ପାଖରେ ନ୍ୟୂନ । ଯେତିକି ଥିଲା ସେଥିରୁ କମିଗଲାଣି । ଯେତିକି ଅଛି ସେତିକି । ତାହାର ଅବା କି ଲାଭ ! ତେବେ ମୁଁ ତ ଗୋଟିଏ ଅଲୋଡ଼ା ଦରବ ।

 

ଉତ୍ସାହ ଉଦ୍‌ବେଗରେ ରମାନାଥ କହିଲେ—ଏଇଟା କ’ଣ ଠିକ୍ ? କାହିଁକି ଏମିତି ଭାବୁଛୁ ?

 

—ହେଲା ଏବେ । ତମେ ତ ଜଣେ ଲୋକ ଅଛି, ଯିଏ କହିପାରୁଛି ମୁଁ ଭଲ ବୋଲି ଆଉ ବଡ଼ ବୋଲି । ସେତିକି ମୋର ବହୁତ ଆନନ୍ଦର କଥା ।

 

ବ୍ରଜବାବୁ ଆସିଲେ । ସୁଲତା, ତାଙ୍କର ଚାଲି ଦୂରରୁ ବାରିନେଇ କହିଲା—ଆଜି ବାପା ଆସନ୍ତୁ, ସବୁ କହିବି ।

 

ରମୁ ପୁଣି କାନ୍ଦିଉଠିଲା ସେଇ ଧମକ ଶୁଣି ।

 

ଘର ଭିତରକୁ ଗୋଡ଼ ଦେଇ ବ୍ରଜବାବୁ ଭାବିଲେ ଆଜି ଦିନଟାଯାକ ପିଲାମାନେ କନ୍ଦାକଟା କରୁଛନ୍ତି । ବିରକ୍ତ ହୋଇ ସେ କହିଲେ—ଆଜି ତମର କ’ଣ ହୋଇଛି ଯେ ଯେତେବେଳେ ଆସିଲେ କାନ୍ଦୁଛ ? କହି ସୁଲତା ଆଡ଼େ ଚାହିଁଲେ ।

 

ମଳିନ ଆଲୁଅରେ ସୁଲତାର ମୁହଁରେ ଭ୍ରୂକୁଟି ଉଠିଲା—ତା’ର ଗୋଟିଏ ସୁଖର ସ୍ଵପ୍ନ ମିଳେଇଗଲା । ସେ ପୁଣି ବାସ୍ତବକୁ ଫେରିଆସିଛୁଛି । ଏଇଟା ସଂସାରର ନିଷ୍ଠୁର ସତ । ସଂସାର କେବେହେଲେ ମଣିଷକୁ ତା’ର କଳ୍ପନା ସ୍ରୋତରେ ଓ ମନରୁଚା କାମରେ ରଖେଇ ଦିଏ ନାହିଁ । ଥରକୁ ଥର ମନେ ପକାଇଦିଏ ଯେ ଜୀବନର ଅର୍ଥ ହେଉଛି ଏମିତିକିଆ କେତେଗୁଡ଼ିଏ ପ୍ରହସନ ।

 

ଠିକ୍ ସରିଆସିଲା ବେଳକୁ—ଅଧା ଚଉଠ ହେଲାବେଳକୁ, ଷୋଳକଳା ହେବା ଆଗରୁ, ପରିପୂର୍ଣ୍ଣତା ପାଇବା ପୂର୍ବରୁ ସବୁ ଲିଭିଯିବ । ଏଇ ଦୁଃଖର ଊଣା ପରସ୍ତ ପରସ୍ତ ଖୋଳପା ଭିତରେ ଯୋଉ ଟିକକ ଶସ ରହିଯାଏ, ଦୁଃଖକୁ ଊଣା କରିଦେବାକୁ ଅନ୍ଧାର ରାତିରେ ତାରାପରି, କଳା ମେଘର ବିଜୁଳୀ ପରି, ଅପନ୍ତରାର ଫୁଲପରି, ହିଂସ୍ର ପଶୁମାନଙ୍କର ଦୟା ପରି, ଅପଦାର୍ଥ ଭିତରର ଦେବତ୍ଵ ପରି ଯେଉଁ ଟିକକ ରହିଯାଏ, ଯେଉଁ ଟିକକ ମିଳିଯାଏ, ସେତକ ହେଉଛି ଜୀବନର ସର । ତାକୁ କହନ୍ତି ସୁଖ ।

 

ଏଇ ଟିକକ ସୁଖ ପାଇଁ, ପୂର୍ଣ୍ଣତାର ଏଇ କାଣିଚାକ ପାଇବାପାଇଁ ମନ୍ଦିର ଉପରର ପତାକା ପରି, ମଥା ଉପରର ଟିକା ପରି ଟିକିକ, ସାମାନ୍ୟ ଟିକିକ, ଭଙ୍ଗୁର ନଷ୍ଟଗାମୀ ପଦାର୍ଥଟିକିକ ପାଇବାକୁ ଜୀବନବ୍ୟାପୀ ଯେଉଁ ସାଧନା କରାଯାଏ, ସେତିକି ହେଉଛି ମଣିଷ ।

ଯାହା ମିଳିଥିଲା ହଜିଗଲା । ବ୍ରଜବାବୁ ଫେରି ଆସିଲେଣି । ରମୁ କାନ୍ଦିଲାଣି । ରମାନାଥ ଭାଇ ମୂକ ହୋଇଗଲେଣି । ଏବେ ସବୁ ବିରକ୍ତି, ସବୁ ଅଭିଯୋଗ ସେ ଆଣି ସୁଲତା ଉପରେ ଅଜାଡ଼ି ଦେଇଛନ୍ତି । ସେଇଟା ତାଙ୍କର ଘର । ସେଇ ସୁଲତାର ମୁରବି ।

ଟିକିକ ପରେ ହସି ସୁଲତା କହିଲା—ଏଇଟା ପରି କଳିଯୁଗ । ଯାହାର ଦୋଷ ବେଶି, ତା’ର ଗାରିମା ବେଶି । ଯିଏ ବୁଝେ କମ୍, ସେଇ ଗର୍ଜେ ବେଶି । ଆସିଲ ଯେ ଏକାବେଳକେ ମୋ ଉପରେ କୋପ । ଦେଖ ବୁଲୁକୁ—

—କ’ଣ ହେଇଛି ?

—ପାଖକୁ ଆସ । ତମରି ଲଣ୍ଠଣରେ ତେମେ ଦେଖିପାରୁ ନାହଁ ? କାଚରେ କଳା ଲାଗିଛି ବୋଲି । ପୁଅ ମୁଣ୍ଡର ନାଲି ତମୁକୁ ଦିଶୁ ନାହିଁ । ସୁଲତା ହସିଲା—ନିଜ ଚିନ୍ତାରେ ସେତେବେଳେ ସେ ବିଭୋର । ଅନ୍ୟାନ୍ୟ ସବୁ ଜିନିଷରେ ସବୁ କାମରେ ସେତେବେଳେ ସେ ନିର୍ଲିପ୍ତ ।

ନିର୍ଲିପ୍ତ ଲୋକ ସେମିତି ନୁହେଁ ଗରମ, ନୁହେଁ ଶୀତଳ ହୋଇ ସବୁ କଥା କହିପାରେ, ସୁଲତା ସେହିପରି ନିର୍ବିକାର ମନରେ, ନିରସ ଗଳାରେ ପୁଅ କଥା କହିଯାଉଥିଲା—ଏଇ ବି ପୁଅ, ସେ ବି ପୁଅ । କାହାକୁ ସେ କ’ଣ କରିବ ?

 

ବୁଲୁକୁ ଦେଖି ଉଦ୍‍ବିଗ୍ନ ହୋଇ ସେ ପଚାରିଲେ—କେମିତି ହେଲା ?

 

ରମୁର କାନ୍ଦଣା ବାରମ୍ବାର କହୁଥିଲା—ସେ ନିର୍ଦ୍ଦୋଷ ।

 

—ଏଇ ତେବେ । ଟିକିଏ, ଜଗିଲ ନାହିଁ । ପିଲାଗୁଡ଼ାକ ଧରାପରା ହେଲେ ।

 

ସୁଲତା ଓ ରମାନାଥ ଦିହେଁ ଚମକି ପଡ଼ିଲେ—ଏଇଟା କ’ଣ ତାଙ୍କ ଉପରେ—

 

ସୁଲତା ଟିକିଏ କଠୋର ହୋଇ କହିଲା—ଦିନଯାକ ଜଗିଲେ ବୁଝନ୍ତ, ଆଉ ବୁଝି ସମୁଜି କହନ୍ତି । ରମାନାଥ ସେଇ ଏକାବେଳକେ କହିଲେ—ଖେଳୁଥିଲେ । ପଡ଼ିଗଲା ବୁଲୁ ।

 

ଦୁହିଙ୍କ ମନରେ ସନ୍ଦେହ ଠିକ୍ ରମୁ ପରି । ଦୁହିଙ୍କର ସେହି କାତର ଆବେଦନ—ମୋର ଦୋଷ ନାହିଁ । ସମସ୍ତ ବୁଝନ୍ତୁ ।

 

ମନ ଭିତରୁ ଦୁହିଙ୍କର ସେଇ ଟିକକର ଆନନ୍ଦ ସରାଗ କଳ୍ପନାର ଇନ୍ଦ୍ରଜାଲ ଉଭେଇଗଲା । ଆକାଶଚାରୀ ଅବସ୍ଥାରୁ ସେମାନେ ମାଟିକୁ ଫେରିଆସିଛନ୍ତି । ଯାହା କହୁଥିଲେ ସେଗୁଡ଼ିକ ମଣିଷର ସ୍ଵପ୍ନପରି ନିରର୍ଥକ । କବିର କଳ୍ପନା ପରି, ଯାଦୁକରର କୁହୁକ ପରି, ଠକର ଠକେଇ ପରି ଏକାବେଳକେ ନିରର୍ଥକ ଓ ଅସାର । ତିଅଣ ବଘରା ବାସନ ପରି ମନକଥା କୁହାକୁହି ହେଲାବେଳେ ଯେଉଁ ଟିକକ ଖସ୍‍ବି ଦେହର ଚାରିଆଡ଼େ ବୁଲିଯାଏ, ସେମିତି ସେଇ ପହରକ ମନକୁ ରଞ୍ଜେଇଦେଇ ଚାଲିଯାଇଛି । ଦିହିଙ୍କର ଆଖି, ଦିହିଙ୍କର ମନ ବ୍ରଜବାବୁଙ୍କ ଉପରେ–

 

ବ୍ରଜବାବୁଙ୍କର ରମାନାଥ ଭାଇଙ୍କ ସାଙ୍ଗରେ ଆତ୍ମୀୟତା ହୋଇ ନ ଥିଲା । ସେଥିପାଇଁ ସମସ୍ତେ ବିବ୍ରତ—ସୁଲତା, ରମାନାଥବାବୁ ଓ ବ୍ରଜବାବୁ । ପିଲାଙ୍କ ଗୋଳମାଳକୁ ପଛକୁ ପକାଇଦେଇ ସୁଲତା କହିଲା—ସେ ତ ଜିନିଷପତ୍ର ରଖିଆସିଛନ୍ତି ଆଉ ଠା’କରେ ।

 

—କହୁଥିଲେ ତ । ସେ ଯେବେ ଆମକୁ ପରିବୋଲି ଭାବିବେ–ଲଜ୍ଜିତ ହେଲାପରି ରମାନାଥ କହିଲେ–ମୁଁ ପରା ସେଥିପାଇଁ ବଡ଼ ଲାଜରା ହେଲିଣି । ଏଣିକି ଆସିଲେ–

 

—ତେବେ କ’ଣ ହୋଟେଲରେ ଖାଇବେ ? ସୁଲତା କହିଲା ।

 

ବ୍ରଜବାବୁ ଭାବୁଥିଲେ କହିଦେବାକୁ—ହଁ ବୋଲି ।

 

ରମାନାଥ ବାବୁ କହିଲେ—ଏମିତି କ’ଣ କିଏ କଟା ଘାରେ ଚୂନ ବୋଳେ ? କହିଲି ପରା ଏଇଠି—

 

—କହିଥିଲ ଯେ । କ’ଣ କହି ନ ଥିଲ କି ଜିନିଷପତ୍ର ନେଇ ଆସିବ ବୋଲି ? ଉଠିବାରେ ନାଁ ନାହିଁ, ବସିଛ ସେ ଖୁମ୍ବକୁ ଆଉଜି ସେମିତି ବସିଛି । ସୁଲତାର ଓଠରେ ହସ ।

 

ପିଲାମାନେ ସେମିତି କେଁକାଁ ହେଉଥାନ୍ତି । ସେଥିପାଇଁ ବ୍ରଜବାକୁ ଯାହାକିଛି କରିବା କଥା କରୁଥାନ୍ତି । ଆଉ ଦୁଇଜଣଙ୍କର ସେଥିରେ ଯେପରି କୌଣସି କାମ ନାହିଁ ।

 

ରମାନାଥବାବୁ କହିଲେ—ବସିଛୁ କଣ ? ସେ ପରା ଅଫିସରୁ ଆସି ସେମିତି ଠୁଙ୍ଗା ଠୁଙ୍ଗା ବୁଲୁଛନ୍ତି ।

 

—ବନ୍ଧୁ ସଙ୍ଖୋଳି ଯାଇଥିଲେ ପରା । ପରମ ବନ୍ଧୁ । ଘରକୁ ଆସି ଯେ ରହିବାକୁ ମନ ନ କରିବ ତାକୁ ଏବେ ଉପାୟ କଣ ?

 

କେବେ କ’ଣ ଯାଏ ? ତାଙ୍କୁ ଏଠୁ ନେଇଯିବାକୁ ଆଉ କିଛି ବାଟ ନ ପାଇ ମୁଁ ସିନା ବାହାରକୁ ଗଲି ।

 

—କାହିଁକି ? ରୋକଠୋକ୍ କହିଦେଲ ନାହିଁ—ଯାଅ ବୋଲି । ଏତିକି ନ କହି ଏତେ ବନ୍ଧୁ ଅବା କ’ଣ ଦରକାର ଥିଲା ?

 

ରମାନାଥବାବୁ ଭାବିଲେ ତାଙ୍କର ପଦେ କହିବା ଉଚିତ । ସେ ବଡ଼ ବିବେକୀ ପରି କହିଲେ—ମୁଁ ପରା ଅଫିସ-ଫେରନ୍ତା କେବେ ଘର ଛାଡ଼ି ଯାଏ ନାହିଁ । ଭଲ ଲାଗୁ ନ ଲାଗୁ ମୁହଁ ଚାହାଁଚାହିଁ ହୋଇ ବସିଥାଏ । ତେବେ ସେତେବେଳେ ଆମ ଘରଣୀ ଯେଉଁ ଅମୃତ ବଚନ ଶୁଣାନ୍ତି, ଶୁଣିଲେ ମନ ହୁଏ, ଯେ ତା’ର ପାଟି ପଡ଼ିଯାନ୍ତା କି ମଣିଷ ଶାନ୍ତରେ ରହନ୍ତା ।

 

ଉତ୍ସାହ ଦେଖାଇ ସୁଲତା ପଚାରିଲା—ଏମିତି ଗୋଟାଏ କଥା ଆମେ ତ ଜାଣି ନ ଥିଲୁ-। ଆମ ବୋହୂ ତାହାହେଲେ ଏମିତି !

 

—ସେ ତ ଆମପାଇଁ ପୂଜାବ୍ରତ କଲେ । ଆଉ ସୁବିଧା ପାଇଲେ ତଣ୍ଟିକୁ ଧରି ବସିଲେ-। ଏବେ ଆମେ କହିବା କାହାକୁ ? ଯିଏ ଆସିଲା ଦେଖୁଛି ଯେ ମୋରିପାଇଁ ସବୁ ପୂଜାପାଠ ଚାଲିଛି-। ସେଥିରେ ମୁଁ ଯଦି ତାଙ୍କୁ ଦି’ପଦ କହିବି ତେବେ ଚ ହେବି । ଦାଣ୍ଡରେ କାଇଲି-। ପାଟି ବୁଜି ସହିଯିବା ଭଲ ।

 

Unknown

ସୁଲତା କହିଲା—ମୁଁ ଭାବୁଥିଲି ଏକା ପ୍ରକାଶବାବୁ ଘରୁ ପଳାନ୍ତି । ଏବେ ଦେଖୁଛି ତମେ ବି ସେୟା । ଏଗୁଡ଼ାକ ଭଲକଥା ନୁହେଁ । ଆମେ କେବେହେଲେ କଳିଗୋଳ ହେଉନାହିଁ । ତାଙ୍କର ସବୁ କଥାକୁ ମୋର ପ୍ରାଣେ ଡର—

 

ବ୍ରଜବାବୁ ମନେ ମନେ ଖୁସିଟାଏ ହୋଇଗଲେ—ପ୍ରକୃତ କଥା । ସେ ବଡ଼ ବୁଦ୍ଧିମାନ୍ ଲୋକ ବୋଲି ଏଡ଼େ ସୁରୁଖୁରୁରେ ସବୁ କଥା ଚଳେଇ ପାରୁଛନ୍ତି । ଆଉ ଏମାନେ ଯାହା ତ ନ କଲେ ନାହିଁ । ପୁଣି ତାକୁ ବଖାଣୁଛନ୍ତି । ସେ କହିଲେ—ମୁଁ ପରା ଗୋଟିଏ ନିୟମ ମାନେ । ଘରେ ମାଇପେ ଯାହା କହିବେ ତାକୁ ଶୁଣିବ ସିନା ମନେ ରଖିବ ନାହିଁ । ଦିନଯାକ ବସି ବସି ବେଳବୁଡ଼କୁ ସେମାନେ ଗୁଡ଼ାଏ ହାଉହାଉ ହେବେ । ନୀଡ଼ଫେରନ୍ତା ଚଢ଼େଇପରି । ସେତିକିବେଳେ ମଶା ବି ଗୁଣୁଗୁଣୁ ହୁଅନ୍ତି । ତାକୁ ଖାତିର-ପାଶ୍‍ କଲେ ଅବଶ୍ୟ କଳି ହେବା କଥା ।

 

ସୁଲତା ଝଙ୍କାର ଦେଇ କହିଲା—ୟା’ରି ଭିତରେ କୂଟନୀତି ଚାଲିଛି ନା ? କହି ଦୀର୍ଘନିଶ୍ୱାସ ପକାଇଲା । ତା’ର ଭାରି ଦୁଃଖ—ତା’ର ଜୀବନ ବୃଥା ହୋଇଗଲା ।

 

ମନକୁ ପାଉ ନ ପାଉ ଭଲ ପାଇବାର ଷୋଳକଳାରୁ କଳାଏ ଊଣା ହୋଇଗଲେ ଏକାବେଳକେ ବିଗିଡ଼ିଗଲା । ସୁଲତାର ମନରେ କ୍ଷୋଭ ଆସୁଥିଲା ଯେ ବ୍ରଜବାବୁ କୃତ୍ରିମ ଭାବ ଦେଖାନ୍ତି । ସେ ଚାହିଁଲା ରମାନାଥବାବୁଙ୍କ ଆଡ଼େ । ମନର କ୍ଷୋଭ ଆଖିରେ ଲାଳସାର ରୂପ ନେଇଥିଲା—ଯାହା ନାହିଁ ତାକୁ ବାହାର କରିବାର ଉତ୍ସାହର ନା ହେଲା ଲାଳସା ।

 

ସ୍ତ୍ରୀ ଜୀବନରେ ଯେତେବେଳେ ଲାଳସା ଦେଖାଦିଏ, ଠିକ୍‍ ତା’ର ତଳେ ରହିଥାଏ ଗୋଟିଏ ଅଭିମାନ—ଗୋଟିଏ ଅଭିଯୋଗ—ଗୋଟିଏ ଦୀର୍ଘନିଶ୍ଵାସ । ମନର ଦୁଃଖ ସାନ୍ତ୍ୱନା ଖୋଜେ—ସାନ୍ତ୍ୱନାର ଭାଷା ହେଉଛି ଲାଳସାର ଭାଷା । ଠାକୁରଙ୍କ ପ୍ରତି ହୋଇଥିଲେ ତାକୁ କୁହାଯାଏ ଭକ୍ତି । ପୁରୁଷପ୍ରତି ପୁରୁଷର ହୋଇଥିଲେ ତାକୁ କୁହାଯାଏ ବନ୍ଧୁତା । ପୁରୁଷର ସ୍ତ୍ରୀ ପ୍ରତି ହୋଇଥିଲେ କୁହାଯାଏ ତାକୁ ପ୍ରୀତି ।

 

ପ୍ରୀତିର ବିଭିନ୍ନ ସ୍ତର ଅଛି । କେତେକ ନୀଚ ଆଉ କେତେକ ଉଚ୍ଚ । ସେ ଦିନ ସୁଲତାର ଆଖିରେ ଦେଖା ଦେଇଥିଲା ନୀଚ ପ୍ରୀତି । ନିମ୍ନଗାମୀ ପ୍ରୀତି ।

 

ସଂସାରଟା ଏମିତି କୌଶଳରେ ଗୁନ୍ଥା ହୋଇଛି ଯେ ସ୍ଵାମୀ ସ୍ତ୍ରୀର ବିହ୍ଵଳନ୍ତା, ତନ୍ମୟତା ଓ ମୋହ ଚିହ୍ନ ମଧ୍ୟ ଚିହ୍ନିପାରେ ନାହିଁ । ସୌନ୍ଦର୍ଯ୍ୟ ଭିତରେ ବୁଡ଼ିରହିଥିବା କୁଟିଳତା ପରି ଦେଖି ମଧ୍ୟ ଦେଖିପାରେ ନାହିଁ । ବ୍ରଜବାବୁ ମନେ କରୁଥୁଲେ ଯେ ସୁଲତା କପଟ ରୋଷର ଅଭିନୟ କରି ଚାହିଁ ରହିଛି । ରମାନାଥବାବୁ ଦେଖୁଥିଲେ—ସୁଲତା ଛଳନା ଦେଖାଇ ନିଜର କଳ୍ପନାକୁ ଜୀବନ୍ତ କରି ଥୋଇଛି ।

 

ଦିହେଁ ଆଖି ତଳକୁ କଲେ । ସୁଲତା ଚାହିଁଥିଲା ନିର୍ବିକାର ଆଖିରେ । ମନର ଉର୍ଦ୍ଧ୍ଵଗାମୀ ତେଜୀୟାନ ଭାବନା ଆଗରେ ସଂସାରର ପରିବେଶ ଓ ସମାଜର ସ୍ଥିତିର କୌଣସି ମୂଲ୍ୟ ନାହିଁ ।

 

ବ୍ରଜବାବୁ ପ୍ରଥମେ ମୁହଁ ଟେକିଲେ । ସୁଲତାର ଆଖିରେ ବିରକ୍ତ । ବ୍ରଜବାବୁ ମନେକଲେ ବିଳମ୍ବ, ହେଉଥିବାରୁ ଏଇ ବିରକ୍ତ ।

 

—ସେତେବେଳେ—ମୁଁ ଟିକିଏ ବଜାର କରି ଆସେଁ । ଅଳ୍ପକରେ ଫେରି ଆସିବି ।

 

—ସେତେବେଳେ ଆଣିଲ ନାହିଁ । କ’ଣ ଭାବିଥିଲି ସେ ଏଠି ରହିବେ ନାହିଁ ?

 

—ସେ କଥା ନୁହେଁ । କ’ଣ ଆଣିବି ବୋଲି ପଚାରି ନ ଥିଲି ।

 

—କ’ଣ ଆଣିବ ? ସବୁ ଆଣିବ । ଆମେ ଯାହା ନ ଖାଉ ତାକୁ ଆଣିବ । ଯାହା ମିଳେ ସବୁ ଆଣିବ । ଭାଇ ଆସିଛନ୍ତି ଅନେକ ଦିନ ପରେ । ଆଉ ଆସିବେ ନାହିଁ—କହି ଦୀର୍ଘ ନିଶ୍ୱାସ ପକାଇଲେ ।

 

କ୍ଲାନ୍ତ ଦେହକୁ ଉଠାଇ ବ୍ରଜବାବୁ ଠିଆହେଲେ—ସହରରେ ଅଭାବୀ ଲୋକ ଘରେ କୁଣିଆ ଗୋଟିଏ ଜଞ୍ଜାଳ । ସେମାନେ ଆସି କେବେହେଲେ କାହାକୁ ସୁଖ ଦିଅନ୍ତି ନାହିଁ । ତାଙ୍କୁ ପରଷିଲାବେଳେ ମନ ଭିତର ଯେତିକି ପିତା ହୋଇଥାଏ ସେତକ କେହି ବୁଝି ମଧ୍ୟ ବୁଝନ୍ତି ନାହିଁ । ସେ ବି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲେ ।

 

ପୁଣି ଘର ଖାଲି । ସୁଲତା ଚୁପ୍‍ ହୋଇ ବସିରହିଲା । ଆଉ ତା’ର କହିବାର କଥା କିଛି ନାହିଁ ।

 

କିଛି ବେଳ ମଉନ ରହି ରମାନାଥବାବୁ ପଚାରିଲେ—କ’ଣ ଭାବୁଛୁ ସୁଲତା ? ଏକାବେଳକେ ତୁନି ହୋଇଗଲୁ ଯେ ?

 

—ମଣିଷ ବାରବାର ନିଜ କଥା କହିପାରେ ନାହିଁ । ମୁଁ ବଡ଼ ଦୁଃଖୀ । କ’ଣ ପଚାରୁଛ ?

 

ପ୍ରତ୍ୟେକ ଶବ୍ଦରେ ସୁଲତା ଯେପରି କଠୋର ଭାବରେ କହୁଥିଲା—ତମେ ବଡ଼ ହୃଦୟହୀନ ।

 

ରମାନାଥ ବାବୁ ଚମକିପଡ଼ିଲେ । —ଏ କ’ଣ ତାଙ୍କ ଆଦରର ସୁଲତା ? ସୁଲତାକୁ ସେ ଯେଉଁ ଭାବରେ ଦେଖି ଆସିଥିଲେ—ସେ ସୁଲତା କାହିଁ ?

 

ହୃଦୟର ଅକୁହା କଥା କହିବାକୁ ଭାଷାର ଅଭାବ ନ ଥାଇ ଯେତେବେଳେ ସାହସର ଅଭାବ ଆସେ ସେତେବେଳେ ମୁହଁ ଉପରେ ଯେଉଁ ଝଳିଫିଟେ ତାର ତୁଳନା ସେଇ ନିଜେ । ସୁଲତାକୁ ସେ ଦେଖି ଆସିଥିଲେ ସେଇ ରୂପରେ । ସେଇ ସୁଲତା ଆଜି କହୁଛି ଯେ ତା’ର କହିବା କଥା ସବୁ ସରିଯାଇଛି । ଅଇଁଠା ବାସନ ପରି ସେ ନିଜେ ନିଜ ପାଖରେ ହୋଇଛି ।

 

—ମୁଁ ଆସିଥିଲି ତୋ ସାଙ୍ଗରେ ଦୁଃଖସୁଖ ହେବାପାଇଁ ଆଉ—

 

ଆଖିଟେକି ସୁଲତା କହିଲା—ହଁ ତ, କୁହ । ସେ ନାହାନ୍ତି । ଥିଲେ ଅବା ତମର ସଙ୍କୋଚ ଆସନ୍ତା । ଆପଣାର ଲୋକକୁ ପର କରି ଦେଖାଇ ପାରନ୍ତି । କେହି ନ ଥିଲାବେଳେ ମଣିଷ ପରକୁ ଆପଣାର କରିପାରେ ।

 

ରମାନାଥ ବାବୁ ଘୁଞ୍ଚି ଆସିଲେ । ସୁଲତା ସେମିତି ନିର୍ବେଦ ପରି ବସି ରହିଲା ।

 

ଦିହେଁ ପାଖ ପାଖ ହୋଇ ବସିବାରୁ ରମୁ ଆସି ପହଞ୍ଚିଲା ବସିବାପାଇଁ । ବୁଲୁ ଆସି ଲଦି ହେଲା ସୁଲତା ଉପରେ ।

 

ଦୁଇ ହାତରେ ଦୁଇ ପିଲାଙ୍କୁ ଧରି ସୁଲତା ପଚାରିଲା—ବସିଲ ଯେ ?

 

ଶଙ୍କିତ ସ୍ଵରରେ ରମାନାଥବାବୁ କହିଲେ—ପିଲାମାନେ ଏମିତି ଦିନଯାକ ଲାଗିଥାନ୍ତି ନା ?

 

—ହଁ । କିଏ ଆଉ ଅଛି ? ସେମାନେ ଆପଣା ପର ବାରନ୍ତି ନାହିଁ । ସବୁବେଳେ ସେମାନେ ନିଜର ମାଡ଼ଗାଳିକୁ ଛଳ କରନ୍ତି ନାହିଁ । କାହିଁକି ପଚାରିଲି ?

 

ରମାନାଥ ବାବୁ ସୁଲତାର ହାତ ଧରି କହିଲେ—ମୁଁ କ’ଣ କଲି କି ?

 

—ସେମିତି ଚୋରପରି ହୁଅନା । ରମୁ ପଚାରିଲା—ମା, ଚୋର କିଏ ? କେଉଁଠି ଅଛି-? ଲାଗି ଆସିଲା ପାଖକୁ ।

 

ରମାନାଥ ବାବୁଙ୍କର ହାତ କୋହଳ ହୋଇଗଲା । ସୁଲତା କହିଲା—ଚୋର ଆସୁଥିଲା ପଳାଇଲାଣି ।

 

—କୁଆଡ଼େ ଗଲା ?

 

—ଚୋର ଛପି ଛପି ଆସେ । ମଣିଷ ଦେଖିଲେ ପଳାଏ । ତମେମାନେ ନଥିଲାବେଳେ ଆସିବ—ଜଗିଥିବ ।

 

ରମୁ ଚାହିଁଲା ରମାନାଥବାବୁଙ୍କ ମୁହଁକୁ । ସେ ପିଲାଟିର ସରଳ ନିଷ୍ପାପ ଚାହାଣୀରେ ମଧ୍ୟ ବିବ୍ରତ ହୋଇ ପଡ଼ିଲେ ।

 

ହସି ସୁଲତା କହିଲା—ତମ ଆମ ଭିତରେ ଏତିକି ହେଉଛି ବ୍ୟବଧାନ । ଗଲାକଥା ଆଉ ଫେରିବ ନାହିଁ ।

 

ଆହତ ହୋଇ ରମାନାଥବାବୁଙ୍କ ମନରେ ପ୍ରତିହିଂସା ଦେଖାଦେଲା—ଏଇଟା ନାରୀର ସ୍ଵଭାବ ସୁଲଭ ଦାନ । ଆଘାତ ପାଇଲେ ସେ ନଇଁପଡ଼େ । ବ୍ୟର୍ଥତା ପାଇଲେ ସେ ହିଂସ୍ର ଆଚରଣ ଦେଖାଏ ।

 

ବୁଲୁକୁ ଆଡ଼େଇଦେଇ ରମାନାଥ ବାବୁ ଟିକିଏ ଲଗାଲଗି ହୋଇ ବସିବାକୁ ଚେଷ୍ଟା କଲାବେଳେ ବୁଲୁ ବାଧାଦେଲା । ବଡ଼ପାଟିରେ ହସି ସୁଲତା କହିଲା—ଦେଖ, ବୁଝ—ମଉଳା ମନ ନେଇ ପ୍ରୀତି ଖୋଜିବ ନାହିଁ । ମନ ଥରେ ମଉଳିଗଲେ ମଉଳା ଫୁଲପରି ସେ ଆଉ ଥରେ ତା’ର ରୂପ, ରସ, ଗନ୍ଧ ନେଇ ତମ ପାଖରେ ଠିଆହେବ ନାହିଁ । ଆସିଥିଲ—ମେଲାଣି ଦେବାକୁ ପାଞ୍ଚ କରି । ଯାହା ଖୋଜିଥିଲ ପାଇଲ । ଏବେ ତୁମେ ମୋର ବନ୍ଧୁ ।

 

କ୍ଷୁବ୍‌ଧ ମନରେ, କ୍ଷୁବ୍‌ଧ ସ୍ଵରରେ ରମାନାଥବାବୁ କହିଲେ—ତୋଠାରୁ ଏଇ କଥା ଏମିତି ଭାବରେ ଶୁଣିବି ବୋଲି ଆଶା ରଖି ନ ଥିଲି ।

 

—ଭାବୁଥିଲ ଯେ ଗାଉଁଲି ସୁଲତା ସବୁଦିନେ ସେମିତି ନିଜର ସରଳ ମନରେ ସରଳ କଥା କହୁଥିବ । କହିଛି—ଅନେକ ଦିନର ଚିନ୍ତା, ଅପଚିନ୍ତା ମୋତେ ନୂଆପ୍ରକାରେ ଗଢ଼ିଛି । ଏଇ ସହରର ସଭ୍ୟତା ସବୁଦିନେ ଶିଖେଇଛି, ବୁଝେଇଛି ଯେ ଏଠୁ କେହି କାହାକୁ ଯାଚି ଦାନ ଦିଅନ୍ତି ନାହିଁ । ତମେ ବି ସେଥିରେ ଅଲଗା ହୋଇପାରିବ ନାହିଁ । ହେଲା କୋଉଠି ?

 

ଦୁର୍ବଳ ଭାଷାରେ ରମାନାଥବାବୁ କହିଲେ—ମୋତେ ଭୁଲ ବୁଝିଲୁ ସୁଲତା ।

 

—ମୁଁ ନୁହେଁ । ତୁମେ ମୋତେ ଭୁଲ ବୁଝିଥିବ । ପୁରୁଣା ଜିନିଷ ନୂଆ ଲାଗିଥିବ । ପୁରୁଣା କଥା ନୂଆ ଶୁଭିଥିବ । ପୁରୁଣା ମନ ନେଇ ପରିଚୟ କରିବାକୁ ଆସିଥିଲ । ଭୁଲ ତମର । ଛାଡ଼ !

 

ଭାବି ଭାବି ରମାନାଥ କହିଲେ—ଭୁଲ ! ମୋର ଭୁଲ ! ହେଇଥିବ । ହେଇଚି ତ ।

 

ହସି ସୁଲତା କହିଲା—ଶୁଣ ଭାଇ, ମୋର ଛୋଟିଆ ମୂର୍ଖ କଥା—ଶୁଣ । ପୁରୁଣା କଥାକୁ ସବୁଦିନେ ଆଶା କରିବ ନାହିଁ । କଢ଼ର ସବୁଜରଙ୍ଗ ଫୁଲ ବେଳେ ନ ଥାଏ । ଫୁଲର ଝଲକ ମଞ୍ଜିବେଳେ ନ ଥାଏ । ଯେତେବେଳେ ଯାହା ଆସିଛି ତାକୁ ଧରିନିଅ । ଭୋଗ କର । ଆନନ୍ଦ ହୁଅ-। ତାକୁ ସାଇତି ରଖିଲେ ସେଥିରେ ସୁଖ ନାହିଁ । ଦୁଃଖ ଅଛି ।

 

—କ’ଣ କହିଲୁ ? ତେବେ କ’ଣ ଗଲା କଥାଗୁଡ଼ାକ—ମନର ପୁରୁଣା ଭାବ, ଭାବନା ଏକାବେଳକେ ମିଛ ?

 

—କିଛି ମିଛ ନୁହେଁ । ସବୁ ଦିନେ ସବୁ କଥା ସତ ନୁହେଁ । ଟିକକ ଆଗରୁ ମୁଁ ଯାହା ଭାବିଥିଲି ଏବେ ସେଇଟା ମିଛ କଥା । ଏବେ ଯାହା ଭାବୁଛି ସେ ବି ହୁଏତ ମିଛ ପାଲଟିଯିବ । ପୁରୁଣା କଥାକୁ ଗଣ୍ଠି ପକେଇ ଧରିବସିଲେ ସେଥିରୁ କ’ଣ ଫଳିବ ?

 

—ମୋ ଉପରେ ରାଗିଛୁ ସୁଲତା ?

 

—ରାଗ ? ପିଲାବେଳେ ମଣିଷ ରାଗେ । ବଡ଼ ହୋଇଗଲେ ମଣିଷ ଖାଲି ଚିଡ଼େ । ରାଗିବ କେମିତି ? ପିଲାବେଳେ ସବୁଥିରେ ଅଧିକାର ଥାଏ । ବଡ଼ ହେଲେ ବୁଝେ, କୌଣସି ପଦାର୍ଥରେ ଅଧିକାର ନାହିଁ । ମୁଁ ରାଗିବ କାହିଁକି ?

 

—କୁହୁକ ପରି ଘଡ଼ିକ ଆଗରୁ ଯାହା କହୁଥିଲୁ, ଏବେ ତା’ରି ଓଲଟା କଥା କହୁଛୁ ।

 

—ସେତେବେଳେ କହୁଥିଲି—ବହୁତ ଦିନ ପରେ ଦେଖା । ବହୁତ ଦିନ ତଳେ ଛାଡ଼ି ଆସିଥିବା ମନକୁ ମନ ସାଙ୍ଗରେ ନେଇ ଯୋଡ଼ୁଥିଲି । ଯୋଡ଼ି ହେଲା ନାହିଁ । ଏଇଟା ପରା ସହର । ଯୋଉଠି ବେଶି କାରବାର ହୁଏ, ବେପାର ବଣିଜ ନ ହୁଏ, ସେଇଟାକୁ କହନ୍ତି ସହର । ସେଠି ନିରୋଳା । ମନର ଜାଗା କାହିଁ ?

 

—ତେବେ ଆମ ଭିତରେ କ’ଣ ଏତେ ବଡ଼ ହିଡ଼ ?

 

—ହିଡ଼? ହିଁ ଅଛି ତ ! ମଣିଷର ବୟସ ପବନ ବାଲି ଗଦା କଲାପରି ମଣିଷ ମଣିଷ ଭିତରେ ବାଡ଼ ପକାଇଦିଏ । ଏଇ ଏତକ ଜାଣି ନ ଥିଲି । ଆଜି ସନ୍ଧ୍ୟାବେଳେ ବୁଝିଲି । ମନେ ରଖିଥିବ—ଆଜି ବୁଲୁର ଓଠ ଫାଟି ରକ୍ତ ବୋହିଛି । ଆଉ ଆମର ମନ ଫାଟିଯାଇଛି ।

 

—ହଁ ।

 

—ବିଶ୍ୱାସ ହେଉନାହିଁ ? ହଉ ନ ଥିବ । ମନ ଭାରି ନିଷ୍ଠୁର । ସେ ସବୁ ଜିନିଷ ବଦଳେଇଦିଏ । ଜିନିଷର ରସ, ଗନ୍ଧକୁ ବଦଳେଇଦିଏ । ଖରାପ ଲାଗୁଛି, ନା ?

 

—ନ ଆସିଲେ ଭଲ ହୋଇଥାନ୍ତା । ଖୁସି ଲାଗୁଥିଲା ଯେ ।

 

ହସି ସୁଲତା କହିଲା—ବହୁତ ଦୁଃଖସୁଖ ହେଲେ । ଭଲ ଲାଗିଲା । ତମେ ଭାବୁଥିବ ଏଇ ଗାଉଁଲି ସୁଲତା କେତେ କଥା କହି ଜାଣିଲାଣି—ସବୁ ଶିଖିଛି ନିଜ ଅନୁଭବରୁ । ନିଜର ଦୁଃଖକୁ ମନରେ ମାରି ସେଇଠୁ, ସେଇ ଅନ୍ଧାରୁଆ ମନଭିତରୁ ସବୁ କଥା ଶିଖିଛି । ଦୁଃଖୀଲୋକ ଏକା ସଂସାରରେ ପାଠୁଆ ଆଉ ବୁଦ୍ଧିଆ । ସୁଖୀ ଲୋକ କିଛି ନୁହେଁ । ତମେ ସୁଖୀ ।

 

—ମୁଁ ? —କାହିଁକି ନ କହିବୁ !

 

—ସୁଖୀ ଲୋକ ହୋଇ ନ ଥିଲେ ତମେ ତ ସବୁଆଡ଼େ ଖାଲି ସୁଖ ଆନନ୍ଦ ଖୋଜି ବୁଲନ୍ତ ନାହିଁ । ମନ ଖୁସି ଥିଲାବେଳେ ମଣିଷ ଚାରିଆଡ଼େ ଖାଲି ଖୋଜେ । ଫୁଲଟିଏ ଦେଖିଲେ ଖୁସି । ଜହ୍ନ ଆଲୁଅ, ସୁଲୁସୁଲୁଆ ପବନ; ମାଟି ଉପର ଘାସ, ଚଢ଼େଇ ରାବ, ମଣିଷର ବ୍ୟବହାର–ସବୁଥିରୁ ସେ ଆନନ୍ଦ ପାଏ—ମହୁମାଛି ମହୁ ଖୋଜିଲାପରି ଦୁନିଆଟା ହେଇଛି ତା’ର ପାଇଁ-। ଦୁଃଖୀ ଲୋକେ ତା’ର ପ୍ରଜା ।

 

—ମୁଁ ସେମିତି ଖୋଜୁଥିଲି ନା ?

 

—ନୁହେ ତ ଆଉ କ’ଣ ? ତମେ ଦୁଃଖୀ ହୋଇଥିଲେ ମୋର ଦୁଃଖରେ ଦୁଃଖୀ ହୋଇଥାନ୍ତ । ମୁଁ ତମୁକୁ ସୁଖ ଲାଗନ୍ତି । ମତେ ତେମେ ଆଶ୍ୱାସନା ଦେଇ ପାଞ୍ଚପଦ କହିଥାନ୍ତି । କାହିଁ ? ତମେ ତ ଓଲଟି ପଚାରୁଛ ମୁଁ ବଦଳିଗଲି କେମିତି ?

 

—ତେବେ ଆମର ପିଲାଦିନ ଧୂଳିଖେଳ, ପିଲା ମନର ସଂସାର ସବୁ କ’ଣ ମିଛ ?

 

—ସେତେବେଳେ ଆମେ ଥିଲୁ ସୁଖୀ । ଦିହେଁ ଥିଲୁ ପକ୍ଷୀରାଜଘୋଡ଼ା ଉପରେ । ଦିହେଁ ପାରିଧି କରୁଥିଲୁ ସଂସାର ଗୋଟାକୁ । ଆଜି ତମେ ତଳକୁ ଓହ୍ଳାଇ ନାହିଁ । ମୁଁ ତଳେ ଠିଆ ହୋଇଛି । ତମକୁ ଦେଖିଥିଲେ ଆଡ଼େଇଯିବା କଥା । ଆଡ଼େଇ ନ ଯିବି କେମିତି ?

 

—ଆଡ଼େଇ ଗଲୁଣି ତ ! ଏବେ କହିପାରୁ ଏଠୁ ଚାଲିଯିବାପାଇଁ ?

 

ବିମର୍ଷ ହସ ହସି ସୁଲତା କହିଲା—ସେ କ’ଣ ହୋଇପାରେ ? ଦୁଃଖୀଲୋକର ସୁଖୀ ଲୋକକୁ ଭାରି ହିଂସା । ହେଲେ ବି ତାଙ୍କୁ ପାଖରେ ପାଇଲେ, ତାଙ୍କୁ ଆପଣାର କରି ରଖିପାରିଲେ ବୁକୁ ଫୁଲିଉଠେ । ସେଥିପାଇଁ ଦୁଃଖୀ ଲୋକେ ସୁଖୀ ଲୋକଙ୍କୁ, ଗରିବ ଧନୀମାନଙ୍କୁ, ଦୁର୍ବଳମାନେ ବଳୁଆ ଲୋକଙ୍କୁ, ମୂର୍ଖମାନେ ପଣ୍ଡିତଙ୍କୁ ତାଙ୍କରି ମେଳରେ ରଖି ଫୁଲ ସାଙ୍ଗରେ ପଟ ପରି ମନକୁ ବୁଝାଉଥାନ୍ତି । ତୁମେ ଆସିଛ—ଆସିଛ ବୋଲି ତମୁକୁ ଛାଡ଼ିବାକୁ ଇଚ୍ଛା ହେଉନାହିଁ । ମନ ହେଉଛି ଯେ ତମୁକୁ ଧରି ରଖି ତମରି ସାଙ୍ଗରେ ଏମିତି ଗପୁଥାନ୍ତି । ରାତି ପାହିଯାନ୍ତା । କେହି ଆଉ ନ ଥାନ୍ତେ ।

 

—ତମେ ଆଉ ମୁଁ, ମୁଁ ଆଉ ତମେ । କେଡ଼େ ଭଲ ନ ହୁଅନ୍ତା ?

 

—କଥା କହିଲାବେଳେ ସେଗୁଡ଼ିକ ଯାଇ ମର୍ମରେ ବାଜୁଛି ।

 

—ହଁ ତ ! ମିଠା ପାଖରେ ଟିକିଏ ପିତା ଲାଗିଲେ ସବୁଗୁଡ଼ାକ ପିତା ହୋଇଯାଏ । ତମର ସୁଖ ଆନନ୍ଦକୁ ଟିକିଏ ବାଧିଲେ ଭାରି କଷ୍ଟ ଲାଗୁଥିବ । ଦୁଃଖୀ ଲୋକ ଗାଳି ସହି, ଧିକ୍‌କାର ଦେଇ କହି, ମନର ଅଭିମାନ ମେଣ୍ଟାଏ । ନିଜର କାହାଣୀ ଶୁଣାଇ ମନ ହାଲୁକା କରେ । ଗଲୁ ସାରୁକୁ ଗାଳି ଗାଳି ସେଥିରୁ ଗଲୁ ମାରିଲାପରି ଆଖିରୁ ଲୁହ ଝରାଇ, କଥାକୁ ଧାରୁଆ କରି ଦୁଃଖୀଲୋକ ତା’ର ଦୁଃଖ କମେଇଥାଏ । ତମଠାରୁ ମୋର ପ୍ରିୟ ଆଉ କିଏ ଅଛି ? ତମେ ଯେବେ ସେତିକି କରି ନ ପାରିବ, ସହି ନ ପାରିବ, ବୁଝି ନ ପାରିବ, ତେବେ ତମୁକୁ ମୁଁ କହିବି ବଡ଼ ସ୍ଵାର୍ଥପର—ନିଜ ମନ ଚିହ୍ନିଛ । ପର ମନ ବୁଝିନାହିଁ । ତମେ ପ୍ରିୟ ହୋଇପାରିବ ନାହିଁ । ବନ୍ଧୁ ହୋଇପାରିବ ନାହିଁ ।

 

ବିଦ୍ରୂପର ଭଙ୍ଗୀରେ ରମାନାଥ ପଚାରିଲେ—ତେବେ କଣ ହେବି ?

 

—ଯାହା ସମସ୍ତେ ହୁଅନ୍ତି ସେୟା । ଆପଣାସାର୍ଥକା ଲୋକ କାହାରି ନୁହେଁ । ନିଜେ ନିଜର ବି ନୁହେଁ । ସେ ସଂସାରର ନୁହେଁ । ଉଞ୍ଚା ତାଳଗଛ ପରି, ଉଚ୍ଚା ପାହାଡ଼ ପରି ସେ ଯେତେ ବଡ଼ ହୋଇଥାଉ ପଛକେ ସେ ହେଉଛି ଦୁନିଆର ଭୂତ । ତାକୁ ସମସ୍ତେ ଭୟ କରନ୍ତି । କେହି ତା’ର ସାଙ୍ଗରେ ଖେଳନ୍ତି ନାହିଁ । କେହି ତାକୁ ମନକଥା କହନ୍ତି ନାହିଁ । ସେ ମନକଥା ଶୁଣିବାକୁ ଅଭାଜନ ସେ ତ ବନ୍ଧୁ ନୁହେ—ପ୍ରିୟ ହେବ କେମିତି ?

 

—ନା ମୁଁ ସେମିତି ଖାଲି କହୁଥିଲି ତୋର ମନ କଥା ଜାଣିବାପାଇଁ ।

 

—ମନକଥା ? ମନକଥା ଜାଣିବାକୁ ପୁଣି ତମର ଚେଷ୍ଟା ଲାଗିଥିଲା । ତମେ ଏତେ ମୂର୍ଖ ହେଇଗଲଣି । ମଣିଷ ଖାଲି ନିଜ ଇଚ୍ଛାରେ ତା’ର ମନକଥା କହିଦିଏ । କେହି କାହାର ମନକଥା ଟାଣି ଓଟାରି କାଢ଼ିପାରିବ ନାହିଁ । ମନ ଭିତରୁ ଆପଣାଛାଏଁ ଆପଣାର ଅନିଚ୍ଛାରେ ସେଗୁଡ଼ିକ ବାହାରି ଆସନ୍ତି । ସବୁଠେଇଁ ନୁହେଁ । ମନକୁ ନ ପାଇଲେ ଲାଜକୁଳୀ ଲଟାପରି ମନକଥା ମନରେ ସଢ଼େ । ଭିତରୁ ଟାଣ ପଡ଼ିଲେ ସେଗୁଡ଼ିକ ବାହାରି ଆସନ୍ତି । ତମେ ମୋର କେହି ହୋଇ ନ ଥିଲେ ଏତିକି କ’ଣ ମୁଁ କହିପାରନ୍ତି ?

 

—ମୁଁ ତୋର କ’ଣ ?

 

—ସବୁ । ଯାହା ଥିଲ ସେୟା ଅଛ । ଭୁଲିଯାଉଥିଲ ବୋଲି ତମୁକୁ ଟାଣି ଟାଣି ବାଟକୁ ଆଣୁଛି । ଯେବେ ନ ଆସିବ ମନ ଫିଟିଯିବ । ତେଣିକି ତମେ ହୋଇଯିବ ପର । ହେଇ ଦେଖ ପିଲା ଦୁଇଟିଙ୍କୁ । ଖୁଜୁବୁଜୁ ହେଲେ ବି, ଠେଲାପେଲା ହେଲେ ବି ଆଉଜି ପଡ଼ିଛନ୍ତି କୋଳରେ । ତାଙ୍କୁ ଯେତେ ଶାସନ କଲେ, ସେମାନେ ଯେଡ଼େ ଅମାନିଆଁ ହେଲେ କ’ଣ କେବେ ଅଲଗା ହୋଇଯିବେ ? ଯେତେବେଳେ ହେବେ, ସେତେବେଳେ ସେଗୁଡ଼ିକ ହେବେ ବିଷ—ରକ୍ତ ଟାଣ କଟିଯିବ । ତମେ କ’ଣ ତାଙ୍କୁଠେଉଁ ବେଶି ?

 

ସୁଲତା ଚମକି ପଡ଼ିଲା—ହୋଇ ଆସିଲେଣି । ରମାନାଥିବାବୁ ବିବ୍ରତ ହୋଇ ଘୁଞ୍ଚିଗଲେ—ପାଖରେ ବସି ଯେମିତି ଅନ୍ୟାୟ କରିଛନ୍ତି ।

 

ସୁଲତା କହିଲା—ନିଜର ପରଖ ନିଅ । ଲୋକଙ୍କ ଆଗରେ ଯେତିକି ଦୂରରେ କି ନିକଟରେ ରହିପାରିବ ତମେ ମୋର ସେତିକି ଦୂର—ତମେ ମୋର ସେତିକି ଆପଣାର ଲୋକ । କହି ହସିଲା ।

 

ବ୍ରଜବାବୁ ଦୁଆରେ ଗୋଡ଼ଦେଇ କ୍ଲାନ୍ତ ସ୍ଵରରେ କହିଲେ—ବେଶ ଭଲ । ଏଇଠି ସଭା ବସିଛି । ଚୂଲୀ ଲାଗିନାହିଁ । ଆଜି ରାତି ପାହିବ ।

 

ସୁଲତା କହିଲା—ଆଉ କ’ଣ ତାଙ୍କୁ ଅନିଦ୍ରା ରଖି ଦୁଃଖ-ସୁଖ ହେଇଥାନ୍ତେ ?

 

—ନାହିଁ । ସେ କଥା ମୁଁ କହୁ ନ ଥିଲି । ତେବେ ଟିକିଏ କାମ ଆରମ୍ଭ କରିଦେଇଥିଲେ ଭଲ ହୋଇ ନ ଥାନ୍ତା ?

 

—ଆଜି ତ ମୋଟେ ଉଠିବାକୁ ମନ ହେଉନାହିଁ । ଆଉ ତମର ପ୍ରକାଶବାବୁ କୋଉଠି-? ଘରେ ନା ବାହାରେ ?

 

—ବୁଲୁଥିବ । ସବୁଦିନେ ବୁଲେ—ଲୋକ ବାହାରେ ଯାଇ ନିଶା ଖାଇଲାପରି ସେ ବାହାରେ ଯାଇ ଗପେ । ଗପୁଥିବ ।

 

—କ’ଣ ପା’ନ୍ତି ସେଥିରୁ?

 

—ପା’ନ୍ତି ବହୁତ କଥା । ଯାହା କହିହେବ ନାହିଁ, କହିହୁଅନ୍ତା ନାହିଁ, ସେତିକି କହିବାର ସୁବିଧା ପା’ନ୍ତି । ଯେତେବେଳେ ନିଦ ହୁଏନାହିଁ କି କାମ କରି ହୁଏନାହିଁ ସେତେବେଳେ ମଣିଷ ନ ବିକିଲେ ଏକାବେଳକେ ପାଗଳ ହୋଇଯିବ ।

 

—ତମକୁ କ’ଣ ସବୁ କହିଲେ ? ସୁଲତା ପଚାରିଲା । ପ୍ରଶ୍ନରେ ତା’ର ଉତ୍ସାହ ଓ କୌତୂହଳ ।

 

ବ୍ରଜବାବୁ ଟିକିଏ ରହି ଭାବିଲେ—ପ୍ରକାଶ ତ ଗାଳି ଦଉଥିଲା ରମାନାଥବାବୁଙ୍କୁ । ତାଙ୍କରି ମୁହ ଉପରେ ସେଇ କଥାଟା କହିବା ଭଲ ହେବନାହିଁ । ସୁଲତାକୁ ମିଛ କହିବା ମଧ୍ୟ ଅନ୍ୟାୟ ହେବ । ବୃଥାରେ ଗୁଡ଼ାଏ ମିଛ କହିବା କ’ଣ ବା ଭଲ ?

 

ରମାନାଥବାରୁ ପଚାରିଲେ—କହୁନାହାନ୍ତି । ବଡ଼ ମୁହଁଖୋର ଲୋକଟା । କହିଥିବ ତ ଏଣୁତେଣୁ । ଟିକିଏ ବାଗ ପାଇଲେ ସେ ବହୁତ ଉପରକୁ ଚଢ଼ିଆସେ । କାମ ପଡ଼ିଥିଲେ, ତାର ଅକଳରେ ଥିଲେ ଆଉ ଅବା ବଳ କ’ଣ ?

 

—ବ୍ରଜବାବୁ ହସିଲେ । —ଛାଡ଼ନ୍ତୁ ତାଙ୍କ କଥା । ଯେତେଯାହା କହିଲେ ବି କଥାରେ ତ ଘର ପୋଡ଼ିବ ନାହିଁ । ଭାତ ସିଝିବ ନାହିଁ । ସେ ଯାହା ମନକୁ ପାଇଲା ଗୁଡ଼ାଏ କହିଲା । ତାକୁ ଆମେ ଆଣି ପୁଣି ଆଉ ଥରେ ଉଗାଳି ହେଲେ ସେଥିରେ ହେବ କଣ ?

 

ସୁଲତା ଜୋର ଦେଇ କହିଲା—କହୁନାହିଁ । କହିଦିଅ । ତାଙ୍କୁ ଏତେ ଆପଟ କରି ରଖିଛ କାହିଁକି ? ଆମ ଭାତ ସିଝିଲେ ନ ସିଝିଲେ ତମର କ’ଣ ହେଲା ?

 

—କହୁଥିଲ ତ ପରନିନ୍ଦୁକ ଲୋକଟା । ଭାଇଙ୍କୁ ନ ଦେଖିଥିଲେ ତାଙ୍କ କଥା ନ କହି ଆଉ କାହା କଥା କହୁଥାନ୍ତା । ମଣିଷ ଭଲ କଥା କହୁଥିଲେ ଏତେଗୁଡ଼ାଏ କଣ ଗପିପାରିବ ? ଭଲ କାମ ଯେମିତି ଅଳପ, ଭଲ କଥା ସେମିତି ଅଳପ ।

 

କ୍ରୋଧ ଦେଖାଇ ସୁଲତା କହିଲା—ଭାରି ସାହସ ତାଙ୍କର । ତମ ଆଗରେ ଆମ ଭାଇଙ୍କୁ ସେ ଟାହିଟାପରା କରିପାରନ୍ତି । ମୁଁ ଥିଲେ ପଦେ କହିଥାନ୍ତି ଯେ ଭୁଲନ୍ତେ ନାହିଁ । ଏଡ଼େ ନିର୍ମାୟା ଲୋକ । କାହାରିକି ଛନ୍ଦକପଟ ନାହିଁ । ସମସ୍ତଙ୍କ ସାଥିରେ ଭଲ । ତାଙ୍କୁ ବି—

 

—ଭଲ ଲୋକ ତ ବେଶି ନିନ୍ଦା ଶୁଣେ । ଖରାପ ଲୋକକୁ ନ ଡରେ କିଏ ? ୟେ ଯଦି ଠିକଣା ଔଷଧ ଦେଇପାରନ୍ତେ ତେବେ ସେ କଣ ପାଟି ଖୋଲିପାରନ୍ତା ? ତାଙ୍କପରି ଲୋକ ଯାଇ କଣ ଟିକିଏ ଖବର ବୁଝିବେ ବୋଲି ଅଫିସ ପାଖରେ ପହଞ୍ଚିଗଲେ ବୋଲି ସିନା ସେ କହିଲା ଦି’ପଦ—

 

ସୁଲତା ଉତ୍ତର ଦେଲା—ମୁଁ ପରା ସେୟା କହେ । ଅତି ଅଧିକରୁ ଅଧିକ ନ ହେଲେ କେବେ କାହାରି ଦୁଆର ମାଡ଼ିବ ନାହିଁ । କାହାରି ପାଖରେ ପହଞ୍ଚିବ ନାହିଁ । ଯିଏ ଯାହା ଦୁଆରେ ଠିଆ ହେଲା ତା’ର ମାନ ସେଇଠି ଗଲା । ଏଇ ଦେଖୁନ, ନାହାକ ପଣ୍ଡିତଙ୍କୁ—ତାଙ୍କୁ ଖାଲି ହାତ କି କୋଷ୍ଠୀ ଦେଖେଇଦିଅ, ସେମାନେ ଏକାବେଳକେ ତମ ଜନ୍ମଠୋଉ ମରଣଯାଏ ସବୁ କଥା ଜାଣିଥିଲା—ପରି କହୁଥିବେ ତ । ଆଉ ମଣିଷଙ୍କ କଥାଗୁଡ଼ା ସବୁ କରିବ । କେବେହେଲେ ପରକୁ ଚୁଟିଟା ଧରେଇବ ନାହିଁ । ଟିକିଏ ମନର ବଳ କଷିନେଲେ ସମସ୍ତେ ହୁଙ୍କାର ଦିଅନ୍ତି ।

 

—ଥାଉ । କେତେବେଳଯାଏ ସେଇ ସେଇ କଥା ଚାଲିବ । ଆଜି ରାତିରେ କ’ଣ ଖାଇବା ? ଖାଇବା ନାହିଁ ?

 

—ଦେଖୁଛ, ଆଉ ପଚାରୁଛ ? ଦି’ ପାଖରେ ଦି’ଜଣ ଶୋଇଛନ୍ତି । ମୁଁ ତ ହେଲି ୟାଙ୍କର ବିଛଣା—ୟାଙ୍କର ଚାକରାଣୀ । ତା’ ଉପରେ ପୁଣି ଖିଜିମଦ୍‌ କରିବାକୁ—ହଉ । ଏ ଦେହରେ ପ୍ରାଣ ଥିବାଯାକେ ନେଇଯାଅ । ଯାହା ପାରିବ ନିଅ—କହି ଦୀର୍ଘନିଶ୍ଵାସ ପକାଇଲା ।

 

ପଦେ ପଦେ ସେଇ ଗୋଟିକ ଅଭିଯୋଗ, —ଗରିବର ମହତ୍ତ୍ଵ ନିଜ ସ୍ତ୍ରୀ ବି ବୁଝେ ନାହିଁ-। ଯେତେ ସ୍ଵାମୀରଙ୍କୁଣା ହେଲେ ବି ସେ କେବେହେଲେ ଦରିଦ୍ରକୁ କ୍ଷମା ଦେଇପାରେ ନାହିଁ । ଗରିବ ସ୍ଵାମୀର ହାଡ଼ଭଙ୍ଗା ଖଟଣୀ କେହି ବୁଝେ ନାହିଁ । ଗରିବର ସ୍ତ୍ରୀ ବାରମ୍ବାର ପଚାରେ ସେଇ ଗୋଟିକ କଥା—ତା’ର ସୁବିଧା କିଏ କରିବ, କେବେ କରିବ ?

 

ବ୍ରଜବାବୁଙ୍କ ମନ ଭଲ ନ ଥିଲା । ଅଫିସରୁ ଫେରି ହାଲିଆ ହୋଇପଡ଼ିଥିଲେ । ଅଭାବ ଭିତରେ ଯାଇ ଖର୍ଚ୍ଚ କରି କାଳିବାସୀ ହେଉପଛକେ ସଉଦା କରିଥିଲେ । ଆଗରେ କୁଣିଆ—ଦିନକ—ପାଇଁ ଆସିଛନ୍ତି । ତାଙ୍କରି ଆଗରେ ସେଇ ଗୁମର ସୁଲତା ଫିଟାଇ ଦେଲା । ଘରକଥା ଆଣି ଦାଣ୍ଡରେ ବୁଣିଲେ....

 

ଚିଡ଼ିଉଠି ପୁଣି ସେ କହିଲେ—ତମରିପାଇଁ ତ ଆଉ ଦରମା ବଢ଼ିଯିବ ନାହିଁ ! ଯେତିକି ଅଛି ସେତିକିରେ ଖୁସି ହୁଅ । ସେତକ ଯେବେ ନ ଥାନ୍ତା ?

 

—ତମେ ଖୁସି ହଉନ । ମୁଁ ନ ଥିଲେ ତମେ ଯେମିତି ରାନ୍ଧି ଖା’ନ୍ତ, ସେମିତି ଖୁସି ହୁଅ । ମତେ ଏଇ ଅଲଣା ଉପଦେଶଗୁଡ଼ାକ ଭଲ ଲାଗେ ନାହିଁ ।

 

—ଭଲକଥା ସମସ୍ତଙ୍କୁ ଅସୁଆଦ ଲାଗେ ।

 

—ହଉ, ଚୁପହୋଇ ରହ । ମୁଁ ଆଜି କିଛି କରିପାରିବି ନାହିଁ । ବ୍ରଜବାବୁ ପ୍ରମାଦ ଗଣିଲେ । ପ୍ରଥମେ ହେଲା ଘରଛିଦ୍ର । ସେଇଠୁ ହେଲାଣି କଳି । ରମାନାଥବାବୁ ବି ନିଜକୁ ଦୋଷୀ ମନେକଲେଣି—ତାଙ୍କରିପାଇଁ ସ୍ଵାମୀ ସ୍ତ୍ରୀରେ କଳି ।

 

ସେ ନରମ ଗଳାରେ କହିଲେ—ତୋ’ର ବୁଦ୍ଧିବିଚାର ନାହିଁ । କେଡ଼େ ସାନକଥାକୁ କେତେ ବଡ଼ କଲୁଣି ।

 

—ହଉ ଥାଉ । ତମେ ଆଉ ତାଙ୍କ ପଟ ନ ହୋଇ କ’ଣ ମୋରି ପଟ ହୋଇଥାନ୍ତ ? ଏବେ ଯାଅ । ଦିହେଁ ଯାକ ମିଶି ରୋଷେଇବାସ କର । କଲେ ଭଲ, ନ କଲେ ଭଲ, କହି ସୁଲତା ଘର ଭିତରରୁକୁ ପିଲା ଦୁହିଙ୍କ ଧରି ଉଠିଗଲା ।

ସ୍ଵାମୀ ଓ ଭାଇ ଦୁଇଜଣଯାକ ପରସ୍ପରକୁ ଚାହିଁଲେ । କିଛି କଥା ନାହିଁ । ତେବେ ବି ସୁଲତା ରୁଷିଲାଣି ।

—କ’ଣ କରିବା? ସବୁ କପାଳର ଦୋଷ । ବୋଝିଆ ସିନା ବୋଝ ବୋହିବ, ବୋଝ ବଳେଇ ପଡ଼ିଲେ ସେ ତ ନିଜେ ବସିଯିବ ।

ସୁଲତା ସେତେବେଳକୁ ଯାଇ ପିଲାଦୁଇଟିଙ୍କୁ ଶୁଆଇଦେଇ ନିଜେ ଶୋଇଛି । ଗୁଣୁଗୁଣୁ ହୋଇ କହିଲା—କରନ୍ତୁ, ବୃଥାଟାରେ ମତେ ଚିଡ଼େଇଲେ । ମୁଁ ଏବେ କରିବି କଣ ?

ବ୍ରଜବାବୁ ଦୁଆରୁ ଡାକିଲେ—ଆସ । ଏମିତି କ’ଣ ଭଲ ହେଲା ?

ଭିତରୁ ସୁଲତା କହିଲା—ମତେ ବେଶି ବିରକ୍ତ କରନା, କହି ଦଉଛି । ଭାଇ ଜଳଖିଆ ଖାଇ ନାହାନ୍ତି । ଇଚ୍ଛା ହେଲେ ଦବ ନ ହେଲେ ନାହିଁ । ସେତିକିରେ ତାଙ୍କୁ ବିଦାୟ କରିଦିଅ, ନ ହେଲେ ଯାହା ପାରୁଛ କର । ମତେ କେହି ଉଠାଇବ ନାହିଁ ।

ବ୍ରଜବାରୁ ଉଠିଗଲେ ଘର ଭିତରକୁ । ସୁଲତା ମୁହଁମାଡ଼ି ଶୋଇଥାଏ । ଚୁପ ଚୁପ୍‌କରି କହିଲେ–ଇଜତ୍‌କଣ ରଖିବ ନାହିଁ ?

—ହଉ, ରଖିଦିଅ ସେଇ କଥାଗୁଡ଼ାକ ।

ବ୍ରଜବାବୁ ବହୁତ ପ୍ରକାରେ ସାଧ୍ୟସାଧନା କଲେ । ସୁଲତା ଦେହରେ ହାତ ଦେଲେ ସେ ହାତ ଛିଞ୍ଚାଡ଼ି ଦିଏ । ଗୋଡ଼ ଆଉଁସିଲେ ଗୋଇଠା ମାରେ—କହିଛି ଉଠିବି ନାହିଁ । ତମକୁ ଟିକିଏ ଲାଜ ନାହିଁ ? ସେ ପରା ଏତେବେଳଯାଏ ବସି ରହିଛନ୍ତି ।

ସ୍ଵାମୀର ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ପରିଚିତ ଲୋକର ମନକୁ ବଦଳେଇବାର ଶକ୍ତି କାହିଁ ? କୌତୂହଳ ନ ଆସିଲେ ଉତ୍ସାହ ଆସେ ନାହିଁ । କୌତୂହଳ ଆଣିବାକୁ ହେଲେ ସେଥିରେ ପ୍ରଧାନ ବାଧା ହେଉଛି । ପରିଚୟ—ଯେଉଁ ପରିଚୟ ମଣିଷକୁ । ମଣିଷ ପାଖରେ ଦେହଘଷିଆ କରିଦିଏ ।

ବ୍ରଜବାବୁ ଆସିଲେ । ଗୋଟିଏ ଗୋଟିଏ ହେଇ ବାହାରକୁ ଚାଲିଲେ—କିଛି କିଣିଆଣେ-

—ଥାଉ । ମୋତେ ଭୋକ ନାହିଁ ।

—ୟେ ଗୋଟାଏ କଥା ନା ? ଆଜି କ’ଣ ହେଉଛି କେଜାଣି ? ମୂଳରୁ ତ ପାଗ ବିଗିଡ଼ିଲାଣି ।

ରମାନାଥବାବୁଙ୍କର ବାଧା, ପ୍ରତିବାଦ ଏଡ଼ିଦେଇ ବ୍ରଜବାବୁ ଚାଲିଲେ ବଜାର ଆଡ଼େ—ୟାକୁ କହନ୍ତି ଦୁର୍ଯ୍ୟୋଗ । ଟଣାଟଣି ସଂସାର ଭିତରେ କୁଣିଆ । ଆଉ ତାକୁ ଆଗରେ ବସାଇ ହାଟ-। ପ୍ରକାଶଟା ବଡ଼ ଭାଗ୍ୟବାନ୍‌, ସେ ଯେ ଘରୁ ପଳାଏ–ନ ପଳେଇ ଆଉ କ’ଣ କରନ୍ତା ? ମୁଁ ବି ତ ଏଥର ସେୟା କରିବି ।

 

ମେଲା ଦୁଆରେ ଏକୁଟିଆ ହୋଇ ବସି ରମାନାଥବାବୁ ଭାବୁଥିଲେ ସୁଲତା କଥା—ସବୁ ସ୍ତ୍ରୀ ସମାନ । ଟିକକରେ ହସ । ପୁଣି ଟିକକରେ କାନ୍ଦ । ଚେତାବନୀ ଶୁଣେଇବାକୁ ଯେମିତି ଆଗୁଆ, ଗଣ୍ଡଗୋଳ କରିବାରେ ଠିକ୍‌ ସେମିତି । ସେ ଡାକିଲେ ସୁଲତାକୁ—ଏ କ’ଣ ଭଲ କଥା ? ସେ ଅଫିସରୁ ଆସିଥିଲେ । ତାଙ୍କୁ ଏମିତି କହିବା କ’ଣ ଭଲ ହେଲା ? ଗଲେଣି ସେ ।

 

ସେଇଥିପାଇଁ ତମର ସିନା ପୁଣି କଅଁଳ କଥା ଶୁଭିଲା । ସେ ଥିଲାବେଳେ ତ ତାଙ୍କୁ ତାରିଫ୍‌ କରୁଥିଲ । ଏବେ ଓଲଟିଲାଣି । ମତେ ଏମିତି ପର-ମନରଖା କଥା ଭଲ ଲାଗେ ନାହିଁ ।

 

—ହଉ ଥାଉ । ମୋ କଥା ମାନି ବାହାରକୁ ଆସିବ ନାହିଁ ?

 

—ତମେ ଆସୁନାହିଁ ! ମୁଁ ତ ଆଜି ଉଠବି ନାହିଁ । ଆଜି ମୋର ଉପାସ ।

 

ରମାନାଥବାବୁ ଧୀରେ ଧୀରେ ଭିତରକୁ ଗଲେ । ସୁଲତା ଶୋଇଛି, କରରେ ଦୁଇଟି ପିଲା ପାଖପାଖ ହୋଇ ଶୋଇଛନ୍ତି । ଘରଭିତରେ ସବୁଠାରୁ ସଫା ଜିନିଷ ହେଲା ବିଛଣା—ସେ ଚାହିଁଲେ ସୁଲତାକୁ—କେବେ ତାକୁ ସେମିତି ଶୋଇବା ଅବସ୍ଥାରେ ଦେଖି ନ ଥିଲେ ।

 

ସ୍ତ୍ରୀ ଶୋଇଥିଲାବେଳେ ସବୁଠାରୁ ସୁନ୍ଦର । ସେ ଅବଶ ଗଳାରେ ପଚାରିଲେ—କ’ଣ କହୁଥିଲ ସୁଲତା ?

 

—କହୁଥିଲି, ମୋର କେହି ନାହିଁ । କିଏ ଆମକୁ ପଚାରିବ ?

 

—କାହିଁ, ଆମେ ସବୁ ଅଛୁ । ଏ କଥା କାହିଁକି କହୁଛୁ ?

 

ନୀରସ କଣ୍ଠରେ ସୁଲତା କହିଲା—ହଁ ତମେ ଅଛ । ମୁଁ କଣ ନାହିଁ କରୁଛି ? କହି ରମାନାଥବାବୁଙ୍କ ମୁହଁକୁ ଚାହିଁଲା—ସ୍ପଷ୍ଟ ଦେଖିହେଉ ନାହିଁ । ଦୁହେଁ ଦୁହିଙ୍କୁ ବାରି ପାରୁଛନ୍ତି, ଦେଖିପାରୁନାହାନ୍ତି—ସୁଲତାର ମନ ରମାନାଥବାବୁଙ୍କ ପାଖରେ ଯେମିତି ଅସ୍ପଷ୍ଟ, ରମାନାଥବାବୁଙ୍କ ମନ ସୁଲତା ଉପରେ ଠିକ୍‌ ସେମିତି ।

 

ରମାନାଥବାବୁ ଟାଣିହୋଇ ଗଲାପରି ସୁଲତା ପାଖରେ ଯାଇ ବସିଲେ—ଉଠିବୁ ନାହିଁ ସୁଲତା ? ତତେ ମୋ ରାଣ ।

 

—ମୁଁ ତମର କିଏ ? ସୁଲତାର କଣ୍ଠସ୍ଵରରେ କୋହ ।

 

—ତୁ ରାଗିଛୁ ମୋ ଉପରେ ।

 

—ରାଗିବ କାହିଁକି ? ମୁଁ ଯାହା ପାଇଥିଲି ସେତକ ଆଉ ଜଣେ ନେଇଯାଇଛି । ଏମିତି କଣ ଜଣକୁ ଠକୁ ଠକୁ ଶେଷରେ ଯାହାର ଲାଭ ହେଲା ।

 

—କିଏ କାହାକୁ ଠକୁଛି ? ତୁ କ’ଣ ମତେ ଭଲ ପାଉନାହିଁ ?

 

—ଭଲ ପାଇବା ହେଉଛି ନକଲି ଟଙ୍କା । ସମସ୍ତେ ସମସ୍ତଙ୍କ ଉପରେ ଚଳାନ୍ତି । ଶେଷରେ ଯାଇ ଯାହା ପାଖରେ ରହିଗଲା ସେଇ ଖାଲି କାନ୍ଦୁଥାଏ ସିନା ।

 

—ଏ ତ ଗୋଟାଏ ନୂଆ କଥା, କହି ସୁଲତା କାନ୍ଧରେ ହାତ ରଖି ପଚାରିଲେ—ଏଇ ସୁଲତା କ’ଣ ମତେ ଠକିଛି ନା ମୁଁ ତାକୁ ଠକିଛି ?

 

ସୁଲତାର ମନର ସବୁ ବିଫଳ ଆଶା, ସବୁ ଅସମ୍ଭବ କଳ୍ପନା ସୁଲତାର ଆଖି, ଆଉ କଣ୍ଠସ୍ଵରକୁ ଆଚ୍ଛନ୍ନ କରି ଉଠିଆସୁଥିଲା—ତତଲା ପାଣିର ବାମ୍ଫପରି ।

 

ଦେହରେ କାମନା ଦେଖାଦେଲେ ନାରୀର ଆଖି ପ୍ରଥମେ ତା’ର ସୂଚନା ଦିଏ । ସେଥିରୁ ଝରିଆସେ ଜଳଧାର । ନିଶ୍ଵାସର ଗତି ବଦଳିଯାଏ ।

 

ରମାନାଥବାବୁ ସୁଲତାର କାନ ପାଖରେ ମୁହଁ ରଖି ପଚାରିଲେ—ମୋର କି ଦୋଷ ସୁଲତା ?

 

ସୁଲତା କିଛି କହିଲା ନାହିଁ । ସୁଲତା ଗମ୍ଭୀର ହୋଇ ରହିଲା । ରମାନାଥ ପଚାରିଲେ–ଏବେ ବି ତୁ କଣ ମୋତେ—

 

ସୁଲତା ସେମିତି ଗମ୍ଭୀର ହୋଇ ଚାହିଁରହିଥିଲା ରମାନାଥବାବୁଙ୍କ ମୁହଁକୁ । ତା’ର ଆଖି ଆଗରେ ଖଣ୍ଡିକିଆ ମେଘ ଭାସି ଯାଉଥିଲା । ରମାନାଥବାବୁଙ୍କ ମୁହଁ ଉପରେ ତା’ର ନିଶ୍ଵାସ ଖରାଶୁଖା ଭୂଇଁପରି ଉଷ୍ଣ । ଆକାଶରେ ମେଘ ଅଛି । ଆଖିରେ ତା’ର ବ୍ୟାକୁଳତା—ପ୍ରତୀକ୍ଷାର ବ୍ୟାକୁଳତା—ରେଳଯାତ୍ରୀ ତାର ଗନ୍ତବ୍ୟସ୍ଥାନକୁ ଯିବାକୁ ଅପେକ୍ଷା କଲାବେଳେ ରେଲଇଞ୍ଜିନକୁ ଦେଖିଲେ ଯେପରି ଅସ୍ତବ୍ୟସ୍ତ ହୋଇପଡ଼େ ।

 

ରମାନାଥ ଭାବିଲେ । ଭାବିବାର ବେଳେ କେଉଁଟା—ସେ ବିଷୟରେ ବିଭିନ୍ନ ଲୋକର ବିଭିନ୍ନ ମତ । ଭୋଜିପାଇଁ ଆମନ୍ତ୍ରଣ ଥିଲେ ସମସ୍ତେ ଏକାପରି ଆଗ୍ରହ ଦେଖାନ୍ତି ନାହିଁ । ଏକାପରି ଉଚ୍ଚାଟ ହୁଅନ୍ତି ନାହିଁ । ପେଟର ଭୋକ ସବୁବେଳେ ସମସ୍ତଙ୍କୁ ଉତ୍ସାହୀ ଓ ଆଗ୍ରହୀ କରେ ନାହିଁ । ଏ ପ୍ରଭେଦ ଥିବା ଯୋଗୁ ସଂସାରରେ ସବୁ ପ୍ରକାରର ମଣିଷ ରହିପାରନ୍ତି ।

 

ସେତେବେଳେ ସେ ଭାବୁଥିଲେ ତାଙ୍କର ସ୍ତ୍ରୀ ଶାରଦା କଥା । ଘରେ ବସି ସେ ହୁଏତ ରମାନାଥବାବୁଙ୍କ କଥା ଭାବୁଥିବୁ । ସୁଲତା ପାଖରେ ଠିଆହୋଇ ସେ ଆଖି ଆଗରେ ଦେଖିଥିଲେ ଶାରଦାକୁ—ଶାରଦା ଯେମିତି ତାଙ୍କୁ କହୁଛି ‘ତମର ଇଚ୍ଛା’ । ଭଲପାଇବାର ସ୍ନେହ, ପ୍ରେମ, ପ୍ରୀତିର ରକ୍ଷାକବଚ ହେଉଛି—ଖାଲି ସେହି ।

 

ରମାନାଥ ଚାହିଁରହିଲେ ସୁଲତାକୁ । ଦୁହିଁଙ୍କର ଆଖି ଅପଲକ । ରମାନାଥ ଦେଖୁଥିଲେ ନିଜ ସ୍ତ୍ରୀଙ୍କୁ । ସୁଲତା ଦେଖୁଥିଲା ତା’ର ବହୁ ପରିଚିତ ମନର ମଣିଷ ରମାନାଥଙ୍କୁ ।

 

ହଠାତ୍‌ ସୁଲତାର ଚେତନା ଆସିଲା—ସେ ଅଦରକାରୀ । ରମାନାଥ ପାଖରେ ତା’ର ସ୍ଥାନ ନାହିଁ । ସେ ନିଜେ ଯାଚିହୋଇ ଆସି ପହଞ୍ଚିଥିଲା । ପରିଚୟର ସୁବିଧା ନାହିଁ । ସୁନଆଁ ଭେଟି ଥୋଇଲାପରି ନିଜକୁ ଆଣି ଥୋଇଥିଲା ।

 

ଆଖିରେ ଅଭିମାନ—ଅନୁତାପ । ଶେଷକୁ ଦୀର୍ଘଶ୍ଵାସ ପକାଇ ସୁଲତା କହିଲା—ମୁଁ ଆଜିଯାଏ ତମକୁ ଭୁଲ ବୁଝିଥିଲି । ସେଇ ଭୁଲଟି ତମେ ଆଜି ଦେଖେଇ ଦେଇଗଲ । ତମୁକୁ ବହୁ ଧନ୍ୟବାଦ । କଥାରେ ତାର ଅଭିଯୋଗ—ବିଦ୍ରୂପ । ରମାନାଥ ବିଚଳିତ ହୋଇ କହିଲେ—କ’ଣ କହୁଛୁ ସୁଲତା ? କହି ସୁଲତାର ମୁହଁକୁ ଆଉଁସିଦେଲେ ।

—ଭୁଲ । ତମଠାରୁ ଏତକ ଆଶା କରାଯାଇପାରେ ନା । ନିଜେ ନିଜର ଯୋଗ୍ୟ ହୁଅ, କହି ସୁଲତା ଉଠି ଠିଆହେଲା । ଆଖିରେ ତାର ଦୃଢ଼ତା । ସେ ନିଜପାଖରେ ନିଜକୁ ଚିହ୍ନା ପକାଇଛି-

—ଶୁଣିବୁ ନାହିଁ ସୁଲତା ।

—ହଉ ଆସ ବାହାରକୁ । ଏଠି ଆମେ ବସିରହିବା କେଡ଼େ ଅସୁନ୍ଦର କଥା । ତମେ କ’ଣ ବୁଝୁନାହଁ ?

ସୁଲତା ବାହାରକୁ ଉଠିଆସିଲା । ତା’ର ପଛେ ପଛେ ଆସି ରମାନାଥ ପଚାରିଲେ—ରାଗିଥିବୁ ମୋ ଉପରେ ।

—ନା ଆଜିଯାକେ ଭାବିଥିଲି ଯେ ତମେ ମୋତେ ଭଲ ପାଅ ।

—ଭଲପାଏ ତ ।

—ତେବେ ସେଥିରୁ ତମେ ଯାହା ବୁଝୁଛ ମୁଁ ସେତକ ବୁଝେ ନାହିଁ । ଦିହେଁ ଦିହିଙ୍କୁ ଏକାପରି ବୁଝିଲେ, ଏକା ବିଚାର ନେଇ, ଏକା ଆଗ୍ରହ ନେଇ ବୁଝି ପାରିଲେ, ଭାବିପାରିଲେ କେବଳ ହୁଏ ଭଲପାଇବା । ସେତିକି ପ୍ରଭେଦ ଅଛି ବୋଲି ମୋର ତାଙ୍କ ସାଙ୍ଗରେ ଅମେଳ । ପ୍ରକାଶଙ୍କର ପାରିଜାତ ସାଙ୍ଗରେ ଅମେଳ, ତମ ସାଙ୍ଗରେ ବି ସେୟା । ଦିନେ ମନ ମିଶିଥିଲା—ସେ ଦିନ ଆଉ ନାହିଁ ।

ଅନୁତପ୍ତ ସ୍ଵରରେ ରମାନାଥବାବୁ କହିଲେ—ଏଇ କ’ଣ ତୋର ଶେଷ ବିଚାର ? ଆଉ ଟିକିଏ ଭାବିବୁ ନାହିଁ ? —କଣ ଭାବିବି ? ଏମିତି ତ ଭାବି ଭାବି ନ ଥିବା କଥାରେ ଥିଲା କଥା ଭାବି, ତମୁକୁ ମୁଁ ଭଲ ପାଇଥିଲି । ଭଲ ପାଇବା, ସବୁବେଳେ ଏମିତି ମନରୁ ବାହାରି ମନରେ ହଜେ । ସବୁ ଭଲପାଇବା ଏଇ କାରଣରୁ ଆରମ୍ଭ ହୁଏ । ଆଉ ଯେତେବେଳେ ମନର ମନ ସାଙ୍ଗରେ ଥରେ କଷାକଷି ହୋଇଯାଏ, ସେତେବେଳେ ସେଥିରେ ଭଟ୍ଟା ପଡ଼େ । କୁହୁକ ପରି ସେ ମିଳେଇଯାଏ । ଏହି ହେଉ ମୋର ଘର ।

ରମାନାଥ ଚାହିଁଲେ ଚାରିଆଡ଼କୁ ।

—ଚାହିଁବାର କିଛି ନାହିଁ । ଏଇ ଏତକ ମୋତେ ମିଳିଛି । ୟାକୁ ମୁଁ ଭଲପାଏ କି ନ ପାଏ, ଏତିକି ମୋର ରହିବ । ଆଉ ସବୁ ତମେ, ସେ, ଆଉ ଯେରେ ବାହାରର ଲୋକ ସମସ୍ତେ ଆସିବେ ଆଉ ଯିବେ ।

—ମତେ ତୁ ଭୁଲ ବୁଝିଛୁ ।

—ହଉ । ଆମ ଭାଉଜଙ୍କୁ ପଚାରିଲେ ସେଇ ତମୁକୁ କହିଦେବେ ସେଇଟା ବି ଭୁଲ ।

ଦିହେଁ ଦୁହିଙ୍କୁ ଚାହିଁ ରହିଲେ । ପ୍ରତ୍ୟେକର ଅଲଗା ସମସ୍ୟା । ଦୁହେଁ ଦୁହିଙ୍କ ପାଖରେ ପର । ଦୁହେଁ ଭାବୁଥିଲେ ବ୍ରଜବାବୁ ଫେରି ଆସନ୍ତୁ । ରମାନାଥ ଭାବୁଥିଲେ, ସେଇ ରାତିଟା କେମିତି କଟିବ ଠାକୁରେ ଜାଣନ୍ତି । ସୁଲତା ହଠାତ୍‌ ପରିଶ୍ରାନ୍ତ ହେଲାପରି ହୋଇ ଭାବୁଥିଲା—ଅକାରଣେ ୟାଙ୍କୁ ଅଟକାଇ ଦେଲି । ଆଜି ଭୋଗିବି ଏକା ମୁଁ । କଥା ବଦଳାଇବାକୁ ରମାନାଥ ପଚାରିଲେ—ଆଜି ମୁଁ ନ ଆସିଥିଲେ କ’ଣ ଭଲ ହୋଇଥାନ୍ତା ? ବୋଧହୁଏ ହୋଇଥାନ୍ତା ।

 

ସୁଲତା କିଛି କହିଲା ନାହିଁ ।

 

—କଥା କହିବୁ ନାହିଁ ?

 

ସୁଲତା ଚାହିଁ ରହିଲା ତାଙ୍କ ମୁହଁକୁ । ତା’ର ଆଖି କହୁଥିଲା—ସଂସାରରେ ସମସ୍ତେ ସ୍ୱାର୍ଥପର । ନିଜର ସ୍ୱାର୍ଥ ସିଦ୍ଧିପାଇଁ କୁଢ଼ କୁଢ଼ କରି ପ୍ରେମ ପ୍ରୀତି, ସ୍ନେହ ଆଦର ଆଣି ଅଜାଡ଼ି ଦିଅନ୍ତି-। ପୁଣି ସେମିତି ନିଜର ସ୍ଵାର୍ଥପାଇଁ ସବୁ ଉଠେଇ ନେଇ ଚାଲିଯାନ୍ତି ।

 

ମନରେ ବିରକ୍ତି । ଦେହରେ କ୍ଳାନ୍ତି । ବ୍ରଜବାବୁ ଫେରିଆସିଲେ । କାହାରି ମୁହଁରେ କଥା ନାହିଁ । କେହି କାହାରିକୁ ଖୋଜୁ ନାହାନ୍ତି । ସମସ୍ତେ ଚାହୁଁଛନ୍ତି ବିଶ୍ରାମ ।

 

ରମାନାଥ କହିଲେ—ବୃଥାଟାରେ ସୁଲତା ଠେଲିପେଲି ବଜାରକୁ ପଠାଇଲା । ଥରେ ନୁହେଁ—ଦି’ଥର ।

କର୍କଶ ସ୍ଵରରେ ସୁଲତା କହିଲା—ତମେ ଆଜି କୁଣିଆ । ଆମେ କ’ଣ କଲୁ ନ କଲୁ ସେଥିରେ ତମର ଯାଏ ଆସେ କ’ଣ ?

 

ସେ ସ୍ଵରରୁ ତୀବ୍ରତା ରମାନାଥବାବୁଙ୍କୁ ଚମକାଇ ଦେଲା । ବ୍ରଜବାବୁଙ୍କର ବିରକ୍ତି ଊଣା ପଡ଼ି ଆସିଲା—ସୁଲତା ପଦେ କଥା କହିଛି । —ଅନ୍ୟର ଅସୁବିଧା କେହି ବୁଝନ୍ତି ନାହିଁ । ରମାନାଥ ସୁଲତାକୁ ଚାହିଁ ଦେଖୁଥିଲେ—କଅଁଳ ନରମ ସୁଲତା ଏବେ କଥା କହୁଚି—ହୃଦୟର କଥା ।

 

ସେମାନଙ୍କଠାରୁ ନିଜକୁ ଦୂରେଇ ନ ନବାକୁ ରମାନାଥ କହିଲେ—ଆଜି ମୁଁ ସମସ୍ତଙ୍କୁ ଚର୍ଚ୍ଚା କରିବି । ସୁଲତା ଏକା ରାନ୍ଧି ପାରିବ ନାହିଁ ।

 

ସୁଲତା ଆଖି ଫେରାଇଲା ରମାନାଥ ଆଡ଼େ । ତା’ର ଚାହାଣିର ପ୍ରଶ୍ନ—ୟାକୁ ସହାନୁଭୂତି କହନ୍ତି ନାହିଁ । ଯଦି ଦେହର ପରିଶ୍ରମ ଊଣା କରିବାରେ ସବୁ ହେଉଥାନ୍ତା, ତେବେ ସଂସାରରେ ସେବକମାନେ ହିଁ ଏକା ସବୁ ଆଦର ଓ ପ୍ରତିଦାନର ପାତ୍ର ହୋଇଥାନ୍ତେ । ପ୍ରଭୁ ସେବକ ସମ୍ବନ୍ଧ ଛଡ଼ା ଆଉ କିଛି ନ ଥାନ୍ତା ।

 

ତିନୋଟି ବିଷାକ୍ତ ମନର କ୍ଷୋଭ ଭିତରେ ରାତି ଆଗେଇ ଯାଇଥିଲା । କେହି କାହାରିକୁ ଖୋଜି ନାହାନ୍ତି । ତଥାପି ସମସ୍ତଙ୍କ ଦେହ ସବୁଠାରୁ ଅଧିକ ଖଟୁଥିଲା ଅନ୍ୟମାନଙ୍କ ପାଇଁ । ସମସ୍ତେ ନିଜର ଅନୁତାପ ଓ ଅନୁଶୋଚନାକୁ ଦୂରେଇ ଦେବାପାଇଁ ଦେହକୁ ଖଟାଉଥିଲେ ।

 

ସଂସାରରେ ଯେତେ କାର୍ଯ୍ୟବ୍ୟସ୍ତ କାମର ତାଲିକା ଅଛି ସେ ସବୁର ମୂଳରେ ଥାଏ—ଏମିତି ଗୋଟିଏ ଗୋଟିଏ ପରାସ୍ତ ଓ ବିପର୍ଯ୍ୟସ୍ତ ମନ ।

 

ଚୂଲି ଜଳିଛି । ପାଣି ତାତିଛି । ଗୋଟିକ ପରେ ଗୋଟିଏ ହୋଇ ସବୁ କାମ ହୋଇଛି । ସେଥିଭିତରେ ସମସ୍ତେ ସମସ୍ତଙ୍କୁ ମନରେ ତଉଲୁଥିଲେ । କେହି କହାରିକୁ କିଛି କହିନାହାନ୍ତି । ସମସ୍ତଙ୍କର ମୁହଁର ଅପ୍ରିୟତା—ପ୍ରଗଳଭ୍‌ତା ଓ ଉତ୍ସାହରେ ହିଁ ରୂପ ପାଉଥିଲା । ସମସ୍ତେ ମଧୁର ବ୍ୟବହାରରେ ଅପରକୁ ଖୁସି କରାଇବାକୁ ଚେଷ୍ଟା କରୁଥିଲେ । ସମସ୍ତଙ୍କର ମନ ଥିଲା ଅନ୍ୟଠାରେ-

 

ଜୀବନର ପ୍ରତିଦିନର ଘଟଣା ଏଡ଼େ ଶୁଖିଲା ସେ ସେଥିରୁ ରସ କାଢ଼ିବା ଦୁରୂହ । ଆଉ ଜୀବନର ରସରସିଆ କଥା ଏତେ ଅଳ୍ପ ଯେ ଦୈନନ୍ଦିନ ଜୀବନର ନୀରସି କାହାଣୀକୁ ଆଶ୍ରୟ ନ କଲେ ଜୀବନର ସୁଆଦ ବୁଝି ହୁଏ ନାହିଁ ।

 

ସୁଲତା ସେଇ ଶୁଖିଲା କାମ ଭିତରେ ନିଜର ସ୍ଵାମୀଙ୍କୁ ବାନ୍ଧି ରଖିଥିଲା । ଆଉ ସେହି କାମ ଭିତରେ ରମାନାଥଙ୍କୁ ସାଙ୍ଗରେ ହିସାବ ନିକାସ କରୁଥିଲା ।

 

ଭୋକ ପେଟରେ ସୁଲତାର ରୋଷେଇ ବାସନା ରମାନାଥ ବାବୁଙ୍କ ମନରେ ସୁଲତା ପ୍ରତି ଅନୁକମ୍ପା ଯୋଗାଇଥିଲ । ବ୍ରଜବାବୁ ମଧ୍ୟ ସୁଲତାର ଅତିରିକ୍ତ ପରିଶ୍ରମ ଦେଖି ତାହାରି ପ୍ରତି ସହାନୁଭୂତିଶୀଳ ହେଉଥିଲେ ।

 

ଦୁହିଙ୍କର ଆଖି ସୁଲତା ଆଡ଼େ । ସୁଲତାର କାହାରି ପ୍ରତି ଦୃଷ୍ଟି ନାହିଁ । ସେ ଏକଲୟରେ ତାହାରି କାମରେ ଲାଗିଥିଲା ।

 

—ଅଭାବରୁ ଭାଇ, ଲୋକଟିଏ ରଖିପାରିଲି ନାହିଁ । ଏମିତି ୟା’ଙ୍କୁ କଷ୍ଟ ଦେବା ମତେ ଭାରି ବାଧୁଛି ।

 

—କଷ୍ଟ ! ନିଜେ ଖଟିବା ସବୁଠାରୁ ବଳି ସୁଖ । ଧନୀଲୋକେ ଖଟନ୍ତି ନାହିଁ । ତାଙ୍କ ଭିତରେ ଅମାପ କଷ୍ଟ । ପୁରୁଷମାନେ ଖାଇ ଜାଣନ୍ତି । ସ୍ତ୍ରୀମାନେ ଶୋଇ ଜାଣନ୍ତି । ଆଉ ଦୁହିଙ୍କ ମଧ୍ୟରେ ବ୍ୟଭିଚାର ବେଶି ।

 

—ୟା’ ବୋଲି କଣ ଗରିବ ଲୋକେ ସବୁବେଳେ ଖଟୁଥିବେ ?

 

—ଆପଣ ବୁଝିପାରିଲେ ନାହିଁ । ଯେତେବେଳେ ଅରାଜକତା ଆସେ, ସମାଜ ଓଲଟପାଲଟ ହୋଇଯାଏ । ସେତେବେଳେ ଶିଷ୍ଟାଚାର ଶିଖିଥିବା, ନିଜକୁ ମାର୍ଜିତ ମନେ କରୁଥିବା ପୁରୁଷମାନେ ଅକର୍ମଣ୍ୟ ହୋଇଥିବାରୁ ମରିଯାନ୍ତି । ଆଉ ସ୍ତ୍ରୀମାନେ ହୋଇଯାନ୍ତି ଗାନ୍ଧର୍ବ ବିଦ୍ୟାନିପୁଣା । ବଡ଼ଲୋକର ଝିଅ ଯେତେବେଳେ ତାର ବଡ଼ଲୋକୀ ହରାଏ, ସେତେବେଳେ ସେ ତିନୋଟି କଥା ଜାଣେ—ବେଶ୍ୟା ହେବା, ନାଚିବା, ଗାଇବା ଆଉ ଲୋକଙ୍କୁ ଚର୍ଚ୍ଚା କରିବା । ୟା’ର ବଦଳରେ ସେ ଭଲ ବାଟରେ କେମିତି ଗୁଜୁରାଣ ମେଣ୍ଟେଇ ପାରିବ ?

 

ସୁଲତା ବାହାରି ଆସିଥିଲା ପଦାକୁ । ପରିଶ୍ରମ କରିବା ଯେ ଚରିତ୍ର ରକ୍ଷା କରିବାର ଉପାୟ—ଏ ବିଷୟରେ ରମାନାଥବାବୁ କହୁଛନ୍ତି ।

 

ସୁଲତା ହସିଲା—ଯାହାହେଉ, ଆମ ଭାଇ ଅନେକ କଥା ଜାଣନ୍ତି । ସେ ଆସି ମୁହଁ ହଲେଇ ପଚାରିଲା—ସଂସାରର ବାର’ଣା ଲୋକେ—ସ୍ତ୍ରୀ ନ ହେଲେ ବି ପୁରୁଷ ଲୋକେ ବହୁତ ଖଟୁଛନ୍ତି ତ । ତାଙ୍କର ଚରିତ୍ର ବଡ଼ ସିଧାସଳଖ ଥିବ ?

 

ବ୍ରଜବାବୁଙ୍କ ଆଖିରେ ଚମକ—ସୁଲତାକୁ ଏତେ ସ୍ୱାଧୀନତା କିଏ ଦେଲା ? ସେ ତ ଭୟଭ୍ରାନ୍ତି ନ ଥାଇ କଥା କହିପାରୁଛି । ରମାନାଥବାବୁ ବି ସେମିତି ଅବାକ୍‌ ହୋଇ ଚାହିଁଲେ ସୁଲତାକୁ ।

 

ଆଖି ଟେକି ସୁଲତା କହିଲା—ତମେ ମନେ କରୁଛ ଯେ କହିବା ଲୋକର ଖାଲି ମତ ଥାଏ । ସ୍ଥାନର ଅଧିକାରୀ ଖାଲି ମତ ଦେଇପାରେ । ତମେ ଜାଣିନାହଁ ସେ ଶୁଣିବା ଲୋକ, ରହିଥିବା ଲୋକର ମତ ବି ବେଶ୍‌ ରହିଛି ।

 

—ତୁ କ’ଣ କହୁଚୁ ଯେ ପରଶ୍ରମ ନ କରିବା ଉଚିତ ?

 

—ସ୍ତ୍ରୀ ଖାଲି ଗୋଟିଏ ଚାକରାଣୀ ନୁହେଁ ଯେ ଆଉ ଜଣକର ହାତ ଧରିଲା ବୋଲି ମରିସରି ଖଟୁଥିବ । କାହିଁକି, ତମେ ସବୁ ଯେମିତି ଖଟି ଖଟି କିଏ ଉପରକୁ ଯାଉଛି ତ କିଏ ଯାଉନାହିଁ । ନ ଯାଇପାରିବା ଲୋକ ସହୁଛି ତ; ସଜ ଅସଜ, ଅଭାବ ଅନଟନ ବେଶ୍‌ ବରଦାସ୍ତ କରୁଛି ତ; ଆଉ ତମେ ଆମକୁ କାହିଁକି କହିବ ଖାଲି ଖଟୁଥାଅ ?

 

—ତେବେ ଭୁଲ୍‌ ହୋଇଗଲା ।

 

—ଭୁଲ ନୁହେଁ ତ ଆଉ କ’ଣ ? ନିଜେ କମେଇବାକୁ ପାରିଲ ନାହିଁ । ଏଣେ ଉପଦେଶ ଦେଲ କ’ଣ ନା ପରିଶ୍ରମ କଲେ ଚରିତ୍ର ଖାଣ୍ଟି ହୁଏ । ଖାଣ୍ଟି ଚରିତ୍ର ଦୁନିଆଯାକର ସବୁଠେଇଁ ଖୋଜା ହେବ ନା ଖାଲି ଘରକୋଣରେ ଖୋଜା ହେବ ?

 

—ସମୟ ବଦଳିଗଲାଣି ବୋଲି ଆଜି ଚରିତ୍ର କଥା କହିଲେ ସମସ୍ତେ ଚିଡ଼ି ଯାଉଛନ୍ତି । ଦେହର ମଞ୍ଜ ପରି ମଣିଷର ମୂଳଦୁଆ ହେଲା ତା’ର ଚରିତ୍ର । ଏତକ ତ ସମସ୍ତେ ପାସୋରି ଗଲେଣି । ଯା’ନ୍ତୁ—ରମାନାଥ କହିଲେ ।

 

—କିଏ ମନା କରୁଛି ? ଭଲକଥା ସବୁ ଦିନେ ଭଲ । ଲୋକେ ତାକୁ ମାନି ଚଳିଲେ ବି ଭଲ । ନ ମାନିଲେ ବି ଭଲ । ସମସ୍ତେ ତ ଖାଲି ଲୋକଦେଖାଣକୁ ଗୁଡ଼ାଏ ଭଲ କଥା ରଖିଛନ୍ତି । ବହିରେ ଲେଖାହେଉଛି ଭଲ କଥା । କଥାରେ କହିଲାବେଳକୁ ଭଲକଥା । ମନ ଭିତରଯାକ ଛିଦ୍ର ଓ ପାପ । କିଏ ସିନା ଖରାପ ପାଞ୍ଚୁଥିଲା ଏଣେ ଭଲ କାମ କରୁଥିଲା । ଏବେ ଲୋକେ ଯାବତ ଖରାପ କରି ଭଲ କଥା ଗୁଡ଼ାଏ କହୁଛନ୍ତି ।

 

ଏ କ’ଣ ଅଭିଯୋଗ ? —ସୁଲତା ରମାନାଥବାବୁଙ୍କ ବିରୁଦ୍ଧରେ କହି ବସିଲାଣି । ଓଲଟି ସେଇ କଥା ରମାନାଥବାବୁ କହିଥାନ୍ତେ ।

 

ରମାନାଥ କହିଲେ—ଏବେ ସମୟ ହେଲା ଯେ ଯୋଉ ଲୋକ ଯେତେ ଶୀଘ୍ର ତା’ର ମନର ଗୋଟାଏ ଲୋକଭୁଲାଣିଆ କୈଫିୟତ ଦେଇପାରିବ, ସେ ସେତିକି ଚଞ୍ଚଳ ବାହାଦୁରୀ ନବ-। କଥାରେ ତାଙ୍କର ତୀକ୍ଷ୍‌ଣତା ।

 

ନିଜ କଥାରେ ନିଜେ ଚମକିପଡ଼ି ସେ ପୁଣି ନରମ ହୋଇ କହିଲେ—ଆମେ ପରା ରୋଜ ଦେଖୁଛୁ କଚିରୀରେ ଦୋଷ କରି ଦୋଷୀ ଆଗ ଫରିୟାଦ ହେଉଛି । ଥାନାବାଲା ଆଗ ଦି’ପଇସା ନେଇଯାଇ ରିପୋର୍ଟ ପଠାଇ ଦେଉଛି । ଆଉ ତଳୁ ଉପରଯାଏ ସମସ୍ତେ ତାକୁ ଧରି ନିର୍ଦ୍ଦୋଷକୁ ପଚାରୁଛନ୍ତି—କହ, ତୁ କେମିତି ନିର୍ଦ୍ଦୋଷ । ଭଲ କାଳ ହେଲା ! ଦୁଷ୍ଟ ଯିଏ, ତଦ୍‌ବିର ତାହାର ବେଶି ।

 

ବ୍ରଜବାବୁ କହିଲେ—ଆମ ଅଫିସରେ ତ ସେୟା । ଦୁଷ୍ଟ ହାକିମଙ୍କର ସବୁବେଳେ ଉନ୍ନତି । ସେଇ ପାଇବେ ବାହାଦୁରୀ । ଭଲରେ ମନ୍ଦରେ ସେଇ । ଆଉ ଆମେ କହିବା କାହାକୁ ?

 

ସୁଲତାକୁ ବ୍ରଜବାବୁଙ୍କ କଥାଗୁଡ଼ାକ ଭଲ ଲାଗିଲା ନାହିଁ । ରମାନାଥ ଭାଇଙ୍କୁ ଚାରିପଦ ଶୁଣେଇଥାନ୍ତା ଯେ ସେଥିରେ ସେ କଥା କହିଲେଣି ।

 

ସେ କଥା ବନ୍ଦ କରିବାକୁ କହିଲା—ସଂସାରଟା ଯେବେ ଦୃଷ୍ଟଙ୍କର ହେଲା, ତେବେ ସାଧୁଲୋକେ ଖାଲି ଘରେ ବସି ନିଜକୁ ସାଧୁ ନ ବୋଲାଇ ତାଙ୍କୁ ସିନା କିଛି ଶାସନ କରନ୍ତେ ! ହଉ ଚାଲ ! ଯାହା ହେଉଛି ସେତକ ଉଜୁଡ଼ିଯିବ ।

 

କହି ଉଠିଲାବେଳେ ସୁଲତାର ଆଖିଛଟକରେ ସେ ରମାନାଥଙ୍କୁ କହିଗଲା—ସବୁ କଥାର କ୍ଷମା ଅଛି । ଖାଲି ନାହିଁ—ଦୁର୍ବ୍ୟବହାରର କ୍ଷମା । ଭିକାରୀ ବି କ୍ଷମା ଦିଏନାହିଁ ।

 

ସୁଲତା ଗଲାପରେ ରମାନାଥ ଆପଣା ମନେମନେ କହିଥିଲେ—ସୁଲତା ସହରରେ ରହି ଗୋଟିଏ ଭାନୁମତୀ ପାଲଟିଲାଣି । ସେ ବ୍ରଜବାବୁକୁ ଚାହିଁ କହିଲେ—ଉଠିବା ଏଥର ।

 

—ଆପଣଙ୍କ କଥା ଭାରି ମୋ ମନକୁ ଘେନିଲା । କେବେ କ’ଣ ଏ ସବୁର ଶେଷ ହବ ନାହିଁ ?

 

—ହଁ, ହବ । ଯେତେବେଳେ ଲୋକେ ଅନୀତି କରି କରି ବୁଝିବେ ଯେ ଆଉ ସେଥିରେ ଫାଇଦା ନାହିଁ, ସେତେବେଳେ ଆପଣ ମନକୁ ସେମାନେ ବଦଳିବେ ।

 

ଚାଉଳରେ ଗୋଡ଼ି, ଚିନିରେ ବାଲି, ସୋରିଷରେ ଅଗରା, ଗାଈ ଦୁଧରେ ଗୁଣ୍ଡଦୁଧ କେତେ ଆଉ ମିଶିବ ? ବହୁତ ମିଶିଲାଣି । ଏଣିକି ଦଳେ ଲୋକ ବାହାରିବେ—ସେମାନେ କହିବେ ଭଲ ଜିନିଷ ପୁଣି ମାଟିକୁ ଆସୁ ।

 

—କେଜାଣି !

 

ସୁଲତା ପାଖ ହାଣ୍ଡିଶାଳରେ ଥାଇ ଏମାନଙ୍କ କଥାକୁ ଲକ୍ଷ୍ୟ ରଖିଥିଲା । ମନ ଭିତରେ ଅଭିମାନ ଆଉ ଅଭିଯୋଗ । ରମାନାଥ ଭାଇ ନିଜକୁ ଭଲ ଲୋକ ବୋଲି ଦେଖେଇ ହେଲେ—ଅନ୍ୟର ଗୁପ୍ତ କଥା ଜାଣିଗଲେ ଲୋକ ଯେମିତି ସାଧୁ ପାଲଟି ଯା’ନ୍ତି ।

 

କେଜାଣି କି ଦୁର୍ଯୋଗରେ କାରଣ ନ ଥାଇ ଖାଲି ଗୋଟାଏ ଖିଆଲରେ ସେ ରମାନାଥ ଭାଇଙ୍କ ଆଗରେ ନିଜକୁ ପ୍ରକାଶ କରିଦେଇଥିଲା । ବହୁତ ଦିନର ପରିଚୟ, ସେଇ ଆନ୍ତରିକ ସଖ୍ୟ ଭାଙ୍ଗିପଡ଼ିଛି, ଏତିକି ଦିନର ଦେଖାଚାହାଁ ନ ହୋଇ । ସେ ନିଶ୍ଚୟ ଏଇ କଥାର ସୁଝଟ ନବ ।

 

ମନର ଆବେଗରେ ତା’ର ହାତରୁ ବାସନ ଖସିଲା ।

 

ବ୍ରଜବାବୁ କହିଲେ—ତର ତର ହେଉଛ କାହିଁକି ? ବାସନ ଭାଙ୍ଗିବ ।

 

—ଆଉ କ’ଣ ରାତି ଆସୁଛି ? ବସି ବସି ଆଡ଼ା କଲେ ସିନା ବେଳ ଜଣାପଡ଼େ ନାହିଁ । ରାତି ଅଧକୁ ଖଟନ୍ତ କି ବୁଝନ୍ତ କେମିତି ଲାଗେ । ମୁଁ ଆଉ ଏତେ କାମ ତୁଲେଇ ପାରିବି ନାହିଁ ।

 

ରମାନାଥ କହିଲେ—ଏଇ କଥାକୁ ଏତେ ବଡ଼ କଥା !

 

ସୁଲତା ଝଙ୍କାର ଦେଇ କହିଲା—ଯେଉଁମାନଙ୍କର ସୁଖ, ଆନନ୍ଦ ବେଶି, ସେହିମାନେ ସିନା ମନରେ ଓଲଟପାଲଟ କରି ମନରଖା କଥାଗୁଡ଼ାଏ କହି ଶିଖିଥାନ୍ତି । ମତେ ସେମିତି କହିଆସେ ନାହିଁ । ଯାହା ମୁଁ ଭାବିଲି ସେୟା କହିଲି । ତମେ ଅବିଗୁଣ ପାଅ କି ନ ପାଅ ।

 

—ନାହିଁ ମ, ଏବେ ପରା ସଂସାରଟା ହେଉଛି ଖଟିବା ଲୋକଙ୍କର । ଯେ ଖଟି ପାରିଲା ସମସ୍ତେ ତା’ର ଗୋଡ଼ତଳେ ବନ୍ଧା । ସେ ଗାଳି ଦେଲା କି ନ ଦେଲା—ସେ କଥା ପଚାରୁଛୁ କିଏ ?

 

ସୁଲତା ଚୁପ୍‌ ରହିଲା ।

 

ଚୁପ୍‌ ରହିଲା । କାରଣ ତା’ର ମନରେ ଅଭିମାନ । ନିଜର ଇଚ୍ଛା ବାଧା ପାଇଛି । ଭାବନାର ବିପରୀତ ଫଳ ପାଇଛି । ନାରୀ ଓ ପୁରୁଷ ଭିତରେ ବ୍ୟବଧାନ ଏଇଠି । ପୁରୁଷ ଆଘାତ ପାଏ ବାହାରିଆ ମନ ଉପରେ । ନାରୀ କିନ୍ତୁ ଆଘାତ ପାଏ ଭିତରର ମନରେ । ତା’ର ଆଘାତ ଲୋକଦେଖାଣିଆ ରୂପ ନିଏ ନାହିଁ ସତ, କିନ୍ତୁ ସେଥିଭିତରେ ସେ ରଖିଯାଏ ଜୀବନବ୍ୟାପୀ କ୍ଷତ ।

 

ଗହୀରିଆ କ୍ଷତପରି ଭିତର ଟୁଳୁଟୁଳୁ ପୂଜ ରକ୍ତ ନେଇ ବାହାର ଶରୀରର ଅସହ୍ୟ ଯନ୍ତ୍ରଣା ବୋହି ସେ ଚଳପ୍ରଚଳ ହୁଏ । କଥା କଥାରେ ତା’ର ଅଭିମାନ ଆସେ । ଲୌକିକ ବ୍ୟବହାର ସୀମା ଅତିରିକ୍ତ ଭାବରେ ଦୃଷ୍ଟିକଠୋର ଶ୍ରୁତିକଠୋର ହୋଇଉଠେ । ବ୍ୟର୍ଥନାରୀ ସବୁବେଳେ ତାହାର ଭିତରର କ୍ଷତକୁ ଲୁଚାଇ ରଖି ତା’ର ବିବ୍ରତ ମନ, ବିବ୍ରତ କଥା ଲୋକବିରୋଧୀ ବ୍ୟବହାରଦ୍ଵାରା ଦେଖାଇଯାଏ ।

 

କେତେବେଳେ ସେଇଟା ହୁଏ ତା’ର ନୀରବତା । ଆଉ କେତେବେଳେ ସେ ରୂପ ନିଏ ତୀକ୍ଷ୍‌ଣ କଟୂକ୍ତି ରୂପରେ—ତା’ର ଜୀବନ ବ୍ୟର୍ଥ । ତେଣୁ ସଂସାରର ସବୁ ବ୍ୟର୍ଥ । ସବୁ ଶୁଝାଏ, ସବୁ ଉଜାଡ଼ି ଦିଏ ତା’ର ସ୍ଵାମୀପରିବାରଙ୍କ ଉପରେ—ନିଜର ସ୍ନେହୀ ପରିଜନ, ଜ୍ଞାତି, କୁଟୁମ୍ବ କେହି ସେଥିରୁ ଅବ୍ୟାହତ ପା’ନ୍ତି ନାହିଁ ।

 

ବ୍ରଜବାବୁଙ୍କ ଅଲକ୍ଷ୍ୟରେ ରମାନାଥଙ୍କଠାରୁ ସୁଲତା ବୁଝିଯାଇଥିଲା—ତା’ର ଆଉ କିଛି ପ୍ରୟୋଜନ ନାହିଁ । ରମାନାଥ ତାହାକୁ ଭଲପାଆନ୍ତି ନାହିଁ । ଭଲ ପାଇବା ନ ପାଇଲେ, ପ୍ରଶଂସା ନ ଶୁଣିଲେ, ଚାଟୁକଥା ଅସୁଲ କରି ନ ପାରିଲେ ନାରୀ କହେ ତା’ର ଜୀବନ ବ୍ୟର୍ଥ । ସେତେବେଳେ ସେ ତା’ର ପରିବାର ଭିତରେ ତାକୁ ମିଳୁଥିବା ସ୍ନେହ, ପ୍ରେମ, ଆଦରକୁ ନେଇ ଲୁଚି ରହିଯାଏ—ଖରାରୁ ରକ୍ଷା ପାଇବାପାଇଁ ଛତା, ଗରମରୁ ରିହାତି ପାଇବାପାଇଁ କାକରିଆ ପାଣି, ଶୀତରୁ ରକ୍ଷା ପାଇବାପାଇଁ ଗରମ ପୋଷାକ ପରି ସେ ଗୋଟାଏ କିଛି ନ କିଛି ଆବରଣ ଧରେ ।

 

ସେତେବେଳେ ସୁଲତାର—ବ୍ୟର୍ଥ ସୁଲତାର—ଅଭିମାନିନୀ ସୁଲତାର ଆବରଣ ହେଉଛନ୍ତି ବ୍ରଜବାବୁ । ସେଇ ତାକୁ ନିଜର ଅପମାନରୁ ରକ୍ଷା କରିବେ । ତାଙ୍କରି ସ୍ନେହ ବାହାର ଲୋକଙ୍କୁ ଦେଖାଇ ସୁଲତା କହିବ—ମନେ କରନା ମୁଁ ନିଃସ୍ଵ, ମୁଁ ନିରାଶ୍ରୟ, ମୋର ସବୁ ଅଛି ।

 

ସୁଲତା ନିଜର ବ୍ୟବହାରକୁ ହଠାତ୍‌ ମଧୁର କରି ବ୍ରଜବାବୁଙ୍କୁ ଡାକିଲା କିଏ ଦୂରକୁ—ଶୁଣିଯାଅ ।

 

—ଏଇଠି କହୁନା । ଭାଇ ତ ଅଛନ୍ତି ।

 

—ସେମିତି ଭାଇ କ’ଣ ନ ଥାନ୍ତେ ? କି ଭାଇ—ଅକାଳେ ସକାଳେ ଆସିଛନ୍ତି । ସେ ତ ଭାଇର ଅଧିକାର ନେଇ ଆସି ନାହାନ୍ତି । ଯେଉଁଦିନୁ ସେ ଆମ କଥା ବୁଝିବା ଛାଡ଼ିଦେଲେ, ଆମ ଭଲମନ୍ଦରେ ଭାଗୀ ହେବାକୁ ପଛେଇଲେ ସେଇଦିନୁ ସେଇ ହେଉଛନ୍ତି କୁଣିଆ । ପ୍ରକାଶବାବୁଙ୍କଠୁ ବି ଛୋଟ ।

 

ରମାନାଥ କହିଲେ—କ’ଣ କହିଲୁ ସୁଲତା ? ମୁଁ କ’ଣ ତମ ପ୍ରକାଶବାବୁଙ୍କଠ ବି ତଳକୁ ଗଲି ? ମୁଁ ଜାଣିଥିଲେ ଏଠି ପାଣି ଛୁଇଁ ନ ଥାନ୍ତି ।

 

—ଚିଡ଼ୁଛି କାହିଁକି ? ପ୍ରକାଶଙ୍କର କିଛି ଅଧିକାର ଏଠି ନାହିଁ । ସେ ତ ନିଜକୁ ଘରଲୋକ ପରି ଏଠି ମିଶେଇ ଦେଉଛନ୍ତି । ଭାବନା ନାହିଁ । ଚିନ୍ତା ନାହିଁ । କଥା ଖାଲ କି ଢିପ କେଉଁଠି ପଡ଼ିଲା ସେଠିକି ନଜର ନାହିଁ । କାହାରି ପଟ ନବା କଥା ବି ନାହିଁ । ଆଉ ତମେ ମାପିଚୁପି କଥା କହୁଚ । ତମକୁ ପାଖକୁ ଡାକିଲେ ଦୂରକୁ ଯାଉଛ । ତମେ ତ ସବୁବେଳେ ଦେଖାଉଛି ଯେ ତମେ ପରମଣିଷ । ଭୁଲ କ’ଣ କହିଲି ?

 

ଆପଣ ମନକୁ ପଚାରିଲା ପରି ରମାନାଥ ସୁଲତାର ସେଇ ଚଞ୍ଚଳ ଆଖି ଉପରେ ଆଖି ରଖି କହିଲେ—ମୁଁ ନିଜେ ଦୂରେଇ ଗଲି—

 

—ଯାଇନାହଁ ? ମନକୁ ପଚାର କେତେଦୂରକୁ ଯାଇଛ । ମନେ ରଖିଥିବ ଯେ ମଣିଷ ଥରେ ଦୂରକୁ ଯିବା ଆରମ୍ଭ କଲେ ଆଉ ପାଖକୁ ଫେରେ ନାହିଁ । ତାଳଗଛ ପରି ଭୂଇଁ ଛାଡ଼ିଲେ ଦିନକୁ ଦିନ ସିନା ଦୂରେଇବ ଆଉ ତଳକୁ ଆସିବ ନାହିଁ । ତାଳ ଗଛର ଛାଇ ଯେମିତି ଛାଇ ନୁହେଁ, ସେମିତି ଦୂରେଇ ଯାଇଥିବା ବନ୍ଧୁ ବନ୍ଧୁ ପଣକୁ ଅଯୋଗ୍ୟ । ଆଉ ଥରେ ଆସ ଦେଖିବ ତମେ ବି ପ୍ରକାଶଙ୍କ ପାଖରେ କେତେ ତଳକୁ ଖସି ଯାଇଥିବ ! ତାଙ୍କରି ଆଗରେ ମୁଁ ତମକୁ କହୁଥିବ—ତୁମେ ମୋର ଭାଇ, ଆଉ ସେ ପର । କାମରେ ଦେଖିବ ସେ ହୋଇଥିବେ ଭାଇ ଆଉ ତମେ ହୋଇଥିବ ପର ।

 

ରମାନାଥଙ୍କ ମନରେ ସେ ଦିନ—ସଂଧ୍ୟାବେଳର ନିରୋଳାଘରର—ସୁଲତା ଝଟକ ଉଠିଲା । ସୁଲତା ନିଜର ବ୍ୟବହାର ବଦଳାଇ ରମାନାଥକୁ ତଳକୁ ଖସାଇ ଛୋଟ କରି ମନର ରାଗ ଶୁଝାଉଛି । ରମାନାଥ କହିଲେ—ହଉ, ଏତେ ରାତିରେ ଆଉ ଯିବାର ବାଟ ନାହିଁ । ଏଣିକି ଏଠିକି ଆସିଲେ ତମ ଘର ଛଡ଼ା ଆଉ କୋଉଠି ଠାବ ନାହିଁ । ଭାଇ, ପର, ଆପଣାର, କି ଚାକର ଯାହା ମନକୁ ଆସୁଛି କି ଯା ।

 

ବ୍ରଜବାବୁ ଆଉ ପାଟି ବନ୍ଦ କରି ରହିପାରିଲେ ନାହିଁ । ସେ କପଟ କ୍ରୋଧ ଦେଖାଇ ସୁଲତାକୁ କହିଲେ—ଏମିତି କଥା କହିଲେ ସେ କ’ଣ ଅବଗୁଣ ପାଇବେ ନାହିଁ ?

 

—ସେ ତମର ନିଜର କେହି ନୁହନ୍ତି । ତମେ ତାଙ୍କୁ ମାନ୍ୟ ଦେଖାଅ । ସେ ତମୁକୁ ଦେଖାନ୍ତୁ । ମୋ ମନକୁ ଯାହା ରୁଚେ ମୁଁ କହିବ—ସେ ଅଧିକାର ମୋର ଅଛି । ତାଙ୍କୁ ଯାହା ଭଲ ଲାଗିବ ସେ ସେମିତି କରିବେ । ସେଥିରେ ସେ କ’ଣ ମୋର ମନକଥାକୁ ପାସଙ୍ଗରେ ପକାନ୍ତି ? କି ଭାଇ, କହୁନା ?

 

ରମାନାଥ କିଛି କହିବା ପୂର୍ବରୁ ସୁଲତା ପୁଣି କହିଲା—ତମୁକୁ ମୁଁ ସବୁ କହିପାରେ । ମୋର ଭଲମନ୍ଦ, ଭଲଖରାପ, ଦୋଷଗୁଣ କ’ଣ ତମେ ନ ଜାଣ ଯେ—

 

ରମାନାଥ ହସିଲେ । —ମୁଁ ଏତେ ବଢ଼ିଆ ଲୋକ ବୋଲି କେବେ ନିଜକୁ ଭାବି ନ ଥିଲି-

 

—ଭାବି ନ ଥିଲ ? ଏଥର ଭାବ । ଯାହାକୁ ଯିଏ ଟାଇଁ ଟାଇଁ କଥା କହିପାରେ, ଟାଣକଥା କହି ତା ଆଖିରୁ ପାଣି ଖସାଇପାରେ, ସେ ତାକୁ ସେତିକି ବଡ଼ କରିଥାଏ ମନ ଭିତରେ । ହେଲେ ବି ତମେ ଆମ ଭିତରେ ଜଣେ ନୁହଁ । ପୁଣି ଡାକିଲା ବ୍ରଜବାବୁଙ୍କୁ ।

 

ବ୍ରଜବାକୁ ଏତେ ପ୍ରଶଂସା ଶୁଣି ନିଜେ ସୁଲତାର ପ୍ରିୟତମ ବୋଲି ଚାଲି ଆସିଲେ । ତାଙ୍କର କାନ ପାଖରେ ସୁଲତା ତାହାର ପରିଚିତ ସ୍ଵରରେ କହିଲା—ତରକାରୀ ଲୁଣିଆ ହୋଇଛି । ତୁମେ ଚଳେଇ ନବ ।

 

—ଏଇ କଥାପାଇଁ ଏତେ ହଟଚମଟ !

 

—ସେ ପରା ସେମିତି ଅଳ୍ପ ବୁଝିବା ଲୋକ । ଭଲେଇ ହେବାକୁ ଆସି ରାତି ଅଧରେ ଲୁଣିଆଁ ହେଲେ । ଆଜି ପିଲାଙ୍କ ଖବର ବୁଝି ହେଲାନାହିଁ । ହଉ—

 

—କଣ ସଇଲା ? ମୋ ବିଷୟରେ କେତେ ଆଉ ମତେ ଲୁଚେଇ ଲୁଚେଇ କହିବୁ ?

 

ସୁଲତା ସେମିତି ମିଠାଗଳାରେ କହିଲା—କିଛି ନୁହେଁ ଭାଇ, ଆମର ବାସନ ନାହିଁ ଯେ ତାଙ୍କୁ କହୁଥିଲି ଟିକିଏ ଦୋକାନକୁ ଯାଇ ଦି’ଖଣ୍ଡ ପତ୍ର ଆଣିବାପାଇଁ ।

 

ରମାନାଥ ଲଜ୍ଜିତ ହେଲେ । ସେ ଦରିଦ୍ରର ଅଭାବକୁ ପରିସ୍ପୁଟ କରି ଖୋଲି ଦେଇଛନ୍ତି । ସେ କହିଲେ—ମୁଁ ତମକୁ କେତେ ହଇରାଣ କଲିଣି ?

 

ବ୍ରଜବାବୁଙ୍କୁ ବାହାରକୁ ପଠାଇଲାବେଳେ ସୁଲତା କହିଲା—ନ କରନ୍ତ କେମିତି ? ସଂସାରଟା ହେଉଛି ଏମିତି ଛୋଟିଆ ଛୋଟିଆ ଜଞ୍ଜାଳରେ ବନ୍ଧା । ଆଉ ଜଣକ ପାଇଁ କଷ୍ଟ ସହି ନ ପାରିଲେ ଏଇ ଦୁଃଖ କ’ଣ ଭୁଲି ହେବ ? ବଡ଼ ଲୋକେ ପରପାଇଁ କଷ୍ଟ ସହନ୍ତି ନାହିଁ । ସେଥିପାଇଁ ଭୋଗୁଥାନ୍ତି ସବୁ ଦିନେ । ଗରିବ ଲୋକେ ପରପାଇଁ ସହି ପାରନ୍ତି । ସେଥିପାଇଁ ସେମାନେ ହସଖୁସିରେ ଚଳିଯାନ୍ତି । ତମ ଘରକୁ ଆମେ ଗଲେ ତମେ ବହୁତ ଜିନିଷ ଦେବ । ଆମେ ତୁମକୁ ଖାଲି ମନ ଆଉ ଭାବ ଦେଇପାରିବୁ । ତମେ ସେତିକି ଗ୍ରହଣ କରିପାରିବ ?

 

ବ୍ରଜବାବୁ ଚାଲିଗଲେଣି । ରମାନାଥ ପଚାରିଲେ—ଆଜି କ’ଣ ଭାରି ଭଲ ଅଭିନୟ କରୁଛୁ ସୁଲତା ?

 

—ଏଇ ଅଭିନୟରେ ସ୍ତ୍ରୀ ବଞ୍ଚେ । ଯେତେବେଳେ ତା’ର ରୂପ ଯୌବନ ଚାଲିଯାଏ, ତା’ର ଦଦରା ଦେହ, ଦଦରା ମନକୁ ତମରି ଭଳି ଲୋକେ ଗୋଡ଼ରେ ଧୂଳି ପରି ଆଡ଼େଇ ଦିଅନ୍ତି, ସେତେବେଳେ ଏମିତି ଚାରିପଦ କଥା କହି ମନକୁ ବହଲେଇବା ଛଡ଼ା ଆଉ କ’ଣ ଅଛି କୁହ ତ ?

 

—ମୋ ଉପରେ ତୁ ଚିଡ଼ିଛୁ ନା ?

 

—ନା । ମୁଁ ଜାଣିଲି ଯେ ତମେ ମୋତେ ଭୁଲି ଯାଇଛ । ସମସ୍ତେ କହନ୍ତି ସେ ମଣିଷ ମଣିଷକୁ ଭୁଲିଯାଏ । ଜାଣି ନ ଥାନ୍ତି । ମୁଁ ଆଜି ଜାଣିଗଲି ।

 

—ମୁଁ ତତେ ଭୁଲି ନାହିଁ ।

 

—ଭୁଲି ନାହିଁ ? ଭଲ କଥା । ଏଥର ଭୁଲିଯାଅ । ଜାଣିଛ ସେ ଥରେ ଜଣେ ଚିହ୍ନାଲୋକକୁ ଦେଖି ଚିହ୍ନିନ ପାରିଲେ ସେ ତମୁକୁ କେବେହେଲେ କ୍ଷମା ଦିଏ ନାହିଁ । ହଜାର ଦୋଷ ମାଗ, ଲକ୍ଷେ ପ୍ରକାରର କୈଫିୟତ ଦିଅ ପଛକେ, ମନ ଉପରେ ଯେଉଁ ଗାରଟି ପଡ଼ିଯାଏ ସେ ଗାର କେବେ ଲିଭିବ ନାହିଁ । ଆଜି ତମେ ସେମିତି

ମୋର ଭଲପାଇଁ ହେଉ କି ତମର ଭଲପାଇଁ ହେଉ, ଯେଉଁ ବ୍ୟବହାର ଦେଖାଇଛ, ସେଥିରେ ଏତିକି ହୋଇଛି ଯେ ସବୁ ଦିନପାଇଁ ଆମ ଭିତରେ ଗୋଟାଏ ବୁଝାମଣା ହୋଇଗଲା ।

 

—ତୁ ତେବେ ସତେ ଭଲ ପାଉନାହୁଁ ?

 

ଭାବିଲା ପରି ସୁଲତା କହିଲା—ଭଲ ପାଇବାର ଡୋର ଆଉ ନାହିଁ । ସେ ଡୋର ଥରେ ଛିଣ୍ଡିଗଲେ ଆଉ ଗଣ୍ଠେଇ ହୁଏ ନାହିଁ । ଭଲ କରିଛ ଛିଣ୍ଡେଇ ଦେଇ । ରମୁକୁ ଦେଖିଲେ, ତାକୁ ରମୁ ବୋଲି ଡାକିଲେ ସବୁଦିନେ ମନେ ପଡ଼ୁଥିବ ତମ କଥା । ତମୁକୁ ପାଇଥିଲି—ପୁଣି ହଜେଇଛି । ତମେ—ଅଛ—ମୋର ତମେ କେହି ନୁହଁ ।

 

—ଆଉ ତେବେ ଏଠି ରହି—ରହିଛି ତ । ତେବେ ଭାତ ପିତା ଲାଗିବ ।

 

—ମତେ ବି ଲାଗୁଥିଲା ସେମିତି । ଏଇଟା ମୋର କର୍ତ୍ତବ୍ୟ । ମୋର କରିବାର କଥା ମୁଁ କରୁଛି । ଏତକ ଯଦି ତମେ ନ ନିଅ, ତେବେ ବି ମନରେ ଦୁଃଖ ନାହିଁ । ତେବେ ଖାଇଲାବେଳେ ମନେ ପକେଇବ ଯେ ସୁଲତା ତମଠୁଁ କଟିଯାଇଛି । ସେତିକିବେଳେ ବୁଝିବ ଯେ ମନର ଅଭାବ ହେଲେ ଘର କେମିତି ହୋଟେଲ ହୋଇଯାଏ ।

 

—ତେବେ ତୁ ଏଡ଼େ ଅଖଞ୍ଜରେ ଅଛୁ, ମୁଁ ବୁଝି ନ ଥିଲି ।

 

—ବୁଝିବାକୁ ଲୋଡ଼ା ହୁଏ ମନ । ମନ ନ ଥାଏ ବୋଲି ବଡ଼ଲୋକ ଗରିବଙ୍କ କଥା ବୁଝିପାରନ୍ତି ନାହିଁ । ଥିଲା ଲୋକେ ନ ଥିଲା ଲୋକଙ୍କୁ ବୁଝିପାରନ୍ତି ନାହିଁ । ଖାଲି ରହି ରହି ପଚାରୁଥାନ୍ତି ତମର ଅସୁବିଧା କ’ଣ ଅଛି ? ତମେ ବି ପଚାରୁଥିଲ ସେଇ କଥା ।

 

—ହଁ, ତ । ରମାନାଥ ଲଜ୍ଜିତ କଣ୍ଠରେ କହିଲେ ।

 

—ମୋର ମୂର୍ଖକଥା ଶୁଣିଥାଅ । ଯେବେ ମନର ଅଭାବ ଥିବ, କେବେହେଲେ କାହାରିକୁ ଯାଇ ତା’ର ଦୁଃଖ ବିଷୟରେ ତନଖି କରିବ ନାହିଁ । କାନ୍ଥରେ ଯଦି ମାଟି ଲେପି ନ ପାରିବ, ତେବେ ସେ କାନ୍ଥର ଫାଟକୁ ଆଉଁସିବ ନାହିଁ । ଅଭାବ ଯଦି ଦୂର କରି ନ ପାରିବ ତେବେ ତାକୁ କଅଁଳ କଥା କହି ଆଘାତ ଦେବ ନାହିଁ । ସଂସାରର ଭାତଲୁଗା ଦୁଃଖଠାରୁ ବଳି ଏଇ ଦୁଃଖ ବେଶି କଷ୍ଟ ଦିଏ । ଆଉ ଯେବେ ପ୍ରିୟଲୋକ କି ଆପଣାର ଲୋକ ଏଇ ଭୁଲ କରେ, ତେବେ ସେଇ ଆଘାତ ରହିଯାଏ ଚିରଦିନକୁ । ଆଜି ସନ୍ଧ୍ୟାବେଳେ ତମୁକୁ ମନେ ରଖିବା ପାଇଁ ଏତେ ନିଶାଣଖୁଣ୍ଟ ମିଳିଲା । ଆଜି ବୁଲୁର ଓଠ ଖଣ୍ଡିଆ ହୋଇଛି । ଆଜି ମୋର ମନ ଏକାବେଳକେ ବଦଳିଯାଇଛି ।

 

—ମତେ କ୍ଷମା ଦେବୁ ନାହିଁ ସୁଲତା ?

 

—କେତେଗୁଡ଼ିଏ କଥାର କ୍ଷମା ନାହିଁ । ସେଥିଭିତରୁ ତମର ବ୍ୟବହାର ଗୋଟିଏ ଦୋଷ—ତାର କ୍ଷମା ନାହିଁ । ମନେ କରିବ ନାହିଁ ସେ ମନର ଆତୁରତା ଯେମିତି ସେମିତି ସଜାଡ଼ି ହୁଏ । ବହୁତ ଦିନର କଳ୍ପନା ମନକୁ ତତାଏ ବୋଲି ଲୋକେ କହନ୍ତି । ମନର କ’ଣ ଅଛି ଯେ ସେଥିରେ ଗରମ ଥଣ୍ଡା ଲାଗିବ—ଲାଗେ ନାହିଁ । ମନ ଅଧୈର୍ଯ୍ୟ ହୁଏ । ଆଉ ସେତିକିବେଳେ ଯେବେ ସେ ଖୋଜୁଥିବା ବିଷୟ ନ ପାଇଲା, ତେବେ ସବୁଦିନକୁ ମନ ଚହଳିଯାଏ । ଥାଉ, ଏଗୁଡ଼ାକ କହି ତମୁକୁ ଦୁଃଖ ଦେବି ନାହିଁ । ତମେ ବି ଦୁଃଖ ପାଇବ ନାହିଁ । ମନ ଥିଲେ ବୁଝନ୍ତ । ଆଉ ମନେ ବି ରଖନ୍ତ ।

 

—ମନେ ରହିବ ସୁଲତା, ନିଶ୍ଚେ ମନେ ରହିବ !

 

—ହଁ, ଟିକିଏ ଟିକିଏ ମନେ ରହିବ ନିଜକୁ ଖୁସି କରିବାପାଇଁ । କେତେବେଳେ କେମିତି ମନେ ନ ପଡ଼ିବ ବୋଲି ମୁଁ କହୁନାହିଁ । ମନେ ରହିଲେ ଜାଣିବା ମୁଁ ବଡ଼ ହୀନକପାଳୀ—ଯାହା ଭାବି ମନେ ରଖିଥିଲି, ସେତକ ମିଛ । ଆଉ ଯାହା କହି ପାସୋରେଇ ଦେବାକୁ ଚାହିଁଥିଲି ସେତିକି ସତ ।

 

ବ୍ରଜବାବୁ ଫେରିଲେ । ସୁଲତା ତାଙ୍କୁ ଦେଖି ସେମିତି ପ୍ରୀତିଭରା ସ୍ଵରରେ କହିଲା—ଆଜି ତମୁକୁ ବଡ଼ ହଇରାଣ ପଡ଼ିଲା । ଅଫିସଫେରନ୍ତା ତୁମକୁ ଫୁରୁସତ ନାହିଁ । ଏଇ ଜଞ୍ଜାଳ ବୋଝ ବୋହିବ ବୋଲି ଘର କରିଥିଲ ।

 

ଶୁଖିଲା ମୁହଁରେ ହସ ଖେଳାଇ ବ୍ରଜବାବୁ ଚାହିଁଲେ ରମାନାଥକୁ । ସେ ଆଖି ଫେରାଇ ନେଲେ—ଖାଲି ତାଙ୍କରି ପାଇଁ ଏଇ ଲୋକ ଦୁଇଟି ଟିକିଏ ନ ବସି ଏପାଖ ସେପାଖ ହଲଚଲ ହେଉଛନ୍ତି ।

 

ସୁଲତା କହିଲା—ତାଙ୍କୁ କ’ଣ ଚାହୁଁଛ ? ସେ ଆମର ଆର୍ଦ୍ଦୋଳି ନେବେ ନାହିଁ । ତାଙ୍କ ଘର ସେ କରିବେ । ଘର କଲେଣି ତାକୁ ସଜାଡ଼ିବେ । ଭଲରେ ଅଛନ୍ତି । ଆଉରି ଭଲରେ ରହିବେ-। ତାଙ୍କପରି ଲୋକଙ୍କୁ ଚାହିଁ ରହିବେ । ଆଉ ଆମେ ଯେମିତି ଅଛୁ ସେମିତି ରହିବା । ତଳେ ଅଛୁ ଆହୁରି ତଳକୁ ଯିବା । ଯାତ୍ରା ସୁଆଙ୍ଗ ଦେଖିଲାପରି ବେଳେ ବେଳେ ଏମିତି ସେ ଆସି ଅବା ଆଉ କିଏ ଆସି ଆମକୁ କହିଦେଇ ଯାଉଥିବ—ଯେ ଆମେ ଏକାଠି ଏକ ଆରେକର ଦୁଃଖରେ ଜଣକର ବୋଝ ଆଉ ଜଣକ ଉପରେ ଚାପି ତଳେ ମାଟି ଉପରେ ଆକାଶକୁ ଚାହିଁ ପଡ଼ିରହିଛୁ ।

 

ସୁଲତା ଚାହିଁଲା । ଖୋଲା ଆକାଶର ଖଇଫୁଟା ତାରା ଆଡ଼େ । ଗୁଣୁ ଗୁଣୁ ହୋଇ କହିଲା—ଏତିକି ହେଉଛି ଆମ ଅନ୍ଧାରରେ ଦିହୁଡ଼ି । ଅନ୍ଧାର ସିନା କଟିବ ନାହିଁ । ଏଇ ଆକାଶରେ ସିନା ମୁହଁକୁ ମୁହଁ ଦିଶିବ ନାହିଁ । ତେବେ ଏତିକି ନ ଥିଲେ ମୋଟେ କ’ଣ ଚଳି ହୁଅନ୍ତା ? ସୁଲତା ଦୀର୍ଘନିଶ୍ଵାସ ପକାଇଲା ।

 

ବ୍ରଜବାବୁ ଅସୀମ ସମବେଦନାରେ ଆପଣାର ଇଚ୍ଛା ବିରୁଦ୍ଧରେ ସେମିତି ଗଭୀର ନିଶ୍ଵାସ ପକାଇଲେ ।

 

ଏତିକି ହେଉଛି ଅସମର୍ଥର ସମ୍ବଳ । ଗୁଡ଼ାଏ ଏମିତି ଆଲୋଚନା କରିବା, ଭାବିବା, କହିବା, ଖିଆଲିର ହସ ହସିବା, ଆଉ ଖିଆଲରେ ଧୂଳି ପକାଇ ଦୁଃଖର ଜୁଆରକୁ ବାଡ଼ ପକାଇବା ହେଉଛି ଦରିଦ୍ରର ସଂସାର—ସେ ଖବର ସଂସାର ରଖେ ନାହିଁ । ସେ ସଂସାର ଖାଲି ଅଭିନୟ ଦେଖିବାକୁ—ଦୁଃଖର ବୋଝ ବଢ଼ାଇବାକୁ, ଯନ୍ତାରେ ପଡ଼ିଥିବା ଜନ୍ତୁ, ହାତକଡ଼ି ପଡ଼ିଥିବା ମଣିଷକୁ ରହି ରହି ନିରେଖି ନିରେଖି ଦେଖିଲାପରି ଦେଖେ ଆଉ ହସେ । ସେଇ ହସ, ସେଇ କଥା ସମସ୍ତେ ଦେଖି, ଶୁଣି, କହି, ବୁଝି ଖୁସି ହୁଅନ୍ତି । ତାହାରିପାଇଁ କବିତା, ଗଳ୍ପ, ଉପନ୍ୟାସ, ନାଟକ, ଥିଏଟର ଆଉ ସିନେମା—ପାଲା, ଯାତ୍ରା, ସୁଆଙ୍ଗ ଓ ସଙ୍ଗୀତ ।

 

ରମାନାଥବାବୁ ସେ ଦିନ ନିଜର ଭୋକ ଭୁଲିଯାଇଥିଲେ । ସେ ସୁଲତା ଆଉ ବ୍ରଜବାବୁ ଦୁଇଜଣଙ୍କୁ ମନେ ମନେ ହିଂସା କରୁଥିଲେ । ପରସ୍ପରରେ ମନ ନ ମିଳି ଯେତିକି ଭଲରେ ବୁଝାମଣାରେ ଏଇ ସ୍ଵାମୀ ସ୍ତ୍ରୀ ଯୋଡ଼ିକ ଏକାଠି ଦୁଃଖକୁ ହଜମ କରି ରହି ପାରିଛନ୍ତି, ସେତିକି ହେଲେ ତାଙ୍କ ଜୀବନରେ ସମ୍ଭବ ହୋଇଥାନ୍ତା ?

 

ମନ ଅନୁସାରେ ଦୁନିଆ ଚାଲେ ନାହିଁ । ମନ ଭିତରେ ଯେତେ ଆଳିମାଳିକା ଥିଲେ ବି ପେଟର କ୍ଷୁଧା, ଦେହର ଅଭାବ କେତେବେଳେ ହେଲେ ମଣିଷକୁ କ୍ଷମା ଦିଏ ନାହିଁ । ଖାଇ ବସିଲେ ସମସ୍ତେ । ସାଙ୍ଗରେ ରମୁ । ତା’ର ବି ବହୁତ ଚିନ୍ତା । ସେ ଶୋଇଥିଲା । ଆଖିରେ ନିଦ । ନ ଶୋଇଲେ ତାର ଚଳୁନାହିଁ । ସୁଲତାର ଆଉ ଗୋଟିଏ କାମ ବଢ଼ିଲା ।

 

ସୁଲତା ସମସ୍ତଙ୍କୁ ନ ଭୁଲିଲେ ବି ତା’ର ବେଶି କାମ, ବେଶି ଦୃଷ୍ଟି ରହିଲା ରମୁ ଉପରେ-। ବ୍ରଜବାବୁ ଚାହିଁଲେ ସୁଲତା ଆଡ଼େ । ସେ ରମାନାଥବାବୁଙ୍କ ଆଡ଼େ ବେଶି ଦୃଷ୍ଟି ନ ଦେଇ ରମୁ ସାଙ୍ଗରେ ଲାଗିଛି । ରମାନାଥ ସେମିତି ଦେଖୁଥିଲେ ସୁଲତାକୁ । ସେ ତାଙ୍କୁ ପାସୋରି ଦେଇ ରମୁ ସାଙ୍ଗରେ ଲାଗିଛି । ଭାବୁଥିଲେ କହିବାକୁ—ଦେଖ ସୁଲତା, ମଣିଷ ଏମିତି ସମସ୍ତଙ୍କୁ ଖାତିର ଆଉ ବେଖାତିର କରେ—ଯେତେବେଳେ ଯେଉଁଟା ସୁବିଧା ହେଲା ।

 

ରମୁକୁ ଖୁଆଇବାକୁ ଚେଷ୍ଟା କଲାବେଳେ ସୁଲତା କହୁଥାଏ—ଭାଇ, ଦେଖୁଛ ତ ଜଞ୍ଜାଳ । ଏମିତି ପିଲାକୁ ମଣିଷ କରିବା କେଡ଼େ ଅସୁବିଧା । ତମ ସରକାରୀ ଫାଇଲରେ ଲେଖା ହେଉ ନ ଥିବ । ସମସ୍ତେ କହୁଥିବେ ଯେ ଦେଶର ଲୋକସଂଖ୍ୟା ଖାଲି ବଢ଼ି ବଢ଼ି ଯାଉଛି । ୟେ’ କହୁଥିଲେ ପରା ମରୁଡ଼ି ବିଷୟରେ । ଏତେ ପିଲାଙ୍କର ଜଞ୍ଜାଳ କେତେ ଲୋକ ନ ନେଉଥିବେ ?

 

ରମୁ ବସି ଘୁମେଇଲା ଥାକ ଉପରେ । ରମୁକୁ ଜୋରରେ ହଲେଇ ଦେଇ ସୁଲତା କହିଲା—ଖରାବେଳେ ଶୋଇ ପୁଣି ଏତେ ନିଦ ?

 

ରମୁ କାନ୍ଦି ଉଠିଲା । ବ୍ରଜବାବୁ ବିରକ୍ତ ହେଲେ । ରମାନାଥ କହିଲେ—ଥାଉ, ଥାଉ, ବିରକ୍ତ ହେଲେ ସେ ଖାଇବ କଣ ?

 

ସୁଲତା କହିଲା—ଏତିକି ଟିକକରେ ତମର ଦୟା ଆସିଗଲା ନା ? ଦାୟିତ୍ଵ ନିଅନ୍ତ କି ବୁଝନ୍ତ କେତେ ଅସୁବିଧା ହେଲେ, କେତେ ଅଡ଼ୁଆ ଲାଗିଲେ ମା ପିଲା ଉପରେ ଚିଡ଼େ । ବହିରେ ସିନା ଲେଖାହୁଏ ଏହିସବୁ କଥା । ସେଇଥିରୁ ଗୁଡ଼ାଏ କହୁଛ ବସି ବସି ।

 

—ଆମେ କ’ଣ—ପିଲା ଚଳାଉନାହୁଁ ?

 

—ଚଳେଇଲା ଲୋକ ଜାଣେ । ସେଇ କହିବ ।

 

—ଥାଉ । ଆଜି ବହୁତ ଗପ ହେଲାଣି । ଗପ ସବୁ କାମ ଭଣ୍ଡୁର କରିଛି ।

 

ରମାନାଥବାବୁଙ୍କ କଥା ଶୁଣି ସୁଲତା ଚାହିଁଲା ବ୍ରଜବାବୁଙ୍କ ମୁହଁକୁ । ସେଇ ମୁହଁରେ ବିରକ୍ତି । ସେ ରମାନାଥ ଭାଇଙ୍କ କଥାରେ ଦୁଆ ଦେଉଛନ୍ତି । ଦୀର୍ଘଶ୍ଵାସ ପକାଇ ସୁଲତା କହିଲା–ହଁ, ମୁଁ ତ ଗପୁଡ଼ିଟାଏ । ହେଲେ ବି ଏଇ ଘରର ସବୁ କାମ କିଏ ଆଉ କଲା ? ଆଜି ନୁହଁ-। କେବେ ବି ନୁହଁ । ସୁବିଧା ଏମିତି ଦିନେ ଦିନେ ଆସେ । ଗୁଡ଼ାଏ କଥା ଖୋଲି କହିଦେଲେ ମନ ଉଶ୍ଵାସିଆ ହୋଇଯାଏ । ତେବେ ଆଜି ଯାହା ସାଙ୍ଗରେ ଗପିଲି ସେ ବି ମତେ ଉଲାଖ ଦେଲେ-

 

କେହି କିଛି କହିଲେ ନାହିଁ । ସମସ୍ତେ ଚାହିଁଲେ ସୁଲତା ମୁହଁକୁ । ସେଠି ଖାଲି ଅଭିଯୋଗର ଛାପା । କଥା କହିଲେ ଅଭିଯୋଗ ବଢ଼ୁଚି । ଦିହେଁ ତୁନି ରହିଲେ ।

 

ମୁହଁ ଛଳ ଛଳ କରି ସୁଲତା ରମୁକୁ ଖୁଆଇବାରେ ଲାଗିଲା । କିଛି ଦବ କି ନା ସେ କଥା ଆଉ ତୁଣ୍ଡରେ ଧରିଲା ନାହିଁ । ବ୍ରଜବାବୁ ଭାବିଲେ, ଅଣ୍ଟ ନଅଣ୍ଟ ଥିବ । ସେ କଥା ନ ପକେଇଲେ ଭଲ । ରମାନାଥବାବୁ ଲାଜ କରି କିଛି କହିଲେ ନାହିଁ । ନିଜର ମନକଥା ଢାଙ୍କିବାକୁ ଦିହେଁ ଚୁପ୍‌ ରହିଲେ ।

 

ଖାଇଲାବେଳେ ନିଶୂନ । ଯାହାର ଯାହା କହିବାର ଥିଲା କହି ଦେଇଛନ୍ତି । ଖାଇଦେଲେ ଛୁଟି ।

 

ଖାଇ ସାରିବା ପରେ ରମାନାଥ କହିଲେ—ଭାରି ଭଲ ଲାଗିଲା । ବହୁତ ଦିନ ପରେ ମୁଁ ଆଉଥରେ ସୁଲତା ହାତ ରୋଷେଇ ଖାଇଲି ।

 

—ଘରେ କ’ଣ ଖାଉ ନ ଥିବ ?

 

—ଖାଏ ଯେ । ତୁ ଜାଣିବୁ ନାହିଁ ଯେ ପ୍ରତି ଘରେ ଅଲଗା ରୋଷେଇ । ଆମ ଘର ରୋଷେଇ ମୋର ପାଟିର ସୁଆଦ ବଦଳେଇ ଦେଲାଣି । ଖାଉଛି ତା ବାହାଘରେ ପରଗୋତ୍ରୀ ହୁଅନ୍ତି ନାହିଁ ଯେ ପର ରୋଷଇ ଖୁଆଇବାପାଇଁ, ପର ଘରର ସଣ୍ଠଣା, ବ୍ୟବହାର ଶିଖେଇବାପାଇଁ ବାହାଘର । ବାହାଘର ନ ଥିଲେ ମଣିଷ ଏକାବେଳକ ପିଲାବେଳ ଅଭ୍ୟାସ ପକ୍‌କା କରିଦିଅନ୍ତା । କହି ହସିଲେ ।

 

ସୁଲତା କୌତୂହଳଭରା ସ୍ଵରରେ କହିଲା—ଯାହାହେଉ ଏ ବି ଗୋଟାଏ ନୂଆ କଥା ଶିଖା ହେଲା ଆଜି । ଆମେ ଏତିକି ଜାଣି ନ ଥିଲୁ । ଅଭ୍ୟାସ ବଦଳେଇବାପାଇଁ ବାହାଘର ହୁଏ ତେବେ ! ଆଚ୍ଛା, ଏଇ କଥା ଯାଇ, ଭାଉଜଙ୍କୁ କହିବ । ସେ ତମୁକୁ ତା’ର ଲେଉଟ ଜବାବ ଦେବେ-

 

ବ୍ରଜବାବୁ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲେ ରମାନାଥଙ୍କ ମୁହଁକୁ । ଭାବୁଥିଲେ କହିବାକୁ ଏମିତି ଲୋକଠୋଉଁ ପ୍ରକାଶ ଶହେଗୁଣ ଭଲ ।

 

ରମାନାଥ କହିଲେ—କରିବା ? ଆଉ ତାଙ୍କୁ କହି ଲେଉଟ ଜବାବ ଶୁଣିଲେ କପାଳ ତ ବଦଳିବ ନାହିଁ । ଏଇ ବେଢ଼ି ଆଉ ତ ଖୋଲିବ ନାହିଁ । ଖାଲି ଯାହା ବୋଲାବାଲି ସାର ହେବ ।

 

—ତମର ତେବେ ଭାରି ଅପଡ଼ ନା ? କାହା ଘରେ ଏକାବେଳକେ ମନ ମିଶିଛି, ଖୋଜିଲେ କୋଉଠି ଗୋଟାଏ ଅଧେ ଦିଶୁଛି ସିନା ।

 

ଭାରି ଉତ୍ସାହରେ ରମାନାଥ କହିଲେ—ସ୍ତ୍ରୀ ସାଙ୍ଗରେ ମନ ମିଶେଇବାକୁ ଚେଷ୍ଟା କରିବା ମୂର୍ଖତା । ଭଲ ଲାଗିଲେ ମନ ମିଶେ ଆଉ ସମସ୍ତଙ୍କ ସାଙ୍ଗରେ । ସ୍ତ୍ରୀ ସାଙ୍ଗରେ ଯେବେ ମନ ମିଶି ପାରୁଥାନ୍ତା, ତେବେ ଲୋକେ ଏତେ ଘଟାଟୋପ୍‌କରି ବାହା ହୁଅନ୍ତେ ନାହିଁ । ଏତେ ଜାନିଯୌତୁକ ଚଳନ୍ତା ନାହିଁ । ଆଉ ମନ ମିଶୁ ନ ମିଶୁ ମରିବାଯାକେ ମଣିଷ ଧେଇ ଧେଇ ହୁଅନ୍ତା ନାହିଁ । କହିଲେ ତ କହୁଥିବି । ମୁଁ ଯାଏଁ, —କାଲି ଆସିବି ।

 

ସୁଲତାର ଛାତିରୁ ଗୋଟିଏ ବୋଝ ଖସିଗଲା । ସେ ବହୁତବେଳୁ ଭାବୁଥିଲା । ବିଛଣା ତ ନାହିଁ । ଘର କମ୍‌ । ଖାଲି ମନ ଦେଖାଇବାକୁ କହିଦେଇଥିଲା ସିନା । ସେ ଏବେ ତାଙ୍କୁ ରଖନ୍ତା କୋଉଠି ? ତାଙ୍କ ତୁଣ୍ଡରେ ସରସ୍ଵତୀ ବସିଲେ ।

 

ବ୍ରଜବାବୁଙ୍କ ମନରେ ଠିକ୍‌ ସେଇ କଥା । ସେ ଭାବୁଥିଲେ ଦିନଟାଯାକ ଧାଇଁ ଧାଇଁ କଟିଲା । ରାତିଟାଯାକ ସେମିତି ଚେଇଁ ଚେଇଁ କଟିଥାନ୍ତା । ଅସୁବିଧା କଥା କହିହେବ ନାହିଁ । ତଥାପି ମନରଖା କରି କହିଲେ—ଏଠି କ’ଣ ଚଳିଯିବ ନାହିଁ ଯେ ଏତେ ରାତିଟାରେ—

 

—ଏଇ କ’ଣ ହେଲା ନାହିଁ ? ବିଛଣାଟା ଥାନ୍ତା କି ରହିଯାନ୍ତି ମୁଁ ଯାଏ । କାଲି ଚାଲିଯାଉଛି । ରହିପାରିବି ନାହିଁ ଏଥର । କାଲି ସକାଳେ ଆସିବି । ଏଇଠି ଖାଇବି । ଏଇଠୁ ଗାଡ଼ି ଚଢ଼ିବି । ଯାଏଁ ।

 

ବ୍ରଜବାବୁ ଚୁପ୍‌ ରହିଲେ । ସୁଲତା କହିଲା—ସେ ତ ଠିକ୍‌କଥା କହୁଛନ୍ତି । ମଣିଷ ନ ଖାଇଲେ ସୁବିଧାରେ ଚଳିଯିବ । ଶୋଇବା ଅସୁବିଧା ହେଲେ ତାକୁ ସବୁ ବିଷପରି ଲାଗିବ । ବଡ଼ଲୋକଙ୍କର ଏଇଟା ବଡ଼ ଦୋଷ । ସେ ଯାଆନ୍ତୁ ।

 

ରମାନାଥବାବୁଙ୍କୁ ଟିକିଏ ଟିକିଏ ଅସଜ ଲାଗୁଥିଲା । ସେ ସ୍ଥିର କଲେ ଯିବେ ବୋଲି—ନ ଗଲେ ଏଇ ଆତିଥ୍ୟର ଜଞ୍ଜାଳ, ସ୍ନେହର ଅତ୍ୟାଚାର, ଲୋକଦେଖାଣିଆ ବ୍ୟବହାରର ଜଟିଳତା ବେଶି ବେଶି ଫିଟି ପଡ଼ିବ । ସେ ଦୁଆର ମୁହଁକୁ ଆଗେଇଲେ ।

 

କ୍ଷୀଣ ହସ ହସି ସୁଲତା କହିଲା—କାଲି ତେବେ ଆସିବ ନା ? ଚଞ୍ଚଳ ଆସିବ । ୟାଙ୍କର ଅଫିସ ହେଉଛି ଜୀବନ । ସକାଳ ହେଲେ ଅଫିସ ଚିନ୍ତା । ରାତି ହେଲେ ଖାଲି ବିଶ୍ରାମ ।

 

—ଭଲ ତ । ସେଇ ତ ହେଉଛି ମଣିଷ । ମଣିଷପରି ମଣିଷ । ଅଫିସରୁ ଆସିଲେ ଯେ ଅଫିସ କଥା ନ ଭାବେ, ଅନ୍ଧାର ହେଲେ ଯେ ବିଶ୍ରାମ ଖୋଜେ, ଘରଧନ୍ଦା ନ ବୁଝି ଯେ ରହିପାରେ, ସେଇ ସୁଖୀ, —ସେଇ ଦୀର୍ଘାୟୁ ।

 

ରମାନାଥ ହସ ହସ ମୁହଁରେ ଚାଲିଗଲେ । ରାସ୍ତା ନିଛାଟିଆ ହୋଇ ଆସିଲାଣି । ସହର ବୋଲି ବିଜୁଳି ଆଲୁଅ ଜଳୁଛି । ସେଇ ଆଲୁଅ କେଇଟି ସାଥି । ମଣିଷ ଥିବାପରି ଲାଗୁଛି । ପୋକ ଅଛନ୍ତି ଚାରିପାଖେ । ତଳେ ବସିଛି ବେଙ୍ଗ ।

 

ସୁଲତା ଭଲ କରିଛି ! ଏମିତି ଯେବେ ସବୁ ସ୍ତ୍ରୀ ତାଙ୍କର ସଂସାର ନାଚ ଚଳାଉଥିବେ, ତେବେ ଏ ସଂସାରକୁ ନିନ୍ଦି ଆଉ ଲାଭ କଣ ? ତାଙ୍କର ମନେ ପଡ଼ୁଥିଲା ନିଜର ସ୍ତ୍ରୀ କଥା । କାମଦାମ ସାରି ଶୋଇଥିବ । ଆସିବ ବୋଲି କହୁଥିଲା; ଆଣିଥିଲେ ଭଲ ହୋଇଥାନ୍ତା । ଏଇ ଜଞ୍ଜାଳ ଏତେ ହୋଇ ନ ଥାନ୍ତା ।

 

ସ୍ତ୍ରୀ ହେଉଛି ରକ୍ଷାକବଚ । ମଣିଷ ଗୋଟିଏ ସ୍ତ୍ରୀ ଆଉ ତା’ରି ପିଲାଙ୍କୁ ଚଳାଇବାକୁ ଯାଇ ସଂସାରର ଅନ୍ୟାୟ ଅନୀତିର ପନ୍ଦର ଅଣାରୁ ନିଜକୁ ବଞ୍ଚେଇ ରଖେ । ସ୍ତ୍ରୀ ନ ଥିଲେ, ଆଉ ପୁରୁଷମାନେ, ବିବାହ କରୁ ନ ଥିଲେ, ପୁରୁଷମାନେ ଆଚାରଭ୍ରଷ୍ଟ ହୋଇ କ’ଣ ହେଉ ନ ଥାନ୍ତେ !

 

ଗୋଟିଏ ଗୋଟିଏ ହୋଇ ହୋଟେଲେ ଦୁଆରମୁହଁରେ ପହଞ୍ଚିଲେ । କବାଟ ଅଧାମେଲା ଅଛି । ଚାକରଟିଏ ବେଞ୍ଚ ଉପରେ ଶୋଇଛି । ତାକୁ ଉଠାଇ ସେ ଭିତରକୁ ପଶିଲେ ।

 

—ଥାଳି ଆଣିବି ?

 

—ନା ।

 

ରମାନାଥବାବୁ ନିଜର କୋଠରୀ ଚାବି ଖୋଲିଲାବେଳେ ତାଙ୍କୁ ଭାରି ଖରାପ ଲାଗିଲା-। ହୋଟେଲ ବାରଣ୍ଡାରେ ମଶାରି ଟାଙ୍ଗି ଲୋକେ ଶୋଇଛନ୍ତି । କିନ୍ତୁ ତାଙ୍କୁ ଜଣାଗଲା ଯେ ସେ ଏକୁଟିଆ । ଭାରି ଏକୁଟିଆ । ଏଡ଼େ ବଡ଼ ହୋଟେଲରେ ମଣିଷ ଅଛନ୍ତି । ପ୍ରାଣ ନାହିଁ । ସୁଲତାକୁ ସେ ଖୁସି ପାଇ ନ ଥିଲେ ସତ । କିନ୍ତୁ ସେ ତାଙ୍କୁ ମନେ ପକାଇ ଦେଉଥିଲା ଯେ ଅତି ଅପ୍ରିୟ ସ୍ତ୍ରୀ ବି ସଂସାରର ଗୋଟିଏ ଫୁଲ । ଘାସଫୁଲ ହେଲେ ବି ତା’ର ସୁବାସ ନ ଥିବା କି ରଙ୍ଗ ନ ଥିବ ଅଳ୍ପ କେଇଟି ପାଖୁଡ଼ା ଆଖିକୁ ଯେମିତି ଭଲ ଲାଗେ, ସେମିତି ଯେଉଁ ପ୍ରକାରର ହେଉ ପଛକେ ସ୍ତ୍ରୀର ସାହଚର୍ଯ୍ୟ ନ ମିଳିଲେ ଜୀବନ ବ୍ୟର୍ଥ ଓ ନୀରସ ।

 

ଗଭୀର ଦୀର୍ଘନିଶ୍ଵାସ ପକାଇ ରମାନାଥବାବୁ ବିଛଣା ଉପରେ ନିଜକୁ ପକାଇଦେଲାବେଳେ ତାଙ୍କର ଆଖି ଆଗରେ ଯୋଡ଼ିଏ ସ୍ତ୍ରୀ ଦେଖାଦେଇଥିଲେ—ସୁଲତା ଆଉ ତାଙ୍କର ସ୍ତ୍ରୀ ।

 

ଜଣେ ପରିଚିତ—ଏତେ ପରିଚିତ ଯେ ଖାଲି ଅଭ୍ୟାସ ଯୋଗୁଁ ସେ ତାହାରି ପାଇଁ ମନଭିତରୁ ସବୁ କୌତୂହଳ ହରେଇଛନ୍ତି । ସେ ମନେ ପଡୁଛି ପଢ଼ାବହିପରି । ମୁଖସ୍ଥ ପାଠପରି । ସବୁ ମନେ ପଡ଼ୁଛି । ସବୁବେଳେ ମନେ ପଡ଼ୁଛି ସେ ନିଜର । ସେଇ ସବୁ ।

 

ଆଉ ସୁଲତା—ସେ କେହି ନୁହେଁ । ଆସିଥିଲା ଚାଲିଯାଇଛି । ପୁଣି ଦେଖା ହେଲା । ହୁଏତ ଆଉ ଦେଖା ହୋଇପାରେ । କିନ୍ତୁ ସେଇ ସୁଲତା ତାଙ୍କର ମନକୁ ଘେରି ରଖିଲା । ତା’ର ସବୁ ଭର୍ତ୍ସନା, ସବୁ ବ୍ୟବହାର ତାଙ୍କ ମନରେ ଅସୀମ କୌତୂହଳ ଆଣି ଦେଇଥିଲା ।

 

କୌତୂହଳ ମନରେ ଆଣି ନ ପାରିଲେ ନାରୀର କୌଣସି ମୂଲ୍ୟ ନାହିଁ । ସେବା, ତ୍ୟାଗ, ଶୁଶ୍ରୂଷା, ସମବ୍ୟଥା, ସୁଖ ସୁବିଧା କରୁନା କାହିଁକି, ଖାଇବା ବେଳର ଚଟଣୀ ପରି କୌତୂହଳ ଆଗ୍ରହ ଜଗେଇ ନ ପାରିଲେ ସେ ବନ୍ଧନ କେବେହେଲେ ସୁଖକର ନୁହେଁ ।

 

ସେ ଦିନ ତାଙ୍କର ମନେ ହୋଇଥିଲା ସେ ତାଙ୍କର ସେଇ ପରିଚିତ ସ୍ତ୍ରୀ ମୂଲ୍ୟହୀନ । ତାଙ୍କର ବିବାହ ବ୍ୟର୍ଥ ହୋଇଛି ।

 

ବେଳେବେଳେ ଏମିତି ମନକୁ ବ୍ୟର୍ଥତାର ଧାରଣା ଆସେ । ପ୍ରତ୍ୟେକ ଲୋକର ନିଜର ଜଣାଶୁଣା ପରିସ୍ଥିତି ଏମିତି କାରଣ ନ ଥାଇ ମନ ଭିତରେ ବ୍ୟର୍ଥତାର ମେଘ ଉଠେଇ ଆଣେ । ପ୍ରତ୍ୟେକ ମଣିଷ ନିଜକୁ କେବେ ନା କେବେ ବ୍ୟର୍ଥ ବୋଲି ଭାବେ । ବ୍ୟର୍ଥତା ତାର ଶେଷବେଳର ଏକମାତ୍ର ସାଥୀ ।

 

ସୁଲତାର ଜୀବନ ବ୍ୟର୍ଥ—ସେ ଯାହା ଖୋଜିଥିଲା ପାଇନାହିଁ ବୋଲି । ରମାନାଥଙ୍କୁ ଜୀବନ ତାଙ୍କୁ ବ୍ୟର୍ଥ ଲାଗୁଥିଲା—ଯାହା ପାଇଥିଲେ ସେଇଟା କିଛି ନୁହେଁ ବୋଲି । ହଠାତ୍‍ ଜଣକର ବ୍ୟର୍ଥତା ଦେଖି ଆଉ ଜଣେ ନିଜକୁ ଅଧିକ ବ୍ୟର୍ଥ ବୋଲି ଭାବୁଥିଲା । ଏତକ ହେଉଛି ସଂସାରର ବ୍ୟର୍ଥତାର ମାପକାଠି । ସୃଷ୍ଟିର ବୈଚିତ୍ର୍ୟର ଗୋଟିଏ ଦିଗ ।

 

ଅନ୍ଧାରର କ୍ଳାନ୍ତି ବ୍ୟର୍ଥତାର ଅବସାନକୁ ଡୁବେଇ ଦେଇଥିଲା । ଯେତିକି ସମୟ ମଣିଷ ଶୋଇ ରହେ, ସେତିକି ହେଉଛି ତା’ର ଆନନ୍ଦର ବେଳ । ନିଜକୁ ନିଜେ ସେ ଭୁଲିଯାଏ । ଯିଏ ଯୋଗାଯାଗ ଜପତପ କରି ନ ପାରିଲା ସେମିତିକା ଲୋକ କେବଳ ଶୋଇଲାବେଳେ ନିଜକୁ ଭୁଲେ । ନିଜର ସଂସାର ଜଞ୍ଜାଳ ଦୁଃଖଯନ୍ତ୍ରଣା ସବୁ ସେତେବେଳେ ପାସୋରିଯାଏ ।

 

ଅତି ଦୁଃଖୀ ସ୍ଵପ୍ନ ଦେଖେ ବୋଲି ଲୋକେ କହନ୍ତି । କିନ୍ତୁ ଅନୁଭବୀ ଜାଣେ ଯେ ଦୁଃଖୀ ଲୋକର ସ୍ଵପ୍ନ ନାହିଁ । ସେ ଚେଇଁ ଥିଲାବେଳେ ଦୁଃଖ ପାଏ, ଶୋଇଥିଲା ବେଳେ ଦୁଃଖକୁ ବି ଶୁଆଇ ଦିଏ । ଯେତେବେଳେ ତା’ର ମନରୁ ସମୟର ମାପକାଠି ହଜିଯାଏ, ସେତିକିବେଳେ ତାହାର ଦୁଃଖ ବି ଲୋପ ପାଏ ।

 

ଅଲଗା ଅଲଗା ସ୍ଥାନରେ ସୁଲତା ଓ ରମାନାଥ ଶୋଇଥିଲେ । ଦୁହିଙ୍କର ମୁହଁ ଉପରେ ସେ ଦୁଃଖଭୁଲା ନିଦର ଘୋଡ଼ଣୀ । ପାହାନ୍ତିଆ ତରା ଉଇଁଛି । ସିନ୍ଦୂରା ଫାଟିଛି । ସେଇ ସମ୍ବାଦ ରଖିବାର ଦରକାର ହୋଇ ନ ଥିଲା, —ରହିନାହିଁ ।

 

ରମୁ ଓ ବୁଲୁ ସୁଲତାକୁ ରାତିରେ ଉଠାଇଥିଲେ । ନିଦ ମଳମଳ ଆଖି କଳପରି ସେମାନଙ୍କର କାମ କରିଯାଇଥିଲେ । ଆଖି ଭଲକରି ନ ଫିଟିଲେ ମନରେ ଦୁଃଖର ପୁନରାବୃତ୍ତି ହୁଏ ନାହିଁ । ରମାନାଥକୁ ହୋଟେଲ ଖଟର ଛାରପୋକ ସେମିତି ବାରମ୍ବାର ତାଙ୍କର ଅଚେତ ଦେହକୁ ଏ ପାଖ ସେପାଖ କରିଥିଲେ । ସେ ବି ଆଉ କୌଣସି କଥା ଭାବି ନାହାନ୍ତି ।

 

ଦିନର ଆଲୁଅରେ ଯେତେବେଳେ ଗହଳି ଲାଗିଲା ନିଦ ଆପଣାଛାଏଁ ଚାଲିଗଲା—ସକାଳ ହୋଇଛି ।

 

ରମାନାଥଙ୍କର ପ୍ରଥମେ ମନେ ପଡ଼ିଥିଲା ସୁଲତା କଥା—ଦିନର ମଳିନ ଆଲୁଅରେ ଦେଖିଲେ ଅନ୍ଧାରିଆ ମନ ସାଙ୍ଗରେ ଖାପ ଖୁଆଇ । କାଳିବୋଳା ଘଟଣା ଗହୀରିଆ କଳା ପାଣି ପରି ତାଙ୍କ ପାଖରେ ଦେଖା ଦେଇଥିଲା । ସେଇ ଭୟ ଆଉ ନାହିଁ । ସୁଲତା ସେମିତି ସନ୍ଧ୍ୟାର ମ୍ଳାନ କୌତୂହଳ ନେଇ ରମାନାଥଙ୍କୁ ଦେଖିଥିଲା । ସେଇ କୌତୂହଳ ଚାଲିଯାଇଛି—ଦିନର ସଫା ଆଲୁଅରେ ।

 

ନିତିଦିନିଆ ମଣିଷ, ଅତି ପରିଚିତ ସଂସାର ସୁଲତାକୁ ଘେରି ଠିଆ ହୋଇଥିଲା । ଆଗ ଦିନର ଅସୀମ ଦୁର୍ଭାବନା ଅଘଷା ପାଟିର ତିକ୍ତତା ନେଇ ଦେଖା ଦେଇଥିଲା—କୌଣସି ବିଷୟରେ ଅକୃତକାର୍ଯ୍ୟ ହୋଇଥିଲେ ଠିକ୍‍ ପରଦିନ ଯେପରି ମନ ଭିତରେ ବୈରାଗ୍ୟ ଦେଖାଦିଏ । ଅନୁରାଗ ନାହିଁ, ଉତ୍ସାହ ନାହିଁ । ବିରକ୍ତି ନାହିଁ ଅବା ଆଗ୍ରହ ବି ନାହିଁ । ଖାଲି ଜିଭ ଅଗରେ ଟିକିଏ ପିତା ଲାଗି ରହିଛି । ପାଟିର ସୁଆଦ ନିଗିଡ଼ି ଯାଇଛି ।

 

ହୋଟେଲେରେ ବସି ନିଜର ବିଛଣାପତ୍ର ବାନ୍ଧିଲାବେଳେ ରମାନାଥଙ୍କର ଆଖି ଆଗରେ ଗତ ଦିନର କଥାଗୁଡ଼ାକ ଚାଲବୁଲ କରୁଥିଲେ । କିଏ କ’ଣ କହିଥିଲା ସ୍ପଷ୍ଟ ମନେ ନାହିଁ । ଅଛି ଖାଲି ଟିକିଏ ପରିଚିତ ଚିହ୍ନ ।

 

ଝଡ଼ବର୍ଷାରେ ରାସ୍ତାକରର ଦ୍ରୁମ ଅବା ଘର ଭାଙ୍ଗି ଭୁଷୁଡ଼ି ପଡ଼ିଥିଲେ ଯେମିତି ନୁହେଁ ସ୍ପଷ୍ଟ କି ନୁହେଁ ଅସ୍ପଷ୍ଟ, ଗୋଟିଏ କ୍ଷତର ଚିହ୍ନ ଲାଖି ରହେ ମନରେ, ସେମିତି ସୁଲତାର ଅଭିଯୋଗ, ସୁଲତାର କଥା ତାଙ୍କୁ ସେତିକିର, ସେଇ ପ୍ରକାରର ଟିକିଏ ସୂଚନା ଦେଇଥିଲା ।

 

ମଣିଷ ବାରମ୍ବାର ନିଜର କ୍ଷତକୁ ଦେଖିବାକୁ ଖୋଜେ । ରମାନାଥ ସହଳ କାମ ସାରି ଚାଲିଆସିଲେ ସୁଲତା ଘରକୁ । ସୁଲତା ଘର ପାଖରେ ପହଞ୍ଚି ସୁଲତାର ଦୈନ୍ୟ ଭଲ କରି ବୁଝିପାରିଥିଲେ । ସହର ଭିତରେ ତା’ର ଘର ପତାକା ପରି ଦେଖାଇ ଦେଉଥିଲା ସୁଲତାକୁ । ସେ ଦେଖି ଆସିଥିଲେ ସୁଲତାକୁ ଘର ଭିତରୁ—ଏବେ ତାକୁ ଦେଖିଲା ଘର ବାହାରୁ । ଘରର ପ୍ରତ୍ୟେକ ପଦାର୍ଥ, ପୁରୁଣା କବାଟ, କଳଙ୍କିଲଗା ରେଲିଂ, ଓହଳି ପଡ଼ିଥିବା ଚାଳ, ଖଣ୍ଡିଆ ହୋଇଥିବା ପିଣ୍ଡା ସୁଲତାକୁ ଚିହ୍ନାଇ ଦେଇଥିଲା ମନ ଭିତରେ—ତା’ର ମନ ଅଲଗା ହୋଇଛି । କଥା ବେତାଳିଆ ଧରିଛି । ଲକ୍ଷ୍ୟ କୁହୁଡ଼ିଆ ଦିଶୁଛି ।

 

ଚୂନଧଉଳା ରଙ୍ଗଦିଆ ନୂଆ ଘରର ଯେଉଁ ଟିକକ ମାତବରି ଥାଏ, ସେତକ ବି ସୁଲତା ରଖିପାରି ନାହିଁ ।

 

ଘରର ଦୁଆରବନ୍ଧ ପାଖରେ ରମାନାଥ ଚମକି ପଡ଼ିଥିଲେ—ହୋଟେଲ ଛାଡ଼ି ଆସିଛନ୍ତି ବୋଲି । ବର୍ଷାଦିନର ରାସ୍ତାରେ ହଠାତ କାଦୁଅରେ ଗୋଡ଼ ପଡ଼ିଗଲେ ମନରେ ଯେମିତି ବିରକ୍ତିର ଫୁଆରା ଫିଟିଯାଏ—ନିଜ ଉପରେ ନୁହେଁ, ରାସ୍ତା ଉପରେ ।

 

ଘର ଭିତରକୁ ପଶି ସେ ନିଜକୁ ଆଲୁଅରୁ ଅନ୍ଧାରକୁ ଆସିଲାପରି ମନେ କରୁଥିଲେ । ଆଗଦିନ ସନ୍ଧ୍ୟାରେ ଘରଟି ଉଜାଲା ଦିଶୁଥିଲା । ସେଇଟା ସନ୍ଧ୍ୟାର ମହିମା । ସବୁ ଜୀବଜନ୍ତୁ ବିଶ୍ରାମପାଇଁ ଯେଉଁ ଆଶ୍ରୟଟି ଗଢ଼ିଥାନ୍ତି ସେଇଟା ସବୁବେଳେ ଅନ୍ଧାରପାଇଁ—ରାତିପାଇଁ—ଦୁର୍ଦ୍ଦିନ ପାଇଁ । ଆଲୁଅ, ପବନର ପ୍ରଖରତା, ବଳ, ଉତ୍ସାହ, ଉଦ୍ୟମର ପ୍ରଖରତା ଊଣା ହୋଇଗଲେ ଟିକିଏ ବସିବାପାଇଁ—ଟିକିଏ ବିଶ୍ରାମ ନେବାପାଇଁ । କଅଁଳିଆ ଖରାର ଉନ୍ମାଦନା ପାଇଁ ମଣିଷ ଖୋଜେ ଖୋଲା ଆକାଶ । ମେଲା ଫରଚା ଜାଗା, ହସଭରା ଓଠ, ହୃଦଭରା କଥା ।

 

ଏଥିରୁ କୌଣସି ଗୋଟିଏ ବି ନାହିଁ । ସୁଲତା ତାଙ୍କ ଆଖିଆଗରେ ପଡ଼ିଲା—ଅତି ସାଧାରଣ, ଅତି ମାମୁଲି । ତାକୁ ଦେଖି ତା’ର ଦୁଃଖ ବିଷୟରେ ଭାବିବାର ଉତ୍ସାହ ହାବି ରମାନାଥର ଆସିଲା ନାହିଁ । ସେ ନିଜକୁ ପଚାରିଥିଲା—ଏ କ’ଣ ସେଇ ସୁଲତା—ଏହାରିପାଇଁ ସେ ନିଜକୁ ବ୍ୟର୍ଥ ମନେ କରିଥିଲା ତହିଁଆରଦିନ ?

 

ଶୁଖିଲା ମୁହଁରେ ହସ ଖେଳାଇବାର ଚେଷ୍ଟା କରି ସ୍ଵାମୀ, ସ୍ତ୍ରୀ ଓ ରୁମ, ବୁଲୁ ଏକାଠି ଦେଖା ଦେଇଥିଲେ । ପିଲା ଦୁଇଟିଙ୍କର ମୁହଁରେ ଉଦାସୀନତା ଓ ବିରକ୍ତି । ବଡ଼ ମଣିଷ ଦୁଇଟିଙ୍କର ମୁହଁରେ ହସ—ଶୁଖିଲା ଫଳର ଚୋପାପରି ଆକାର ଅଛି; ରସ ନାହିଁ । ପ୍ରକାର ଅଛି—କିନ୍ତୁ ସେଥିରେ ସେଇ ଚହଟ ବାସ ନାହିଁ ।

 

—ସତରେ ତେବେ ମନେ ପଡ଼ିଲା ନା ? ସୁଲତା ଓ ବ୍ରଜବାବୁ ଦିହେଁ କହିଲେ ।

 

—ଆସିବା କଥା ତ । ମୁଁ କହିଯାଇଥିଲି ପରା । ଖାଲି ଶୋଇବା ଅନ୍ୟ ଜାଗାରେ । ଉଠି ସାଙ୍ଗେ ସାଙ୍ଗେ ଚାଲିଆସିଲି । ଏଇଠି ମୋର—

 

—ଭାରି ଚଞ୍ଚଳ ଉଠନ୍ତି ଆପଣ । ଆମର ଦିନ ଏଇମାତ୍ର ଖଡ଼ି ଛୁଉଁଥିଲା । ପିଲାଏ ନ ଥିଲାବେଳେ ଦିନଗୁଡ଼ାକ ଆଉରି ଡେରିରେ ଆରମ୍ଭ କରୁଥିଲୁ । ଉଠିଲେ ତ କାମ—ଶୋଇଲେ ଛୁଟି । ବ୍ରଜବାବୁ କହିଲେ ଶୁଖିଲା ଓଠରେ ରହସ୍ୟ କରି ।

 

ସୁଲତା ଚାହିଁଲା ଦିହିଁଙ୍କ ମୁହଁକୁ । ରମାନାଥଙ୍କ ଆଖିରେ ଆଉ ସେ କୌଣସି କୌତୂହଳ ଦେଖିଲା ନାହିଁ । ସାଧାରଣ ମଣିଷ । ତାଙ୍କ ଭିତରେ କ’ଣ କିଛି ନୂଆ କଥା ଥିବ ? ତାକୁ ଆଶ୍ଚର୍ଯ୍ୟ କରିଦେଲା, କିଛି ଥିବ ବୋଲି ସେ ଭାବିପାରିଲା ନାହିଁ ।

 

ନୂଆ ଦେଖାର ପ୍ରଥମ ଉତ୍ସାହରେ, ପ୍ରଥମ କୌତୂହଳରେ ସେ ତାଙ୍କୁ ଭାବିଥିଲା ଅପୂର୍ବ ବୋଲି । ସେ ତ ସେମିତି ନୁହନ୍ତି । ପରିଚିତ ରମାନାଥ ଭାଇଙ୍କର ପରିଚିତ ବ୍ୟବହାର । ଯେତିକି ଆଗ୍ରହ ଦିନେ ସୁଲତା ମନରେ ଆଣି ପାରୁଥିଲେ ସେତକ ବି ନାହିଁ । ଉତ୍ସାହର ସ୍ତର ବହୁତ ବଢ଼ିଯାଇ ସୁଲତାକୁ ଏକାବେଳକେ ନିଃସ୍ଵ କରିଦେଇଥିଲା । ମନରେ କୌତୁହଳର ପରିମାଣ ବଢ଼ିଗଲେ, କୌଣସି ବିଷୟ ପାଇଁ ଆଗ୍ରହ, ଉନ୍ମାଦନା ସୀମାରୁ ଟପିଗଲେ ହଠାତ୍‌ମନ ତା’ର ଅବଧାରଣ ଶକ୍ତି ହରାଏ । ବହୁତ ଦିନରୁ ଦେଖିବାକୁ ପାଞ୍ଚ କରିଥିବା ବଡ଼ ମଣିଷକୁ ଥରେ ଦେଖିଲେ ଅଳ୍ପ ସମୟରେ ସେ ଅସାଧାରଣରୁ ସାଧାରଣ ସ୍ତରକୁ ଓହ୍ଳାଇ ଆସନ୍ତି ।

 

ରମାନାଥ ଖସି ଆସିଛନ୍ତି । ଆସି ନ ଥିଲେ ସେ ମନରେ ଯେଉଁ ଉତ୍ସାହର ଦୀପ ଜାଳିଦେଇ ଯାଇଥାନ୍ତେ, ମନର କଳ୍ପନା-କାଠିରେ ଯେଉଁ ଆଲୋକ ଦେଖାଇଥାନ୍ତେ, ନିଜେ ଆସି ଧରା ଦେଇ, ଦେଖା ଦେଇ, ଚିହ୍ନା ଦେଇ ସେ ନିଜକୁ ଅତି ସାଧାରଣ, ଅତି ମାମୁଲି ଲୋକଟିଏ କରି ଥୋଇ ଦେଇଛନ୍ତି ।

 

କାହାରି କାହାରିଠାରେ କୌଣସି କାମ ନାହିଁ । ସୁଲତାର ଆଡ଼ ଆଖି କ୍ଲାନ୍ତ ଚାହାଣୀ, ରମାନାଥଙ୍କର ନିରୁତ୍ସାହ ଭାବ, ବ୍ରଜବାବୁଙ୍କର ସ୍ଥିରଦୃଷ୍ଟି କହିଦେଉଥିଲା—ଏତେ ସକାଳୁ ପୁଣି ପରସ୍ପରରେ ଭେଟାଭେଟି ଦରକାର ନ ଥିଲା । ସମସ୍ତେ ଠିଆ ହୋଇ ରହିଲେ । କାହାରି ମନରେ ଭାବ ନାହିଁ—କାହାରି ତୁଣ୍ଡରେ କଥା ନାହିଁ ।

 

ଶେଷକୁ ସୁଲତା ହସି କହିଲା—ଆଜି ବଡ଼ ଭଲରେ ଦିନଟା କଟିବ । ମୁଁ ଆଜି ମନ ଇଚ୍ଛା ଗପିବି ।

 

ଭିତରକୁ ଗୋଡ଼ ଦେଇ ପ୍ରକାଶ କହିଲା—କ’ଣ ଭଲ ଦିନ ? ସେ ଦେଖି ନ ଥିଲା ରମାନାଥଙ୍କୁ । ମୁଁ ଆଜି ଛୁଟି ନେବି ତାହାହେଲେ ।

 

ରମାନାଥଙ୍କ ମୁହଁରେ ଯେତିକି ବିରକ୍ତି ଖେଳିଗଲା, ସୁଲତା ଆଉ ବ୍ରଜବାବୁଙ୍କ ଆଖିରେ ସେତିକି ଆନନ୍ଦା ପ୍ରକାଶ ଆସିଛନ୍ତି—

 

ନିଜର ବିରକ୍ତି ଲୁଚାଇ ରମାନାଥ କହିଲେ—ବଡ଼, ଭଲ କଥା । ଆଜି ୟେ ଛୁଟି ନିଅନ୍ତେ କି ଭଲ ଖେଳ ହୋଇପାରନ୍ତା ।

 

—କିଏ ? ରମାନାଥବାବୁ, ଆପଣ ! ସକାଳୁ ସକାଳୁ ଭିଡ଼ି ଆସିଲେଣି ନା କାଲିଠୋଉଁ ଗାଦି ଘୁଞ୍ଚି ନାହିଁ ? ଭାରି ଅସୁବିଧା କରିଥିବେ ତାହାହେଲେ । ରୋଷେଇଘରକୁ ମିଶେଇ ତିନି ବଖରା ଛୋଟିଆ ଘରେ ଚାରି ପ୍ରାଣୀ କୁଟୁମ୍ବ, ଆଉ ଜଣେ କୁଣିଆ ! ବୁଝିଥିବେ ଯେ ଆପଣଙ୍କ ପରି ଲେଖାପଢ଼ା କରିଥିବା କିରାଣୀ କେମିତି ନିର୍ବିକାର ହୋଇ ରହିପାରନ୍ତି !

 

ରମାନାଥବାବୁ କହିଲେ—ଜାଣିବାର ସୁବିଧା ହେଲା ନାହିଁ । ଆପଣ ଥିଲେ ସିନା ବୁଝାଇ ଦେଇଥାନ୍ତେ !

 

ତାଚ୍ଛଲ୍ୟଭାବ ସ୍ଵରରେ ପ୍ରକାଶ କହିଲେ—ମୁଁ ଥିଲେ ସୁବିଧା ଯେତିକି ଅସୁବିଧା ବି ସେତିକି । ମୁଁ ହେଉଛି ଗୋଟିଏ ତବଲା । ଲୋକଙ୍କୁ ଏକାଠି ରଖିବାପାଇଁ ମୁଁ ଭାରି ଦରକାର । ଜାଣିଥିଲେ ରହିଯାଇଥାନ୍ତି । କ’ଣ ଭଲ ଖାନାପିନା ହେଲା କାଲି ?

 

—ଘର ଲୋକକୁ ଯେମିତି ସେମିତି ଦେଲେ ଚଳେ । ଖାନାପିନ କ’ଣ ହେବ ? —ସୁଲତା କହିଲା ।

 

—ମଲା ମଲା ! ଘର ଲୋକରେ କ’ଣ ବହୁତ ପ୍ରକାର ନାହିଁ— ‘‘ସବୁଦିନିଆ ଘର ଲୋକ’’ ଆଉ ‘‘ଅକାଳ ସକାଳ ଘରଲୋକ’’ ।

 

ରମାନାଥବାବୁ କହିଲେ—ଓଃ, ସକାଳୁ ଆସି ଏତେ ଉତ୍ପାତ ! ଅଫିସରେ କ’ଣ କରୁ ନ ଥିବେ ଆପଣ ?

 

—କାହିଁକି କରିବି ନାହିଁ ? ଯାହାର ପାଳି ପଡ଼ିଲା, ସେ ତା’ ଗଣ୍ଡାକ ଅସୁଲ କଲା । ଆଉ ଆମ ପାଳି ପଡ଼ିଲେ ଆମେ ଛାଡ଼ିବୁ କାହିଁକି ? ମୁଁ ତ ଛାଡ଼େ ନାହିଁ ।

 

—ଆପଣଙ୍କ ସାଙ୍ଗରେ ସନ୍ଧି କରିବା ଭଲ । ଆଜି ପରା ମୋ କାମଟି ଆପଣ କରିଦେବେ । ମତେ ଆଉ ଅଟକାଇବେ ନାହିଁ ! ରମାନାଥବାବୁ କହିଲେ ।

 

—ହଁ ସେମିତି ସନ୍ଧି କରନ୍ତୁ । ନିଜେ ତଳିଆ ଲୋକ ବୋଲି ମାନି ଯାଆନ୍ତୁ । ମନରେ ରୂଆବ ରଖନ୍ତୁ ନାହିଁ । ସବୁ କାମ ପ୍ରକାଶ କରିଦେବ....ତେବେ କାମ ଚଞ୍ଚଳ ହେବାର ଆଉ ଗୋଟାଏ କାରଣ ଅଛି । ସେଇଟା ହେଉଛି ଯେ ଆପଣ ଏଠି ଥିବାଯାକେ ସବୁ କାମ ବନ୍ଦ । ସୁଲତା ଦେବୀ ତ ଖାଲି ଆପଣଙ୍କ ସେବାରେ ଲାଗିଲେ । ଆମ କଥା ବୁଝିବ କିଏ ?

 

ସମସ୍ତଙ୍କ ମୁହଁ ଚହଟି ଉଠିଥିଲା ।

 

ପ୍ରକାଶବାବୁ କହିଲେ—ସତ କଥା କହିଦେଲେ ସମସ୍ତେ ଏମିତି ନାଲି ପଡ଼ିଯାଆନ୍ତି—କିଏ ରାଗରେ, କିଏ ଲାଜରେ, ଆଉ କିଏ ହିଂସାରେ । ଆମ ବନ୍ଧୁ ଯେତିକି ନିଜକୁ ଭାବନ୍ତି କିରାନି ବୋଲି, ମୁଁ ସେତିକି ନିଜକୁ ଭାବେ ଯେ ମୁଁ କିରାନି ନୁହେଁ । ମତେ ଡର ଲାଗେ ନାହିଁ ।

 

—ଆପଣଙ୍କର ଅଫିସରମାନେ କ’ଣ ଲେଖୁଥିବେ ଆପଣ ଜାଣନ୍ତି ? —ରମାନାଥବାବୁ ପଚାରିଲେ ।

 

—ନା, ଜାଣେ ନାହିଁ । ଜାଣିବି କେମିତି ? ସେମାନେ ଆଖି ଉପରେ ଲେଖି ଦିଅନ୍ତେ କି-! ଲେଖନ୍ତି ତ ଚୋରପରି । ଲୁଚେଇ ପଢ଼ନ୍ତି । ସଜ ଦେଖି ମୁଁ ତାଙ୍କୁ କହିଦେଇଛି—ଯାହା ମନକୁ ଆସୁଛି ଲେଖୁଥାଆନ୍ତୁ । ସେ ଲେଖା ପ୍ରକାଶର କିଛି କ୍ଷତି କରିବ ନାହିଁ—ବହୁତ ଲାଭ କରିବ-

 

—କାହାକୁ କହିଲେ ମ । କେହି ଚିହ୍ନାଲୋକ ଥିଲା କି ? ଭଲ କେମିତି ହେବ ?

 

—ପ୍ରିୟ ଲୋକ ତ ନୁହନ୍ତି । କୌଣସି ଉପରିସ୍ଥ ଲୋକ ପ୍ରିୟ ଲୋକ ନୁହେଁ । ଚିହ୍ନାଲୋକ, କିନ୍ତୁ ଅପ୍ରିୟ ଲୋକ । ଜଣକୁ ନୁହେଁ, ଜଣକରୁ ବେଶି ଲୋକକୁ କହିଛି । ଆଉ ଭଲ ହବ ସେମାନେ ଯୋଉଦିନ ବହୁତ କରି ମିଛ ଲେଖିବେ । ପ୍ରକାଶ ସେଦିନ ଚାକିରୀ ଛାଡ଼ି ଦବ । ସେଇଦିନ ଆପଣଙ୍କର ଏଇ କିରାନି ପ୍ରକାଶ ଆପଣଙ୍କର ମାଲିକ ହୋଇ ବସିଯିବ ।

 

ରମାନାଥ ବାବୁ ବିଦ୍ରୂପର ହସ ହସି, ହସ ଭିତରେ କହିଲେ—ଆପଣଙ୍କର ଏଡ଼େ ଲମ୍ବା ଯୋଜନା ! ସେଥିରେ ପୁଣି କି ଦୁଃଖରେ ଚାକିରୀଟାକୁ ଏତେ ବର୍ଷ ହେଲା ଧରି ରଖିଛନ୍ତି ?

 

—ସବୁବେଳେ ବଳଦ ରୁଷେ ନାହିଁ । ମଣିଷ ବି ସବୁ କଥାକୁ ଛଳ କରିପାରେ ନାହିଁ । ତା’ର ଅଳସୁଆମି ଯୋଗୁଁ ସେ ବହୁତ ସମୟରେ ଯାହା କରୁଥାଏ—ଲାଗିପାଗି ସେୟା କରୁଥାଏ । ସମସ୍ତେ ସବୁଦିନେ ବାବାଜି ହୁଅନ୍ତି ନାହିଁ । କିନ୍ତୁ ବାବାଜି ହବାକୁ ଭାବୁ ଥାଆନ୍ତି । ପ୍ରକାଶ ବି ଭାବୁଛି ସେମିତି ।

 

ସୁଲତା ଓ ବ୍ରଜବାବୁ ଉଭୟେ ଏକା ସାଙ୍ଗରେ କହିଲେ—ଥାଉ, କିଛି କଥା ନାହିଁ । ଏମିତି ଆପଣ ମନରୁ କଥାର ଖିଅଟିଏ କାଢ଼ି ସେଇ କଥାକୁ ମାଜୁଛନ୍ତି କାହିଁକି ?

 

—ଆଉ କ’ଣ କରିବି ? ଖାନାପିନା କଥା ନାହିଁ । କିଛି କାମ ନାହିଁ । ବଢ଼ିଆ ଆଲୋଚନା ହେଉନାହିଁ । ନିଜ ଦୁଃଖ ନିଜେ ଭୁଞ୍ଜିବାକୁ କାହାକୁ ସୁଖ ଲାଗିବ ଅବା ? ଆଉ କରିବି କ’ଣ ? ଚା’ କରିପାରିବ ? ବାବୁ ଖାଇ ନାହାନ୍ତି ବୋଧେ ।

 

ସୁଲତା କହିଲା—ଚା’ ସରିଯାଇଛି । ଆଣି ପାରିବେ ?

 

—ନିଶ୍ଚୟ । ପ୍ରକାଶ ଥାଉ ଥାଉ ଏ ଅଭାବ ଦେଖିପାରିବେ ନାହିଁ—କହି ରମାନାଥ ବାବୁଙ୍କୁ ପଇସା ମାଗିଲେ ।

 

ବ୍ରଜବାବୁ ବ୍ୟସ୍ତ ହୋଇପଡ଼ିଲେ । ବାଧା ଦେଇ ପ୍ରକାଶ କହିଲେ—ବନ୍ଧୁ, କେବେ ଲାଜ କରିବ ନାହିଁ । ସେ ବି ଦବାକୁ ମଠ କରିବେ ନାହିଁ । ତମର ଦରକାର ନ ଥିଲେ ବଳକାତକ ମୋ ନାଁରେ ଏଇଠି ଜମା ରଖିବ । ମୁଁ ଆସି ଖାଉଥିବି ।

 

ହସି ରମାନାଥବାବୁ ପଚାରିଲେ—କେତେ ?

 

—ପାଞ୍ଚ ସାତ ଟଙ୍କା ଦିଅନ୍ତୁ । ଗୋଟାଏ ଚା ପ୍ୟାକେଟ୍‌ଚିନି, ଟିଣେ ଦୁଧ ଆଉ କିଛି ବିସ୍କୁଟ ଆସିବ ।

 

—ଆପଣ ଏ କ’ଣ କରୁଛନ୍ତି । ଭାଇଙ୍କୁ ଏପରି ହଇରାଣ କରିବା ଠିକ ନୁହେଁ ।

 

—ତମର ଯୋଉ ଅଧିକାର ଅଛି ତାଙ୍କ ଉପରେ, ମୋର ବି ସେତିକି ଅଛି । ତୁମେ ନ ଥିଲେ ବି ମୁଁ ତାଙ୍କଠୁ ସେତିକି ନେଇପାରନ୍ତି । ପଇସା ନ ଥାଇ ତମେମାନେ ଲାଜ କରୁଛ । ତାଙ୍କ ପାଖରେ ବି ସେତେ କିଛି ନାହିଁ.... ।

 

ସୁଲତା ବାଧାଦେଇ କହିଲା—ବହୁତ ଅଛି । କେତେ ନେବେ ?

 

—ନାହିଁ କହୁଛି । ଥିଲା ଲୋକ କଥା କଥାକେ ପଇସା କାଢ଼େ ନାହିଁ । ଆଚ୍ଛା ବାବୁ, ଆପଣଙ୍କ ଠେଇଁ କେତେ ଅଛି ସବୁ ମିଶି ? ଫେରନ୍ତି ଗାଡ଼ିଭଡ଼ା ଛାଡ଼ିଦେଇ—ଗଣି ଦେଖିଲେ ।

 

ହସି ରମାନାଥବାବୁ କହିଲେ—ଏଇ ଆଠ ଦଶ ଟଙ୍କା ହେବ ।

 

ପ୍ରକାଶ ନିଜର ସଫଳତାରେ ଭାରି ଖୁସି ହୋଇ ଚାହିଁଲେ ସମସ୍ତଙ୍କ ମୁହଁକୁ । କହିଲେ–ତେବେ ଦେଇ ଦିଅନ୍ତୁ ସାତଟି ଟଙ୍କା । ବାକି ଟଙ୍କାରେ ଯେମିତି ସେମିତି ଚଳି ଫେରିବେ-। ଏଣିକି ଆସିଲାବେଳେ ବହୁତ ନେଇ ଆସିବେ ସାଙ୍ଗରେ । ସହର ଜାଗା । ମଫସଲରୁ ଆପଣ ଆସୁଛନ୍ତି, ଏଇଥରକ କ୍ଷମା ଦିଆଗଲା ।

 

କିଛି ସମୟ ପରେ ପ୍ରକାଶ ସମସ୍ତଙ୍କ ପାଇଁ ଜଳଖିଆ, ପିଲାଙ୍କ ପାଇଁ ବିସ୍କୁଟ ଆଉ ଚା’ର ସମସ୍ତ ସରଞ୍ଜାମ ନେଇ ଆସିଲେ । ବଡ଼ ପାଟିରେ ବଣ୍ଟାକୁଣ୍ଟା ଆରମ୍ଭ କରି କହିଲେ—ଏମିତି ଏମାନେ ଟିକିଏ ମୁହଁ ଲୁଚାଇ ଗୋଟାଏ ସକାଳ ଭଣ୍ଡୁର କରିଦେବାକୁ ବସିଥିଲେ । ତେବେ ଆସିଲାବେଳେ ମୁଁ ଠିକ୍‌ କରିଛି ଯେ ବାବୁଙ୍କ କାମ ଦିନ ବାରଟା ସୁଦ୍ଧା ଶେଷ କରି ତାଙ୍କୁ ଦିନ ଗାଡ଼ିରେ ପଠାଇ ଦେବି ।

 

ଅଫିସ ବେଳ ମାଡ଼ି ଆସୁଛି । ହସଖୁସିପାଇଁ କାହାରିକୁ ତର ନାହିଁ । ସେ ଯାହାର କାମରେ ବ୍ୟସ୍ତ । ବ୍ରଜବାବୁଙ୍କର ଓ ପିଲାଙ୍କର କାମରେ ସୁଲତା ଲାଗି ରହିଲା । ରମାନାଥ ବାବୁ ଏକା ବସି ବସି ଚାରିଆଡ଼କୁ ଚାହୁଁଥାନ୍ତି । ଅଭାବି ପରିବାରର ସମସ୍ତ କାର୍ଯ୍ୟବ୍ୟସ୍ତତା ଭିତରେ ତାଙ୍କର ସ୍ଥାନ ନାହିଁ । ଏଣେ ପଇସା ସରିଯାଇଛି । ରହିବାର ବିଶେଷ ସୁବିଧା ନାହିଁ । ସେ ବି ସ୍ଥିର କଲେ ଯେ ଶୀଘ୍ର କାମ ସାରି ଫେରିଯିବେ ଗାଡ଼ିରେ । ସୁଲତା ବହୁତ ତଳକୁ ଖସିଯାଇଛି ! ....ପ୍ରକାଶ !

 

ବହୁତ କଥା ଭାବି ସେ ସୁଲତାକୁ ବାରମ୍ବାର ଚାହୁଁଥିଲେ । —କରୁ ନାହିଁ ସୁଲତାର-। ଘୋରଣା ଭିତରେ ପଶି ସେ ଅନ୍ୟକୁ ସୁଖ ଲାଗିଲାପରି ଆଉ କିଛି କରିବା ଅବସ୍ଥାରେ ନାହିଁ । ତା’ର ରୂପ, ଗୁଣ, ଯୌବନ ବା ଅନ୍ୟ କୌଣସି ଆକର୍ଷଣ ନାହିଁ-। ଶାରଦା ଯେତେ ଯାହାହେଲେ ବି କେବେହେଲେ ସୁଲତା ପରି ହେବ ନାହିଁ । ସୁଲତାକୁ ନିଜର ଆତ୍ମୀୟ ବୋଲି ପରିଚୟ ଦେବାକୁ ମନ କୁଣ୍ଠିତ ହେଉଥିଲା—ଦୂର ସମ୍ପର୍କର ବନ୍ଧ, ପିଲାଦିନର ଚିହ୍ନା ।

 

ସେ ଚାଲିଯିବେ । ପିଲାଦିନକୁ ପ୍ରକୃତରେ ଫେରି ହୁଏ ନାହିଁ । ପିଲାଦିନର ବନ୍ଧୁତାକୁ ସହଜରେ ଫେରାଇ ଆଣି ହୁଏ ନାହିଁ । ଲୋକଦେଖାଣିଆ ବ୍ୟବହାର ଆଉ କେଇଟି ମନରଖା କଥା କହିହୁଏ—ଶୁଣାଇ ହୁଏ । କିନ୍ତୁ ସେଥିରେ ମନକୁ ଲଗାଇ ହୁଏ ନାହିଁ ।

 

ଅତୀତର ସମସ୍ତ ନିବିଡ଼ ପରିଚୟ ସୁଲତାକୁ ଫେରାଇ ପାରି ନ ଥିଲା ତାଙ୍କ ପାଖକୁ । ଯେଉଁ ସୁଲତାର ଆଖି ଦିନେ କହିଦେଉଥିଲା—ରମାନାଥ ଭାଇ ତା’ର ଆଦର୍ଶ, ସେଇ ସୁଲତା ଏବେ ବୁଝେଇ ଦଉଛି ଯେ ପ୍ରକାଶ ଆଗରେ ରମାନାଥ କିଛି ନୁହେଁ ।

 

ସେ ନିଜେ ଉଚ୍ଚରେ । ଉପରୁ ତଳକୁ ଓହ୍ଳାଇଲେ ମନରେ ଟିକିଏ ଗର୍ବ ଆସିପାରେ । କିନ୍ତୁ ସେଥିରେ ଆନନ୍ଦ ନାହିଁ । ତଳ ପାହାଚର ଲୋକଙ୍କ ସାଙ୍ଗରେ ପ୍ରକୃତରେ ମିଶି ହୁଏ ନାହିଁ ।

 

ବ୍ରଜବାବୁଙ୍କ ସାଙ୍ଗରେ ଖାଇବାପାଇଁ ରମାନାଥ ବାବୁ ଜିଦ୍‌କଲେ । ଅଫିସକୁ ନ ଗଲେ ଚଳିବ ନାହିଁ ବୋଲି କହିଲେ । ରହିବେ କି ନ ରହିବେ, ସେ ବିଷୟରେ କିଛି ଗୋଟାଏ ଠିକଣା କରି କହିଲେ ନାହିଁ । ସୁଲତା ତାଙ୍କର ପ୍ରତ୍ୟେକ ବ୍ୟବହାରକୁ ପରଖି ଥିଲା ମନରେ । ସେ ତାଙ୍କର କଥାଗୁଡ଼ିକୁ ସେ ଦିନ ମୋଟେ ବୁଝିପାରୁ ନ ଥିଲା—ଯିଏ ଆସିଥିଲେ ସକାଳେ ଆଗ୍ରହ ନେଇ.... ତା’ପରେ ଏକାବେଳକେ ଉଦାସ....ରମାନାଥ ଭାଇ ଗୋଟାଏ ବିଚିତ୍ର କିସମର ଲୋକ ।

 

—ଅଫିସରୁ ଫେରନ୍ତୁ ଦେଖିବା ।

 

କାର୍ଯ୍ୟବ୍ୟସ୍ତ ଥିବାର ଛଳନା କରି ରମାନାଥବାବୁ ସୁଲତାକୁ ଏକୁଟିଆ ଛାଡ଼ିଦେଇ ବାହାରିଗଲେ ବ୍ରଜବାବୁଙ୍କ ସାଙ୍ଗରେ । ସେ ସୁଲତା ସାଙ୍ଗରେ ଏକୁଟିଆ ରହିବାକୁ ଚାହାନ୍ତି ନାହିଁ । ସେ ପଚାରିଥିଲା—ତାଙ୍କର ସିନା ସାଢ଼େଦଶଟା ବେଳେ ଅଫିସ, ତମର ତ ଠିକ୍‌ ସେତିକିବେଳେ କାମ ଆରମ୍ଭ ହବ ନାହିଁ ।

 

ଉଦାସ ଓ ଅପ୍ରସନ୍ନ ଭାବ ଦେଖାଇ ରମାନାଥ ବାବୁ କହିଲେ—ବହୁତ କାମ । ଅନେକ ଲୋକଙ୍କ ସାଙ୍ଗରେ ଦେଖା କରିବାକୁ ହେବ । ଫେରିଆସେ.... କହି ଚାଲିଗଲେ ।

 

ସୁଲତା ଦୁଆର ବନ୍ଦ କରି ଫେରିଆସିଥିଲା । ମନରେ ସେଇ ପ୍ରତୀକ୍ଷା—ଦୁଇ ଦିନ ପୂର୍ବରୁ ସେଇ ପ୍ରତୀକ୍ଷା ନେଇ ସେ ପ୍ରକାଶବାବୁଙ୍କୁ ଅପେକ୍ଷା କରିଥିଲା ଥରେ ।

 

ଖେଳି ଖେଳି ପିଲାମାନେ ଶୋଇଲେ । ସୁଲତାର ଆଖିକି ନିଦ ଆସିଲା ନାହିଁ । ସେ ରମାନାଥବାବୁଙ୍କର ପାଦଶବ୍ଦକୁ କାନ ଡେରି ରହିଲା । ତାଙ୍କ ପାଖରେ ବହୁତ କାମ ଅଛି ।

 

ବହୁତ ବିଳମ୍ବରେ ଭାରି ତରତର ଥିବାପରି ରମାନାଥବାବୁ ଫେରିଲେ-। ହସି କହିଲେ—ଡେରି ହୋଇଗଲା । ଗାଡ଼ିବେଳ ହୋଇଗଲାଣି । ମିଳୁଛି କି ନାହିଁ କେଜାଣି ।

 

—ନ ମିଳିଲେ ତ ଭଲ । ମୁହଁ ଶୁଖେଇ ସୁଲତା କହିଲା ।

 

—ଭଲ କ’ଣ ହବ ? ସବୁ ଗୋଳମାଳ ହୋଇଯିବ । ବହୁତ କାମ ଅଛି ତେଣେ ।

 

—ଆଜି ଦିନକ ରହିଯାଅ । କେତେ ଆଶା କରି ଆଜି ଦିନଟାକୁ ଚାହିଁ ବସିଥିଲି । ତମୁକୁ ଅନେକ କଥା ପଚାରିବାର ଅଛି—କହିବାର ଅଛି ।

 

—ମୁଁ ପୁଣି ଆସିବି ! ବହୁତ ଥର ଆସିବାକୁ ପଡ଼ିବ ।

 

ଆହତ ଅଭିମାନରେ ସୁଲତା କହିଲା—ଦିନ ଗାଡ଼ିରେ ନ ଯାଇ ରାତି ଗାଡ଼ିରେ ଗଲେ କ’ଣ ଚଳିବ ନାହିଁ ?

 

—ଅସୁବିଧା ହେବ । ସେ ବି ଚାହିଁ ବସିଥିବେ ।

 

ଆଖିରୁ ଲୁହ ଝରାଇ ସୁଲତା କହିଲା—ଏଇ ଟିକକ ଅନୁରୋଧ ତମେ ରଖି ପାରୁନାହଁ-! ଟିକିଏ ଅସୁବିଧା ହେବ । ସେ ହୁଏତ ଟିକିଏ ଅପେକ୍ଷା କରିବ । ମୋର କ’ଣ ଏତିକି ଅଧିକାର ନାହିଁ ? ମୋର ଦୁଃଖସୁଖ ଶୁଣିବାକୁ ତମେ ଟିକିଏ ବି ସୁବିଧା ଦେଇପାରିବ ନାହିଁ ?

 

ବିବ୍ରତ ହୋଇ ରମାନାଥ ବାବୁ କହିଲେ—ଏମିତି ଛୋଟ କଥାରେ ବିଚଳିତ ହେଲେ କାମ ଚଳିବ କେମିତି ? ମୁଁ ଯାଏଁ ।

 

ବାଧାଦେଇ ସୁଲତା କହିଲା—ପାସେଞ୍ଜର ଗାଡ଼ି ଡେରି ଥାଇପାରେ । ଏତେ ତରବର କାହିଁକି ? ଟିକିଏ ଆଗରୁ ଆସିଥିଲେ ବି ଦି’ପଦ କଥା ହୋଇଥାଆନ୍ତେ । ....ଟିକିଏ ବି ଶ୍ରଦ୍ଧା ନାହିଁ ! ଏକାବେଳକେ ଭୁଲିଗଲ !

 

—ଭୁଲିନାହିଁ । ରହିଯାଆନ୍ତି ଯେ । ତେବେ ରହିବାକୁ ଭଲ ଲାଗୁନାହିଁ... । ତେଣେ ବଳକା କାମ ବାକି ପଡ଼ିଥିବ । ଆଉ ଏଠି ବସି ଗପ କଲେ କ’ଣ ହେବ.... ?

 

ରମାନାଥବାବୁ ବାହାରିଲେ । ସୁଲତା ତାଙ୍କୁ ବିଦାୟ ନ ଦେଇ କହିଲା—ହଉ ଯାଅ । ଆଉ ଆସିବ ନାହିଁ ଏଠିକି । ....ଏତେଦିନ ନ ଆସି ଏବେ ଆସିଲ କାହିଁକି ?

 

ତରବର ହୋଇ ଜିନିଷ ଥୋଇଲେ ରିକ୍‌ସାରେ । ତାଙ୍କର ଚାହାଣୀ କହିଦେଉଥିଲା ଯେ ସୁଲତା ଘରୁ ରମାନାଥ ଭାଇ ସେ ବାହାରୁଛନ୍ତି ଏତକ ଯେମିତି ଲୋକେ ନ ଦେଖନ୍ତୁ । ଗାଡ଼ିବେଳର ପେଖନା ଦେଖାଇ ସେ ସୁଲତାର ଘର ଛାଡ଼ୁଥିଲେ । ରିକ୍‌ସାରେ ବସିଲାବେଳେ ରିକ୍‌ସାର ଛାତ ଭିତରେ ମୁହଁ ଲୁଚାଇବାକୁ ଯେପରି ସେ ଆଉଜି ଯାଇଥିଲେ ଗୋଟିଏ ପାଖକୁ ।

 

ସୁଲତା ଛିଡ଼ା ହୋଇଥିଲା ଘର ଭିତରେ । ଛଳଛଳ ଆଖିରେ ସେ ଚାହିଁ ରହିଥିଲା—ତା’ର ପ୍ରିୟ—ଦିନକର ଅତି ପ୍ରିୟ—ରମାନାଥ ଭାଇ ଗଲେ ।

 

ରମାନାଥବାବୁ ଚାଲିଗଲା ପରେ କବାଟ ବନ୍ଦ କରି ସୁଲତା ଘରକୁ ଫେରିଗଲା । ସେ ଯେପରି ହଠାତ୍‌ ଅଛୁଆଁ ହୋଇଯାଇଛି । କେତେ ଲୋକ ବାହାରର ଲୋକଙ୍କୁ ଅଛବ କରି ରଖନ୍ତି । ଦୁଆର ମନା ନ କରି କବାଟ କିଳି ଦିଅନ୍ତି । ଆଉ କିଏ ସେମିତି ଭୁଲ୍‍ କରିଛି ବୋଲି ଅନ୍ୟକୁ ଅଛୁଆଁ ଅଛବ କରିଦେଇ ଘୁଞ୍ଚିଯାଏ ଦୂରକୁ । ଖାଲି ଯେ କାଉ, କୁକୁର, ଶାଗୁଣାଙ୍କୁ ସେଇ ବ୍ୟବହାର ମିଳେ—ତା’ ନୁହେଁ । ମଣିଷ ବି ପାଏ ଆଉ ଦିଏ !

 

ଏକୁଟିଆ ପିଲାଙ୍କ ପାଖରେ ବସି ସେ ଦୁଇଆଖିରୁ ଦୁଇଧାର ଲୁହ ଝରାଇଥିଲା । କେତେ ପାଞ୍ଚ କରି ସେ ଆସିଥିଲା ଗାଁ ଛାଡ଼ି ସହରକୁ—ସାନରୁ ବଡ଼ ହେବ ବୋଲି । ବଡ଼ ତ ହେଲା ନାହିଁ । ଓଲଟି ଯେଉଁମାନଙ୍କ ସାଙ୍ଗରେ ସେ ଏକାଠି ଏକା ପାହାଚରେ ଥିଲା, ତାଙ୍କଠାରୁ ବି ସେ ତଳକୁ ଚାଲିଯାଉଛି ।

 

ପିଲା ଦୁଇଟି ଶୋଇ ଥାଆନ୍ତି । ସିଧା ହୋଇ ଶୋଇଥିଲେ । ଏବେ ବଙ୍କା ହୋଇ ଜଣେ ଆଉ ଜଣକ ଦେହରେ ଲଦି ହୋଇପଡ଼ିଛି । ତା’ର ସଂସାରଟା ସେମିତି ସିଧାସଳଖ ନ ରହି ବଙ୍କାତେଢା ହୋଇ ଗଲାଣି–ମାଟି କାନ୍ଥପରି, ଯେତେ ସିଧା କଲେ ବି ବଙ୍କା—

 

ଦୁଆର ଭିତରୁ ଦିଶେ ସେ ବାବୁଙ୍କର ନଡ଼ିଆ ଗଛ । ଡାଳ ଗୁଡ଼ିକ ପବନରେ ଅଲରା ଦିଶୁଛି । ଗଛଟା ସିଧା ହୋଇ ବଢ଼ୁଥିଲା ଯେ ଏବେ ଖାଲି ନାଁକୁ ସିଧା ରହିଛି । କିନ୍ତୁ ତା’ର ଗଣ୍ଡିଟା ପ୍ରତିବର୍ଷ ଏତେତେଣେ ବଙ୍କେଇ ଯାଉଛି । ସାଲିଆନ ଝଡ଼ ଓ ବର୍ଷା ଏଡ଼େ ବଡ଼ ଗଛଟାକୁ ବି ବଙ୍କା କରିଦେଉଛି ।

 

ଏବେ ସେମିତି ଲାଗେ ଲାଗେ ଆସି ପହଞ୍ଚିଛନ୍ତି ତିନିଜଣ ଲୋକ । ପ୍ରକାଶ ବାବୁ, ପ୍ରମୋଦ ବାବୁ, ଆଉ ରମାନାଥ ଭାଇ । ରମାନାଥ ଭାଇ ଚାଲିଗଲେ । ଦି’ପଦ କଥା କହିବାକୁ ସୁଲତା ଯୋଗ୍ୟ ହେଲା ନାହିଁ । ତାଙ୍କରି ପାଇଁ କେତେ ଧନ୍ଦି ହୋଇ ସେ ତହିଁଆଗଦିନ ସଞ୍ଜରୁ ଅଧରାତିଯାଏ ଏପାଖ ସେପାଖ ହୋଇଥିଲା । ପ୍ରମୋଦ ବାବୁ ଆଉ ଆସିନାହାନ୍ତି । ଥରେ ଆସିଥିଲେ ଯେ ତାଙ୍କୁ କ’ଣ ଲାଗିଲା କେଜାଣି, ସେ ଆଉଥରେ ପାଦ ପକାଇଲେ ନାହିଁ । —ଆସୁଛନ୍ତି ଏକା ପ୍ରକାଶ ବାବୁ ।

 

ତାଙ୍କ ଘରେ ପାରିଜାତ ଦେଇ ଅଛନ୍ତି । ସେଠି ତାଙ୍କୁ ଚିଡ଼ ଲାଗୁଛି ବୋଲି ସେ ଆସୁଛନ୍ତି–କହୁଥିଲେ ତ ସେଇକଥା । ଘର ଭଲ ଲାଗିଲେ ସେ ବି ଆସିବେ ନାହିଁ । ଏଠି ଭଲ ନ ଲାଗିଲେ ସେ ବି ଚାଲିଯିବେ—ରମାନାଥ ଭାଇ ଆଉ ପ୍ରମୋଦ ବାବୁଙ୍କ ପରି ।

 

କେଡ଼େ ବିଚିତ୍ର ଏ ସଂସାର । କୋଉଟି ଘର ଆଉ କୋଉଟା ବସାଘର—ଘର ଦେଖିଲେ ତ ବୁଝାପଡ଼େ ନାହିଁ । ସମସ୍ତେ ମଣିଷ—କିଏ କିରାନି, କିଏ ହାକିମ, କିଏ ବଡ଼, କିଏ ଛୋଟ । ସମସ୍ତେ କରିଛନ୍ତି ଘର । କାହା ଘରେ ଠାକୁର ନାହିଁ । କାହାର ସ୍ତ୍ରୀ ଅଛି—ଭାର୍ଯ୍ୟା ନାହିଁ । ଆଉ କାହାର ଘର ଅଛି, କିନ୍ତୁ ସେଠି ହୃଦୟ ନାହିଁ । ମଢ଼ ଛାଡ଼ିଦେଇ ସମସ୍ତେ ଖୋଜୁଛନ୍ତି ଜିଅନ୍ତା ମଣିଷ ।

 

ହସି ସୁଲତା ନିଜ କଥା ଭାବିଥିଲା—ସେ ଜଣେ ଜୀଅନ୍ତା ମଣିଷ । ତା’ରି ପାଖକୁ ଟାଣିହୋଇ ଆସୁଛନ୍ତି ଲୋକ । ପ୍ରକାଶ ବାବୁ ଜଣେ ହେଲେ ବି—ଲୋକ ତ । ସୁଲତା ସାଙ୍ଗରେ ଚିହ୍ନା ହେବା ଆଗରୁ ସେ କୁଆଡ଼େ ଏଠିସେଠି ବେଳ କଟାଉଥିଲେ । ସେସବୁ ସ୍ଥାନଠାରୁ ଭଲ ବୋଲି ଭାବିବାରୁ ସିନା ଆସୁଛନ୍ତି ଏଠିକି ।

 

ଚାଉଳ ଉପରୁ ଉଇମାଟି ଖସିପଡ଼ିଲା । ଚମକିପଡ଼ି ସୁଲତା ଚାହିଁ ଦେଖିଲା—ଝିପିପିଟି ଦିଓଟି ଧାଁଦଉଡ଼ ଲଗାଇ ମାଟିପୁଳାଏ ଖସାଇଦେଲେ । ଭଲରେ ରହିବ ବୋଲି ପାଞ୍ଚବର୍ଷ ନାନା ମନାସ ଓ ପାଞ୍ଚ କରି ସୁଦ୍ଧା ତା’ରି ଘରଟି ଉଇଙ୍କର ବସାହୋଇ ରହିଛି । ସେମାନେ ଭଲ ଦାମିକା କୋଠାକୁ ସତେ ଯେପରି ପସନ୍ଦ କରିପାରୁ ନାହାନ୍ତି । ବାଛିଛନ୍ତି ସୁଲତାର ଘରପରି ଘରଗୁଡ଼ିକୁ ।

 

ଉପରେ ଅଳନ୍ଧୁ—ରୋଷେଇ ଘର ଧୂଆଁ ଆସି ବାଉଁଶକୁ କଳା କରିଦେଇଛି । ବୁଢ଼ିଆଣୀ ବସାରେ ସେ ଅଳନ୍ଧୁ ଲାଗି ବାଉଁଶ ରଙ୍ଗ କରିଦେଲାଣି । ମାଲିକ ରଙ୍ଗ ଦେଇ ନ ଥିଲା । ତାକୁ ରଙ୍ଗ କରି ଉଇଗୁଡ଼ିକ ସୁଲତାକୁ ଭଣ୍ଡୁଛନ୍ତି । ବନ୍ଧୁ ବୋଲି ଦେଇ ହେଉଛନ୍ତି ।

 

ଘର କେବେ ସଫା ସୁତୁରା ନ ଥିଲା । କିନ୍ତୁ ସେହିଦିନ ଖରାବେଳେ ସୁଲତା ଆଖି ଆଗରେ ତା’ର ସେହି ଛୋଟ କୁଡ଼ିଆଟିର ସମସ୍ତ ମସିଆ ତାର ଆଖି ଆଗକୁ ଆସୁଥିଲା । ଝିଟିପିଟି ଦିଓଟି ତାକୁ ବୁଝାଇ ଦେଇଥିଲେ ଯେ ସେ ଘରଟି ଦଦରା ଆଉ ଏଡ଼େ ମସିଆ ଯେ, ତାଙ୍କପରି ଜୀବଟିଏ ଅତି ସାବଧାନ ହେଇ ଚାଲବୁଲ କଲେ ବି ମେଞ୍ଚା ମେଞ୍ଚା ହୋଇ ଝଡ଼ିପଡ଼ୁଛି ଅଳିଆ ।

 

କେତେବେଳ ଭାବିଥାଆନ୍ତା କେଜାଣି । ଦୁଆରେ ଠକ୍‌ଠକ୍‌ ଶବ୍ଦ ହେଲା । ସୁଲତା ତା’ର ସେଇ ଓଦା ଆଖି ଦୁଇଟିକୁ ଅଧା ମଇଳା ଲୁଗାର କାନିରେ ପୋଛି ପକାଇଲା ।

 

ଆସିଲା କିଏ ? ଭାଇ ବୋଧହୁଏ ଗାଡ଼ି ପାଇଲେ ନାହିଁ....ଭଲ ହେଲା । ସେ ତ ଆଉ କେବେ ଆସିବେ ନାହିଁ ! ସେଥର ତାଙ୍କୁ କେତୋଟି କଥା ନ କହି ଛାଡ଼ିଦେଲେ ମନଟା ସବୁବେଳେ ଗୁରୁଗୁରୁ ହେଉଥିବ । ଭଲ ହେଲା । କବାଟ ଖୋଲିଦେଲେ ସେ ତ ଭାବିବେ ଯେ ସୁଲତା ଚାହିଁ ବସିଥିଲା ତାଙ୍କ ଲେଉଟାଣକୁ ।

 

ପୁଣି ସେହି ଶବ୍ଦ—ଭାରି ତନାଘନା । ଆଉ କିଏ—କ’ଣ ପ୍ରକାଶବାବୁ ଫେରିପଡ଼ିଲେ କି ? ତାଙ୍କ ଆଖି ତ କଥା କହୁଛି । ସେ ଯେ ଖାଲି ସୁଲତାକୁ ଭଲ ବୋଲି କହୁ ନ ଥିଲେ—ସେ ସୁନ୍ଦର ବୋଲି ବାରମ୍ବାର ଜଣାଇ ଦେଉଥିଲେ । ତାଙ୍କର ମନ ଭିତରେ ତାଙ୍କର ସ୍ତ୍ରୀ ପାରିଜାତ ପାଇଁ ଯେମିତି ଦୁଃଖ, ଆଉ କେଉଁଠୁ କ’ଣ କାଢ଼ି ନେବାପାଇଁ ସେତିକି ଆବେଗ । କଥାର ଫେର ଆଉ ବୁଦ୍ଧିର ଘେର ଭିତରେ ପକାଇ ଭିତରକୁ ପଶିଆସନ୍ତି ଦମକା ପବନ ପରି । କବାଟ ଖିଡ଼ିକି ହଲାଇ ଦିଅନ୍ତି । ଆଉ ଆସିଲେ କି ଏଇ ଅସମୟ ଅବେଳରେ !

 

—ତେବେ ସୁଲତା ଯିବ ନାହିଁ । ସେମିତି କବାଟ ବାଡ଼େଇ ବାଡ଼େଇ ସେ ଫେରିଯାଆନ୍ତୁ । ଏମାନେ ମଣିଷ ନୁହନ୍ତି ତ—ଡକେଇତ । ଚୋରଗୁଡ଼ାକ ବି ମଣିଷ । ଆସନ୍ତି ଛପିଛପି ଦେଖା ନ ଦେଇ ଚେତ୍‌ନ ଥିବାବେଳେ । ଆଉ ଏଇ ପ୍ରକାଶବାବୁଙ୍କ ପରି ଲୋକ ଆସନ୍ତି ଦିନର ଆଲୁଅରେ । ଜାଗ୍ରତ ଥିବାବେଳେ ଦେଖା ଦେଇ ।

 

ସେ ନିଜକୁ ସଜାଡ଼ି ନେଲା । ଛାତି ଭିତର ଥରି ଉଠିଲା । ସେ ବି ଜଣେ କିରାନି—ଗୃହୀ । ସୁଲତାକୁ ବୋଧ ଦେବାକୁ ତା’ର ଛୋଟିଆ ଦୁଃଖରେ ଭାଗୀ ହେବାକୁ ସେ ବି ଆସୁ ନାହାନ୍ତି ।—ଆସୁଛନ୍ତି ମଉଜମଜଲିସ୍‌ପାଇଁ । ପେଖନା ରଖିଛନ୍ତି ପୁଡ଼ାଏ ଚା । ଆଉ ପାରିଜାତର ବହୁତ ଦୋଷ ।

 

—ଚିଠି ନିଅ....ସୁଲତାର ଚେତ୍‌ ଆସିଲା । ଦାଣ୍ଡରେ ଡାକବାଲା କବାଟ ବାଡ଼ଉଛି....ଓଃ ତାହାହେଲେ । କେଉଁଠୁ ଆସିଛି କେଜାଣି ! ବେଶି ତ ଆସେ ନାହିଁ । ଘରକୁ ତ ମୋଟେ ଆସେ ନାହିଁ । ଯାହା ଆସେ ତାଙ୍କ ପାଖକ ଅଫିସ୍‌ ଠିକଣାରେ । ଛୋଟିଆ ମଣିଷର ନିଜର ଠିକଣା କାହୁଁ ଆସିବ ? ଉତ୍କଣ୍ଠାରେ ସୁଲତା ଧୀରେ ଯାଇ କବାଟ ଫାଙ୍କରୁ ଦେଖି ଗ୍ରସ୍ତ ଓ ନିଦକ ସ୍ୱର ମିଶାଇ ପଚାରିଲା—ଆମର ଚିଠି ?

 

—ହଁ । ....ମଣିଷ ବୁଲିଲାଣି ରାଜ୍ୟଯାକ । ....ସୁଲତାଦେବ....

 

ଶିକୁଳିର ଖିଲ ଶିକୁଳିକୁ ଶବ୍ଦ କରି ଖସାଇଲା ତଳକୁ । କବାଟ ମେଲା ନ ହେଉଣୁ ଡାକବାଲା ଚିଠିଟା ପକେଇ ଦେଇ ବାହାରି ଚାଲିଗଲା । ତା’ର ବହୁତ କାମ ଅଛି । କିଏ ମେଲା କଲା ଭାବିବାକୁ ତା’ର ବେଳ ନାହିଁ ।

 

ନଇଁପଡ଼ି ଭୂଇଁତଳୁ ଚିଠିଟି ଉଠେଇ ନେଇ ସୁଲତା ଦେଖିଲା–ବହୁତ ମୋହର ମରାହୋଇଛି ତା ଚିଠି ଉପରେ । ଆଉ ବି ବହୁତ ଟିକଟ । କବାଟ ବନ୍ଦ କରି ସେ ଆଲୁଅକୁ ବାହାରି ଆସିଲା—ଓଡ଼ିଆରେ ଠିକଣା ଲେଖା ହୋଇଥିବା ସୁଲତା ନାଁ ରେ ଚିଠି । ସେଇ ମାର୍ଫତରେ ଅଛି—ବ୍ରଜବାବୁଙ୍କର । କ’ଣ ଭାବୁଥିଲି ଆମ ଠିକଣା ନାହିଁ ବୋଲି ! ଅଛି ତ । ଠିକଣା ଜାଣିବା ଲୋକ ବି ଅଛନ୍ତି । ରମା ଭାଇ ସିନା ପାଞ୍ଚ ବର୍ଷ ଜାଣିପାରି ନ ଥିଲେ । ଚିଠିଟିକୁ ଖୋଲି ଦେଖିଲା—ତାକୁ ଭୁଲି ଯାଇଥିବା ଜଣେ ନଣନ୍ଦ ଦେଇଛି । ସୁଲତା ବି ଭୁଲିଯାଇଥିଲା । ତଳେ ‘ତମର ନଣନ୍ଦ’ ଲେଖା ହୋଇ ନ ଥିଲେ, ସୁଲତା ବି କହିଥାଆନ୍ତା—ଏ ଚିଠିଟି ତା’ରି ନୁହେଁ ।

 

ଯୋଉ ଶାଶୁଘର ଗାଁକୁ ସେ ପାଞ୍ଚ ବର୍ଷ ହେଲା ଭୁଲି ସହରରେ ମନ ଲଗାଇଥିଲା, ସେଇ ପୁଣି ତାଙ୍କୁ ସେ ଦିନ ମନେ ପକାଇ ଦେବାକୁ ଆସିଛି । ସେ ଦୀର୍ଘନିଶ୍ୱାସଟିଏ ପକାଇଲା ।

 

ଶାଶୁଙ୍କଠାରୁ ଚିଠି ଆସିଛି । ସୁଲତାର ଆଖିରେ କ୍ରୋଧ ଦେଖାଦେଲା । କହିଆସିଥିଲି–ରହିଛି ତ । ସେ କହିଥିଲେ—ଏଠିକି ଆସିବେ ନାହିଁ ବୋଲି । ମୁଁ ବି ମନେ ମନେ କହିଥିଲି ଫେରିବି ନାହିଁ ବୋଲି । ସେଇ ଜିଦ୍‌ରେ ଦୁଇ ଦୁଇଟି ପିଲା ହେଲାବେଳେ ଶାଶୁ ବି ପାଦ ପକାଇ ନାହାନ୍ତି....ଏବେ ପୁଣି ଚିଠି !

 

ସୁଲତାକୁ ସହରରେ ଏକୁଟିଆ ଛାଡ଼ିବାକୁ ଶାଶୁଙ୍କର ଇଚ୍ଛା ନ ଥିଲା । ଇଚ୍ଛା ବିରୁଦ୍ଧରେ ଗଲେ ସମସ୍ତଙ୍କୁ ତ କାଟେ । ଗାଁ ରେ ରହିବାକୁ ସୁଲତାର ମନ ନ ଥିଲା । ସେ ଚାଲିଆସିଥିଲା ସହରକୁ, ଯାହା ଜାଣିଥିଲା, ସେତକ ପରଖିବାକୁ, ଯାହା ଦେଖି ନ ଥିଲା ସେତକ ଜାଣିବାକୁ । ....ଏକୁଟିଆ ନ ରହିବ କାହିଁକି ?

 

ପୁରୁଣାକାଳିଆ ଲୋକଙ୍କର ଆଣ୍ଟ ବହୁତ ବେଶି । ସେଇଦିନୁ ଶାଶୁ ଆଉ ବୋହୂକୁ ପଚାରୁ ନ ଥିଲେ । ମୋ ପୁଅ ଦେଖାଦେଖି ହୁଅନ୍ତି ଗାଁରେ । ସେ ଯାହା ବୁଝନ୍ତି—ତାଙ୍କରି ପାଖକୁ ଲେଖି । ନିଜେ ତ ଲେଖା ଜାଣନ୍ତି ନାହିଁ । ନିଜେ ନ ଲେଖ ଲେଖେଇ ପଚାରନ୍ତି ।

 

ସେଇ ଚିଠିପାଇଁ ସୁଲତାର ବ୍ରଜବାବୁଙ୍କ ସାଥିରେ ଅପଡ଼—ଯିଏ ସୁଲତାକୁ ଛାଡ଼ିଦେଲେ, ତାଙ୍କ କଥା ସୁଲତା ବୁଝିବ ନାହିଁ । ସୁଲତା ସେଇ ଦିନୁ ଶାଶୁଘର ସାଙ୍ଗରେ କଟିଯାଇଥିଲା ।

 

ପ୍ରଥମେ ପ୍ରଥମେ କଳି ନ ହୋଇଥିଲା ସେମିତି ନୁହେଁ, ସ୍ଵାମୀ ସ୍ତ୍ରୀଙ୍କ ଭିତରେ କର୍ତ୍ତବ୍ୟ ନେଇ ବହୁତ ବିତଣ୍ଡା ହୋଇଛି । ସୁଲତାର ସେଇ ପଦେ କଥା—ଯାହାକୁ ସେ ବାହା ହୋଇଛି, ସେଇ ଲୋକ ପ୍ରତି ତା’ର କର୍ତ୍ତବ୍ୟ ଅଛି....ଆଉ ଥିବ । ବ୍ରଜବାବୁଙ୍କର ଯାହା ପ୍ରତି ଯେତେ କର୍ତ୍ତବ୍ୟ ଅଛି, ସେ ତାକୁ ଯେମିତି ଇଚ୍ଛା ସେମିତି କରନ୍ତୁ, ସୁଲତା ସେଥିରେ ବାଧା ଦଉନାହିଁ । ବ୍ରଜବାବୁ ବଡ଼ ଧୀର ଲୋକ । ସେ ଆଉ ଘରର ଭଲ ମନ୍ଦ କଥା ସୁଲତା ଆଗରେ ଉଠାନ୍ତି ନାହିଁ କି ସୁଲତା ବି ପଚାରେ ନାହିଁ ।

 

ଲୋକେ ଜାଣିବାକୁ ଭାରି ଅସଜିଆ ହେଲେ ବି କେମିତି କେମିତି ହେଉ ହେଉ ହୋଇଥିଲା ତ । ପ୍ରଥମରେ ଥରେ ଅଧେ ଶାଶୁ କହିଲେ—ଯାହାକୁ ଆଣି ଘର ସଜାଡ଼ିଥିଲି, ସେଇ ଶେଷକୁ ଘର ଛାଡ଼ି ଚାଲିଗଲା । ଯାଉ....ଭଲରେ ରହୁ....

 

ନିଜର ପିଲା ଦୁଇଟିଙ୍କୁ ଶାଶୁଙ୍କୁ ଦେଖାଇବାକୁ ସୁଲତାର ସେଇ ଗୋଟିଏ ସର୍ତ୍ତ—ଶାଶୁ ଆସି ଏଇଠି ଦେଖିବେ । ଆଉ ଶାଶୁଙ୍କର ସେଇ ଗୋଟିଏ ଜବାବ—ନ ହେଲା ନାହିଁ । ପୁଅ ଦେଖି ଥିଲି । ସମସ୍ତେ ତ ରହିଲେ ନାହିଁ । କୋଳ ଖାଲି କରି ଚାଲିଯାଇଥିଲେ—ଗୋଟିକୁ ଛାଡ଼ି । ନାତିମାନେ ତ ଅଛନ୍ତି । ତାକୁ ନ ଦେଖିଲେ ନାହିଁ ।

 

ଶାଶୁ ବୋହୂ ଆପଣା ଆପଣା ଆଣ୍ଟରେ ସହର ମଫସଲ ବାଣ୍ଟି ହୋଇ ରହିଥିଲେ । ସହରରେ ଶାଶୁ ଚଳିପାରିବେ ନାହିଁ । ନିଜ ଘର ନାହିଁ । ଭଡ଼ାଘରେ ସେ ରହିବେ ନାହିଁ । ତାଙ୍କୁ ମେଲା ଫରାକାତ ଜାଗା ମିଳିବ ନାହିଁ । ଆଉ ସେମିତି ବୋହୂ ମଫସଲର ପାଣି ପବନରେ ଚଳିପାରିବେ ନାହିଁ । ଯାହା ଯେବେ ବାପ ଘରେ ହେଇଥିଲା, ସେ କଥା ପାସୋରି ଗଲେଣି । ବ୍ରଜବାବୁଙ୍କର ଯୋଡ଼ିଏ ଘର—ଗାଁରେ, ସେଠି ବୋଉ ଅଛି, ଆଉ ସହରରେ, ସେଠି ବୋହୂ ଅଛି ।

 

ଶାଶୁ ସଙ୍ଖୋଳି ଆସିଛନ୍ତି ଏତେ ଦିନ ପରେ । ସେଇ ଚିଠି ଦେଇଥିଲେ ବୋଲି ଡାକବାଲା ଖୋଜି ଖୋଜି ଶେଷକୁ ଆସି ପହଞ୍ଚିଛି । କିଏ ଜାଣେ ନାହିଁ ଯେ ଶାଶୁଙ୍କର ମନ—ମନ ଯେମିତି ଫଳ ସେମିତି ।

 

ସୁଲତା ଚିଠିଟା ପଢ଼ିଲା ଲେଉଟପାଉଟ କରି । ଶାଶୁ ଲେଖେଇଛନ୍ତି—

 

‘‘ଘର ସମସ୍ତେ କରନ୍ତି । କିଏ କରିଥାଏ ଦେଖିବାକୁ । ଆଉ କିଏ କରିଥାଏ ରହିବାକୁ । ମୌରୂସୀ ଘର ଦେଖୁଛନ୍ତି ତ ସମସ୍ତେ । ସେଠି ରହିବାକୁ ବୋହୂ କ’ଣ ଆସିବେ ନାହିଁ ? ଯେମିତିକା ଘର ବଡ଼ବଡ଼ୁଆ ରଖିଯାଇଛନ୍ତି ସେମିତି ଘରଟିଏ ବୋହୂଙ୍କୁ କ’ଣ ସହରରେ ମିଳିଲା ? ସହର ଘରଟି କ’ଣ ଏତେ ସଫାସୁତୁରା ଅଛି ଯେ ଘରକୁ ଦେଖି ବୋହୂ ତାଙ୍କର ଆପଣା ଘର ଭୁଲିଲେ ? ଭୁଲନ୍ତୁ । ପୁଣି ମନ ବଦଳିଲେ ସେ ଫେରିବେ ଯେ ।

 

ସୁଲତା ଭାବିଲା—କେଡ଼େ କଥାଟାଏ ନ କହିଲେ ! କେହି ତ କହି ନ ଥିଲା ଆଜିଯାକେ । ଏଇ ମଫସଲ ଲୋକେ ସବୁ ଦିନେ ବାରିଆଡ଼ର ଗଡ଼ିଆହୁଡ଼ା ଉପର ବାଉଁଶ ବୁଦା ଆଉ ଗଛକୁ ଦେଖି ଏମିତି ତାରିଫ୍‌ କରୁଥିବେ ଗାଁକୁ । କାଦୁଅ, ମାଛି, ସାପ, ବେଙ୍ଗ ଯେତେ ଇଚ୍ଛା ସେତେ ହୁଅନ୍ତୁ ପଛକେ, ସେମାନେ ନିଜେ ତ ଚାଡ଼ିବେ ନାହିଁ । ଓଲଟି ଟାଣିଓଟାରି ସମସ୍ତଙ୍କୁ ସେଇଠି ପୂରାଉଥିବେ । ସତେ ଅବା ସେଠି ଅଲଗା ପ୍ରକାରର ପବନ ବୋହୁଛି । ତାଙ୍କୁ ସେ ପବନ ଆଉ ସେହି ଅସନା ପାଣି ଆଉ ମାଟି କାଦୁଅ ଲାଗୁଛି ଚନ୍ଦନ ପରି । ନନ୍ଦନ କାନନ ଗଢ଼ିଛନ୍ତି ସେଠି....ହୁଁ....ସୁଲତା ଯିବ !

 

ଗାଁରେ ବଡ଼–ବଡ଼ୁଆ ଘର କରିଥିଲେ ତାଙ୍କ ମନକୁ ପାଇଥିଲା ବୋଲି । ଲୋକେ ତ ମାଳ ମାଳ ହୋଇ ଗାଁର ତୋଟା, ପୋଖରୀ ଆଉ ବିଲରୁ ଛାଡ଼ି ସହରର ମଇଳା ମସିଆ ଅପରଛନିଆଁ ଗଳିରେ ଘର ଖଣ୍ଡେ କିଣୁଛନ୍ତି ସବୁ ଦିନକୁ ରହିବେ ବୋଲି । କିଏ ଆଉ ସହରରୁ ଯାଇ ଗାଁରେ ସବୁଦିନେ ରହିବ ବୋଲି ପାଞ୍ଚ କରୁଛି ? ....ଏଇ ବୁଢ଼ୀଙ୍କୁ ଛାଡ଼ି ।

 

ହେଲା ଏବେ ଗାଁ’ରେ ଶାନ୍ତି ଅଛି । ଥାଉ । ଲୋକେ ତ ବଣ ଜଙ୍ଗଲର ବାଘସାପଙ୍କ ଭିତରେ ଶାନ୍ତି ଖୋଜନ୍ତି ଆଉ ପାଆନ୍ତି । ସେମିତି ଅବା ଆଜି କିଏ ସହର ଛାଡ଼ି ବର୍ଷକୁ ଚାରି ଦିନ ଶାନ୍ତି ପାଇବ ବୋଲି ଗାଁରେ ଦୋଘରା କଲା ଅବା ମୌରୁସୀ ଘରକୁ ସଜାଡ଼ିଲା । ସେଥିପାଇଁ କଣ ଗାଁଟା ହୋଇଗଲା ଅପୂର୍ବ ?

 

ଯିଏ ଯୋଉଠି ରହିଯାଏ, ସେଇ ଜାଗାଟି ତାକୁ ମନେଇଯାଏ ବେଶ୍‌ । ଶାଶୁ ରହିଲେଣି ବହୁତ ଦିନୁ ଏକାଠି ଏକ ଠା’କରେ । ସେ ତ ଏଠି ଆଉ ଦିଗ ବାରି ପାରିବେ ନାହିଁ । ଗୋଟାଏ ସଇନ ମିଳିଲେ, ଗାଁର ସହି ସଙ୍ଗାତ କଥା ହେବାକୁ ନ ମିଳିଲେ ସେ କ’ଣ ସହରକୁ ସୁଖ ପାଇବେ କି ? ଲୋକେ ତ କିମ୍ଭୀରିଆ ନଈ, ମାଳୁଆ ପାଟ ଛାଡ଼ି ପାରନ୍ତି ନାହିଁ । ଖାଲି ଦେଖି ଦେଖି ରହି ରହି ଏତେ ମାୟା ଜାଲରେ ପଡ଼ିଯାଆନ୍ତି ଯେ ଆଉ କିଛି ଭଲ ଜାଗା ତାଙ୍କୁ ମିଳିଲେ ସେମାନେ ନାହିଁ କରିଦେଇ କହନ୍ତି—ମୌରୁସୀ ବଡ଼ବଡ଼ୁଆଙ୍କ ଘର ।

 

ନିଜ ଅଭ୍ୟାସ ତାଙ୍କୁ ଏମିତି ବାନ୍ଧିଥାଏ ଯେ ନିଜେ ତ ଖାଲି ବାନ୍ଧି ହୋଇ ରହନ୍ତି ନାହିଁ, ସମସ୍ତଙ୍କୁ ଆଣି ଛନ୍ଦୁ -ଥାଆନ୍ତି ସେହି ଜାଲରେ ।

 

ଜେଜେମା କୁଟେଇଥିଲେ ଚିତା ଶରଧା କରି ନାତୁଣୀ ହାତରେ—ହାତକୁ ମାନିବ ବୋଲି । ପୂରୁବାପୂରୁବୀ ଚଳନି ରଖିବେ ବୋଲି ଧଳା ଚମରେ ନେଳିଆ ଦାଗ ଅପୂର୍ବ କରି ଲଗାଇଥିଲେ । ନାକପୁଡ଼ା ଦି’ଟାକୁ ସେମିତି କଣା କରି ଦେଇଥିଲେ ସିନା ପିନ୍ଧିବାକୁ ଦରକାର ହେବ ବୋଲି—ହେଲା କି ? ଓଲଟି ସବୁ ଦିନକୁ ସେତକ ଲୁଚେଇବାକୁ ହେଲା ! ବଡ଼ବଡୁଆଙ୍କ କଥାରେ ଚଳିଲେ ମଣିଷ ଦିନକୁ ଦିନ ଓହ୍ଳେଇବ ସିନା ଉଠିବ ନାହିଁ ।

 

ଘୋର ବିରକ୍ତିରେ ସୁଲତା ଶାଶୁଙ୍କ ଚିଠି ଉପରେ ପୁଣି ଆଖି ପକାଇଲା—

 

‘‘ଗାଁଟା ଅଳିଆ ବୋଲି ବୋହୂ କହୁଥିବେ । ପାଞ୍ଚ ବରଷରେ ଦେଖିଥିବେ ତ ସହରର ଅଳିଆ । ବର୍ଷା ହେଲେ ରାସ୍ତାରେ ପାଣି ଠିଆ ହୁଏ ବୋଲି ଖବର ଆସେ ଗାଁକୁ । ଯା’ଆସ କରୁଥିବା ଲୋକେ ସିନା ଶତ୍ରୁ । ବ୍ରଜ ତ ନିଜେ କହେ—କୂଅଗୁଡ଼ାକ ସୁବିଧା ନୁହେଁ । ଗାଁ ପୋଖରୀ ଯେତିକି ଅସନା, ସହରର କୂଅ ସେତିକି ପୋକ ସାଲୁ ସାଲୁ । ପାଇପ୍‌ ବସିଲେ କୁଆଡ଼େ ସେଥିରେ ଓଷଦ ଦିଆ ପାଣି ଛାଡ଼ନ୍ତି । ବୋହୂ କ’ଣ ସେଠି ନିର୍ମଳ ପାଣି ପାଇଲେ ? ନ ପାଉଥିଲେ ଜାଣୁଥିବେ ଯେ ଗାଁ ଯେମିତି ଥିଲା ସେମିତି ଅଛି । ଆଉ ତାଙ୍କ ସହର ଯେଡ଼େ ଅଳିଆ ହେଇଥିଲା ତହିଁରୁ ବେଶି ହେଇଛି—ଊଣା ନୁହେଁ । କେତେ ଲୋକଙ୍କୁ ଫଟରେଇ ହେଇ ପଚାରିଛି ସହର କଥା-। ବୋହୂଙ୍କୁ ସୁଖ ଲାଗୁଛି ବୋଲି ତାଙ୍କର ଭଲମନ୍ଦ ବୁଝିବାକୁ ଖବର ନେଇଛି । କାହିଁ ଜଣେ ତ କେହି କହିଲା ନାହିଁ ସହର ନିର୍ମ୍ମଳ ବୋଲି ।’’

 

କେଡ଼େ କଥାଟାଏ ନ ଲେଖିଲେ ! ସବୁ ଖବର ପାଇଯାଇଛନ୍ତି । ଅଛପା ନାହିଁ କିଛି । ଶହ ଶହ ଲୋକ ଏଠି କମେଇ ହେଇ ସବୁ ସଫାସୁତରା କରୁଛନ୍ତି । ସିଏ ସଫା ହେଲା ନାହିଁ ? ହେଲା ସେଇ ଗାଁ !

 

ସେଠି ପତର ସଉରୁଣୀ ପତର ନେଇ କୁମ୍ଭାର ଘରେ ଜମାଏ ପେଡ଼ିବାପାଇଁ । ନ ହେଲେ ପଡ଼ି ପଡ଼ି ଖତ କି ପଙ୍କ ହୁଏ । ସହରରେ ସେମିତି ପତର ପୋଡ଼ା ହେଉଛି । ଏଠି ବି ଖତ କରି ହେଉଛି । ଶାଶୁଙ୍କୁ ଦିଶିଗଲା ସେଇଟା ।

 

ସେ ଓଷଦ ଖାଆନ୍ତି ନାହିଁ । ସେ ତ ସବୁ କଥାକୁ ଖୁଣିବେ । କୋତରା ପାଣି ତାଙ୍କ ପାଖରେ ଗଙ୍ଗାଜଳ । ତାଙ୍କ ନିଜ ଦେହ ଛଡ଼ା, ନିଜ ଲୋକଙ୍କ ଛଡ଼ା ବାକି ସମସ୍ତେ ଗନ୍ଧାନ୍ତି ତାଙ୍କୁ ।

 

ହେଲା ଏବେ । ବୁଝାପଡ଼ିଲା ଯେ ଗାଁର ଅଳିଆ, ଗାଁର ପାଣି ଆଉ ଗାଁର ପବନ ବୋହୂଙ୍କୁ ମିଳୁନାହିଁ । ବଡ଼ ଆନନ୍ଦରେ କେତେ ମିଠା ସପନ ନ ଦେଖିଥିବେ ଶାଶୁ ନଣନ୍ଦ ଦିହେଁ ଯାକ ? ବୋହୂ ଚିଠିଟି ପଢ଼ି ବସିବା ଥାନରୁ ଉଠି ଆସିବ—ହୁଁ, ଉଠିବା ଥାନରେ ବସିବ ସିନା ।

 

ଉତ୍ସାହ ବଢ଼ିଲା ଚିଠିଟି ପଢ଼ିବାକୁ । ଯେତେ ହେଲେ ଭାବିଛନ୍ତି ତ ବୋହୂଙ୍କ କଥା । ସବୁ ଛିଦ୍ରଯାକ ଏକାଠି କରି ଯେତେ ବଡ଼ ଚାଲୁଣି ତିଆରି କରିପାରିଲେ ପଠେଇ ଦେଇଛନ୍ତି ।

 

ପୁଣି ଚାଲିଛି—‘‘ସେଠି ତ ପିଲାଏ ଦୁଧ ଟୋପେ ପାଉ ନ ଥିବେ । ଆଉ ଏଣେ ଦୁଧ ଖାଇବାକୁ ଲୋକ ନାହାନ୍ତି । ଗାଈ ତ ବାଛୁରୀ ପକାଉଛି । ସେଠିକି ଯାଇପାରୁ ନାହାନ୍ତି ଗାଈ ବାଛୁରୀ—ଘର ନାହିଁ ବୋଲି । ଗାଁରେ ଯୋଉଟା ଗୁହାଳକୁ ହୀନ, ସେ ହେଲା ବୋହୂଙ୍କ ନଅର ।’’

 

ସୁଲତା ଚିଠିଟାକୁ ଫୋପାଡ଼ି ଦେଲା । ତା’ର ବିଚାର ଉପରେ ସେମାନେ କଥା କହୁଛନ୍ତି-। ଏଇ ଗାଁ ଲୋକେ ସେଠି ପଛେ ସରଦାର ହେବେ, ଏଠିକି ଆସି ଛୋଟିଆରୁ ଆରମ୍ଭ କରିପାରିବେ ନାହିଁ । ଧନକୁ ଚାହିଁ ଘର । ପୁଅଙ୍କୁ ସିନା ଲେଖିଥାଆନ୍ତେ—ପୁଅରେ, ତୋ’ରି ଅଯୋଗ୍ୟପଣରୁ ମୋ ନାତି ଦି’ଟାଙ୍କୁ ନେଇ ଗୁହାଳଠାରୁ ହୀନଘରେ ପଡ଼ିଛୁ । ଏଠି ଗାଈବାଛୁରୀ ଭଲରେ ଅଛନ୍ତି—ମୋର ପୁଅନାତିଙ୍କଠଉଁ ।

 

ସେ କଥା ବେହୂଙ୍କୁ ଲେଖି କାହାର କ’ଣ ଲାଭ ହେବ ? ପଡ଼ିଥାଉ ଚିଠିଟା—ଇଏ ଫେରିଲେ ତାଙ୍କୁ କହିବି ଗୋଟେଇ ପଢ଼ିବେ । ଆଉ ଯାହା ଲେଖିବାର କଥା ବୋଉଙ୍କୁ ଲେଖିଦେବେ । ଜାଣିଛି ତ ମୋର ଘର ନାହିଁ, ୟାଙ୍କର ବାଳ ଝୋଟ ହେଲାବେଳକୁ କେଜାଣି ଅବା କୋଉଠି ଶାଶୁଙ୍କର ଗୁହାଳକୁ ହୀନ ଗୁଣ୍ଠେ ବିଶ୍ଵାଏ ଜମି କିଣିଲେ ଅବା କିଣିବେ—ଖାଲି କହୁଛନ୍ତି ଗୁଡ଼ାଏ ମନରଖା କଥା । ପ୍ରକାଶବାବୁ କହୁଛନ୍ତି କିରାନି ଚାକିରୀ ଛାଡ଼ିଲେ ସେ ହେବେ ହାକିମଙ୍କର ହାକିମ । ଆଉ ଇଏ ଭାରି ବୁଦ୍ଧିଆ ପଡ଼ି ପାଞ୍ଚ କରୁଛନ୍ତି ଯେ ଶେଷମାନେ ରହିବେ ହାକିମଙ୍କର କିରାନି ।

 

ସୁଲତାର ଆଖି ଦି’ଟା ଜକେଇ ଆସିଲା ବିଫଳ ସ୍ଵପ୍ନର ଆଘାତରେ । ସେ କେତେ ରଙ୍ଗରଙ୍ଗିଆ ସ୍ଵପ୍ନ ନେଇ ସହରକୁ ଆସିଲାବେଳେ ସହରର କଳ୍ପନା କରିଥିଲା । ଗୋଟିଏ ବି ସତ ହେଲା ନାହିଁ ସେଥିରୁ । ରାସ୍ତାରେ ଚାଲିବା ଲୋକକୁ ବାଟ ଦେଖାଇବାପାଇଁ ଏଠି ବିଜୁଳି ଜଳୁଛି । ଆଉ ସୁଲତା ରହୁଥିବା ଘରେ କିରାସିନି ଲଣ୍ଠଣ । ପୋକଜୋକ ବି ବାରି ହୋଇ ସେଇ କଳା ପଡ଼ିଥିବା ମସିହା ଲଣ୍ଠଣକୁ ପଚାରୁ ନାହାନ୍ତି ! ଦୋକାନୀ ବି କହିଲାଣି ସଫା ତେଲର ଚାହିଦା କମିଯାଇଛି ବୋଲି ସେ ମଇଳା ତେଲ ବିକୁଛି । ଗୋରୁ ଗାଡ଼ି ଆଉ ରିକ୍‌ସାବାଲା ଯୋଉ ତେଲ ଜାଳିବେ, ଗରିବଗୁରୁବାଙ୍କ ହାଣ୍ଡିଶାଳ ଡିବିରିରେ ଯୋଉ ତେଲ ଜଳିବ,ସେଇ ତେଲକୁ ବିକିବେ ସେମାନେ ।

 

କେତେ ଦୁଃଖ ନ ପାଇଲି ଖାଲି ୟାଙ୍କରି ହାତ ଧରି ! ଦଇବ ମନ୍ଦ ହୋଇଥିବାରୁ ୟାଙ୍କୁ ପାଇଲି ଯେ ସେଥିରେ ଶେଷକୁ ଶାଶୁ ନଣନ୍ଦ ମେଣ୍ଟ ବାନ୍ଧି ତାଙ୍କର ନିପାରିଲା ପଣକୁ ଭୁଲିଯାଇ ବୋହୂ ଉପରେ ଲଦି ଦେଉଛନ୍ତି ସବୁ ନିନ୍ଦା । ସତେ ଯେମିତି ବୋହୂ ସହର ଛାଡ଼ି ଗାଁକୁ ପଳେଇଲେ ତାଙ୍କ ପୁଅ ଅମୀର ହୋଇ ରହିଯିବେ ସହରରେ ।

 

କାହିଁ ଲେଖିଲେ ନାହିଁ ତ ପୁଅଙ୍କ ପାଖକୁ—ଚାକିରୀ ଛାଡ଼ି ଗାଁରେ ହଳ କରିବାକୁ, ତୋଟା ବଗିଚା କରିବାକୁ, କି ଗାଈ ଜଗିବାକୁ ? ଓଲଟି ଦେଖାଇ ପୁଅ ରୋଜଗାର ଖାଇବେ ବୋଲି ନିଜେ ମଉଜରେ ରହି ପୁଅକୁ ପଠେଇ ଦେଇଛନ୍ତି ଚାକିରୀ କରି ଟଙ୍କା ଛାଣିବାପାଇଁ । ଏଡ଼େ ବୁଝିଲା ଲୋକର ପୁଅ ହୋଇ ସେ ବି ଏବେ ସୁଖସମ୍ପଦ ଆଉ ସୁବିଧା ଛାଡ଼ି ଅରମାରେ ରହି ହସୁଛନ୍ତି । ପୁଣି ପାଞ୍ଚ କରୁଛନ୍ତି ସବୁ ଦିନକୁ ରହିବେ ସେମିତି ।

 

ସୁଲତା ବିରକ୍ତି ହେଲା ନିଜ ଉପରେ । ଭଲ ବୋଲି ନକଲି ଜିନିଷଟିଏ ଧରିଛି । ଗାଁକୁ ସହରରୁ ବୁଲିଗଲାବେଳେ ସେତେବେଳେ ବି ସେମିତି ଗୁଡ଼ାଏ ନକଲି ତୋଫା ଜିନିଷ ସମସ୍ତେ ଦେଖାଉଥିଲେ ଗାଁ’ବାଲାଙ୍କୁ । ଯିଏ ଗଲା, ରଜା ପାରିଧିକି ଗଲାପରି ଘୋଡ଼ାରେ ଚଢ଼ି ପାଗପୁଟୁକା ବାନ୍ଧି ସେଠ ହୁଙ୍କାରିଲା । ଯିଏ ଗାଁରୁ ସହରକୁ ଆସିଲେ, ସେମାନେ ଏଣେ ମାଟି ବୋହିଲେ ବି ଫେରିଲାବେଳକୁ କଳା ମୋଜା, କଳା ଚଷମା, କାମିଜ, କୋଟ ଆଉ କଲମ ନେଇ ଗାଁରେ ଚମକେଇଲେ ।

 

ଇଏ ତ ! ବାହା ହେଲାବେଳେ କୋଟିଏ ଭିତରୁ ଗୋଟିଏ ବାଛିଲା ପରି କେତେକଥା ନ କରିଛନ୍ତି । ଶେଷକୁ କୁଆଡ଼େ ଅସଲ ଖଳବୀ ପାରିଜାତ ଦେଈ ଆମୁକୁ ପସନ୍ଦ କରିଥିଲେ ବୋଲି ଆମେ ୟାଙ୍କର ହାତ ଧଇଲୁ ।

 

ତାଙ୍କୁ ପାଇ ପ୍ରକାଶବାବୁ ଯେମିତି ଧନ୍ୟ ହୋଇଛନ୍ତି—କହି କହି ସରୁନାହିଁ; ପାରିଜାତ ଦେଈ ଆମକୁ ସେମିତି ଧନ୍ୟ କଲେ,—କହିଲେ ବି ସରିବ ନାହିଁ । ଶାଶୁ ନଣନ୍ଦଙ୍କର ଇଚ୍ଛା ନ ଥିଲା ମୋତେ ଆଣିବାକୁ । ତାଙ୍କ ପୁଅ ସହରରେ ବଡ଼ ଅଫିସରେ କାମ କରୁଛନ୍ତି । ସେତେବେଳେ ଶୁଣିଲାବେଳେ ଧିଅରୁ ନିଆଁ ଖସି ପଡ଼ୁଥିଲା—ଅମୂଲ୍ୟ ସମ୍ପଦ ହରେଇଲି ବୋଲି । ଯେତେବେଳେ ପାଞ୍ଚବରଷ ଧରିଲି, ଆଉ ଛାଡ଼ିପାରିବି ନାହିଁ, ସେତିକିବେଳକୁ ନେଡ଼ିଗୁଡ଼ କହୁଣୀକି ବୋହିଗଲା ପରେ ଶାଶୁ ନଣନ୍ଦ ଶୁଣେଇଲେଣି ଭାଗବତ । ତାଙ୍କର ସବୁ ଅଛି । ମୋର କିଛି ନାହିଁ ।

 

ହଁ ତ । ମୋର ଆଉ ଅଛି କ’ଣ ? ୟାଙ୍କର ହାତ ଧରିଲା ପରେ ଆଉ କାହାରି ଘରକୁ ଯିବା କଥା ନାହିଁ । ଭଲ ହେଉ, ମନ୍ଦ ହେଉ, ୟାଙ୍କରି ସାଙ୍ଗରେ ଗୁନ୍ଥି ହୋଇରହିବି । ଧିଅରୁ ଆଉ ମନରୁ ଝଳି ଖସିଗଲାଣି । ଦିନେ ଅବା କିଏ ଦେଖି ‘‘କିଏସେ’’ ବୋଲି ପଚାରିଥିଲା । ଏବେ ସେ କଥା ତ ନାହିଁ । ଯୋଉ କାଣିଚାକ ବଳିଛି, ଦୁଃଖ ଅଭାବରୁ ବଳିପଡ଼ି ଏଇ ମନର ଯୋଉ କାଣିଚାକ ରହିଯାଇଛି, ସେଥିରେ ଭାଗ ନେବାକୁ ଧାଉଁଛନ୍ତି ୟାଙ୍କରି ପରି ଲୋକ । ସେଇମାନେ ଆସି କହୁଛନ୍ତି—ସୁଲତା ତମେ ଅପୂର୍ବ ।

 

ଏଇ ବୁଲାକୁକୁରଙ୍କ ମେଳରେ ରହିବାକୁ ବିଧାତା ଲେଖିଥିଲା କପାଳରେ । ତାଳଗଛ ଫଳିବ ବୋଲି ଚାହୁଁଛି । ନା ବଢ଼ୁଛି ଚଞ୍ଚଳ, ଅବା ଦେଉଛି ଛାଇ । ଶେଷକୁ ଭୋକ ମଲାବେଳକୁ ଏଇ ତାଳ ପରି ଅପୂର୍ବ ଫଳ ଆସି ପହଞ୍ଚିବ ଗୋଡ଼ପାଖରେ । ଏତିକି ତ ପାଇବି ଶେଷକୁ । ସେଇଥିପାଇଁ ତ ଆସି ବସିଛି ସହରରେ । ମରିବାଯାକେ ରହିବି ।

 

ଶାଶୁ ନଣନ୍ଦ ପଚାରୁଛନ୍ତି ଅସୁବିଧା କଥା । ଧିଅ ଖିନଭିନ୍‌ ହୋଇଯିବ—ଯାଉ....ଗଲେ....ଛୁଟି....ଯେତେ ଚଞ୍ଚଳ ଗଲେ ବି ଛୁଟି....

 

ସୁଲତା କାନ୍ଥକୁ ଆଉଜି ଚାହିଁରହିଲା ଦୁଆରକୁ । ବକଟେ ବୋଲି ଦୁଆର । ନଳାଟି ଦୁଆରପିଣ୍ଡା ଫୁଟା ହୋଇ ଏରୁଣ୍ଡି ବନ୍ଧ ତଳେ ଚାଲିଯାଇଛି ବାହାରକୁ । ସେଠି ପାଣି ପଙ୍କ ଏକାଠି ହୋଇ ଦୁଆର ଏ ପାଖରୁ ମଳା ବାନ୍ଧି ରହିଛନ୍ତି । ମାଟି ଦୁଆର । ପାଖକୁ ଚିକିଟା କଳାମାଟି ପରି ଅରାଏ ଜକଜକ ଦିଶୁଛି ଖରାପଡ଼ି । ଫାଙ୍କା ମନରେ ଚାହିଁଥିଲାବେଳେ ସେଗୁଡ଼ିକ ତାକୁ ବିଚିତ୍ର ପ୍ରକାରର ଦିଶୁଥିଲେ । ଛୋଟ ଛୋଟ ପୋକଙ୍କୁ ପବନ ଏ ପାଖ ସେ ପାଖ କଲାବେଳେ ସେଇ ପଙ୍କ ଅରାକ ଥରି ଉଠି ରୂପା ପରି ଚିକ୍‌ଚିକ୍‌ କରୁଥିଲା ।

 

ମେଞ୍ଚାଏ ରୂପା ଯଦି ଥାଆନ୍ତା ଶାଶୁ ଅବା ତାକୁ ତୋଳି ଧରିଥାଆନ୍ତେ ମୁଣ୍ଡ ଉପରେ । ସେ ସହରକୁ ଆସିଲାବେଳେ ହେଲେ ଆଣିପାରିଥାନ୍ତା ।—ରେଲଟିକଟ ଖର୍ଚ୍ଚ ପରି, ଘର ଭଡ଼ା କି ହୋଟେଲର ଚଳିବା ଖର୍ଚ୍ଚ ପରି—ଆଣିଥାଆନ୍ତା ହେଲେ !

 

ପଙ୍କରେ ହଲଚଲ ହେଉଥିବା ଜୀବପରି ସେ କ’ଣ ସେମିତି ଏଇ ପଙ୍କ ଉପରେ ଆଲୁଅର ଖେଳକୁ ସୁନା ରୂପାର ଖେଳ ବୋଲି ବିଚାରି ଜୀବନ କଟେଇଦେବ ? ଯଦି ସେମିତି ସେ ଜୀଇଁ ରହେ, ତେବେ ତାହାର କ’ଣ ଲାଭ ? ସେ ନ ଥିଲେ ହୁଏତ ଇୟେ ପୁଣି ମେସ୍‌କରିବେ ଅବା ହୋଟେଲରେ ଖାଇବେ । ସେମିତି ଖାଇ ଖଟି ଚାଲିଥିବେ ତାଙ୍କରି କାମରେ । ଅତି ବେଶି ସଜ ଅସଜ ହେଲାବେଳକୁ ବନ୍ଧୁମାନେ ଅବା କହିବି—ସୁଲତାକୁ ଆଣ ।

 

ନ ହେଲେ ସୁଲତା ବଞ୍ଚିଥାଇ ଆଉ କି ଲାଭ ! ସେ ତ ଜୀବନର ପଣ କରି ନ ଥିଲା ସହରକୁ ଆସି ବ୍ରଜବାବୁଙ୍କର କିରାନି ଜୀବନରେ ତାଙ୍କର ସେବାକାରୀ ହୋଇ ଜୀବନ ପୁହାଇ ଦେବ । ଆଉ ସେମିତି ରହିଲେ କି ମଲେ କାହାର କ’ଣ ଯାଏ ଆସେ ?

 

ସେ ମରିବା ଉଚିତ । ରମୁ ଉଠି କାନ୍ଦିଲା ଚିତ୍କାର କରି—କ’ଣଟାଏ କାମୁଡ଼ି ଦେଇଛି ତାକୁ ଶୋଇଲାବେଳେ । ଜଙ୍ଘଟା ଫୁଲିଯାଇଛି । ସେ କାନ୍ଦି କାନ୍ଦି ଦେଖାଇଲା ପୋଡ଼ୁଛି ।

 

ସୁଲତା ବ୍ୟସ୍ତହୋଇ ପଡ଼ିଲା । ଘରେ ଯାହା ଥିଲା ସେତକ ନେଇ ଲଗାଇଲା ପିଲାର ଜଙ୍ଘରେ । ଥିଲା ଟିକିଏ ଯାଦୁମଲମ ।

 

—କିରେ ଊଣା ହେଲା ?

 

—ନା । ଆଉରି ପୋଡ଼ୁଛି । ଭଲ ହେଉନାହିଁ ।

 

ସୁଲତା ଫୁଙ୍କି ବସିଲା । ତେବେ ବି ଭଲ ହେଉନାହିଁ ।

 

....ଏ ନିଆଁଲଗା ଘରେ କ’ଣ ଟିକିଏ ଔଷଧ ରଖିଛନ୍ତି କି ? ପିଲାପିଲି ଘର । କ’ଣ ବା ମୁଁ କରିବି ଏତେବେଳେ ! ପିଲାଟା କାନ୍ଦୁଛି....ମୁଁ ହେଲେ ବସିଥାଆନ୍ତି ସେଠି....ଏଠି ବସି ପଢ଼ୁଥିଲି ଶାଶୁଙ୍କର ଚିଠି ।

 

—କିରେ ରମୁ, କାମୁଡ଼ିଲାବେଳେ ଜାଣିନୁ—ବିଛା କି ?

 

ନିଆଁ ପରି ଲାଗିଲା ତ । ମୁଁ ଉଠି ବସିଲି । ଦେଖିନାହିଁ କିଛି ।

 

—ସାଙ୍ଗେ ସାଙ୍ଗେ ଉଠିଲୁ ? ଏତେବଡ଼ ଫୁଲିଲା କେମିତି ?

 

—କେଜାଣି ? ଭାରି ପୋଡ଼ୁଛି । ଓଷଦ ଲଗାଇବାରୁ ବେଶୀ ପୋଡ଼ିଲା ।

 

ସୁଲତା ଲୋଟାଏ ପାଣି ଆଣି ଧୀରେ ଧୀରେ ଢାଳିଲା । ଢାଳି କହିଲା—ଭଲ ହେଇଯିବ ଏଥର । ପାଣି ଥଣ୍ଡା ଅଛି ।

 

ରମୁ ଠେଲିଦେଲା ନୋଟାଟାକୁ ବିରକ୍ତ ହୋଇ । ପାଣିଗୁଡ଼ାକ ମୋଟେ ଥଣ୍ଡା କରୁନାହିଁ-

ସୁଲତା ବିବ୍ରତ ହୋଇ ଭାବିଲା—ଏଇ ପାଣି ଗରମକୁ ଥଣ୍ଡା କରିଦିଏ । ନିଆଁକୁ ଲିଭେଇ ଦିଏ.... ହା’ରେ କପାଳ....ବିଛା ଯଦି ହୋଇଥିବ....କଙ୍କଡ଼ା ବିଛା....ସେ ଉଲୁସି ଉଠିଲା ପିଲାର କଷ୍ଟ କଥା ଭାବି ।

ଭଙ୍ଗା ରେକଡ଼ ଘୋରି ଲଗେଇଲେ ବିଛା କାମୁଡ଼ିବା ଭଲ ହୁଏ । ସେଇ ପାଖଘରେ ରେକଡ ବାଜେ । ଭଙ୍ଗା ରେକଡ଼ ଥିବ ତ । ରମୁର କାଣ୍ଡ ଦେଖି ଅଧୈର୍ଯ୍ୟ ହୋଇ ସେ ନିଜେ ଯାଇ ଦୁଆର କବାଟରେ ହାତ ମାରିଲା ।

—କିଏ ସେ ? ....ଗୋଟିଏ ଭଦ୍ରଲୋକ କବାଟ ଫିଟାଇଲେ । ଆଗରେ ସୁଲତାକୁ ଦେଖି ତାକୁ ଚିହ୍ନି ନ ପାରି, ଆଉ କିଛି ବୁଝି ନ ପାରି, ସେ ପ୍ରଥମେ ବିବ୍ରତ ଆଉ ଟିକକ ପରେ ଲୁବ୍‌ଧ ଆଖିରେ ଚାହିଁ ହସି ପଚାରିଲେ—କ’ଣ କି ଖରାବେଳେ ?

—ଗୋଟିଏ ପିଲାକୁ କ’ଣ କାମୁଡ଼ି ଦେଇଛି....ବିଛା ହେବ ପରା । ଖଣ୍ଡେ ଭଙ୍ଗା ରେକଡ଼ କି ଆଉ କିଛି ଔଷଧ ଅଛି କି ? ଆମ ଘର ଏଇଠି ।

—ହଉ ଆସ ଭିତରକୁ । ଏଇଠି ଘର ତ ।

ସୁଲତା ସେହି ଚାହାଣୀ ଦେଖି ବାହାରେ ଠିଆ ହୋଇ ରହିଲା । ଏତେ ନିକଟରେ ଘର-। ପାଞ୍ଚ ବରଷ ହେଲାଣି ଦେଖୁଛି ସେ ଘରଟାକୁ । ଦୁଆରବନ୍ଧ ଡେଇଁ ପାରିଲା ନାହିଁ । ରାମୁର କାନ୍ଦ ଶୁଭୁଥାଏ—ଭାରି କଷ୍ଟ ହେଲାପରି । ତା’ରି ପାଟିରେ ଉଠି ବୁଲୁ ବି କାନ୍ଦିଲାଣି । ସୁଲତା ଚମକିପଡ଼ିଲା ବୁଲୁର କାନ୍ଦଣା ଶୁଣି ।

—ଆସ ଭିତରକୁ ଔଷଧ ଖୋଜିବି । ଘରେ ସମସ୍ତେ ଯାଇଛନ୍ତି ବୁଲିବାକୁ ।

—ଖୋଜି ଦିଅନ୍ତୁ ଟିକିଏ ଚଞ୍ଚଳ । ମୁଁ ଏଇଠି ଠିଆ ହୋଇଛି ।

—ଏତେ ପାଖରେ ଘର । ଭିତରକୁ ଆସିବାକୁ ତମର ଭୟ । ....ସେ ଭିତରକୁ ଗଲେ ଖୋଜିବାକୁ । ଟିକକ ପରେ ଆସି କହିଲେ—ବହୁତ ପ୍ରକାରର ଔଷଧ ଅଛି । ଚାଲ ମୁଁ ଲଗାଇ ଦେଇ ଆସିବି ।

ସୁଲତାର ବାଧାଦେବାର କୌଣସି ଉପାୟ ନ ଥିଲା । ସେ ପଳାଇ ଆସିବାକୁ ଚାହୁଁଥିଲା ନିଜ ଘରକୁ । ପଛେ ପଛେ ସେ । ଚାଲିବାର କ୍ଷିପ୍ରତା ଯୋଗୁଁ ହେଉ ଅବା ଅନ୍ୟ କିଛି କାରଣ ଥାଉ, ସେହି ଅଚିହ୍ନା ଲୋକଟି ଅଣନିଶ୍ୱାସୀ ହୋଇପଡ଼ୁଥିଲେ ।

ଭିତରକୁ ଆସିଲାବେଳେ ତାଙ୍କର ମୁଣ୍ଡଟି ଚାଳରେ ବାଜିଥିଲା । ତାକୁ ଖାତର ନ କରି ସେ ଆସିଥିଲେ ଭିତରକୁ । ରାମୁକୁ ଔଷଧ ଲଗାଇ କହିଥିଲେ—କିଛି ପୋକ ହେବ । ଚାଳରୁ ଖସି ପଡ଼ି କାମୁଡ଼ି ଦେଇଛି । ଛୋଟ ପିଲା ବୋଲି ଫୁଲିଯାଇଛି ଅଧିକ ।

ତ୍ରସ୍ତସ୍ଵରରେ ସୁଲତା ପଚାରିଥିଲା—କିଛି ଖରାପ ହେବନାହିଁ ?

—ବେଶି ହେଲେ ମତେ ଖବର ଦେବ । ଅନ୍ୟ ଔଷଧ ଦେବି । ଆଚ୍ଛା, ନ ହେଲେ ମୁଁ ବସି ରହୁଛି । ଘର ତ ଏଇଠି ।

 

ସୁଲତାକୁ ଅସୁବିଧା ହେଉଥିଲା ସେ କଥାଗୁଡ଼ାକ । ଭରସି ସେ କହିଲା—ଊଣା ହେଲାପରି ଲାଗୁଛି । ଆପଣ ଯାଆନ୍ତୁ । ବେଶି ହେଲେ ମୁଁ ଖବର ଦେବି ।

 

ତାଙ୍କୁ ବିଦାୟ କରି କବାଟଟା ବନ୍ଦ କରିବାକୁ ସୁଲତା ଆସିଥିଲା । ସେ ନିଃସଙ୍କୋଚରେ ସୁଲତାର କାନ୍ଧ ଉପରେ ହାତ ରଖି ହସି କହିଥିଲେ—ତମର ଭାରି ଲାଜ....ଭଲ ପିଲାଟିଏ—ବେଶି ହେଲେ ନିଶ୍ଚେ ଡାକିବ....ମୁଁ ଚାହିଁ ରହିଲି ।

 

ସୁଲତାର ମନ ପିଲାଟି କଥା ଭାବି ବଧିର ପଡ଼ିଯାଇଥିଲା । ଅଚିହ୍ନା ଲୋକର ହାତବାଜି ଦେହ ଚମକିଲା ବେଳକୁ ସେ ଚାଲିଯାଉଛନ୍ତି ପିଣ୍ଡା ପାରି ହୋଇ ରାସ୍ତାକୁ ।

 

ଅଶେଷ ଗ୍ଳାନିରେ କବାଟଟା ଧଡ଼ କରି ବନ୍ଦ କରିଦେଇ ସୁଲତା ଫେରିଆସିଲା ପିଣ୍ଡା ପାଖକୁ । ରମୁ କହୁଛି—ସେ ପୋକକୁ ମାରିବ ବୋଲି । କାମୁଡ଼ି ଦେଲା ତାକୁ ।

 

ଅବଶ ଦେହରେ ସୁଲତା ସେହି ଲୋକଟିର ସ୍ପର୍ଶର ଦଂଶନ ଅନୁଭବ କରୁଥିଲା । ଟିକିଏ ଔଷଧ ଦବାକୁ ଆସି ସେହି ଲୋକଟି ସୁଲତାକୁ ଆଘାତ ଦେଇ ଯାଇଛି ନିଦ୍ଵନ୍ଦରେ, ନିଃସଙ୍କୋଚରେ । ସୁଲତା ପ୍ରତିବାଦ କରିପାରି ନାହିଁ । ପ୍ରତିବାଦ କରିପାରିବ ନାହିଁ । ସେ କ’ଣ ଏମିତି ?

 

ମନ କଥା ଲୁଚାଇ ରଖି ପିଲା ଦୁଇଟିଙ୍କର ନିଦ ମଳ ମଳ ଆଖିର ଲୋତକଧାରକୁ ଚାହିଁ ସେମାନଙ୍କ ପ୍ରତି ଆଉ ନିଜପ୍ରତି ସହାନୁଭୂତିରେ ସେ ଦୁଇଧାର ଲୁହ ଗଡ଼ାଇଥିଲା ।

 

ସେ ପ୍ରକୃତରେ ଦୁଃଖୀ ।

 

ଦୁଃଖ ନାହିଁ ବୋଲି ବୁଝାଇବାକୁ ଅବା ଦୁଃଖର ଲୁହଧାର ଶୁଖାଇ ଦେବାକୁ ହଠାତ୍‌ ପବନରୁ ଛିଲିକାଏ ଅଜାଡ଼ି ହୋଇପଡ଼ିଲା ତା’ରି ଦୁଆରେ । ସେ ନିଜ କଥା ଭୁଲି ପବନର ଆଘାତରେ ଚମକି ପଡ଼ିଲା । ପବନ ଶାଶୁ ନଣନ୍ଦଙ୍କର ଚିଠିଖଣ୍ଡିକ ଉଡ଼େଇ ନେଇଛି ପଙ୍କ ପାଖକୁ-। ଚିଠିଟି ଲାଖିଯାଇଛି ପଙ୍କରେ ।

 

ଗଲା ଗଲା । ଚିଠିଟି ପୂରା ପଢ଼ି ନ ଥିଲି । ପଢ଼ୁ ପଢ଼ୁ ସତେ ଯେମିତି ଶୂନ୍ୟରୁ ଧର୍ମ୍ମ ଆସି ଦେଖେଇ ଦେଲାଣି ସହରର ମୁକୁଳା ଛବି ! ସହରର ଜାଲିଆତି ସଇତାନୀ ! କେଡ଼େ ଚଞ୍ଚଳ ଏମାନେ କୋଉଠୁ ଆସି କୋଉଠି ପହଞ୍ଚି ପାରନ୍ତି ? ଶାଶୁଙ୍କର ସେଇ ତିକ୍ତ–ମଧୁର କଥାଗୁଡିକ ସୁଲତାର ଆଖି ଆଗରେ ନର୍ଦ୍ଦମା ପାଖ ପଙ୍କପରି ଚିକ୍‌ଚିକ୍‌ କରୁଥିଲେ—ନିଜର ଆତ୍ମଗ୍ଳାନିର ଆଲୋକରେ ।

 

ସୁଲତା ଚିଠିଟି ଫୋପାଡ଼ି ଦେଇ ଏବେ ଦୁଃଖ କରି ବସିଲା । ନିଜର କ୍ରୋଧପାଇଁ ଅନୁତାପ କରିଥିଲା । ଶାଶୁଙ୍କୁ ଛାଡ଼ି ଆସିଥିବାରୁ କ୍ଷମା ମାଗିଥିଲା ।

 

ହଜେଇଥିବା ଧନପରି ସେ ସାଉଁଟି ନେଇଥିଲା ଚିଠିଟିକୁ । କାଦୁଅ ଲାଗିଯାଇଛି ଠାଏ ଠାଏ । କନା ଖଣ୍ଡେ ଆଣି ଅତି ଯତ୍ନରେ ସେ କାଦୁଅକୁ ପୋଛି ସଫା କରିଥିଲା । କିନ୍ତୁ ଚିଠିଟି ଠାଏଠାଏ ଲିଭିଯାଇ ପଢ଼ି ହେଉନାହିଁ ।

 

ପିଲାଙ୍କର କାନ୍ଦଣାକୁ କାନ ନ ଦେଇ ସେ ଚିଠିଟି ନେଇ ଶୁଖାଇଲା ଖରାରେ । ଚାହିଁ ରହିଥାଏ ଖରାକୁ । ମନେ ମନେ ଈଶ୍ଵରଙ୍କୁ ଡାକୁଥାଏ—ଖରା ମଉଳିବା ପୂର୍ବରୁ ଶୁଖିଯାଆନ୍ତା କି ଚିଠିଟା ! ଯୋଉ ପବନ ଉଡ଼େଇ ନେଇଥିଲା, ସେଇ ପବନ ହେଲେ ଶୁଖେଇ ଦିଅନ୍ତା ।

 

ଟିକକ ଆଗରୁ ଯୋଉ ଶାଶୁଘର ଚିଠି ଏଡ଼େ ଅପ୍ରୀତିକର ଲାଗୁଥିଲା, ସେଇ ଚିଠିଟି ଏବେ ତା’ର ଅମୂଲ୍ୟ ସମ୍ପଦ । ଯାହା ଯେତେ ସେ ଭାବିଥିଲା ସବୁ ଭୁଲ । ସବୁ ଦୋଷ ସୁଲତାର । ଶାଶୁ ନଣନ୍ଦଙ୍କର ନୁହେଁ କି ବ୍ରଜବାବୁଙ୍କର ନୁହେଁ । କାହାରି ନୁହେଁ । ଖାଲି ତା’ରି ।

 

ନିଜକୁ ନିଜେ ଦୋଷ ଦେବାକୁ ସେ ବାଧ୍ୟ ହଉଛି । ଦୋଷ କେମିତି କରିଛି—ତାକୁ ବୁଝେଇ ଦେଇଛନ୍ତି ସମସ୍ତେ ଟିକିଏ ଟିକିଏ କଥାରେ । ସେ ଆସିଥିଲା ଇନ୍ଦ୍ର-ଭୁବନ ଖୋଜି । ପାଇଛି କୁଡ଼ିଆ ଘର ଆଉ ନର୍ଦ୍ଦମା—ଶାଶୁଘରର ଗାଈ ଗୁହାଳଠାରୁ ହୀନ । ଭୁଲ୍‌ ଲେଖିନାହାନ୍ତି ଚିଠିରେ—

 

ବହୁତ ବେଳ ଚାହିଁ ରହିଲା ଖରାକୁ । ଆଖି ଆଗରେ ଖରାଟା ଆଖି ଝଲସାଇ କଳା ଛାଇପରି ନାଚୁଥାଏ । ସେ ଆଖି ବନ୍ଦ କରି ବାରମ୍ବାର ଖରାର ଧଳା ରୂପର ଉଜ୍ଜ୍ୱଳତା ଦେଖିବାକୁ ଚାହିଁଲା । କିନ୍ତୁ ବହୁତ ବେଳ ଚାହିଁଥିବାରୁ ସେ ଆଉ ଶୁଭ୍ର ଉଜ୍ଜ୍ୱଳତା ନ ପାଇ ବଦଳରେ ଦେଖୁଥିଲା ଅନ୍ଧାରୁଆ, କାଳିଆ ଛବି....

 

ଦେଖି ମଧ୍ୟ ଦେଖିପାରୁ ନାହିଁ । କିନ୍ତୁ ସେ ଦେଖିଥିଲା ତ ସେମିତି । ଆଖି ତାକୁ ଦେଖାଉଥିଲା ଅସ୍ଵାଭାବିକ ଛବି... ତା’ର ଆଖି ଅଛି । ସେ ଅନ୍ଧୁଣୀ ନୁହେଁ....

 

କାନ ମେଲା ଥାଏ । କିନ୍ତୁ ସେଥିଭିତରେ ପିଲାମାନଙ୍କର ଅଭିଯୋଗଭରା କାନ୍ଦଣା ସୁଲତାକୁ କିଛି ବୁଝାପଡ଼ୁ ନ ଥାଏ । ଖାଲି ଶୁଭୁଥାଏ ଗୋଳମାଳ—ଗୋଟାଏ ଶବ୍ଦପରି । ନିଜର ଚିନ୍ତାରେ ସେ ବିଭୋର । ସେ ଭୁଲିଯାଇଥିଲା ପିଲା ଦୁଇଟିଙ୍କୁ, ଉପରର ନୁଆଁଣିଆ ଚାଳ, ତଳର ସନ୍ତସନ୍ତିଆ ଦୁଆର, ଆଉ ସମସ୍ତଙ୍କୁ । ଯେମିତି ସେ ଦିନେ ଏକମୁହାଁ ଖିଆଲ ନେଇ ଭୁଲିଯାଇଥିଲା ଶାଶୁଘର ମୌରୁସୀ ଚଳନି, ବଡ଼ବଡୁଆଙ୍କ କଥା, ଆଉ ସମସ୍ତଙ୍କୁ ।

 

ଏଥିଭିତରେ ପାଞ୍ଚ ବରଷ ଚାଲିଯାଇଛି—ଚାହୁଁ ଚାହୁଁ ଚାଲିଯାଇଛି । ଯୋଡ଼ିଏ ପିଲାକୋଳକୁ ଆସିଛନ୍ତି । ସୁଖ ନ ଦେଇ ଦୁଃଖ ଦେଇଛନ୍ତି । ସମୃଦ୍ଧି ନ ଆଣି ଅଭାବ ବଢ଼ାଇଛନ୍ତି ।

 

ସହର ବଦଳି ନାହିଁ । ଗାଁ ନିଶ୍ଚିହ୍ନ ହେଇନାହିଁ । ସୁଲତା ଜୀବନରେ ଉନ୍ନତିର ଉଜ୍ଜ୍ୱଳ ରେଖାପାତ ହେଲା ନାହିଁ....ହବ ନାହିଁ ।

 

ବିରକ୍ତ ହୋଇ ରମୁ ଆସି ମା’କୁ ଖେଞ୍ଚିଲା । ମା ତା’ର ଏତେବଡ଼ କଷ୍ଟବେଳେ ବସିଛି ପିଣ୍ଡାରେ । ବୁଲୁ କାନ୍ଦି କାନ୍ଦି ଆସୁଥିଲା ସେଇ ଅଭିଯୋଗ ନେଇ । ପିଲା ଦିଓଟି ସୁଲତାକୁ କହୁଥିଲେ—ଯେବେ ମା’ ହୋଇ ଆମ ଦୁଃଖରେ ଦୁଃଖୀ ନ ହେଲୁ ତେବେ ତୁ ଆମର କିଛି ନୋହୁଁ-

 

ସୁଲତା ସେମିତି ଚକିତ ଚାହାଣୀରେ ଚାହିଁରହିଥିଲା ପିଲା ଦିଓଟିଙ୍କ ଆଡ଼କୁ । ଶାଶୁଙ୍କର ସୁଲତା ଉପରେ ଯେଉଁ ଅଭିଯୋଗ, ପିଲା ଦିଓଟିଙ୍କର ବି ତାରି ଉପରେ ସେଇ ଅଭିଯୋଗ । ବିରକ୍ତ ହୋଇ ସେ କହିଲା—କେହି ମତେ ବସେଇ ଉଠେଇ ଦେବେ ନାହିଁ । ମୁଁ ମଲେ ଛୁଟି ।

 

ଏତକ ଭର୍ତ୍ସନା ନିଶ୍ଚୟ । ପିଲା ଦୁଇଟି ବି ସେୟା ବୁଝିଲେ । ସୁଲତାର ସେମାନଙ୍କୁ ସେତେବେଳେ ଭର୍ତ୍ସନା କରିବାର ଅଧିକାର ନାହିଁ ବୋଲି ପ୍ରତିବାଦ କରି ସେମାନେ ଆହୁରି ଜୋରରେ କାନ୍ଦି ଉଠିଲେ ।

ସୁଲତାର ସମସ୍ତ ସ୍ୱପ୍ନ, ଅନୁଶୋଚନା ଓ କଳ୍ପନା ମିଳେଇଗଲା ସେଇ ନିଷ୍ଠୁର ବାସ୍ତବତା ଭିତରେ ।

ପିଲାଙ୍କର କାନ୍ଦଣା ବନ୍ଦ କରିବାକୁ ସୁଲତା ଚିଠିଆଡ଼େ ଆଖି ରଖି ସେମାନଙ୍କୁ କୋଳ କାଖ କରି ବୁଝାଇଲା ବହୁତ ବେଳୁ । ନ କାନ୍ଦିଲେ ଭଲ ଜିନିଷ ଖାଇବାକୁ ଦବ ବୋଲି ତାଙ୍କୁ କହିଲା ।

ଉତ୍ସାହରେ ସେଇ କାନ୍ଦଣାର ସ୍ଵରରେ ସେମାନେ ମାଗିଲେ ଖାଇବାକୁ ।—ଘରେ କିଛି ନାହିଁ ।

—ବାପା ଆସନ୍ତୁ । କିଣି ଆଣିବେ । କିଛି ନାହିଁ ପରା ଘରେ ।

—ଅଛି । ସେମିତି କାନ୍ଦି କାନ୍ଦି ଦି’ ଜଣଯାକ କହିଲେ ।

—କଣ ଅଛି ? ସୁଲତା ଖିଙ୍କାରି ଉଠିଲା ।

—ଚିନି ।

ହସି ସୁଲତା ଭାବିଲା—ସତେ ତ । ପିଲାମାନେ ସବୁ ମନେ ରଖିଛନ୍ତି ।

ସବୁଯାକ ଚିନି ଆଣି ଥୋଇଦେଲା ତାଙ୍କ ପାଖରେ—ଖାଅ, ଅଳ୍ପ ଅଳ୍ପ ଖାଇବ । ଆଉ କାନ୍ଦନା ।

ସୁଲତା ମନ ଦେଲା ଚିଠି ଉପରେ । ଚିଠି ଶୁଖି ଆସିଲାଣି । ତାକୁ ଲେଉଟପାଉଟ କରି ସୁଲତା ଜଗି ବସିଲା ମନରେ ଅସୀମ କୌତୂହଳ । ଚିଠିଟା ଅଧା ପଢ଼ିଥିଲା । ଆର ଅଧିକ ପଢ଼ିବ-। ତାକୁ ଜୀଅନ୍ତା ମଣିଷ ଲେଖି ନାହାନ୍ତି । ଲେଖିଛନ୍ତି ସେ ବଡ଼ବଡ଼ୁଆ । ଲେଖି ସୁଲତାକୁ ଚିଠିଟି ପଢ଼େଇ ତାକୁ ବୁଝେଇ ଦବାକୁ ଆସିଛନ୍ତି ।

ସୁଲତାର ଛାତି ଥରି ଉଠିଲା ଭୟରେ । ସେଇ ଚାଲିଯାଇଥିବା ଲୋକେ ତାଙ୍କରି କୂଳର ବୋହୂକୁ ଆସି କହିଛନ୍ତି—ସେ ଭୁଲ କରିଛି ବୋଲି । ତାଙ୍କରି ହାତରୁ ସେମାନେ ପାଣି ପିଇବେ ନାହିଁ ।

ସୁଲତାର ସେହି ସମୟର ତ୍ରସ୍ତହୃଦୟ ଭିତରେ କିଏ ଯେମିତି କହୁଥିଲା—ବୁଦ୍ଧି, ପରାକ୍ରମ, ଚାତୁରୀ, ଅକଲ ବେଶି କି କମ ଯାହା ହୋଇଥାଉ, ପ୍ରତ୍ୟେକ ବଂଶରେ ସେଇ ଘରର ଟିକିଏ ଟିକିଏ ଆଚାର ଓ ନିଷ୍ଠା ରହିଛି । ସେ ଘରର ସମସ୍ତେ ସେତିକି ମାନି ନ ଚଳିଲେ ଭୁଲ ହେବ ।

ଅନୁତାପର ବ୍ୟାକୁଳତାରେ ସୁଲତା ପଣତ କାନିରେ ଚିଠି ଉପରୁ ଧୂଳିତକ ଝାଡ଼ିଦେଇ ଦେଖିଲା ଯେ ହେଲେ ବି ଚିଠିଟା ପଢ଼ି ହେଉଛି । ପଢ଼ିବାକୁ ଚେଷ୍ଟା କଲା—‘‘ସମସ୍ତେ ବାହା ହୁଅନ୍ତି ବଉଁଶ ରଖିବାପାଇଁ । ସେଥିପାଇଁ ଲୋକେ ମାନସିକ, ଉପାସ, କାଷ୍ଠା, ନିଷ୍ଠା, ତୀର୍ଥ, ବ୍ରତ କରନ୍ତି । ଠାକୁରେ ଯେଉଁ ପିଲା ଦୁଇଟିଙ୍କୁ ଦେଇଛନ୍ତି, ତାଙ୍କୁ ପାଳିଲାଳି ମଣିଷ କଲେ ସେଇ ବହୁତ ହେବ । ସେମାନେ ତ ଘର ଚିହ୍ନିଲେ ନାହିଁ । ଶେଷକୁ ବାଟ ଚିହ୍ନି ଆସିପାରିବେ କି ନାହିଁ, ସେ କଥା ବୋହୂ ବୁଝିବେ ।

 

ସୁଲତା ଆଖିରୁ ଅନୁଶୋଚନାର ଲୋତକ ଝରି ପଡ଼ିଲା । ଗୋଟାଏ ଯିଦରେ ସେ ପିଲା ଦୁଇଟିଙ୍କୁ ଘରଛଡ଼ା କରି ଦେଇଛି । କିନ୍ତୁ ତାଙ୍କୁ ଘରଟିଏ ଦେଇପାରି ନାହିଁ । ବିଭା ହେଇଥିଲା—ସେଇଟା ସାର୍ଥକ ହୋଇଛି । ପିଲା ଦୁଇଟି ଆସିଛନ୍ତି । ପୁଣି ଏବେ ଏଣେ ତେଣେ ମନ ଚହଲେଇ ସେ କରୁଛି କ’ଣ ?

 

ଏହିସବୁ କୁପାଞ୍ଚ ନେଇ କ’ଣ ସେ ସହରକୁ ଆସିଥିଲା ? ତା’ର ଦେହ ଆଉ ମନ ଉଭୟେ ପ୍ରତିବାଦ କରି ଥରିଥିଲେ—ନା ସେ ଆସି ନ ଥିଲା । ଫେରିଯିବ ଶାଶୁ ଘରକୁ । ତାକୁ କ’ଣ ଡାକି ନାହାନ୍ତି ? ସେ ଆସୁ ବୋଲି କ’ଣ କେହି ଦି’ଧାଡ଼ି ଲେଖି ନାହାନ୍ତି ?

 

ଶାଶୁ ଲେଖିଛନ୍ତି—ଖାଲି ଧନ ଥିଲେ ଲୋକ ଧନୀ ହୁଏ ନାହିଁ । ଧନ କିଛି ସବୁ ଅଭାବ ପୂରଣ କରେ ନାହିଁ । ଟାଣ ଖରାର ଛାଇ କଳା ଦିଶିଲା ପରି ଅଧିକ ଧନ, ଅଧିକ ଦୁର୍ଗୁଣ କାଢ଼େ । ଧନକୁ ଚାହିଁ ଖରଚ କରି ଜାଣିଲେ ଧନ ପାଇବା ହିଁ ସାର ହୁଏ । ବୋହୂ ଭାବୁଥିବେ ଧନ ହେଲେ ହାକିମି ଆସିବ ବୋଲି । କ୍ଷମତା ଆସିବ । ଆସେ ସମସ୍ତଙ୍କର । ଭଲ କରିବାର କ୍ଷମତାଠାରୁ ଖରାପ କରିବାର କ୍ଷମତା ଅଧିକ ଆସେ । ଧନ ଆସେ ଭାଗ୍ୟ ଘେନି । ସହରରେ ବସି ରହିଲେ, ସେଠି ବସି ସନ୍ତୁଳି ହେଲେ ଧନ ଆସିବ ନାହିଁ । କାହାରି ଆସି ନାହିଁ ।

 

‘‘ଯେବେ ଶାଶୁବୁଢ଼ୀଙ୍କର କଥା ବୋହୂଙ୍କ ମନକୁ ପାଏ, ଅନୁଭବରେ ଯେବେ ସେ ଏ କଥାକୁ ସତ ମଣିବେ, ତେବେ ଝିଅଟ ଆସିବେ ଘରକୁ । ସେ ଘର ତାଙ୍କର ଆଉ ତାଙ୍କ ପିଲାଙ୍କର । ପାଚିଲା ପତ୍ର କେତେବେଳେ ଝଡ଼ିଯିବ—ସେ କଥା ଠାକୁରେ ଜାଣନ୍ତି । ଇତି ।

 

ତମର ଶାଶୁ

 

ଏତିକି ହେଉଛି ଚିଠି । ସେଇଠି ତମର ଶାଶୁ ବୋଲି ନଣନ୍ଦ ଲେଖି ଦେଇଛନ୍ତି । ଲେଖି ନ ପାରିବା ଲୋକ ଲେଖାଇଛି । ଆଉ ସେମିତି ପଢ଼ାଇଲାବେଳେ ବି ବୁଝାଇ ଦେଇଛି । ସୁଲତା ପ୍ରଣାମ ଜଣାଇଲେ ଶାଶୁଙ୍କୁ....ହୁଡ଼ି ଯାଇଥିଲି । ମତେ କ୍ଷମା ଦେବ ।

 

ସୁଲତାକୁ ଜଳ ଜଳ ହେଇ ଦିଶିଯାଉଥିଲା ଶାଶୁଙ୍କର ମୁହଁ । ସେହି କଠୋର ଚାହାଣୀ । କ୍ଷମା ଦେଇଛି । ସ୍ନେହ ଓ କରୁଣାରେ ଢଳ ଢଳ ଦିଶୁଛି । ସୁଲତା ଆପଣାକୁ ଶୁଣାଇ କହିଥିଲା—ଫେରିଯିବି ଘରକୁ ।

 

ପିଲା ଦୁଇଟି ଚିନି ଖାଇ ଖାଇ କ୍ଲାନ୍ତ ହୋଇ ପଡ଼ିଲେଣି । ଚିନି ସରି ଆସିଲାଣି । ମା’ ଆଡ଼କୁ ଲକ୍ଷ୍ୟ ନ ଥିଲା । ମା କଥା ଶୁଣି ରମୁ ଚମକି ପଡ଼ିଲା—ମା ମାରିବ ତ ।

 

ସୁଲତା ସେମିତି ଉଦାସ ଚାହାଣୀରେ ଚାହିଁ ଘରକରଣାର ଲାଭକ୍ଷତି ନ ବୁଝି ପଚାରିଲା–କିରେ, ଘରକୁ ଯିବା ?

 

—କୋଉଠିକି ?

 

—ଆମ ଘରକୁ ।

 

—ଆମ ଘର ପରା ଏଇଟା ?

 

—ନା, ଏଇଟା ଆମର ଘର ନୁହେଁ । ଆମର ଭଲ ଘର ଅଛି । ୟା’ଠୁ ବହୁତ ବଡ଼ । ବହୁତ ଗଛ । ଘର, ପୋଖରୀ, ଗାଈ, ବାଛୁରୀ, ଆଉ ଜେଜେ ମା ସମସ୍ତେ ଅଛନ୍ତି ।

 

—ଜେଜେ ମା କିଏ ?

 

ଅବଶ ଗଳାରେ ସୁଲତା କହିଲା—ମୋଠୁ ବଡ଼, ମୋଠୁ ଭଲ । ସେ ତମୁକୁ ଗାଈ ଦେବେ, ବାଛୁରୀ ଦେବେ ।

 

ପିଲା ଦୁଇଟି ଚଞ୍ଚଳ ହୋଇପଡ଼ିଲେ ବାଛୁରୀ ନେବାକୁ । ଜୀଅନ୍ତା ବାଛୁରୀ ସାଙ୍ଗରେ ଖେଳିବେ ।

 

—ହଁରେ ଯିବ । ବାପା ଆସିଲେ ଖୁବ୍‌ କାନ୍ଦିବ ଯିବାପାଇଁ । ବାପା ନାହିଁ କଲେ ମୋଟେ ଡରିବ ନାହିଁ । ମୁଁ ତୁମକୁ ଚିନି ଦେବି ।

 

—ହଉ ।

 

ଚିନି ଠୁଙ୍ଗାକୁ ଚାହିଁ ସୁଲତା ଚିଡ଼ିଉଠି କହିଲା—କିରେ, ମୁଁ ଟିକିଏ ଆଖି ରଖିଲି ନାହିଁ ବୋଲି ତମେ ସବୁଯାକ ଚିନି ଖାଇଗଲ ।

 

କାକୁସ୍ଥ ହୋଇ ପିଲାଦୁଇଟି ରହିଲେ । ଏବେ ଝଡ଼ ପରି ସୁଲତାର ମାଡ଼ ଓ ଗାଳି କ’ଣ ଆରମ୍ଭ ହୋଇଯିବ କେଜାଣି—ପିଲାମନରେ ଅନିଶ୍ଚିତର ଆଶଙ୍କା ।

 

ଚିନି ଠୁଙ୍ଗାଟି ଓଦା ହାତ ବାଜି ଅପରିଷ୍କାର ଦିଶୁଥିଲା । ଚିନି ନାହିଁ । ସୁଲତା ମୋଡ଼ିମାଡ଼ି ସେଇଟିକୁ ଫୋପାଡ଼ି ଦେଲା ପଙ୍କ ଉପରକୁ । ସେ ବି ଲାଖି ରହିଲା ପଙ୍କରେ । ତା’ରି ସହରର ସୀମାରେଖା ଯେମିତି ଘରର ସେହି ନର୍ଦ୍ଦମାଟି । ମୁହଁ ବନ୍ଦ ହୋଇଯାଇଛି ପଙ୍କରେ । ପାଣି ବି ଭଲ ଗଡ଼ିପାରେ ନାହିଁ । ଆଉ ସବୁବେଳେ ଗୋଟାଏ ଅସନା ଦୁର୍ଗନ୍ଧ ଘୂରି ବୁଲୁଥାଏ ନାକ ପାଖରେ । ସେହି ଗନ୍ଧ ଯୋଗୁ ସତେ ଯେମିତି କେହି ଆଉ କିଛି ଗନ୍ଧ ବାରି ପାରୁନାହାନ୍ତି ।

 

ସୁଲତାକୁ ରୁନ୍ଧି ହେଲାପରି ଲାଗୁଥିଲା । ସେ ମୁକ୍ତି ଚାହେଁ ଏହି ସହରରୁ । ଆସିଥିଲା ସହରକୁ ଆଲୁଅ, ପବନ, ସ୍ଵାଧୀନତା ଓ ସମୃଦ୍ଧିର କଳ୍ପନା ନେଇ । କିଛି ପାଇ ନାହିଁ ।

 

ଚିଠିର ଶେଷକୁ ନଣନ୍ଦ ଲେଖିଥିଲେ— ‘‘ଖୁଡ଼ିଙ୍କର ଦେହ ଭଲ ରହୁ ନାହିଁ । ବେଳେ ବେଳେ ଝୋଲାମାରି ହାଲିଆ ହୋଇ ପଡ଼ୁଛନ୍ତି । କହୁଛନ୍ତି ଯେ ମରଣ ବେଳ ଆସି ପହଞ୍ଚିଗଲାଣି । ଦିନରେ ସେ ତରା ଦେଖିଥିଲେ । ରାଗ ଛଳ କରିବ ନାହିଁ । ଯେତେ ଚଞ୍ଚଳ ପାର ଆସିବ । ପିଲାମାନଙ୍କୁ ଦେଖି ନାହାନ୍ତି । ସେମାନଙ୍କୁ ଆଣିବାକୁ ଭୁଲିବେ ନାହିଁ । ଇତି ।

 

ତମର ନଣନ୍ଦ ସେବା

 

ଚିଠିଟିକୁ ଶିବ ନିର୍ମାଲ୍ୟପରି ସୁଲତା ଝାଡ଼ିଝୁଡ଼ି ଲଫାପାରେ ପୂରାଇ ବାକ୍‌ସ ଭିତରେ ରଖିଆସିଲା । ଘର ଭିତରେ ସେଇ ବିଛଣା ପଡ଼ିଛି....ସେଇଠି ପ୍ରକାଶବାବୁ ହାଲିଆ ହୋଇ ଶୋଇଥିଲେ ଦି’ଦିନ ତଳେ । ....ୟେ’ ଶୁଅନ୍ତି....ନିଜେ ସୁଲତା ଶୋଇଥିଲା....ରମାନାଥ ଭାଇ ବସିଥଲେ....ସେଇଠି ରମୁ ଶୋଇଥିଲ....ତାକୁ ପୋକ କାମୁଡ଼ିଲା....

 

ଝୁରୁଝୁରୁ ହୋଇ ଉଇ ମାଟି ପୁଳାଏ ଗଳି ପିଡ଼ିଲା ଭୂଇଁ ଉପରେ । ତଳ ଅଳିଆ ଉପରକୁ ଯାଇ ପୁଣି ପଡ଼ିଛି ତଳେ । ସେ ସକାଳେ ସଞ୍ଜେ ଘରଟିକୁ ସଫା କରୁଛି । ଘର ସଫା ରହିପାରୁ ନାହିଁ ।

 

ଦୁଆରେ ପ୍ରକାଶ ବାବୁଙ୍କର ସେଇ ଉଚ୍ଛ୍ଵସିତ କଣ୍ଠସ୍ଵର ଶୁଭିଲା । —କିଏ ଅଛ ଦୁଆର ଖୋଲ ।

 

ତାଙ୍କୁ ମନା କରିଦେବ ବୋଲି ସୁଲତା ଘରୁ ଦୁଆରକୁ ଆସୁଥିଲା । ଆସିଲାବେଳେ ଝରକା ବାଟେ କଣେଇ ଚାହିଁଥିଲା ସେହି କୋଠାଟିକୁ—ସେଇ ଭଦ୍ରଲୋକ ଭଦ୍ରବେଶରେ କିଛି ନ ଜାଣିଲାପରି ଚାହିଁ ରହିଛନ୍ତି ପ୍ରକାଶ ବାବୁଙ୍କୁ ।

 

ଦୁଆର ପାଖରେ ବ୍ରଜବାବୁଙ୍କର ପାଟି ଶୁଭଲା—ଶୋଇପଡ଼ିଥିବେ । କାଲି ରାତିରେ ବହୁତ ବେଳରେ ଶୋଇଛନ୍ତି ।

 

—ଏତେବେଳେ ମଣିଷକୁ ବାହାରେ ଅଟକାଇ ରଖିଲେ କି ଚା ଖିଆ ହେବ ? ହୋଟେଲରୁ ଘରେ ତ ସହଜେ ଡେରି । ଚୁଲି ଲାଗିବ, ପାଣି କଢ଼ାହେବ, ପାଣି ତାତିବ....ସୁଲତା କବାଟ ଖୋଲିଲା । ଆଉ ସେହି ଚାଞ୍ଚଲ୍ୟ ନାହିଁ । ସେ ଗୋଟିଏ ଗାଉଁଲୀ ବୋହୂ । ପଲ୍ଲୀବଧୂ ପରି ସେ ନୂଆ ପ୍ରକାରର ଠାଣିରେ ଓ ଚାହାଣୀରେ ଠିଆ ହୋଇଥିଲା ।

 

ମନର କୋହ ମନଭିତରେ ଚାପି ସେ ଠିଆ ହୋଇଛି ।

 

ଭିତରକୁ ଆସି ପ୍ରକାଶ ବାବୁ ଆରମ୍ଭ କରିଦେଲେ—କ’ଣ ଅଛି ଚଞ୍ଚଳ ଦବଟି । ଭାରି ଭୋକ ହେଲାଣି । ଚଞ୍ଚଳ ଚା’ ବସାଅ । ବଢ଼ିଆ ଚା....ଭାରି ଘିମିରି ଗୁଡ଼ାଏ ହେଇଛି । କଣ କରିବା କହିଲ ?

 

ସୁଲତା କିଛି କହିଲା ନାହିଁ ।

 

—ଆଜି କ’ଣ ନୂଆ ରୂପ ? ତଣ୍ଟି ଧରିଛି କି ? ଘିମିରି ତମକୁ କିଏ ମାରିବାକୁ କହୁନାହିଁ-। ସେ ତ ପାରିଜାତର କାମ । ତମେ ଘିମିରି ମାରିବ ନାହିଁ ତମ୍ବା ପଇସାରେ ଯେ—ଚାରିଟା ପଇସା ଦେଲେ ମୁଁ ବରଫ କିଣି ଆଣିବି, ଘଷି ହେବି ଧିଅରେ ।

 

ସୁଲତା ଚାହିଁ ରହିଲା ପ୍ରକାଶ ବାବୁଙ୍କ ମୁହଁକୁ—ସତେ ଯେପରି ପଚାରୁଛି ଏମେତିକା କଥା କ’ଣ ସୁନ୍ଦର ଶୁଭେ—ନିଜ ଘରେ—କି ପର ଘରେ ?

 

କେହି ନ ହସିବାରୁ ପ୍ରକାଶ ବାବୁ କଥା ବଦଳେଇ କହିଲେ—ଭାଇ ଅଛନ୍ତି ନା ଗଲେଣି-? ତାଙ୍କପାଇଁ କ’ଣ ଏମିତି ଗୋଟାଏ ଲାଜ ଖେଳାଇ ଘର ଭିତରେ ଭାନୁମତୀ ସାଜିଛ କି-? ....ହଉ ଶୁଣ.... ଆଜି ମ୍ୟାଚ ହେବ ତାସ ଖେଳରେ । ଆମେ ଦି’ କିରାନି ଗୋଟାଏ ପାଖେ, ଆଉ ତମେ ଦି’ ହାକିମ ଗୋଟାଏ ପାଖେ.... ହେଇ ତାସ । କିରାନି କ୍ଳବରୁ ଆସିଛୁ ଆମେ କିରାନି ଜିତିବୁ ବୋଲି । ଡାକ ଭାଇଙ୍କି । ହୋ ରମାନାଥ ବାବୁ, ତୁମେ ଲୁଚିଛ ନା କ’ଣ । ଆସ ଦେଖିବ—ପ୍ରାଣହୀନ କିରାନି କେମିତି ଖେଳିବେ ଆଜି ।

 

ଏତେଗୁଡ଼ାଏ କହିସାରି ପ୍ରକାଶ ବାବୁ ବିବ୍ରତ ହୋଇପଡ଼ିଲେ । କିଛି ଗୋଟାଏ ବିଗିଡ଼ିଛି ନିଶ୍ଚୟ । ହେଲେ ସୁଲତା ଦେବୀ ତ ଏ କାଟର ନୁହନ୍ତି—କିଛି ବୁଝି ପାରିଲେ ନାହିଁ ।

ବ୍ରଜବାବୁ ଆଗେ ଆଗେ ବାହାରିଗଲେଣି ଘରକୁ । ସୁଲତା ଦୁଆରେ ଠିଆ ହୋଇଛି—ସେଇ ବାରି ଦୁଆର ଆଡ଼କୁ ଚାହିଁ ପ୍ରକାଶବାବୁ ଏକା ଏକା—ସୁଆଙ୍ଗ କରୁଥାନ୍ତି । ନବଜିଆ କଥା କହି ହସେଇବାକୁ ଚେଷ୍ଟା କରୁଥାନ୍ତି । କେହି ହସୁନାହାନ୍ତି । ରମୁ ବାପାଙ୍କୁ ଦେଖାଉଛି ତା’ର ପୋକବିନ୍ଧା ଜଙ୍ଘଟାକୁ । ଓଷଦ ଦେଲେ ଜଣେ ବାବୁ । ଭଲ ହେଇଗଲା ।

—କ’ଣ ହେଇଥିଲା ? ବ୍ରଜବାବୁ ପଚାରିଲେ ।

—ଗୋଟାଏ ବିଛା କି ପୋକ । କ’ଣ କେଜାଣି !

—କେତେବେଳେ କାମୁଡ଼ିଲା ?

—ରମୁ ଶୋଇଥିଲା ଖଟ ଉପରେ ।

—ଆଉ ତୁମେ ଗପୁଥିଲ ଭାଇଙ୍କ ସାଙ୍ଗରେ । ସେ ଚିଡ଼ି ଚିଡ଼ି ହୋଇ କହିଲେ, ସୁଲତା କିଛି କହିଲା ନାହିଁ ।

—ଔଷଧ ଦେଲା କିଏ ? କି ଔଷଧ ?

—ସେଇ ପାଖଘର ବାବୁ । ସେଇଠୁ ଯାଇ ଆଣିଲି ।

—ଘରେ କିଛି ଔଷଧ ନ ଥିଲା ?

—ତୁମେ କ’ଣ ଜାଣ ନାହିଁ ? କିଛି ଔଷଧ ଆଣିଥିଲ କି ?

—ଏଇଥିପାଇଁ କ’ଣ ପର ଘରୁ ଯାଇ ମାଗିବ ?

—ରମୁ କାନ୍ଦୁଥିଲା ଯେ ଭାରି ବ୍ୟସ୍ତ ହୋଇ ! !

ରମୁ କହିଲା—ହଁ ବାପା, ଭାରି ପୋଡ଼ୁଥିଲା । ମା ଓଷଦରେ ଭଲ ହେଲାନାହିଁ । ବେଶି ପୋଡ଼ିଲା । ବହୁତ ଜୋରରେ । ମା’ ପାଣି ଢାଳିଲା—ଫୁଙ୍କିଲା, ତେବେ ବି ଭଲ ହେଲା ନାହିଁ । ସେ ବାବୁ ଆସି ଓଷଦ ଲଗେଇ ଦେଲେ । ଭଲ ହୋଇଗଲା ।

—କେଉଁ ବାବୁ ? ଏଠିକି ଆସିଥିଲେ ?

—ହଁ । ତାଙ୍କ ଘର ସେଇ ପାଖକୁ । ସେ ଯୋଉ କୋଠାଟା । କ୍ଷୁବ୍‌ଧ ଓ ବିବ୍ରତ ହୋଇ ବ୍ରଜବାବୁ ସୁଲତାକୁ ପଚାରିଲେ—ଆମେ ନ ଥିଲାବେଳେ ବି....

—ହଁ ଆସନ୍ତି ତ । ଆସିଥିଲେ ତ । ଇୟେ ଆଉ ତାଙ୍କ ସାଙ୍ଗ ବି ଆସିଥିଲେ ।

ପ୍ରକାଶବାବୁ ଚମକି ପଡ଼ିଲେ । ସୁଲତା ତାକୁ ଆଙ୍ଗୁଠି ଦେଖାଇ କହୁଛି । ସେ ବାହାରର ଲୋକ । ଅସମୟର ବନ୍ଧୁ ନୁହନ୍ତି । ସୁଖର ସାଥି । ସେ ଆସିଥିଲେ । ଆଉ ସେ ନ ଥିଲାବେଳେ ସେମିତି ଆଉ ଜଣେ ଆସିଥିଲେ—ଔଷଧ ଲଗାଇବାକୁ ।

 

ପ୍ରକାଶବାବୁ କଥା ଭାଙ୍ଗିଦେବାକୁ କହିଲେ—

 

ତୁମର ଏଇ ମାଛିମରା କାମ ଗଲା ନାହିଁ ବ୍ରଜବାବୁ ? କଥାଟାକୁ ସରଳ ଭାବରେ ନ ନେଇ ଏମିତି ଛିଦ୍ର କାଢ଼ୁଛ କାହିଁକି ? ତୁମେ ମୋଟେ ଜାଣ ନା ସୁଲତା ଦେବୀଙ୍କୁ ।

 

ବ୍ରଜବାବୁ କହିଲେ—ମତେ ଏସବୁ ଭଲ ଲାଗୁ ନାହିଁ ।

 

—ହଉ ଛାଡ଼ ସେ କଥା । ସୁଲତା ଦେବୀଙ୍କୁ କୁହ ଚା’ ବରାଦ କରିବେ । ବଡ଼ ଭୋକ ହେଲାଣି—କ’ଣ ଅଛି ଘରେ ?

 

ଗମ୍ଭୀର ହୋଇ ବ୍ରଜବାବୁ କହିଲେ—କ’ଣ ଶୁଭୁ ନାହିଁ କି ?

 

—ଚିନି ନାହିଁ ।

 

—ଏତେ ଚିନି ସକାଳେ ଥିଲା ? ଆସିଥିଲା ପରା ?

 

—ପିଲାଏ ଖାଇଗଲେ ।

 

—କ’ଣ ତିନିପା ଚିନି ପିଲାଏ ଖାଇଲେ ନା ମୂଷା ଖାଇଗଲା ? ନା....ତୁମେ ଖାଇଛ ତ-? ହସି ପ୍ରକାଶବାବୁ କହିଲେ ।

 

—ତେବେ କ’ଣ କରିବା ? ମୁଁ ଯାଇ ଚିନି ଆଣେ ।

 

ବ୍ରଜବାବୁଙ୍କୁ ବାଧା ଦେଇ ପ୍ରକାଶବାବୁ କହିଲେ—ଥାଉ, ଆଜି ପାଗଟା ବିଗିଡ଼ିଗଲାଣି । ମୁଁ ଜାଣେ ପରା । ଆଜି ସକାଳେ ହାକିମ ମୁହଁ ଚାହିଁଥିଲି । ସେଗୁଡ଼ାଙ୍କୁ ଯୋଉଦିନ ପ୍ରଥମେ ଦେଖିବ, ଜାଣିବ ଯେ ମୁଣ୍ଡ ଉପରେ କୁଆ ଉଡ଼ୁଛି । ଏବେ ସେ ଥିଲେ ତାଙ୍କୁ ଆଉ ଥରେ ତଣ୍ଡିଥାନ୍ତି-। ଚାଲିଗଲେ ନାହିଁ ଯେ ଖସିଗଲେ ।

 

ରମାନାଥ ଭାଇଙ୍କ ଉପରେ ଅଯଥା ଆକ୍ରମଣ ହେଲେ ବି ସୁଲତା କିଛି କହିଲା ନାହିଁ । ପ୍ରକାଶବାବୁ ସ୍ଥିର କରିନେଲେ ଯେ ସୁଲତା ଦେବୀ ଭାରି ଚିଡ଼ିଯାଇଛନ୍ତି ନିଜ ଭାଇଙ୍କ ଉପରେ । ....ସବୁ ଗଲା ।

 

—ଯିବି ଯେ । ଚା’ ପଛକେ ନ ହେଲା ନାହିଁ । ବଚନ ଅମୃତରୁ ଟିକିଏ ପାଏଁ । ଯିବି ବୋଲି ଟାକି ବସିଛି । କିଛି ତ କହୁନାହାନ୍ତି ସେ ।

 

ସୁଲତା ଚିଠି ଖଣ୍ଡିକ ଆଣି ବ୍ରଜବାବୁଙ୍କୁ ଦେଲା । ତା’ର ମୁହଁ ଉପର ଦୁଃଖର କଳା ଗାର ସେମିତି ଲାଖି ରହିଥାଏ । ଓଠ କଣରେ ହସ ଫିଟିଲା ନାହିଁ ।

 

ପ୍ରକାଶବାବୁ ବ୍ରଜବାବୁଙ୍କ କାନ୍ଧ ଉପରେ ଚାହିଁଥିଲେ ଚିଠିଟାକୁ । ଚିଠି ପଢ଼ା ସରିଲା । ବ୍ରଜବାବୁ ଚାହିଁଲେ ପ୍ରକାଶବାବୁଙ୍କ ମୁହଁକୁ ।

 

—ଦେଖମ, ଖଣ୍ଡେ ଚିଠି କି ହିନସ୍ତା ନ କଲା ? ଏଇ ଚିଠି ଖଣ୍ଡକ ଆମ ସୁଲତା ଦେବୀଙ୍କ ମୁହଁରୁ ହସ ପୋଛି ଦେଇଛି.... ।

 

—ଆପଣ ଏମିତି ସବୁ କଥାରେ ରହସ୍ୟ କରନ୍ତୁ ନାହିଁ ।

 

—କ’ଣ ଶାଶୁଘରକୁ କେବେ ଯାଇଛ ? ଆସିଥିଲ ଯେ ସେଇଦିନୁ ପରା ଏଇଠି । ମୁଁ ଖବର ନେଇଛି ସବୁ ।

 

—ମୁଁ କାଲିଘରକୁ ଯିବି ।

 

—ଭାରି ଭଲ କଥା ତ । ତେବେ ବ୍ରଜବାବୁ ଛୁଟି ଦରଖାସ୍ତ କ’ଣ ଦେଲେଣି ? ନା ଏକା ଏକା ଚାଲିଯିବ ? ....ହଉ ମତେ ଦରଖାସ୍ତଟି ମିଳୁ । —ଯାଏଁ ।

 

ବ୍ରଜବାବୁ ଚାହିଁରହିଲେ ସୁଲତା ମୁହଁକୁ । କ’ଣ ଭାବି କହିଲେ—ହଁ ଯିବା ତ । ....ତୁମେ ଯିବ ? ....ପିଲାଏ ଯିବେ ?

 

ସୁଲତାର ଆଖିରୁ ସହରର ମାୟା ସତେ କି ଦୁଇବିନ୍ଦୁ ଲୋତକରେ ଝରି ପଡ଼ିଲା !

 

—କାନ୍ଦୁଛି କାହିଁକି ?

 

ମନର କୋହକୁ ସମ୍ଭାଳି ନ ପାରି ସୁଲତାର ଆଖିରେ ସେଇ ଛୋଟିଆ ଧାର ଦୁଇଟି ନାଚି ଉଠିଲେ ବାରମ୍ବାର । ପ୍ରକାଶବାବୁ ଆଉ ବ୍ରଜବାବୁ ଦୁହେଁ ପରସ୍ପରକୁ ଚାହିଁ କାରଣ ଜାଣିବାକୁ ଚେଷ୍ଟା କରୁଥିଲେ । ସୁଲତା ଫେରିଗଲା ସେହି କୋଠରୀ ଭିତରକୁ ।

 

—ମୁଁ ଯାଏଁ ତାହାହେଲେ...ପ୍ରକାଶବାବୁ ନିଜ ଘରକୁ ଫେରିଗଲେ । ସେଇ ଛୋଟିଆ ପରିବାରଟି ତାଙ୍କର ଛୋଟିଆ ହାନିଲାଭ, ଦୁଃଖସୁଖ ନେଇ ରହିଗଲେ ଘର ଭିତରେ । ଅନ୍ଧାରୁଆ ଘର ତାଙ୍କୁ ଢାଙ୍କି ଦେଲା । ଦୁଃଖୀର ଟୋପର ହେଉଛି ସେହି ଦୁଃଖ—

—ଆଜି ମୁଁ ରାନ୍ଧି ପାରିବି ନାହିଁ ।

—କ’ଣ ଏମିତି କହୁଛ ? ବୋଉ ବୁଢ଼ୀ ମଣିଷ । ସେତେ କିଛି ଖରାପ ନ ଥିବ । ଥିଲେ ତ ଅବଶ୍ୟ ଚିଠି କି ଲୋକ ଆସନ୍ତେ । ତାର ତ ହେଲେ ଆସନ୍ତାଣି ।

—ନ ଆସୁ । ସେ ଭଲରେ ଥାଆନ୍ତୁ । ତାଙ୍କ ଦିହ ଦୁଃଖ ମୋ ପାଖକୁ ଆସୁ । ମୁଁ ଯିବି ।

—ହଁ ଯିବ ଯେ । ଆଜି ନ ଯାଇ ଶନିବାର ଦିନ ଗଲେ ଭଲ ହୁଅନ୍ତା । ଛୁଟିନେବା ଦରକାର ହୁଅନ୍ତା ନାହିଁ । ଟଙ୍କାପଇସା କଥା ତ ଅଛି ।

—ଟଙ୍କା ଅଛି । ଯିବା ଆସିବାକୁ ପାଇବ ନାହିଁ । ତମେ ତ ଏକା ଫେରିବ । ହେଇଯିବ ଯେ ।

—ଆଉ ତମେ—ପିଲାଏ ?

ସୁଲତା ଅଧୈର୍ଯ୍ୟ ହୋଇ କାନ୍ଦି ଉଠିଲା । ତା’ର ମନର ସମସ୍ତ ଅଭିଯୋଗ, ସମସ୍ତ ଆକାଙ୍‌କ୍ଷା, ଗଭୀର ଅନୁଶୋଚନାର ଲୋତକ ରୂପେ ଅଜାଡ଼ି ହୋଇପଡ଼ୁଥିଲା ଛାତି ଭିତରୁ । ସୁଲତା ବୁଝାଇ ପାରିଲା ନାହିଁ । ବୁଝାଇବାର କୌଣସି ପ୍ରୟୋଜନ ଆଉ ନ ଥିଲା ।

 

ପାଞ୍ଚବର୍ଷର ସ୍ଵପ୍ନ, ବହୁବର୍ଷର ସଞ୍ଚିତ ଆକାଙ୍‌କ୍ଷା, ଦୁଇଟି ଦିନର ସାମାନ୍ୟ କେତୋଟି ଘଟଣାରେ ତା’ର ରୂପ ବଦଳାଇଥିଲା । ନୀଳ ଆକାଶ ଉପରେ ଝୁଲୁଥିବା ମେଘପରି—ସେ ଚଞ୍ଚଳ ଓ ଭାରାକ୍ରାନ୍ତ ।

 

ଭସାମେଘର ବି କୌଣସି ନିର୍ଦ୍ଦିଷ୍ଟ ସମୟ ନ ଥାଏ । ଚାଲୁ ଚାଲୁ ଭାସୁ ଭାସୁ ସେ ଝରିପଡ଼େ ସେମିତି ଲୋତକ ପରି.......କୌଣସି ଅନୁତପ୍ତ ଦେବତାଙ୍କର ଲୋତକ.......

Image